ବିଭିନ୍ନ ଧର୍ମ ଅନୁସାରେ ଶବ ସତ୍କାରର ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ। କେଉଁଠି ନିଆଁରେ ପୋଡ଼ି ଶବ ସତ୍କାର କରାଯାଉଥିବା ବେଳେ କେଉଁଠି ଏହାକୁ ପୋତାଯାଇଥାଏ। ଏ ସମସ୍ତ କ୍ଷେତ୍ରରେ ସାଧାରଣ ସାମଗ୍ରୀକୁ ବ୍ୟବହାର କରାଯାଇଥାଏ। ଇଟାଲିର ଏକ କମ୍ପାନି ଅର୍ଗାନିକ୍ ସୁରକ୍ଷିତ ପେଟିକାରେ ଶରୀରକୁ ରଖାଯିବା ପରେ ଏହା ଗଛରେ ପରିଣତ ହେବ ବୋଲି କମ୍ପାନୀ ମତ ଦେଇଛି। ଏହି ପ୍ରକ୍ରିୟାରେ ଜୈବସତ୍ତାକ୍ଷୟକାରୀ କ୍ୟାପସୁଲ୍ରେ ମୃତ ଶରୀରକୁ ରଖି ବନ୍ଦ କରିଦିଆଯିବ। ସମୟ ଗଡ଼ିବା ସହ ମୃତ ଶରୀରରେ ଥିବା ପୋଷକ ତତ୍ତ୍ବକୁ ବ୍ୟବହାର କରି ଏକ ଗଛ ଲଗାଯାଇପାରିବ ବୋଲି କମ୍ପାନି ଅଧିକାରୀ କହିଛନ୍ତି। ଏହି କ୍ୟାପ୍ସୁଲ୍କୁ ଇଟାଲିର ଦୁଇଜଣ ଡିଜାଇନର୍ ତିଆରି କରିଛନ୍ତି। ଏହାକୁ ଅଣ୍ଡା ଆକୃତିର ଡିଜାଇନ୍ କରାଯାଇଛି। ଏହି ସେଲ୍ରେ ଶରୀର ରଖାଯିବା ପରେ ସେଲ୍ଟିି ଭାଙ୍ଗିଯିବା କାରଣରୁ ଏଥିରେ ଥିବା ବଳକା ଜିନିଷ ଏକ ଗଛକୁ ଜନ୍ମ ଦେବା ପାଇଁ ପ୍ରକୃଷ୍ଟ ହୋଇଥାଏ। ସେଥିରେ ମଞ୍ଜି ପୋତାଯାଇଥାଏ। ସେହି ଅଂଶ ବିଶେଷରେ ଏହା ମିଶି ପୋଷଣ ଗ୍ରହଣ କରି ଗଛରେ ପରିଣତ ହୋଇଥାଏ।
କଥା-ଫରୁଆ - ‘ଦେଇଥିଲେ ବାଟକୁ, ଖାଇଥିଲେ ପେଟକୁ’
ଗାଆଁ ଗହଳରେ ସାଧାରଣ ଲୋକଟିଏ ସୁଦ୍ଧା ଗପସପ ବେଳେ ଟିପପ୍ଣୀ କରି କହେ, ‘‘ଦେଇଥିଲେ ବାଟକୁ, ଖାଇଥିଲେ ପେଟକୁ’’। ଯାହା ଖାଇଲେ ତାହା ପେଟକୁ ଯିବା ବୁଝିହେଉଛି ମାତ୍ର ଦେଇଥିଲେ ବାଟକୁର ତାତ୍ପର୍ଯ୍ୟ କ’ଣ? ସତକଥା ଆମେ ନିଜେ ଯାହା ଭକ୍ଷଣ କରୁ ତାହା ପେଟକୁ ହିଁ ଯାଏ। ସେହିପରି ଅଭାବୀ ଲୋକଙ୍କୁ ଦେଲେ ବା ସାହାଯ୍ୟ କଲେ ତା’ର ପ୍ରତିଦାନ ଜୀବନ ପଥରେ କେବେ ନା କେବେ ଆମକୁ ମିଳିବ। ଭୋକଥିଲେ ଯେମିତି ଆମେ ପେଟକୁ ଖାଦ୍ୟ ଯୋଗାଇ ଦେଉଛେ ସେହିଭଳି ପାଖରେ ଯଦି ଅଛି ଏବଂ ଆଗରେ ଜଣେ ଅଭାବରେ ପଡ଼ିଥିବାର ଆମେ ଦେଖୁଛେ େତବେ ସାହାଯ୍ୟ-ଦାନ କରିବା ଆବଶ୍ୟକ। କାରଣ କିଏ ଜାଣେ ଆମେ ନିଜେ କେବେ ଅସୁବିଧାରେ ନ ପଡ଼ିବା? ସେତେବେଳେ ନିଶ୍ଚୟ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଏଭଳି ନୀତି ସାମାଜିକ ହେଲେ ସାରା ସମାଜ ଉପକୃତ ହେବ। ସେଥିପାଇଁ କୁହାଯାଏ,‘‘ଦେଇଥିଲେ ପାଇ’’।
ଶବ୍ଦତୋଡ଼ା - ସହସ୍ରଭୁଜା
ଶବ୍ଦଟି ସହସ୍ରଭୁଜ ହୋଇଥିଲେ ତାହା ଏକ ହଜାର ହାତଥିବା ବ୍ୟକ୍ତିଙ୍କୁ ବୁଝାଇଥାନ୍ତା, କାରଣ ଭୁଜ କହିଲେ ହାତକୁ ବୁଝାଏ। ଯେହେତୁ ସହସ୍ରଭୁଜା ଲେଖାଯାଇଛି ଏହା ଏକହଜାର ହାତଥିବା ଜଣେ ନାରୀଙ୍କୁ ବୁଝାଏ। କିଏ ଏହି ନାରୀ ଯାହାଙ୍କର ଏକସହସ୍ର ବା ହଜାର ହାତ? ଏହା କ’ଣ ସମ୍ଭବ? ଆମ ପୁରାଣ କାହାଣୀମାନଙ୍କରେ ଦେବ ଦେବୀଙ୍କର ଚାରିହାତ, ଛଅହାତ, ଆଠହାତ, ଦଶହାତ ଏପରିକି ବାରହାତ ଥିବା ବାରଭୁଜାଙ୍କର ପରିକଳ୍ପନା କରାଯାଇଛି। କିନ୍ତୁ ବାସ୍ତବ ଜୀବନରେ ଆମେ କ’ଣ କାହାକୁ ଦୁଇଟି ହାତରୁ ଅଧିକ ଥିବାର ଦେଖୁ? ତେବେ କାହିଁକି ଏମିତି ଏତେ ଏତେ ହାତ ଥିବା ଠାକୁର ଠାକୁରାଣୀଙ୍କର କଳ୍ପନା କରି ପୂଜା କରାଯାଉଛି? ବିଶେଷକରି ମା’ ଦୁର୍ଗାଙ୍କୁ ବା ଶକ୍ତିଙ୍କୁ ସହସ୍ରଭୁଜା ବୋଲି ବନ୍ଦନା କରାଯାଉଛି! ଭୁଜ ବା ହାତ, ଶକ୍ତିର ଏବଂ କାର୍ଯ୍ୟକୁଶଳତାର ପ୍ରତିନିଧି। ହାତମାଧ୍ୟମରେ ଆମେ ଶକ୍ତି ପ୍ରଦର୍ଶନ କରୁ। ହିନ୍ଦୁଶାସ୍ତ୍ର ମତରେ ମାଆ ଦୁର୍ଗତିନାଶିନୀ ଦୁର୍ଗା ଅମାପ ଶକ୍ତିର ଅଧିକାରିଣୀ। ତେଣୁ ତାଙ୍କୁ କେହି ଅଷ୍ଟଭୁଜା କହି ପୂଜା କରେ ତ କେହି ଦଶଭୁଜା, ପୁଣି କେହି ସହସ୍ରଭୁଜା କହି ପୂଜାକରେ।