ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳନ

ବାରିପଦା: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତରଫରୁ ଏକ ୱେବିନାର ଗତକାଲିତା ଅନୁଷ୍ଠିତ ହୋଇଯାଇଛି । ଗୁଗୁଲ୍‌ ମିଟ୍‌ରେ ଆୟୋଜିତ ଏହି ୱେବିନାରରେ କୁଳପତି ପ୍ରଫେସର କିଶୋର କୁମାର ବସା ପୌରୋହିତ୍ୟ କରି ଏହି ଦିବସର ଉଦ୍ଦେଶ୍ୟ ଓ ବିଶେଷତ୍ତ୍ୱ ସଂପର୍କରେ ଆଲୋକପାତ କରି ସାଂପ୍ରତିକ ସମୟରେ ‘‌ଇକୋଲୋଜି’ ଓ ‘ଇକୋନୋମି’ ମଧ୍ୟରେ ସମନ୍ୱୟ ସ୍ଥାପନ ତଥା ପରିବେଶ ସୁରକ୍ଷା ପାଇଁ ସ୍ୱଦେଶୀ ଜ୍ଞାନ ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ୱେବିନାରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପୂର୍ବତନ ମୂଖ୍ୟ ପ୍ରଫେସର ଅନାଥ ବନ୍ଧୁ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ “ଜଳବାୟୁ ପରିବର୍ତ୍ତନ ଦିଗରେ ଉପକୂଳ ଜୈବ ବିବିଧତାର ସହନଶୀଳତା” ଶୀର୍ଷକ ବିଷୟରେ ନିଜର ଅଭିମତ ରଖିବା ପୂର୍ବକ ଜୈବ ବିବିଧତା ସଂରକ୍ଷଣ ତଥା ଓଡ଼ିଶା ଉପକୂଳର ଜୈବିକ ସୁରକ୍ଷା ନିମନ୍ତେ ଲୁଣା ଜଙ୍ଗଲର ପୁନରୁଦ୍ଧାର ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ ସମାଧୀଆ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,  ଛାତ୍ରଛାତ୍ରୀ ଓ ଗବେଷକ ଯୋଗଦାନ କରିଥିଲେ ।
ସମ୍ବନ୍ଧିତ ଖବର