ସୃଜନ ସମ୍ଭାର: ଖସରା ଜିହ୍ବା ଓ କାଲଭିନ କୁଲିଜ୍‌

ସୃଜନ ପ୍ରକାଶ ଦାସ

ଆମ ମୁହଁରେ ଥିବା ଜିହ୍ବାଟି କେଉଁ କାରଣ ଲାଗି ଆମମାନଙ୍କୁ ଅସୁବିଧାରେ ପକାଏ, ତାକୁ ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ। ଏହି କାରଣରୁ ସ୍ଥିତପ୍ରଜ୍ଞ ଓ ବିଚାରବନ୍ତ ବ୍ୟକ୍ତିମାନେ ଖୁବ୍‌ ସ୍ୱଳ୍ପ କଥା କହନ୍ତି। କୌଣସି ଅନାବଶ୍ୟକ କଥା କହନ୍ତି ନାହିଁ, ଯଦ୍ଦ୍ବାରା ସେମାନେ ଅଯଥା ବିବାଦରେ ଛନ୍ଦି ହୋଇଯିବେ। ଅନେକ ସମୟରେ କଥା କହୁ କହୁ ଅଜାଣତରେ ପାଟିରୁ ଏମିତି କଥା ବାହାରିଯାଇ ପାରେ, ଯାହା ଅକଳିଆ ପରିସ୍ଥିତି ସୃଷ୍ଟି କରିଥାଏ। ସାଧାରଣତଃ ବାଚାଳ ପ୍ରାୟ ଗପୁଥିବା ଲୋକଙ୍କ ଠାରେ ଏଭଳି ଅଲକ୍ଷଣ ଅଧିକ ଦେଖା ଦେଇଥାଏ। ଏହି କାରଣରୁ ସେମାନେ ଅନେକ ସମୟରେ ଅଖାଡୁଆ ଅବସ୍ଥାରେ ପଡ଼ନ୍ତି, ଏବଂ ଏଭଳି ସ୍ଥଳେ ସେମାନଙ୍କ ଉପରେ ପାଲଟା ଆକ୍ରମଣ ହେଲେ ଜିଭ କାମୁଡ଼ି ସେମାନେ କହି ପକାନ୍ତି ଏହା ‘ସ୍ଲିପ୍‌ ଅଫ୍‌ ଟଙ୍ଗ’ ଥିଲା, ଯାହାକୁ ଓଡ଼ିଆରେ କହିଲେ ହେବ ଜିଭ ଖସିଗଲା ବା ପାଟିରୁ ବାହାରିଗଲା। ପ୍ରସିଦ୍ଧ ମନୋବିଜ୍ଞାନୀ ସିଗମଣ୍ଡ ଫ୍ରଏଡ୍‌ ଏହି ଅଲକ୍ଷଣକୁ ‘ପାରାପ୍ରାକ୍‌ସିସ୍‌’ ବୋଲି କହିଛନ୍ତି। ତାଙ୍କ ସିଦ୍ଧାନ୍ତ ଅନୁସାରେ ବ୍ୟକ୍ତିର ଅବଚେତନ ମନରେ ଥିବା କ୍ରୋଧ ବା ଅବସୋସ ବା ଦ୍ବିଧାର ପରିପ୍ରକାଶ ଅଗତ୍ୟା ‘ସ୍ଲିପ୍‌ ଅଫ୍‌ ଟଙ୍ଗ’ ଦ୍ବାରା ହୋଇଥାଏ। ତେଣୁ ଦୁଇଟି ନିୟମ ମାନି ଚଳିଲେ ଏଭଳି ଅସୁବିଧାଜନକ ସ୍ଥିତି ଉପୁଜିବାର ସମ୍ଭାବନା କମିଥାଏ- ଗୋଟିଏ ହେଲା ଯେତେ ସମ୍ଭବ କମ୍‌ କଥା କହିବା ଏବଂ ଯେତେବେଳେ ବି କହିବା ଭାବିଚିନ୍ତି କହିବା।

ମଦ୍ୟପ ବା ପାଗଳମାନେ ଏଣୁ ତେଣୁ ପାଟିକୁ ଯାହା ଆସିଲା କହନ୍ତି। ଅଧିକାଂଶ ଲୋକ ତାହା ଧରନ୍ତି ନାହିଁ। କାରଣ ସେମାନେ ଜାଣିଥାଆନ୍ତି ଯେ ନିଶା ହେତୁ ହେଉ ବା ମାନସିକ ବିକୃତି ଯୋଗୁଁ ହେଉ; ବ୍ୟକ୍ତି ତା’ର ବିବେଚନାବୋଧ ହରାଇଛି। ତେଣୁ ଏଭଳି ବ୍ୟବହାର ତା’ ଠାରେ ସ୍ବାଭାବିକ। କିନ୍ତୁ ଆମେ ଭୁଲିଯାଉ ଯେ ଜଣେ ବ୍ୟକ୍ତି ଅତି ରାଗି ଗଲେ ବା ଅତି ଖୁସିରେ ଗଦଗଦ ହୋଇଗଲେ ବା ଗପୁ ଗପୁ ପ୍ରଗଳ୍‌ଭ ହୋଇଗଲେ, ଊଣା ଅଧିକେ ସେହି ନିଶାଗ୍ରସ୍ତ ଭଳି ଅବସ୍ଥାରେ ପହଞ୍ଚିଯାଆନ୍ତି, ଯେତିକି ବେଳେ ସେ ହିତାହିତ ଜ୍ଞାନ ହରାଇ ବା ଆତ୍ମ ନିୟନ୍ତ୍ରଣ ହରାଇ ଏଣୁତେଣୁ ବକି ଦେଇ ପାରନ୍ତି। ସେତିକି ବେଳେ ଜିହ୍ବାରୁ କ’ଣ ବାହାରି ଯାଏ, ତାହା ହୁଏ’ତ ହଠାତ୍‌ ଜଣା ପ‌େଡ଼ନା; କିନ୍ତୁ ଜାଣିଲା ବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ।

ସାଧାରଣତଃ ଦେଖାଯାଏ ଯେ ଅପରାଧୀମାନଙ୍କୁ ଯେ‌ତେବେଳେ ପୁଲିସ ଜେରା କରନ୍ତି ସେତେବେଳେ ସେମାନେ କ୍ଷୁଦ୍ରତମ ବାକ୍ୟରେ ଉତ୍ତରମାନ ଦିଅନ୍ତି। ଅନେକ ସମୟରେ କେବଳ ହଁ ବା ନାଁରେ କାମ ଛିଡ଼ାଇ ଦେବାକୁ ସେମାନେ ଚାହାନ୍ତି। ଏହା ପଛରେ ଥିବା କାରଣ ହେଉଛି ଅଧିକ କହିଲେ ଏଣୁ ‌େତଣୁ ଗପିଯିବାର ଭୟ; ଯାହା ସେମାନଙ୍କୁ ହୁଏ’ତ ମହରଗରୁ ନେଇ କାନ୍ତାରରେ ପକାଇ ଦେଇପାରେ। ଜିହ୍ବାର ଏଭଳି ବିଶ୍ବାସଘାତକତା ଲାଗି ଗପ ଛଳରେ ଅନେକ ରୋଚକ କଥାମାନ ଶୁଣିବାକୁ ମିଳେ- ଯେମିତି ଜିହ୍ବାଟି ଅମେରୁଦଣ୍ଡୀ ହୋଇଥିବାରୁ ତା’ ଉପରେ ଭରସା ରଖିବା ବିପଜ୍ଜନକ। ସେଥି ଲାଗି ଜିହ୍ବା ବାରମ୍ବାର ମିଛ କହେ ଏବଂ କହିଥିବା କଥାକୁ ସ୍ବୀକାର କରେ ନାହିଁ। ସେହି କାରଣରୁ ଲୋକେ ତ କଥା ଦେଇ ରଖନ୍ତି ନାହିଁ, ରାଜନେତାମାନେ ବାରମ୍ବାର ପ୍ରତିଶ୍ରୁତି ଦେଇ ଭାଙ୍ଗି ଚାଲନ୍ତି। ଏହି କାରଣରୁ ଗାୟକ ଅକ୍ଷୟ ମହାନ୍ତି ଗୀତରେ ଗୀତରେ ଗାଇ ଗଲେ ଯେ ‘କଥାର ଭରସା କିଛି ନାହିଁ, ଯେଣୁ କଥା ତ ପବନ ମିଶିଗଲା ପବନରେ!’ କେହି କେହି କହନ୍ତି ଯେ ଭଗବାନ ଜିହ୍ବାକୁ ସୃଷ୍ଟି କଲା ପରେ ବୋଧହୁଏ ବୁଝିପାରିଲେ ଯେ ଏଭଳି ସାଂଘାତିକ ଭାବେ ଖସରା ଓ ହାଡ଼ହୀନ ଅଙ୍ଗକୁ ସୃଷ୍ଟି କରି ସେ ଭୁଲ୍‌ କାମଟିଏ କରି ପକାଇଛନ୍ତି! ତେଣୁ ଜିହ୍ବାକୁ ପହରା ଦେବା ଲାଗି ଈଶ୍ବର ଦୁଇ ଧାଡ଼ିରେ ବତିଶଟି ଦାନ୍ତକୁ ସିପାହି ଭଳି ଛିଡ଼ା କରାଇ ଜିହ୍ବାକୁ ଜଗିବାର ବ୍ୟବସ୍ଥା କଲେ। କିନ୍ତୁ ସତ କହିଲେ ଜିହ୍ବା କେଉଁ ମାନୁଛି? ଦାନ୍ତଗୁଡ଼ିକ ଭିତରେ ସେ କେତେ ରଙ୍ଗରେ ଖେଳ ଦେଖାଇ ତାର କାରବାର ଚଳାଇ ରଖିଛି!

କୁହାଯାଏ, ଯୁକ୍ତରାଷ୍ଟ୍ର ଆମେରିକାର ତିରିଶତମ ରାଷ୍ଟ୍ରପତି କାଲଭିନ କୁଲିଜ୍‌ ହେଉଛନ୍ତି ପୃଥିବୀ ଇତିହାସରେ ସବୁଠାରୁ କମ୍‌ କଥା କହୁଥିବା ରାଜନେତା। ଅତି ଦରକାର ନ ପଡ଼ିଲେ ସେ ଆଦୌ କଥା ହେଉ ନ ଥିଲେ। ତାଙ୍କ ସଂପର୍କ‌େର ଏହି ରୋଚକ କାହାଣୀଟି ଶୁଣନ୍ତୁ। ଥରେ ଏକ ପାର୍ଟିରେ ସେ ସ୍ବଭାବସୁଲଭ ଢଙ୍ଗରେ ନିରବରେ ବସିଥିବା ବେଳେ ଦୁଇ ଜଣ ମହିଳା କୁଲିଜ୍‌ ପଦେ ହେଲେ କଥା କହିବେ କି ନାହିଁ ବୋଲି ଯୁକ୍ତି କରି ନିଜ ନିଜ ଭିତରେ ବାଜି ମରାମରି ହେଲେ। ପାର୍ଟି ସରିଗଲା, ଅଥଚ କୁଲିଜ୍‌ଙ୍କ ମୁହଁରୁ କଥା ବାହାରିଲା ନାହିଁ। ଶେଷରେ କୁଲିଜ୍ କଥା ହେବେ ନାହିଁ ବୋଲି ବାଜି ଲଗାଇଥିବା ମହିଳା ସର୍ତ୍ତ ଜିତି ଯାଇଛନ୍ତି ବୋଲି ଖୁସିରେ କୁଲିଜଙ୍କ ପାଖକୁ ଯାଇ ଏହି ବିଷୟରେ କହି ଧନ୍ୟବାଦ ଦିଅନ୍ତେ, ଆସରରୁ ବାହାରି ଚାଲି ଯାଉଥିବା କୁଲିଜ୍‌ ଅଟକି ଯାଇ ଅତ୍ୟନ୍ତ ବିରଳ ଛଅଟି ଶବ୍ଦ କହିଲେ- ‘ଲେଡି, ୟୁ ଲଷ୍ଟ ଦି ବେଟ୍‌’, ଅର୍ଥାତ୍‌ ମହାଶୟା, ଆପଣ ସର୍ତ୍ତ ହାରିଗଲେ। କୁଲିଜ ତାଙ୍କ ଜିହ୍ବାକୁ ଯେମିତି ବନ୍ଦୀ କରି ରଖିଥିଲେ, ଆମ ରାଜନେତାମାନେ ସେଭଳି କିଛି କରିପାରିବେ କି?
ମୋ: ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର