ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପରମ ଯୋଗୀ ଶ୍ରୀଅରବିନ୍ଦଙ୍କ ଶହେ ପଚାଶତମ ଜନ୍ମବାର୍ଷିକୀ ପାଳିତ ହେଉଛି। ଶ୍ରୀଅରବିନ୍ଦଙ୍କ ଜୀବନାଦର୍ଶ ଦୁଇଟି ବଳିଷ୍ଠ ତତ୍ତ୍ୱ ଉପରେ ପର୍ଯ୍ୟବସିତ- ପରାଧୀନ ଭାରତର ମୁକ୍ତି ନିମନ୍ତେ ସଶସ୍ତ୍ର ସଂଗ୍ରାମରେ ଯୋଗଦାନ ଏବଂ ମାନବ ଜାତିର ଉତ୍ତରଣ ନିମନ୍ତେ ଅତିମାନସ ଶକ୍ତିର ଆବାହନ। ମୁକ୍ତି ସଂଗ୍ରାମର ସେନାନୀ ଭାବେ ଶ୍ରୀଅରବିନ୍ଦଙ୍କ ଜୀବନ ଯେତିକି ରୋମାଞ୍ଚକର; କବି, ଦାର୍ଶନିକ, ସନ୍ଥ ଏବଂ ପରମ ଯୋଗୀ ଭାବେ ବହୁ ଅଧିକ ରହସ୍ୟରେ ଆଚ୍ଛାଦିତ।
ଶ୍ରୀ ଅରବିନ୍ଦ- ଯାହାଙ୍କୁ ବ୍ରିଟିସ୍ ଭାଇସରୟ ଲର୍ଡ ମିଣ୍ଟୋ ୧୯୧୦ ମେ ୨୬ ତାରିଖରେ ‘ଦି ମୋଷ୍ଟ ଡେଞ୍ଜରସ୍ ମ୍ୟାନ୍’ ଘୋଷଣା କରି ସେହି ମର୍ମରେ ସେକ୍ରେଟାରି ଅଫ୍ ଷ୍ଟେଟସ୍ ଲର୍ଡ ମର୍ଲେଙ୍କୁ ପତ୍ର ଲେଖିଥିଲେ, ‘ଏଭଳି ଭୟଙ୍କର ବ୍ୟକ୍ତି ମୁକ୍ତ ରହିଲେ ବ୍ରିଟିସ୍ ସାମ୍ରାଜ୍ୟ ନିରାପଦ ରହିବ ନାହିଁ, ତେଣୁ ଆଇନର ଜାଲରେ ଛନ୍ଦି ତାଙ୍କୁ ନିର୍ବାସନ ଦଣ୍ଡ ମିଳିବା ଉଚିତ’; ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କୁ ରୋମା ରୋଲାଁ ‘ଶତାବ୍ଦୀର ଶ୍ରେଷ୍ଠ କବି, ଦାର୍ଶନିକ, ସନ୍ଥ ଓ ଦ୍ରଷ୍ଟା’ ଭାବେ ଅଭିହିତ କଲେ କେମିତି? ଯାହାଙ୍କ କଲମରୁ ବ୍ରିଟିସ୍ ସରକାରଙ୍କ ବିରୋଧରେ ଅଗ୍ନିବର୍ଷୀ ଶବ୍ଦମାନ ଉଦ୍ଗିରଣ ହେଉଥିଲା, ତାଙ୍କରି କଲମରୁ ‘ସାବିତ୍ରୀ’ର ପବିତ୍ର, ନିର୍ମଳ, ସ୍ୱଚ୍ଛ ଧାରା ନିସୃତ ହେଲା କେମିତି?
ଏ ପ୍ରଶ୍ନ ପ୍ରତ୍ୟେକ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ଆନ୍ଦୋଳିତ କରିବା ସ୍ୱାଭାବିକ। ସେହି ମର୍ମରେ ଏ ଲେଖକ ମଧ୍ୟ ବାଦ୍ ଯାଇନାହିଁ। ଗଭୀର ଅଧ୍ୟୟନରୁ ଏହାର ଉତ୍ତର ଖୋଜିବା ପାଇଁ ପ୍ରୟାସ କରିଛି। ଯେହେତୁ ଶ୍ରୀଅରବିନ୍ଦଙ୍କ ଆଦର୍ଶ ଓ କାର୍ଯ୍ୟପନ୍ଥା ମହତ୍ତର ଦିବ୍ୟଭୂମି ଉପରେ ପ୍ରତିଷ୍ଠିତ, ଜଣେ ସାଧାରଣ ମଣିଷ ପକ୍ଷେ ସେ ରହସ୍ୟ ଓ ରୋମାଞ୍ଚ ଉନ୍ମୋଚନ ସମ୍ଭବ ନୁହେଁ। ତେଣୁ ଏ ଲେଖକ ସେଥିରେ ସଫଳତା ପାଇନାହିଁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନାହିଁ; କିନ୍ତୁ ପ୍ରୟାସର ପୁଲକରେ ଏବଂ ଅନ୍ୱେଷାର ମହକରେ ଅଭିଭୂତ ହୋଇଛି। ହିମାଳୟର ପାଦଦେଶରେ ଦଣ୍ଡାୟମାନ ହୋଇ ଉତ୍ତୁଙ୍ଗ ଶିଖରକୁ ଅବଲୋକନ କଲାବେଳେ ତା’ର ସୌନ୍ଦର୍ଯ୍ୟ ଓ ସରହଦରେ ଯେ କେହି ସ୍ତମ୍ଭୀଭୂତ ହେବା ସ୍ୱାଭାବିକ। ଶ୍ରୀଅରବିନ୍ଦଙ୍କୁ ଅଧ୍ୟୟନ ସମୟରେ ତାଙ୍କ ପ୍ରଦର୍ଶିତ ଆଲୋକ ଓ ଆନନ୍ଦ ମାର୍ଗରେ ଯାତ୍ରା କଲାବେଳେ, ଅନ୍ତରରେ ସେହି ଶିହରଣ ଅନୁଭବ ହୋଇଥାଏ।
ଶ୍ରୀଅରବିନ୍ଦ ଜୀବନକାଳ ଭିତରେ ନିଜ ଜୀବନୀ ଲେଖକମାନଙ୍କୁ ନିରୁତ୍ସାହିତ କରିଥିଲେ। ତାଙ୍କର ଉକ୍ତି ଥିଲା- ଏ ସ୍ଥୂଳ ଜୀବନରେ କିଛି ମହତ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ। ତେଣୁ ସେ ଜୀବନର ବର୍ଣ୍ଣନା ଅନାବଶ୍ୟକ। ଅନ୍ତଃଜୀବନର ଅନୁଭବ ଅନ୍ୟ କେହି ଆକଳନ କରିବା ସହଜ ନୁହେଁ। ତେଣୁ ତାହା ଲେଖିବା ଅସମ୍ଭବ। ୧୯୪୩-୪୬ ଏହି ତିନି ବର୍ଷ ମଧ୍ୟରେ ତିନି ଜଣ ଜୀବନୀ ଲେଖକଙ୍କ ପାଣ୍ଡୁଲିପି ଶ୍ରୀଅରବିନ୍ଦ ସଂଶୋଧନ କରିଥିଲେ। ତାହାର ମୁଖ୍ୟ ଅଂଶ ଏବଂ କିଛି ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀଅରବିନ୍ଦ ନିଜ ଜୀବନ ସଂପର୍କରେ, ସ୍ୱାଧୀନତା ସଂଗ୍ରାମ ସଂପର୍କରେ, ପଣ୍ଡିଚେରୀ ଆସିବା ପରେ ପୁନଃ ରାଜନୀତିରେ ପ୍ରବେଶ ନ କରିବା ସଂପର୍କରେ, ନିଜ ସାଧନା ସଂପର୍କରେ ଅନେକ କିଛି ତଥ୍ୟ ପ୍ରଦାନ କରିଛନ୍ତି, ଯାହା ସାମଗ୍ରିକ ରଚନାବଳୀରେ ସନ୍ନିବେଶିତ।
୧୯୦୭ ମସିହାରେ ଶ୍ରୀଅରବିନ୍ଦ ବେଙ୍ଗଲ ନେସନାଲ କଲେଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ।
ସେହି ଅବସରରେ ଆୟୋଜିତ ବିଦାୟକାଳୀନ ସଭାରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ- ‘ଗୋଟିଏ ଜାତିର ଇତିହାସରେ ଏପରି ଏକ ସମୟ ଆସେ ଯେତେବେଳେ ଦେଶବାସୀଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟ, ଗୋଟିଏ ଲକ୍ଷ୍ୟ ଅନିବାର୍ଯ୍ୟ ହୋଇପଡ଼େ। ଅନ୍ୟ ସବୁକିଛି ଯେତେ ମହାନ ଓ ମହତ ହୋଇଥାଉ ନା କାହିଁକି, ସେହି ସମୟରେ ପରିତ୍ୟାଗ କରିବାକୁ ପଡ଼େ। ଆମ ଦେଶମାତୃକା ନିମନ୍ତେ ସେହିି ସମୟ ଉପନୀତ। ବର୍ତ୍ତମାନ ତାହାର ସେବା ତୁଳନାରେ ଆଉ ସବୁକିଛି ତୁଚ୍ଛ ଓ ଗୌଣ।’ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ପାଇଁ ଛାତ୍ର ଜୀବନରୁ ସେ ନିଜକୁ ପ୍ରସ୍ତୁତ କରୁଥିଲେ। ୧୮୯୩ ମସିହାରେ ଭାରତ ଫେରିବା ପରେ ମୁକ୍ତି ସଂଗ୍ରାମରେ ସେ ଯୋଡ଼ି ହୋଇଗଲେ। କିନ୍ତୁ ଆଧ୍ୟାତ୍ମିକତା କ୍ଷେତ୍ରରେ ପ୍ରବେଶ ନିମନ୍ତେ ତାଙ୍କର ପ୍ରସ୍ତୁତି ନ ଥିଲା। ୧୯୩୫ ଫେବ୍ରୁଆରି ୧୩ରେ ସେ କହିଥିଲେ- ‘ମୋର ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ନ ଥିଲା। ଆଧ୍ୟାତ୍ମିକତା ମୋ ଅନ୍ତରରେ ବିକଶିତ ହେଲା। ମୁଁ ତତ୍ତ୍ୱବିଜ୍ଞାନ ବୁଝିବା ପାଇଁ ଅସମର୍ଥ ଥିଲି, ଅଥଚ ଦାର୍ଶନିକ ଭାବେ ପରିଚିତ ହେଲି। ମୋର ସ୍ୱରୂପ ଯାହା ନ ଥିଲା, କ୍ରମଶଃ ରୂପାନ୍ତରିତ ହୋଇଗଲି।... ଶ୍ରୀକୃଷ୍ଣ ଏବଂ ଦିବ୍ୟଶକ୍ତିର ପ୍ରଭାବରେ ଏହା ସମ୍ଭବ ହୋଇଛି। ଅବଶ୍ୟ ଏଥିରେ ବହୁ ବ୍ୟକ୍ତିଙ୍କର ଅବଦାନ ରହିଛି।’
ଶ୍ରୀ ଅରବିନ୍ଦ ଇଂଲଣ୍ଡରେ ଛାତ୍ର ଥିବାବେଳେ ତାଙ୍କ ବାପା ‘ବେଙ୍ଗଲୀ’ ନାମକ ଏକ ଖବରକାଗଜ ତାଙ୍କ ନିକଟକୁ ପଠାଉଥିଲେ। ସେଥିରେ ବିଦେଶୀ ସରକାରର ନିର୍ମମ ଅତ୍ୟାଚାର କଥା ଉଲ୍ଲେଖ ରହୁଥିଲା। ସେହି ସମୟରୁ ଦେଶକୁ ମୁକ୍ତ କରିବା ପାଇଁ ସେ ସଂକଳ୍ପ ନେଇଥିଲେ। ତାଙ୍କର ହୃଦବୋଧ ହୋଇଥିଲା- ନିକଟ ଭବିଷ୍ୟତରେ ବିଶ୍ୱରେ ଯେଉଁ ବିପ୍ଳବାତ୍ମକ ପରିବର୍ତ୍ତନ ଆସିବ, ସେଥିରେ ସେ ଅଂଶଗ୍ରହଣ କରିବେ। କେମ୍ବ୍ରିଜରେ ‘ଇଣ୍ଡିଆନ୍ ମଜଲିସ୍’ର ସଂପାଦକ ଭାବେ ଭାରତର ସ୍ୱାଧୀନତା ନିମନ୍ତେ ବିଭିନ୍ନ ସଭା ସମିତିରେ ବ୍ରିଟିସ୍ ବିରୋଧୀ ବକ୍ତବ୍ୟ ପ୍ରଦାନ କରି ସେ ସେହି ସମୟରୁ ବ୍ରିଟିସ୍ ଆକ୍ରୋଶର ଶିକାର ପାଲଟି ଯାଇଥିଲେ।
ଶ୍ରୀଅରବିନ୍ଦଙ୍କ ରାଜନୈତିକ ଆଦର୍ଶ ତିନିଟି ଧାରାରେ ପ୍ରବାହିତ ଥିଲା। ପ୍ରଥମରେ, ଗୁପ୍ତ କ୍ରାନ୍ତିକାରୀ ସଂସ୍ଥା ମାଧ୍ୟମରେ ସଶସ୍ତ୍ର ବିଦ୍ରୋହର ପ୍ରସ୍ତୁତି। ସେତେବେଳେ ସାଧାରଣରେ ବିଶ୍ୱାସ ଥିଲା ଯେ ବ୍ରିଟିସ୍ ସରକାର ସର୍ବଶକ୍ତିଶାଳୀ ଏବଂ ଭାରତ ଶକ୍ତିହୀନ। ତେଣୁ ବ୍ରିଟିସ୍ ବିରୋଧରେ ସଂଗ୍ରାମ ସମ୍ଭବ ନୁହେଁ। ଅଗ୍ନିବର୍ଷୀ ଓଜସ୍ୱୀ ଲେଖା ମାଧ୍ୟମରେ ଏହି ଚିନ୍ତାଧାରାର ପରିବର୍ତ୍ତନ ଥିଲା ତାଙ୍କର ଦ୍ବିତୀୟ କାର୍ଯ୍ୟଧାରା। ତୃତୀୟରେ, ସାଧାରଣ ଜନତାଙ୍କୁ ସଂଗ୍ରାମରେ ସାମିଲ କରିବା ନିମନ୍ତେ ସ୍ୱଦେଶୀ ଓ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା। ଶ୍ରୀଅରବିନ୍ଦ ୧୮୯୩ ମସିହାରେ ଭାରତ ଫେରିବା ପରେ ବରୋଦା ରାଜ୍ୟ ସେବାରେ ଯୋଗଦେଲେ ଏବଂ ‘ଇନ୍ଦୁପ୍ରକାଶ’ ପତ୍ରିକାରେ ‘ନିଉ ଳ୍ୟାମ୍ପସ୍ ଫର ଓଲ୍ଡ’ ନାମକ ଏକ ସ୍ତମ୍ଭରେ ୧୮୯୩ ଅଗଷ୍ଟ ୭ ତାରିଖରୁ ୧୮୯୪ ମାର୍ଚ୍ଚ ୫ ତାରିଖ ମଧ୍ୟରେ ୯ଟି ନିବନ୍ଧ ଲେଖିଥିଲେ।
ଏହାର ସଂପାଦକ ଥିଲେ ଶ୍ରୀଅରବିନ୍ଦଙ୍କ କେମ୍ବ୍ରିଜ ବନ୍ଧୁ କେଶବ ଗଣେଶ ଦେଶପାଣ୍ଡେ। ଏଥିରେ ସେ ମୁଖ୍ୟତଃ ବ୍ରିଟିସ୍ ସରକାରର କୁଶାସନ ଏବଂ କଂଗ୍ରେସର ବ୍ରିଟିସ୍ ପ୍ରତି ଆନୁଗତ୍ୟ ମନୋଭାବ ସମ୍ପର୍କରେ କଠୋର ଶବ୍ଦରେ ଉଲ୍ଲେଖ କରୁଥିଲେ। ନିବନ୍ଧର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ସରକାରଙ୍କ କୋପରୁ ରକ୍ଷା ପାଇବା ପାଇଁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ମହାଦେବ ଗୋବିନ୍ଦ ରାନାଡ଼େଙ୍କ ପ୍ରରୋଚନାରେ ପତ୍ରିକାର ମାଲିକ ବିଷ୍ଣୁ ପର୍ଶୁରାମ ପଣ୍ଡିତ, ଶ୍ରୀଅରବିନ୍ଦଙ୍କ ଲେଖା ବାଦ ଦେବା ପାଇଁ ସଂପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂପାଦକ ମହୋଦୟ ବ୍ରିଟିସ୍ ସରକାର ଏବଂ କଂଗ୍ରେସ ପ୍ରତି ନରମ ଶବ୍ଦ ବ୍ୟବହାର କରିବା ପାଇଁ ଶ୍ରୀଅରବିନ୍ଦଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେ ସହମତ ନ ଥିଲେ।
ଶ୍ରୀଅରବିନ୍ଦ ତାଙ୍କର ଜଣେ ଗୁପ୍ତ ସହଯୋଗୀ ଯତୀନ ବାନାର୍ଜୀଙ୍କୁ ୧୯୦୦ ମସିହାରେ ବରୋଦା ଆର୍ମିରେ ଭର୍ତ୍ତି କରାଇଥିଲେ। ସେତେବେଳେ ବଙ୍ଗାଳୀ ଏବଂ ଆର୍ଯ୍ୟ ସମାଜ ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ସେନାରେ ଯୋଗ ଦେବା ପାଇଁ ସରକାର କଟକଣା କରିଥିଲେ। ପରବର୍ତ୍ତୀ ସମୟରେ ଯତୀନ ବାନାର୍ଜୀ ‘ଅନୁଶୀଳନ ସମିତି’ର ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୦୨ ମସିହାରେ ଶ୍ରୀଅରବିନ୍ଦ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେବା ପରେ ଜାତୀୟ କଂଗ୍ରେସର କାର୍ଯ୍ୟଧାରା ବଦଳିଗଲା। ୧୯୦୫ ମସିହାରେ ବଙ୍ଗ ଭଙ୍ଗ ଆଇନ ପ୍ରଣୟନ ପରେ ଗୁପ୍ତ ସଂସ୍ଥାମାନଙ୍କ ଦ୍ୱାରା ସଂଗ୍ରାମ ଆହୁରି ତୀବ୍ର ହେଲା ଏବଂ ୧୯୦୬ ମସିହାରେ ଶ୍ରୀଅରବିନ୍ଦ କଲିକତା ଆସି ‘ବନ୍ଦେ ମାତରମ୍’ ଖବର କାଗଜର ସଂପାଦନା ସହିତ ବେଙ୍ଗଲ ନାସନାଲ କଲେଜର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ। ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା।
୧୯୦୭ ମସିହା ସୁରତ ଅଧିବେଶନରେ କଂଗ୍ରେସର ଅସଲ ଚେହେରା ପଦାକୁ ଆସିବା ପରେ ଶ୍ରୀଅରବିନ୍ଦ ‘ବନ୍ଦେ ମାତରମ୍’ରେ ଲେଖିଥିଲେ- ‘ବର୍ତ୍ତମାନ ଦେଶରେ ତିନିଟି ଅନୁଷ୍ଠାନ କାର୍ଯ୍ୟ କରୁଛି- ଅନୁଗତ, ମଧ୍ୟମପନ୍ଥୀ ଏବଂ ଜାତୀୟତାବାଦୀ। ଅନୁଗତ ଗୋଷ୍ଠୀ ଚାହାଁନ୍ତି ଇଂରେଜ ସରକାର ଚିରକାଳ ଭାରତକୁ ଶାସନ କରୁଥାଉ। ମଧ୍ୟମପନ୍ଥୀ ଚାହାନ୍ତି ବ୍ରିଟିସ୍ ସରକାର ଯଦି ଦୟା ପରବଶ ହୋଇ କିଛି ଶାସନ କ୍ଷମତା ଦେଇ ଦିଅନ୍ତି, ତାହା ଦେଶର ସୌଭାଗ୍ୟ। କିନ୍ତୁ ଜାତୀୟତାବାଦୀ ଦେଶକୁ ମୁକ୍ତ କରିବା ନିମନ୍ତେ ସଂକଳ୍ପବଦ୍ଧ ଏବଂ ଏଥି ନିମନ୍ତେ ସଶସ୍ତ୍ର ସଂଗ୍ରାମ ଅପରିହାର୍ଯ୍ୟ ବୋଲି ଭାବନ୍ତି।’
୧୯୦୮ ମେ ୧ ତାରିଖ ଦିନ ଶ୍ରୀଅରବିନ୍ଦ ‘ବନ୍ଦେ ମାତରମ୍’ ଅଫିସରେ କାର୍ଯ୍ୟବ୍ୟସ୍ତ ଥିବାବେଳେ ମୁଜାଫରପୁରରୁ ଗୋଟିଏ ଟେଲିଗ୍ରାମ୍ ପାଇଲେ- ‘ଦୁଇ ଜଣ ଇଂରେଜ ମହିଳା ବୋମା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।’ ସେହି ରାତିରେ ସେ ଗିରଫ ହୋଇ ଅଲୀପୁର ଜେଲରେ ଗୋଟିଏ ବର୍ଷ କଏଦୀ ଜୀବନ ବିତାଇଥିଲେ। ୧୯୦୯ ମସିହା ମେ ମାସରେ ନିର୍ଦ୍ଦୋଷରେ ଖଲାସ ହେଲେ ସିନା, କିନ୍ତୁ ତାଙ୍କରି ଭାଷାରେ ‘ଏକ ପରିବର୍ତ୍ତିତ ରୂପରେ ଉଦ୍ଭାଷିତ ହେଲେ।’ ଅଲୀପୁର ଜେଲର ଟିକିନିଖି ବିବରଣୀ ‘ସୁପ୍ରଭାତ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେବା ପରେ ୧୯୨୦ ମସିହାରେ ‘କାରା କାହାଣୀ’ ପୁସ୍ତକ ନାମରେ ପ୍ରକାଶ ପାଇଲା। ଏହି ପୁସ୍ତକରେ ଶ୍ରୀଅରବିନ୍ଦ ନିଜ ଜୀବନର ଧାରା ପରିବର୍ତ୍ତନ ସଂପର୍କରେ ଅନ୍ତରଙ୍ଗ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି- “ମୁଁ ଜାଣି ନ ଥିଲି, ଜେଲକୁ ଯିବା ପରେ ମୋ ଜୀବନର ଗୋଟିଏ ଅଧ୍ୟାୟ ସମାପ୍ତ ହେବ।... ବ୍ରିଟିସ୍ ସରକାରଙ୍କ ରୋଷର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପରିଣାମ ହେଲା- ମୁଁ ଈଶ୍ୱରଙ୍କୁ ପାଇଲି।”
ଶ୍ରୀଅରବିନ୍ଦଙ୍କ ସକାଶେ ଦେଶପ୍ରେମ ଓ ଆଧ୍ୟାତ୍ମିକତା ଥିଲେ ପରସ୍ପର ପରିପୂରକ। ଦେଶପ୍ରେମ ଆଧାରରେ ଆଧ୍ୟାତ୍ମିକତା ମାର୍ଗରେ ଯାତ୍ରା କରିବା ପାଇଁ ସେ ପ୍ରେରଣା ପାଇଥିଲେ। ବରୋଦା କଲେଜର ଭାଇସ୍ ପ୍ରିନ୍ସିପାଲ୍ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ ଏବଂ ଭାରତମାତାଙ୍କ ସଂପର୍କରେ ଉଦ୍ବୋଧନ ଦେଇ କହିଥିଲେ- ‘ଭାରତକୁ ଜୀବନ୍ତ ମାତା ରୂପରେ ଧ୍ୟାନ କର ଏବଂ ଭକ୍ତିର ନବ ରସରେ ଉପାସନା କର।’ ଶ୍ରୀଅରବିନ୍ଦଙ୍କ ସକାଶେ ଭାରତବର୍ଷ ଥିଲା ଜୀବନ୍ତ ମାତୃ ପ୍ରତିମା। ତାହା ହିଁ ଥିଲା ଆଧ୍ୟାତ୍ମିକତାର ଚରମ ନିଦର୍ଶନ। ‘କାରା କାହାଣୀ’ରେ ଶ୍ରୀଅରବିନ୍ଦ ବର୍ଣ୍ଣନା କରିଛନ୍ତି ଯେ ଶ୍ରୀରାମକୃଷ୍ଣ ପରମହଂସ ତିନି ଥର ଓ ସ୍ୱାମୀ ବିବେକାନନ୍ଦ ଦୁଇ ସପ୍ତାହ କାଳ ତାଙ୍କୁ ଜେଲରେ ସାକ୍ଷାତ ଦେଇଥିଲେ। ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ସନାତନ ପରଂପରାର ପ୍ରଥମ ସନ୍ନ୍ୟାସୀ, ଯିଏ ସ୍ୱର୍ଗ ଅପେକ୍ଷା ସଂସାରକୁ ଭଲ ପାଇଥିଲେ, ଈଶ୍ୱରଙ୍କ ଆରାଧନା ଅପେକ୍ଷା ମଣିଷର ସେବାକୁ ଗୁରୁତ୍ୱ ଦେଇଥିଲେ, ବ୍ୟକ୍ତିଗତ ମୋକ୍ଷ ଅପେକ୍ଷା ସମାଜର ନିମ୍ନବର୍ଗର ବ୍ୟକ୍ତିଙ୍କ ମୁକ୍ତି ନିମନ୍ତେ ବ୍ୟାକୁଳ ଥିଲେ। ସେ କନ୍ୟାକୁମାରୀରେ ସାଧନାରେ ମଗ୍ନ ଥିବାବେଳେ କୌଣସି ଦେବଦେବୀଙ୍କୁ ସ୍ମରଣ କରି ନ ଥିଲେ। ତାଙ୍କର ଆରାଧ୍ୟା ଥିଲେ ଭାରତମାତା। ଶ୍ରୀଅରବିନ୍ଦ ତାଙ୍କରି ଠାରୁ ଆଧ୍ୟାତ୍ମିକତା-ଦେଶପ୍ରେମର ମାର୍ଗଦର୍ଶନ ପାଇଥିଲେ। ପଣ୍ଡିଚେରୀ ଆଶ୍ରମରେ ଶ୍ରୀଅରବିନ୍ଦ ଚାରି ଦଶନ୍ଧି କାଳ ଭାରତୀୟ ଯୋଗ, ସଂସ୍କୃତି, ଦର୍ଶନ, ବେଦ, ଉପନିଷଦ୍, ଶ୍ରୀମଦ୍ଭଗବଦ୍ ଗୀତା ଆଦି ଜ୍ଞାନର ଭଣ୍ଡାର ସମଗ୍ର ବିଶ୍ୱ ନିମନ୍ତେ ଉନ୍ମୁକ୍ତ କରିଥିଲେ। ତାଙ୍କର ‘ସାବିତ୍ରୀ’ ମହାକାବ୍ୟ ଜୀବନର ସମସ୍ତ ରହସ୍ୟ ଉନ୍ମୋଚନର ମହାପର୍ବ।
ମୋ: ୯୪୩୭୧୯୧୩୫୦