ଆଚାର୍ଯ୍ୟ ବିନୋବାଙ୍କ ଇଚ୍ଛାମୃତ୍ୟୁ

ଭଗବାନପ୍ରକାଶ

ଉଭୟ ଯୋଗେଶ୍ବର ଶ୍ରୀକୃଷ୍ଣ ଓ ଜ୍ଞାନେଶ୍ବର ସକ୍ରେଟିସ୍‌ଙ୍କ ମତରେ କେବଳ ନିଜକୁ ବିଜ୍ଞାନୀ ବିଚାର କରୁଥିବା ଅଜ୍ଞାନୀମାନେ ମୃତ୍ୟୁକୁ ଭୟ କରିଥା’ନ୍ତି। ଉଭୟ ଗାନ୍ଧୀ ଓ ବିନୋବା ମୃତ୍ୟୁ ପାଇଁ କେବେ ହେଲେ ଚିନ୍ତିତ ନ ଥିଲେ। ଗାନ୍ଧୀ ତ କହୁଥିଲେ- ମୋ ମୃତ୍ୟୁ ଯଦି ଦେଶର ବିଭିନ୍ନ ସ˚ପ୍ରଦାୟଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇପାରିବ, ମୁଁ ବେଶ୍‌ ଖୁସି ହେବି। ମୋ ଜୀବନ ସାର୍ଥକ ହେବ। ଏବେ ଜୀବନର ଜୟ ଜୟକାର ପାଇଁ ‘‘ଆର୍ଟ ଅଫ୍‌ ଲିଭିଙ୍ଗ୍‌’’ ତାଲିମ ଶିବିର ମାନ ଆୟୋଜିତ ହେଉଚି। ଏହା ସହ ଆର୍ଟ ଅଫ୍‌ ଡାଇଙ୍ଗ୍‌ ଯୋଡ଼ା ହେଲେ ସାଧାରଣ ଲୋକଙ୍କ ମନରୁ ମୃତ୍ୟୁ ଭୟ ଛାଡ଼ି ଯା’ନ୍ତା। ଅତୀତରେ ଆଦି ଶଙ୍କରାଚାର୍ଯ୍ୟ ଏହିପରି ଏକ ଉଦ୍ୟମ କରି ଲେଖିଥିଲେ- ମୋହ ମୁଦ୍‌ଗର। ତା’ର ପ୍ରଥମ ଧାଡ଼ିଟି ହେଲା- ଭଜ ଗୋବିନ୍ଦମ୍‌, ସ୍ମର ଗୋବିନ୍ଦମ୍‌, ଗୋବିନ୍ଦମ୍‌ ଭଜ ମୂଢ଼ମତେ। ….. ଯେତେବେଳେ ମୃତ୍ୟୁ ଆସିଯିବ ସେତେବେଳେ ଶାସ୍ତ୍ର, ପୁରାଣ, ବ୍ୟାକରଣ, ପୂଜା ପାଠ, ଜପତପ କେହି ତୋତେ ରକ୍ଷା କରିପାରିବେ ନାହିଁ। କେବଳ ସତ୍‌ କର୍ମ, ସଦ୍‌ ବିଚାର ଦ୍ବାରା ତୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବୁ। ତେଣୁ- ‘‘ମା କୁରୁ ଧନ, ଜନ, ଯୌବନ ଗର୍ବମ୍‌- ହରତି ନିମିଷାତ୍‌ କାଳଃ ସର୍ବମ୍‌’’। ଏହାର ବହୁ ପୂର୍ବରୁ ଶ୍ରୀମଦ୍‌ ଭଗବତ୍‌ ଗୀତାରେ କିଭଳି ଓ କେଉଁ ସମୟରେ ଶରୀର ତ୍ୟାଗ କରିବ ସେ ସ˚ପର୍କରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଛନ୍ତି- ହେ ଭରତ ଶ୍ରେଷ୍ଠ! ବର୍ତ୍ତମାନ ମୁଁ ତୁମକୁ ପୃଥିବୀ ପୃଷ୍ଠରୁ ପ୍ରତ୍ୟାବର୍ତ୍ତନର କଳା, କାଳ ଓ ସମୟ କଥା କହିବି, ଯେଉଁ ସମୟରେ ପୃଥିବୀରୁ ବିଦାୟ ନେଲେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି ହୋଇ ଆଉ ମର୍ତ୍ତ୍ୟକୁ ପ୍ରତ୍ୟାବର୍ତ୍ତନ କରେ ନାହିଁ।

ସେଇ ଅନୁସାରେ, ଯେଉଁ ବ୍ୟକ୍ତିମାନେ ପ୍ରକୃତରେ ପରଂବ୍ରହ୍ମଙ୍କୁ ଜାଣନ୍ତି ସେମାନେ ଶୁକ୍ଳପକ୍ଷରେ, ଅଗ୍ନି ଦେବତାଙ୍କ ପ୍ରଭାବ କାଳରେ, ଶୁଭ ମୁହୂର୍ତ୍ତରେ, ଦିବାଲୋକରେ ଏବ˚ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ଇହ ଜଗତ୍‌ରୁ ବିଦାୟ ନିଅନ୍ତି ଓ ନୂତନ ଜୀବନ ପଥରେ ଯାତ୍ରା ଆରମ୍ଭ କରନ୍ତି। ସେହିପରି କୃଷ୍ଣପକ୍ଷ, ରାତ୍ରି ଓ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି କାଳରେ ଇହଲୋକ ତ୍ୟାଗ କଲେ, ବ୍ୟକ୍ତି ଆଉ ଥରେ ପ୍ରତ୍ୟାବର୍ତ୍ତନ କରିଥା’ନ୍ତି ବୋଲି ବିଶ୍ବାସ କରାଯାଏ। ମହାଭାରତରେ ଉଲ୍ଲେଖ ଅଛି ଭୀଷ୍ମ ପିତାମହଙ୍କୁ ଇଚ୍ଛାମୃତ୍ୟୁ ବରଦାନ ଥିଲା ଏବ˚ ଯୁଦ୍ଧ ଶେଷରେ ସେ ଇହଧାମ ତ୍ୟାଗ କରିବା ତିଥି ଓ ସମୟ ନିଜେ ସ୍ଥିର କରିଥିଲେ। ଶାନ୍ତନୁ ପୁତ୍ର ଦେବବ୍ରତଙ୍କ ପରେ ନବ ଭାରତର ପ୍ରଥମ ଭୀଷ୍ମ ପିତାମହ ଥିଲେ ବିନାୟକ ନରହରି ଭାବେ। ଭୀଷ୍ମଙ୍କ ଭଳି ସାରା ଜୀବନ ବ୍ରହ୍ମଚାରୀ ରହିବା ପାଇଁ ପ୍ରତିଜ୍ଞା କରିଥିଲେ। ସମଗ୍ର ଭାରତ ଥିଲା ତାଙ୍କ ପାଇଁ ଧର୍ମକ୍ଷେତ୍ର। ୧୯୮୨ ନଭେମ୍ବର ୧୫ ତାରିଖ ସକାଳେ ସ୍ବଇଚ୍ଛାରେ ଶରୀର ତ୍ୟାଗ କରିଥିଲେ। ସେଦିନ ଥିଲା ଜୈନଧର୍ମ ପ୍ରତିଷ୍ଠାତା ମହାବୀରଙ୍କର ମହାପ୍ରୟାଣ ଦିବସ ଓ ପବିତ୍ର ଦୀପାବଳି। ସାବରମତୀର ଏହି ପ୍ରଥମ ସତ୍ୟାଗ୍ରହୀ ଓ ଭୂଦାନ ଆନ୍ଦୋଳନର ଜନକ ମହାଯୋଗୀ ବିନୋବା, ଏକ ରୋଗୀ ଭାବରେ ବିଛଣାରେ ପଡ଼ି ପଡ଼ି ତାଙ୍କର ଦୁର୍ବଳ ଶରୀର ଛାଡ଼ି ଯିବାକୁ ଚାହୁଁନଥିଲେ। ତେଣୁ ଡାକ୍ତରଖାନା ଯିବାକୁ, ଔଷଧ ସେବନ କରିବାକୁ ମନା କରି ଦେଇଥିଲେ। ସ୍ବୟ˚ ଗୌତମ ବୁଦ୍ଧଙ୍କର ଶେଷ ଜୀବନ ମୃତ୍ୟୁ ଶଯ୍ୟାରେ କଟିଥିଲା। ବିନୋବା ନିଜ ପାଇଁ ଏହା ଚାହୁଁନଥିଲେ। ଔଷଧ ଓ ଇଞ୍ଜେକ୍‌ସନ୍‌ ନେବାକୁ ମନା କରି ସେ ଋଗ୍‌ବେଦରୁ ଏକ ଶ୍ଳୋକ ଉଦ୍ଧାର କରି କହୁଥିଲେ- ଶରୀର ପାଇଁ କେବଳ ଶରୀର ହିଁ ଔଷଧ। ତନୁ ତନୁର ଭେଷଜ। ଏହା ପରେ ସେ ଖାଦ୍ୟ ଓ ଜଳ ଗ୍ରହଣ କଲେ ନାହିଁ। ଏବ˚ ସ˚ପୂର୍ଣ୍ଣ ଉପବାସରେ ରହି ଦେହ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଶରୀର ରୋଗଶୂନ୍ୟ ହୋଇ ଯାଇଥିଲା। ଏବ˚ ନଭେମ୍ବର ୧୪ ତାରିଖ ଦିନ ସେ ନିଜ ଇଚ୍ଛାରେ ଓ ସ˚ପୂର୍ଣ୍ଣ ସଚେତନ ଅବସ୍ଥାରେ ଦେହ ତ୍ୟାଗ କରି ଚାଲିଗଲେ।

ପ୍ରଶ୍ନ ଉଠିଲା ଅନେକ। କିଛି ଲୋକ ପଚାରିଲେ ଏହା ଏକ ପ୍ରକାର ଆତ୍ମହତ୍ୟା ନୁହେଁ ତ? କାହିଁକି ବିନୋବା ଏପରି କଲେ? କାହିଁକି ସେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କଲେ। ରାଜୀବ ଗାନ୍ଧୀଙ୍କ କଥା ବି ଶୁଣିଲେ ନାହିଁ। ତାଙ୍କ ଅନୁଗାମୀ, ଅନ୍ତରଙ୍ଗମାନଙ୍କ ଆବେଦନ, ନିବେଦନ ଶୁଣିଲେ ନାହିଁ। ତାଙ୍କ ସ୍ବାସ୍ଥ୍ୟ ରକ୍ଷା, ଜୀବନ ରକ୍ଷା ପାଇଁ ଡାକ୍ତରମାନଙ୍କୁ ସହଯୋଗ କଲେ ନାହିଁ। ଏ ସ˚ପର୍କରେ ସ୍ବାଧୀନତା ସ˚ଗ୍ରାମୀ ବସନ୍ତ ସଦାଶିବ ନାର୍ଗୋଲ୍‌କର ତାଙ୍କ ପୁସ୍ତିକା ‘‘ବିନୋବା ଓ ମୃତ୍ୟୁ’’ରେ ଆଲୋକପାତ କରିଛନ୍ତି। ଲେଖିଛନ୍ତି- ବିନୋବା ନିଜ ଜୀବନର ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଜେ ନେଇଥିଲେ। ତା’ ମଧୢରେ ଥିଲା ବ୍ରହ୍ମଜ୍ଞାନ ପାଇଁ ବାରାଣସୀ ଯାତ୍ରା। ସ୍ବାଧୀନତା ଆନ୍ଦୋଳନରେ ଯୋଗଦାନ, ଭୂଦାନ, ଗ୍ରାମଦାନ, ଜୀବନଦାନ ଅଭିଯାନ। ମହାକବି କାଳିଦାସଙ୍କ ରଘୁବ˚ଶ ପଢ଼ିଲା ପରେ ସେ ରୋଗୀ ନ ହୋଇ ଯୋଗୀ ଭାବରେ ଦେହ ତ୍ୟାଗ ପାଇଁ ବହୁ ଆଗରୁ ନିଷ୍ପତ୍ତି ନେଇ ସାରିଥିଲେ। ‘‘ଯୋଗ ଅନ୍ତେ ତନୁ ତ୍ୟଜେତ୍‌’’। ଏହା ପୂର୍ବରୁ ସାରା ଭାରତରେ ଗୋ-ହତ୍ୟା ନିରୋଧ ପାଇଁ ସତ୍ୟାଗ୍ରହ ଡାକରା ଦେଇଥିଲେ। ଏହାର ଶେଷ ଚରଣ ଥିଲା ସତ୍ୟ ଓ ଅହି˚ସା ପାଇଁ ଦେହତ୍ୟାଗ। ଗୋ-ରକ୍ଷା କରି ନ ପାରିଲେ ଜୀବନ ଉଦ୍ଧାର ଆବଶ୍ୟକତା ନାହିଁ। ରାଜୀବ ଗାନ୍ଧୀଙ୍କୁ କହିଥିଲେ- ତୁମ ନାଁରୁ ପ୍ରଥମ ଅକ୍ଷର ହଟାଇ ତା’ ସହ ‘‘ଦୟା’’ ଯୋଡ଼ିଦେଲେ ନୂଆ ନାମ ହେବ ‘‘ଜୀବଦୟା’’। ତୁମେ ସବୁ ଜୀବଙ୍କ ପ୍ରତି ଦୟା ଭାବ ରଖ। ବମ୍ବେର ଦେଓନାର ଠାରେ ଚାଲିଥିବା ଗୋ-ରକ୍ଷା ସତ୍ୟାଗ୍ରହ ଯାଇ ଦେଖି ଆସ। ଅହି˚ସା ଆମ ସ˚ସ୍କୃତିକୁ ଆହୁରି ସମୃଦ୍ଧ କରିବ। ବିଶ୍ବାସ ଓ ବିଜ୍ଞାନ ପରସ୍ପର ବିରୋଧୀ ନୁହନ୍ତି, କିନ୍ତୁ ମା’, ପୁଅଙ୍କ ଉପରେ ଏହି ଅନ୍ତର୍ନିହିତ ବାର୍ତ୍ତାର ପ୍ରଭାବ ପଡ଼ିନଥିଲା। ଗାନ୍ଧୀ କହୁଥିଲେ, ସତ୍ୟାଗ୍ରହ ବିଷୟରେ ବିନୋବା ମୋ’ଠାରୁ ଅଧିକ ଜାଣନ୍ତି। ଗାନ୍ଧୀପ୍ରେମୀ ଖ୍ରୀଷ୍ଟିଆନ ମିସ୍‌ନାରି, ସି.ଏଫ୍‌ ଆଣ୍ଡ୍ରୁଜ (ଦୀନବନ୍ଧୁ)ଙ୍କୁ ବିନୋବାଙ୍କ ପରିଚୟ ଦେଇ ଗାନ୍ଧୀ କହିଥିଲେ ଏହି ଆଜନ୍ମ ବ୍ରହ୍ମଚାରୀ, ସତ୍ୟାଗ୍ରହୀ ହେଉଛନ୍ତି ମୋ ଆଶ୍ରମର ସବୁଠାରୁ ଦାମିକା ହୀରା।

ବିନୋବା କହୁଥିଲେ ଜୀବନରେ ଘଟୁଥିବା ଅନେକ ଘଟଣା ଭଳି ମୃତ୍ୟୁ ଆଉ ଏକ ଘଟଣା। ଏ ବିଷୟରେ ଓ ବିଶେଷ କରି ମୃତ୍ୟୁ ଭୟ ସ˚ପର୍କରେ ବିନୋବା ଉଦାହରଣମାନ ରଖିଛନ୍ତି। ଥରେ ନଈରେ ବୁଡ଼ି ଯାଉଥିବା ବେଳେ କୂଳରେ ଥିବା ସାଥୀମାନଙ୍କୁ ବଡ଼ପାଟିରେ କହିଥିଲେ, ମୁଁ ଶରୀର ନୁହେଁ, ମୁଁ ଆତ୍ମା, ମୁଁ ଆତ୍ମା। ମୁଁ ଅମର। ଡର ନାହିଁ।  ଆଉଥରେ ଦକ୍ଷିଣ ଭାରତର ଭେଲୋର‌୍‌ ଜେଲ୍‌ରେ ଥିଲାବେଳେ, ତାଙ୍କ ଶୟନ କକ୍ଷରେ ଏକ ବିଷଧର ସର୍ପ ତାଙ୍କ ଖଟତଳେ ଦେଖିଲେ। କିନ୍ତୁ କାହାକୁ ନ କହି ଶୋଇ ଯାଇଥିଲେ। ସକାଳେ ଉଠି ଦେଖିଲେ ସାପ ଚାଲିଯାଇଛି। ଆଉ ଥରେ ଏପରି ଘଟଣା ପ୍ରାର୍ଥନା ସଭାରେ ଘଟିଥିଲା। କେବଳ ଗାନ୍ଧୀ ଓ ବିନୋବାଙ୍କୁ ଛାଡ଼ି ଆଉ ସମସ୍ତେ ପଳାଇ ଯାଇଥିଲେ। ଗୁରୁ, ଶିଷ୍ୟ ସ୍ଥାନ ତ୍ୟାଗ ନ କରି ପ୍ରାର୍ଥନା ଜାରି ରଖିଥିଲେ। ଶେଷରେ ସାପଟି ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲା। ପ୍ରାର୍ଥନା ମୃତ୍ୟୁ ଭୟକୁ ପରାସ୍ତ କରିଥିଲା। ଶରୀର ଓ ଆତ୍ମା ସ˚ପର୍କରେ ବିନୋବାଙ୍କ ବିଚାର ବେଦାନ୍ତ ଓ ଉପନିଷଦ୍‌ ଦ୍ବାରା ପ୍ରଭାବିତ ହୋଇଥିଲା। ଅନ୍ୟମାନଙ୍କ ଭିତରେ ଥିଲେ ସକ୍ରେଟିସ୍‌ ଓ ଯୀଶୁଖ୍ରୀଷ୍ଟ। ହେମ୍‌ଲକ୍‌ ବିଷପାନ ପରେ ସକ୍ରେଟିସ୍‌ଙ୍କୁ ପଚରା ଯାଇଥିଲା କିଭଳି ତାଙ୍କୁ କବର ଦିଆଯିବ। ଉତ୍ତରରେ କହିଥିଲେ- ତମେ ମୋ ଆତ୍ମାକୁ ଧରିପାରିବ ନାହିଁ। କେବଳ ମୋ ଶରୀରକୁ ପୋତି ଦେଇ ପାରିବ। ଯୀଶୁ ତାଙ୍କ ଅଜ୍ଞାନୀ ହତ୍ୟାକାରୀମାନଙ୍କୁ କ୍ଷମା କରି ଦେବା ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲେ। ଗାନ୍ଧୀଙ୍କ ଭାବନା ଥିଲା ଆଉ ଏକ ବିସ୍ମୟ। କହୁଥିଲେ ମୃତ୍ୟୁ କଥା ଭାବିଲେ ମୋ ମନରେ ଅପାର ଆନନ୍ଦ ଉଦ୍ରେକ ହୁଏ। ଲାଗେ ସତେ ଯେମିତି ହଜିଯାଇଥିବା ଜଣେ ପରମ ମିତ୍ର ଦିନେ ମତେ ଭେଟିବାକୁ ଆସିବେ। ମୁଁ ତାଙ୍କ ବାଟ ଚାହିଁ ବସିଚି। ‘‘ଯୋ ଆଏ ହେଁ ସୋ ଜାଏଙ୍ଗେ, ରାଜା, ରଙ୍କ, ଫକିର’’ (ସନ୍ଥ, କବୀର)। ଶେଷରେ ଶିଷ୍ୟମାନଙ୍କୁ କହିଲେ- ମୋ ରାସ୍ତା ରୋକ ନାହିଁ, ମତେ ଫେରିବାକୁ ଦିଅ। ସନ୍ଥ ଏକନାଥଙ୍କ ମତରେ, ଗୁରୁଙ୍କ ଦେହତ୍ୟାଗ ବେଳେ ଶିଷ୍ୟମାନେ ମନସ୍ତାପ କଲେ, ଉଭୟଙ୍କର ପୁଣ୍ୟ ନଷ୍ଟ ହୋଇଥାଏ।

(ସନ୍ଥ ବିନୋବା ଭାବେଙ୍କ ଶ୍ରାଦ୍ଧ ଦିବସ ଅବସର‌େର)

ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର