ଲୋକସେବା ଆୟୋଗ ପରୀକ୍ଷା

ନୀଳକଂଠ ରଥ

ଏହା ଭିତରେ କେଂଦ୍ରୀୟ ଲୋକସେବା ଆୟୋଗ କରୁଥିବା ପ୍ରଥମ ଶ୍ରେଣୀର ସରକାରୀ ଚାକିରି ପାଇଁ ପରୀକ୍ଷା ବାବଦରେ ସର୍ବୋଚ୍ଚ ନ୍ୟାୟାଳୟର ଏକ ନିର୍ଦେଶକୁ ନେଇ ଅନେକ ଚର୍ଚ୍ଚା ଆରଂଭ ହୋଇଚି। ଏଥିରେ କେହି ଇଂରାଜୀ ଶିକ୍ଷା ବାବଦରେ, କେହି ଅଳ୍ପ ଶିକ୍ଷିତ ବା ଅଶିକ୍ଷିତ ପରିବାରର ପରୀକ୍ଷାର୍ଥୀଂକ ବାବଦରେ, ତାଂକ ସାଂପତ୍ତିକ ସ୍ଥିତି ବାବଦରେ ପ୍ରଶ୍ନ ଉଠାଇଚଂତି। ବାସ୍ତବିକ, ଏହା କୌଣସି ଏକ କାରଣବେଶିତ ସମସ୍ୟା ନୁହେଁ। ଏହାର ବିଭିନ୍ନ ଦିଗ ଅଛି। ସେସବୁ କେବଳ ଆୟୋଗର ପରୀକ୍ଷାସ୍ତରରେ ବଦଳ କରି ସୁଧୁରାଯାଇ ପାରିବନାହିଁ। ପରୀକ୍ଷାର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଆକର୍ଷଣ କରିବା ଏ ଲେଖାର ଉଦ୍ଦେଶ୍ୟ।

ପ୍ରଥମ କଥା ହେଲା ଭାଷା। କେହି କହିପାରଂତି, ଇଂରେଜୀ ଭାଷା। ମାତ୍ର ଆଜି ଭାରତର ସବୁ ରାଜ୍ୟରେ ସରକାରୀ ସ୍ତରରେ ସ୍ଥାନୀୟ ଭାଷାର ସରକାରୀ ତଥା ଉଚ୍ଚଶିକ୍ଷା ସ୍ତରରେ ବ୍ୟବହାର ନେଇ ଲୋକେ ଓ ତାଂକ ନିର୍ବାଚିତ ପ୍ରତିନିଧି ଜୋର ଦେଉଚଂତି। କଲେଜକୁ ଯିବାର ସବୁ ପିଲାଂକୁ ଭଲ ଇଂରେଜୀ ପଢେଇ ତିଆର କରିବାଦ୍ୱାରା ଏ ସମସ୍ୟାର ସମାଧାନ କରାଯାଇ ପାରିବନାହିଁ। କଲେଜକୁ ଯାଉଥିବା ସବୁ ପିଲା- ସିଏ ସରକାରୀ ଅଫିସର ହେବାକୁ ଯାଆଂତୁ, ବା ଶିକ୍ଷକ ବା ଗବେଷକ ବା ଇଂଜିନିଅର ବା ଡାକ୍ତର, ବ୍ୟବସାୟୀ ହେବାକୁ ଯାଆଂତୁ, ତାଂକୁ ଇଂରେଜୀ ସାଂଗକୁ ପ୍ରାଦେଶିକ ଭାଷା ବି ଠିକଣା ଜାଣିବାକୁ ପଡିବ। ଏ ସବୁ କାମରେ ଇଂରେଜୀ ସାଂଗକୁ ପ୍ରାଦେଶିକ ଭାଷାର ବି ଆବଶ୍ୟକତା। ସରକାରୀ ଅଫିସର୍ ପ୍ରାଦେଶିକ ଭାଷାରେ ସରକାରୀ ନଥି, ପ୍ରସ୍ତାବ, ଚିଠିପତ୍ର ଇତ୍ୟାଦି ଲେଖିବାକୁ ହେଲେ ତାଂକୁ ପ୍ରାଦେଶିକ ଭାଷାର ଉପଯୁକ୍ତ ଜ୍ଞାନ ଥିବା ଆବଶ୍ୟକ। ମାତ୍ର, ଖାଲି ପ୍ରାଦେଶିକ ଭାଷା ଜାଣି ବି କାମ ହେବ ନାହିଁ। ଆଜିର ଦୁନିଆରେ ସବୁ ବିଷୟରେ ସର୍ବାଧିକ ଜ୍ଞାନ-ବିଜ୍ଞାନର ଲେଖା (ପୁସ୍ତକ, ପ୍ରବଂଧ) ଇଂରେଜୀ ଭାଷାରେ ଲିଖିତ। ଏ ସବୁକୁ ପଢି ସହଜରେ ବୁଝିପାରିବା ଆମ ଉଚ୍ଚଶିକ୍ଷିତ ତରୁଣ ତରୁଣୀଂକ ପାଇଁ ନିତାଂତ ଆବଶ୍ୟକ। (ସବୁ ପ୍ରକାର ଲେଖାର ଅନୁବାଦ ଏ ବାବଦକୁ ନିହାତି ନିଅଂଟ)। ଏମାନେ ସମସ୍ତେ ଠିଆହୋଇ ଇଂରେଜୀରେ ଭାଷଣ ଦେଇପାରିବେ, କିଂବା ଭଲ, ଉଚ୍ଚକୋଟୀର ବହି, ପ୍ରବଂଧ ଇଂରେଜୀରେ ଲେଖିପାରିବେ, ଏହା ଦରକାର କରିବା ଅନାବଶ୍ୟକ। ଯାହାକୁ ଆସିଲା, ସେ କରିବ, କରିପାରିବାଟା ସ୍ବାଗତାର୍ହ। ମାତ୍ର, ‘ମତେ ଇଂରେଜୀରେ ଲେଖା ବହି, ପ୍ରବଂଧ, ଫାଇଲ୍, ପଢି ବୁଝିହେଉନାହିଁ’, ଏ କଥା ଚଳିବନାହିଁ। ଆଉ, ଏ କାମ ଲୋକସେବା ଆୟୋଗ ପରୀକ୍ଷାର ଠିକ୍ ପୂର୍ବରୁ କରିହେବ ଏଭଳି ଆଶା କରିବା ବୃଥା। ଏଥିପାଇଁ ହାଇସ୍କୁଲ୍ ସ୍ତରରୁ ଏହାର ବ୍ୟବସ୍ଥା ହେବା ଆବଶ୍ୟକ। ସେମିତି ଦେଖିଲେ, ଯାହାକୁ ଇଂରେଜୀରେ ଲେଖା ନିବଂଧ ବା ପୁସ୍ତକର ଅନୁଚ୍ଛେଦ ନିଜ ପ୍ରାଦେଶିକ ଭାଷାରେ ଠିକଣାରେ ଅନୁବାଦ କରିଆସୁନି, ତାକୁ କଲେଜରେ ପ୍ରବେଶ ମିଳିବାର ନୁହେଁ। ଏହା ଖାଲି ସରକାରୀ ଅଫିସର୍‌ ହେବାବାଲାଂକ ପାଇଁ ନୁହେଁ। କୌଣସି ଡାକ୍ତର ସ୍ଥାନୀୟ ଭାଷାରେ ଲିଖିତ ଡାକ୍ତରଖାନା ବ୍ୟବସ୍ଥା ବାବଦରେ ବା ଅନ୍ୟ ସଂବଂଧିତ ବିଷୟରେ ଲେଖ ମତେ ପଢି ବୁଝିହେଉନାହିଁ ବୋଲି କହିବାର ତାଂକ ଅଧିକାର ନାହିଁ। ତା’ବାଦ୍, ପ୍ରାଦେଶିକ ଭାଷାରେ କେବଳ ପ୍ରମାଣ ଭାଷା ବୁଝାପଡୁଚି ବା ସେଇ ଭାଷାରେ ଲେଖା କେବଳ ଚଳିବ, ୟା ବି କହିବାର ନୁହେଁ।

ପରୀକ୍ଷା ଆଡକୁ ଯିବା। ସରକାରୀ ଅଫିସର ହେବାପାଇଁ ପରୀକ୍ଷାର କୌଣସି ବିଷୟର ପ୍ରଶ୍ନ କଲେଜ ଶିକ୍ଷକ, ପିଏଚ୍‌.ଡି. କରିବାକୁ ଯାଉଥିବା ବିଦ୍ୟାର୍ଥୀଂକୁ ପଚରାଯିବା ପ୍ରଶ୍ନପରି ହୋଇନପାରେ। ଆଜି ଲୋକସେବା ଆୟୋଗ ପରୀକ୍ଷାର୍ଥୀଂକ ପରୀକ୍ଷାର ପ୍ରଶ୍ନ ତିଆରି ଓ ଉତ୍ତର ତପାସ ସେ ସବୁ ବିଷୟର ବିଶ୍ବବିଦ୍ୟାଳୟର ଅଧ୍ୟାପକଂକ ସାହାଯ୍ୟରେ କରାଂତି। ମାତ୍ର ସେ ବିଷୟର ପ୍ରଶ୍ନପତ୍ରିକା ଦେଖିଲେ ପ୍ରଶ୍ନକର୍ତା ଏ ବାବଦରେ ବିଚାର କଲାପରି ଦିଶେନାହିଁ। ମୁଁ ଅର୍ଥଶାସ୍ତ୍ରର ଶିକ୍ଷକ ଥିଲି। ତାହାର ଉଦାହରଣ ଦିଏ। ଯିଏ ଅର୍ଥଶାସ୍ତ୍ରର ଶିକ୍ଷକ ହେବାକୁ ଚାହାଁତି, ତାଂକୁ ସେ ବିଷୟର ଉପଲବ୍ଧ ତଥ୍ୟର ଆଲୋଚନା ଉଚିତ ତାତ୍ତ୍ୱିକ ବାଟରେ ହେଉଚି କି, ସୂକ୍ଷ୍ମ, ଗହନ ବିଷୟରେ ପ୍ରଶ୍ନ ପଚାରି ସେ ବିଷୟ ଠିକ୍ ବୁଝିଚଂତି କି ନାହିଁ, ଠିକଣାରେ ପଢେଇପାରିବେ କି ନାହିଁ, ଏହାସବୁ ଜାଣିବାପାଇଁ ପ୍ରଶ୍ନ ତିଆରି କରିବାକୁ ହେବ। ମାତ୍ର, ଯିଏ ‌‌କେନ୍ଦ୍ର ବା ରାଜ୍ୟ ସରକାରରେ ପ୍ରଥମ ଶ୍ରେଣୀ ଅଫିସର୍‌ ହେବେ ସେମା‌େନ ତ ଦ୍ବିତୀୟ ବା ତୃତୀୟ ପ୍ରକାରର କାମ କରିବାପାଇଁ ବଛାଯିବେନାହିଁ। ସେମାନେ ଆର୍ଥିକ ପରିସ୍ଥିତିର ଅବଲୋକନ କରି ତଥ୍ୟ ସାହାଯ୍ୟରେ ଯୁକ୍ତିଯୁକ୍ତଭାବରେ ଆର୍ଥିକ ନୀତି ପ୍ରଣୟନରେ ସରକାରଂକୁ କିପରି ଉପଦେଶ ଦେଇ ପାରିବେ ତହିଁର ପରୀକ୍ଷା ଆବଶ୍ୟକ। ବାସ୍ତବିକ୍, ବି.ଏ., ଏମ୍.ଏ. ଓ ତା’ପରର ବିଶ୍ବବିଦ୍ୟାଳୟ ପରୀକ୍ଷାରେ ପଚରାଯାଉଥିବା ପ୍ରଶ୍ନର ସ୍ବରୂପ ଦେଖିଲେ ଅନେକ ସମୟରେ ଲାଗେ ୟେ ସବୁ ଖାଲି ଆମ ଇସ୍କୁଲିଆ ଭାଷାରେ କହିଲେ, ଘୋଷି-ମୁଖସ୍ଥର ପରୀକ୍ଷା।

ଏକଥା କହିଲାବେଳେ ମୋର ଶୁଣିଥିବା ଏକ ମଜାର କଥା ମନେପଡେ। ପ୍ରସିଦ୍ଧ ଇଂରାଜୀ ଐତିହାସିକ ଜର୍ଜ ମ୍ୟାକଲେ ଟ୍ରେୱେଲ୍ୟାନ୍ (ଆଉ ନାହାଂତି) କଲେଜରେ ପଢୁଥିଲାବେଳେ ଟ୍ରାୟପସ୍ ପରୀକ୍ଷାରେ ଇତିହାସ ବିଷୟରେ ଏକ ପ୍ରଶ୍ନ ପଡିଲା- ନେପୋଲିୟନ୍ ଯୁଦ୍ଧରେ ହାରିଥିଲେ କଅଣ ହୋଇଥାଆଂତା? କିଏ ଭାବିବ, ଏ ଜ୍ୟୋତିଷୀ ପ୍ରଶ୍ନ କି! ନାଇଁ, ଏହା ଗ୍ରହଗଣିବା ଜ୍ୟୋତିଷୀ ପ୍ରଶ୍ନ ନଥିଲା, ଥିଲା ସେ ସମୟର ୟୁରୋପର ପରିସ୍ଥିତି ବିଚାରକୁ ନେଇ ଯଦି ସେ ଯୁଦ୍ଧରେ ହାରିଥାଆଂତେ ତେବେ ଫ୍ରାନ୍‌ସ ଓ ୟୁରୋପର ପରିସ୍ଥିତି କିପରି ହୋଇଥାଆଂତା ତାହାର ବିବେଚନା ଜାଣିବାର। ଏଥିପାଇଁ ସେ ସମୟର ଫ୍ରାନ୍‌ସ ତଥା ୟୁରୋପର ସ୍ଥିତିର ସମ୍ୟକ ଜ୍ଞାନ ଓ ତା’ସାହାଯ୍ୟରେ କଅଣ ହୋଇପାରଂତା ତାହାର ଯୁକ୍ତିଯୁକ୍ତ ଆଲୋଚନା ଅପେକ୍ଷିତ। ଏହା କିଛି ନୂଆ ନୁହେଁ। ଆମେ ସ୍କୁଲରେ ପଢିଲାବେଳେ ଜ୍ୟାମିତିରେ ପ୍ରଶ୍ନପଡେ ଯାହାର ଉତ୍ତରପାଇଁ ୟୁକ୍ଲିଡ୍‌ର କେଉଁ ଥିଓରମ୍ ଆବଶ୍ୟକ ତାହା ବିଦ୍ୟାର୍ଥୀକୁ ଜଣାଥିବା ଦରକାର। ଆଜି କଲେଜ ସ୍ତରରେ ଅଧିକାଂଶ ବିଷୟର ପରୀକ୍ଷା ପ୍ରଶ୍ନ ଥିଓରମ୍ ଜାଣିଚ କି ନାହିଁର ପରୀକ୍ଷା। ‘ଘୋଷବଂତ ହିଁ ବଳବଂତ’। ଏଭଳି ପ୍ରଶ୍ନ ପକାଉଥିବା ଅଧ୍ୟାପକ ଆୟୋଗ ପରୀକ୍ଷାରେ ଆଉ ଭିନ୍ନ ପ୍ରଶ୍ନ କୁଆଡୁ ଆଣିବେ? କଲେଜ ସ୍ତରରେ ଭିନ୍ନ ପ୍ରଶ୍ନର ଅପେକ୍ଷା ୟୁଜିସି ବି କଲାପରି ଦିଶୁନି। ନହେଲେ ସେ ଅନୁଷ୍ଠାନ କଲେଜ ସ୍ତରରେ କମ୍ୟୁନିକେଶନ୍ ଇଂରାଜୀ ପଢାଇବାର ପ୍ରସ୍ତାବ ଦେଇନଥାଂତେ ଓ ଓଡିଶା ସରକାରର ବଡବାବୁମାନେ ତାକୁ ଆଗ୍ରହରେ ଗ୍ରହଣ କରିନଥାଂତେ। ବୋଧହୁଏ ଲୋକସେବା ଆୟୋଗ ପରୀକ୍ଷାରେ ବି ତାହାହିଁ କାଳକ୍ରମେ ହେବ। କଲେଜ ପଢୁଆ ଇ-କମରସ୍ ଡେଲିଭରୀ, ସରକାରୀ ଓ ବେସରକାରୀ ଅଫିସରେ ଆଗଂତୁକ ସ୍ବାଗତ ପାଇଁ ହିଁ ଯୋଗ୍ୟ ହେବେ। କାହାକୁ କହିବା, କପାଳରେ ସିନା କରମାରିବା!

ଗରିବ, ସ୍ବଳ୍ପ ଆୟର ପରିବାରର ପିଲାଂକ କଥା। ତାଂକ ଅସୁବିଧା ଖାଲି ଆର୍ଥିକ ଅଭାବ ନୁହେଁ। ଏଭଳି ପରିବାରରେ ସାମାନ୍ୟ ଶିକ୍ଷାର ବି ଅଭାବ, ଇଂରେଜୀ କଥା ଛାଡ। ସେମାନେ ମୂଳରୁ ଅସୁବିଧାର ସମ୍ମୁଖୀନ। ରିଜର୍ଭେଶନ୍‌ ଯୋଗୁଁ ତାଂକୁ ତାଛଲ୍ୟ କରିବା ଅମନୁଷ୍ୟତା। ତାଂକ ପାଇଁ ସ୍କୁଲ୍ ସ୍ତରରେ ଅଧିକ ପ୍ରୟାସର ଆବଶ୍ୟକତା। ପଚସ୍ତରୀ ବର୍ଷରେ ତାହା ହେଲାନାହିଁ। ତାହା ନହେଲା ପର୍ଯଂତ ପ୍ରଶ୍ନ ଫିଟିବନାହିଁ।

ଏ ସ୍ବଳ୍ପ ଆଲୋଚନାରୁ ସ୍ପଷ୍ଟ ହେବ ଯେ ଆୟୋଗ ପରୀକ୍ଷାରେ ପ୍ରଶ୍ନ ପତ୍ରର ଢଂଗ ବଦଳାଇ ସବୁ ସୁଧୁରି ଯିବନାହିଁ। ବିଭିନ୍ନ ସ୍ତରରେ ସୁଧାରଣାର ଆବଶ୍ୟକତା। ବିଶ୍ବବିଦ୍ୟାଳୟ ତଥା କଲେଜସ୍ତରରେ ଯେ କେହି ଠିକଣା ବିଚାରକଲାବାଲେ ଅଛଂତି ସେମାନେ ଏକାଠି ହୋଇ, ଆଲୋଚନା କରି, ସୁଚିଂତିତ ସିଦ୍ଧାଂତରେ ପହଂଚି ସେଥିପାଇଁ ଆଂଦୋଳନ ଆରଂଭ କରଂତୁ। ସେଥିପାଇଁ ସରକାରଂକୁ ଲେଖି, ପିଟିଶନ୍ ପଠାଇ କାମ ହେବନାହିଁ। ‘ତୁ ଗୁହାରୀ କରୁଚୁ ଯାହାକୁ, ମୁଁ ଘଇତା କରିଚି ତାହାକୁ’। ବର୍ତମାନ ସମୟରେ ଆଂଦୋଳନ ଛଡା ଅନ୍ୟ ବାଟ ନାହିଁ।

ପୁଣେ ୪୧୧ ୦୦୪
ମୋ: ୯୪୨୨୬୫୬୦୩୨
[email protected]

ସମ୍ବନ୍ଧିତ ଖବର