ଇଂଲଣ୍ଡ ଓ ଚୌଧୁରୀ ସାହେବ

ହିରଣ୍ୟ ମହାନ୍ତି

ବର୍ଷ ଥିଲା ୧୯୫୫ ମସିହା। ଆମ ଦେଶରେ ସେହି ସମୟ ଥିଲା ଋତୁରାଜ ବସନ୍ତର ଆଗମନର କାଳ। ଇ˚ଲଣ୍ତ ଭ୍ରମଣ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ ଜଣେ ଭାରତୀୟ, ଯାହାଙ୍କ ନାମ ନୀରଦ ସି. ଚୌଧୁରୀ। ସେଠାରୁ ସ୍ମୃତିରେ ଧରି ଫେରିଥିବା ଅନୁଭୂତିରୁ ସେ ଲେଖିଥିଲେ ଏକ ପୁସ୍ତକ ଯାହାର ନାମ ଥିଲା ‘ଏ ପାସେଜ୍‌ ଟୁ ଇ˚ଲଣ୍ତ’ (A Passage to England) ବା ଇଂଲଣ୍ଡକୁ ଯାତ୍ରା।

ସେ ଲେଖିଛନ୍ତି ଯେ ତାଙ୍କର ଇ˚ଲଣ୍ତ ଭ୍ରମଣ ଉପରାନ୍ତ ଅନୁଭୂତି ଆଧାରରେ ଏପରି ଅନୁମାନ ଲଗା ନ ଯାଉ ଯେ, ସେଠାରେ ତାଙ୍କ ପ୍ରାରମ୍ଭିକ ରହଣି କାଳ ଖୁବ୍‌ ସୁଖଦ ଥିଲା ବା ସ˚ପୂର୍ଣ୍ଣ ସ˚ଶୟରହିତ ଓ ନିରୁଦ୍‌ବିଗ୍ନ ଥିଲା। ତାଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଥିଲା। ତେବେ, କ’ଣ ଥିଲା ଏଭଳି ପ୍ରଶ୍ନମାନ ଉଠିବାର କାରଣ? ଗୋଟିଏ କାରଣ ଥିଲା ଯେ ଖୁବ୍‌ ନିକଟରେ ବ୍ରିଟିସ୍‌ମାନେ ଭାରତ ଭଳି ଏକ ବିଶାଳ ଦେଶକୁ ସେମାନଙ୍କ କର୍ତ୍ତୃତ୍ବରୁ ହରାଇଥିଲେ। ସେଥି ପାଇଁ ଲେଖକ ଭାବିଥିଲେ ଯେ ବ୍ରିଟିସ୍‌ ଜାତି ଏହା ଦ୍ବାରା ରାଜନୈତିକ ପ୍ରତିଷ୍ଠା, ଆର୍ଥିକ ଶକ୍ତି ଓ ସାମରିକ ସାମର୍ଥ୍ୟ ଦିଗରୁ ବଡ଼ ଧକ୍‌କାଟିଏ ଖାଇଥିବ ଏବ˚ ବ୍ରିିଟିସ୍‌ ଜାତି ଭାଙ୍ଗି ପଡ଼ିଥିବ। ସେମାନଙ୍କ ପ୍ରଭୁପଣିଆ ଓ ଦାମ୍ଭିକତା ଘାଇଲା ହୋଇ ଯାଇଥିବ। ରାଜ୍ୟାଧିକାର ସୀମା ସ˚କୁଚିତ ହେବା ସହିତ ଦୁର୍ବଳ ସାମରିକ ଶକ୍ତି ଓ ନିଅଣ୍ଟିଆ ଅର୍ଥ ଶକ୍ତି ଦ୍ବାରା ଇ˚ରେଜମାନେ ଘାରି ହେଉଥିବେ। ମାତ୍ର ସେଠାରେ ପହଞ୍ଚିବା ପରେ ସେ ଦେଖିବାକୁ ପାଇଥିଲେ ଯେ ବସ୍ତୁତଃ ସେପରି କିଛି ଘଟି ନାହିଁ। ଅପର ପକ୍ଷରେ ବ୍ରିଟିସ୍‌ମାନଙ୍କ ଠାରେ ବିଦ୍ୟମାନ ଥିଲା ସେହି ପୁରୁଣା ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ (Pompous Life Style)। ସେମାନଙ୍କ କର୍ମସ୍ଥଳୀକୁ ସେମାନେ ପୂର୍ବ ପରି ଆସ୍ଥା ଓ ଉତ୍ସାହର ସହିତ ଠିକ୍‌ ସମୟରେ ଯାଉଥିଲେ। ସେମାନଙ୍କ ମୁହଁରେ ବାରି ହୋଇ ପଡୁଥିଲା କର୍ମ ପ୍ରତି କୁଣ୍ଠାହୀନ ଉତ୍ସାହ। କାର୍ଯ୍ୟ କଲା ବେଳେ ସମୟ ନିର୍ଘଣ୍ଟ କଥା ଭୁଲି ଯାଉଥିଲେ। ବଳିଷ୍ଠ ଓ ସ୍ବାସ୍ଥ୍ୟବାନ ବ୍ରିଟିସ୍‌ମାନେ ବୟସ ନିର୍ବିଶେଷରେ ହର୍ଷ ମୁଖର ଦିଶୁଥିଲେ। ଆବଶ୍ୟକତା ତୁଳନାରେ ସେମାନଙ୍କ ପାଖରେ ଅଧିକ ଭଲ ଖାଦ୍ୟ ଓ ପୋଷାକ ମହଜୁଦ ଥିଲା। ଆଧୁନିକ, ସମ୍ଭ୍ରାନ୍ତ ଜୀବନ ବଞ୍ଚିବା ଓ ଗଢ଼ିବା ପାଇଁ ସର୍ବବିଧ ଆବଶ୍ୟକତା ସେମାନଙ୍କ ହାତ ପାଆନ୍ତାରେ ଥିଲା।

ଲେଖକ ଭାବୁଥିଲେ ଯେ ଦୀର୍ଘ କାଳ ଧରି ଅର୍ଧାଧିକ ପୃଥିବୀକୁ କରାୟତ୍ତ କରିଥିବା ଏହି କ୍ଷୁଦ୍ର ରାଷ୍ଟ୍ର ଆନ୍ତର୍ଜାତିକ ସ୍ତରରେ ନିଷ୍ପ୍ରଭ ହୋଇ ପଡୁଥିବା ବେଳେ ସେଠାରେ ସବୁ କଥା କିପରି ଠିକ୍‌ଠାକ୍‌ ଚାଲୁଥିଲା? ସେମାନଙ୍କ ସାମୂହିକ ଜୀବନକୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରୁଥିବା ଶକ୍ତିର ଉତ୍ସଟି ଥିଲା କେଉଁଠି? ଏହିସବୁ ପ୍ରଶ୍ନମାନଙ୍କର ଉତ୍ତର ସେ ପାଇଲେ ଜଣେ ସାମ୍ବାଦିକଙ୍କ ଠାରୁ ଯେ କହିଥିଲେ: ବ୍ରିଟିସ୍‌ମାନଙ୍କର ଜାତୀୟ ଚେତନା, ଚରିତ୍ର ଓ ଶୃଙ୍ଖଳିତ ଜୀବନଧାରା, ସେମାନେ ଉତ୍ତରାଧିକାର ସୂତ୍ରରେ ଆହରଣ କରିଥିଲେ ସେମାନଙ୍କ ପୂର୍ବ ସୂରୀଙ୍କ ଠାରୁ। ନିଜ ଦେଶ ବାହାରେ ନିର୍ମାଣ କରିଥିବା ସେମାନଙ୍କ ସାମ୍ରାଜ୍ୟ ସେମାନେ କ୍ରମେ ହରାଇଥିଲେ ସୁଦ୍ଧା ଇ˚ଲିସ୍‌ ଜାତି ହରାଇ ନ ଥିଲା ତା’ର ସହଜାତ ସ୍ବାଭିମାନ।

ବ୍ରିଟିସ୍‌ମାନେ ଯେ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର, ଏଭଳି ଗୋଟିଏ ଧାରଣା ନୀରଦ ସି. ଚୌଧୁରୀଙ୍କ ବଦ୍ଧମୂଳ ହୋଇଥିଲା। ତା’ ପ‌େର ସେ ଇଂଲଣ୍ଡରେ ଚିର ଦିନ ଲାଗି ରହିଯାଇଥିଲେ। ନୀରଦ ସି. ଚୌଧୁରୀ ବ୍ରିଟିସ୍‌ମାନଙ୍କ ଦ୍ବାରା ଏଭଳି ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଯେ କୁହାଯାଉଥିଲା ଇଂଲଣ୍ଡରେ ଯଦି କେହି ଜଣେ ଅସଲି ସାହେବ ଥାଏ, ତେବେ ସେ ହେଉଛନ୍ତି ଚୌଧୁରୀ ସାହେବ!

ଇଂଲଣ୍ଡକୁ ନୂଆ କରି ଚିହ୍ନୁଥିବା ବେଳେ ଥରେ ନୀରଦ ସି. ଚୌଧୁରୀ ତାଙ୍କର ଜଣେ ଇ˚ଲିସ୍‌ ବନ୍ଧୁଙ୍କୁ ପଚାରିଥିଲେ ଯେ ରାଷ୍ଟ୍ରର ହୃତ ଗୌରବକୁ ଫେରି ପାଇବା ପାଇଁ ବ୍ରିଟିସ୍‌ମାନେ ଭବିଷ୍ୟତ୍‌ରେ କିଛି ନୂଆ ଯୋଜନା ରଖିଛନ୍ତି କି? ଭଦ୍ରବ୍ୟକ୍ତି ଜଣଙ୍କ ନମ୍ରତାର ସହ କହିଥିଲେ ଯେ ସେପରି ପରିକଳ୍ପନା ବ୍ରିଟିସ୍‌ ଜାତିର ଇତିହାସରେ କଦାପି ପାଇବେ ନାହିଁ। ବ୍ରିଟିସ୍‌ ଜାତି ସମୟର ସ୍ବରକୁ ଶୁଣି ଆସିଛି ଓ ସମ୍ମୁଖର ଆହ୍ବାନମାନଙ୍କୁ ସବୁ କାଳେ ସମ୍ମୁଖୀନ ହୋଇଆସିଛି। ବ୍ରିଟିସ୍‌ମାନେ ଉପସ୍ଥିତ-କାଳ ବା ବର୍ତ୍ତମାନ ଲାଗି ଯୋଜନା କରନ୍ତି ଏବ˚ ତାକୁ ଦୃଢ଼ତାର ସହିତ ପାଳନ୍ତି। ସେମାନେ ବାସ୍ତବବାଦୀ, ସ୍ବପ୍ନଭୁକ୍‌ ନୁହନ୍ତି।

ନୀରଦ ସି. ଚୌଧୁରୀ ଠାଏ ଲେଖିଛନ୍ତି ଯେ ଇ˚ଲିସ୍‌ମାନଙ୍କର ମାନସିକ ଗଢ଼ଣରେ ଏକ ପ୍ରକାର ଅନାସକ୍ତ ସହନଶୀଳତା ଥାଏ। ସେମାନେ ଦାରୁଣ ପରିସ୍ଥିତିକୁ ସାମନା କଲା ବେଳେ ଧୈର୍ଯ୍ୟ ହରାନ୍ତି ନାହିଁ। ବ୍ରିଟିସ୍‌ ଲୋକେ, ତାଙ୍କ ପିଲାମାନଙ୍କୁ କହିଥାଆନ୍ତି ଯେ ଆମେ ଆଜି ଯାହା ହୋଇଛୁ, ତାହା ସବୁ ଆମ ମାଟି, ମାଟି ତଳର ସ˚ପଦ, ପର୍ବତମାଳା, ଅରଣ୍ୟାନୀ ଓ ସମୁଦ୍ରର ଦାନ। ତାହା ସହିତ ମିଶିଛି ବ୍ରିଟିସ୍‌ ଜାତିର ସର୍ବଶ୍ରେଷ୍ଠ ହେବା ପାଇଁ କର୍ମନିଷ୍ଠା, ସାହସିକତା, ଜାତି ପ୍ରାଣତା, କଠିନ ପରିଶ୍ରମ ଓ ତୁଙ୍ଗ ଗଣତାନ୍ତ୍ରିକ ମୂଲ୍ୟବୋଧ।

ପୁସ୍ତକଟି ଶେଷ କରିବା ପରେ ମୁଁ ବୁଝି ପାରୁଥିଲି କାହିଁକି ଓ କିପରି ଏକ ଅତ୍ୟନ୍ତ କ୍ଷୁଦ୍ର ରାଷ୍ଟ୍ର ଗୋଟିଏ ସମୟରେ ଆମ ଗ୍ରହର ଅର୍ଧା‌ଧିକ ଦଖଲ କରି ରହିଥିଲା ଏବଂ ସେମାନେ କହୁଥିବା ଭାଷାଟି ଏବେ ବି ପୃଥିବୀର ପ୍ରାୟ ସର୍ବତ୍ର ଏକ ଚଳନ୍ତିି ଭାଷା ହୋଇ ରହିଛି।

ମୋ: ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର