ପ୍ରଶାନ୍ତ କିଶୋରଙ୍କ ନୂଆ ଅବତାର

ଅରୁଣ ସିହ୍ନା

ବିଗତ ଆଠ ବର୍ଷ ହେଲା ଜଣେ ନିର୍ବାଚନ ରଣନୀତିଜ୍ଞ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର ଏଣିକି ଆଉ ନିର୍ବାଚନ ରଣନୀତି ପ୍ରସ୍ତୁତ ନ କରି ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ହେବେ ବୋଲି ଇଙ୍ଗିତ କରି ଦେଶକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ତାଙ୍କ ଜୀବନରେ ଏହା ଏକ ଉଲ୍ଲେଖନୀୟ ମୋଡ଼ ନିଶ୍ଚୟ; ତେବେ ତାହା ଭାରତୀୟ ରାଜନୀତି ପାଇଁ ଉଲ୍ଲେଖନୀୟ ହେବ କି ନା ତାହା ଜାଣିବା ଲାଗି ଆମକୁ ଅପେକ୍ଷା ଓ ଅବଲୋକନ କରିବାକୁ ହେବ। ଅନ୍ୟମାନଙ୍କ ପାଇଁ ସେ ଯେପରି ଜଣେ ଉତ୍କୃଷ୍ଟ ବିକ୍ରେତା ସାଜିଥିଲେ, ତାହା ନିଜ ପାଇଁ ସାବ୍ୟସ୍ତ କରିପାରୁଛନ୍ତି କି ନାହିଁ, ତାହା ଭବିଷ୍ୟତ୍‌ ହିଁ କହିବ।

ତେବେ ଆମେ କିଛି ବିଜ୍ଞ ଅନୁମାନ ଲଗାଇବାକୁ ଚେଷ୍ଟା କରିବା। ପ୍ରଥମତଃ, ତାଙ୍କ ପାଇଁ ପରିବେଶ ଅନୁକୂଳ କି ନାହିଁ, ତାହା ବିଚାର କରିବାକୁ ହେବ। ଦ୍ବିତୀୟରେ, ପରିବେଶକୁ ଉପଯୋଗ କରିବାରେ ତାଙ୍କ ଦକ୍ଷତାକୁ ମଧ୍ୟ ବିଚାର କରିବାକୁ ହେବ।

ବିହାରରେ ସେ ତାଙ୍କ ନୂଆ ଅବତାରରେ ଅବତରଣ କରିଛନ୍ତି। ସେ ଭାରତର ରୂପାନ୍ତରଣ କଥା ନ କହି ବିହାରର ପରିବର୍ତ୍ତନ କଥା କହୁଛନ୍ତି। ବିହାର କାହିଁକି? ତାଙ୍କ କହିବା ଅନୁସାରେ, ବିହାର ସମସ୍ତ ପ୍ରକାର ସୂଚକାଙ୍କର ତଳେ ରହିଛି। ସେ ଏହାକୁ ଉକ୍ତ କାଦୁଅରୁ ଟାଣି ବାହାର କରିବାକୁ ଚାହୁଛନ୍ତି। ଅବଶ୍ୟ ବିହାର ତାଙ୍କର ଜନ୍ମରାଜ୍ୟ ହେବା ତାହାର ଅନ୍ୟତମ କାରଣ। ତେଣୁ ସ୍ପଷ୍ଟ ରୂପରେ ଅନ୍ୟ ରାଜ୍ୟର ଜନସାଧାରଣଙ୍କ ଅପେକ୍ଷା ସେ ବିହାରୀଙ୍କ ସହ ସୁବିଧାରେ ସଂଯୋଗ ସ୍ଥାପନ କରିପାରିବେ ବୋଲି ଚିନ୍ତା କରୁଛନ୍ତି।

ମାତ୍ର ତାଙ୍କ ପାଇଁ ସେଠି ସ୍ଥାନ ଅଛି କି? ବିହାରରେ ଏକ ନୂତନ ରାଜନୈତିକ ଦଳ ପାଇଁ ସ୍ଥାନ ରହିଛି କି? ବର୍ତ୍ତମାନ ସ୍ଥିତିରେ ସେ ସ୍ଥାନ ଅତି ସଂକୁଳିତ ହୋଇପଡ଼ିଛି। ସଂଯୁକ୍ତ ଜନତା ଦଳ (ଜେଡିୟୁ), ଭାରତୀୟ ଜନତା ପାର୍ଟି (ବିଜେପି) ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପରି ତିନିଟି ଦଳ ହିଁ ବିହାର ରାଜନୈତିକ ଇଲାକାର ପ୍ରାୟ ୯୯ ପ୍ରତିଶତ କବ୍‌ଜା କରି ରଖିଛନ୍ତି। ଏଥି ସହିତ ସେଠାରେ ହିନ୍ଦୁସ୍ଥାନୀ ଆଵାମି ପାର୍ଟି (ହାମ୍‌), ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି), ବିକାଶଶୀଳ ଇନ୍‌ସାନ୍‌ ପାର୍ଟି (ଭିଆଇପି), ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ଏବଂ ଅଲ୍‌ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମୀନ୍‌ (ଏଆଇଏମ୍‌ଆଇଏମ୍‌) ପରି ଛୋଟ ଛୋଟ ଦଳ ବି ରହିଛନ୍ତି ଯେଉଁମାନେ ଅଧିକାଂଶ ସମୟ ତିନି ପ୍ରମୁଖ ଦଳର ବଶୀଭୂତ ହୋଇଥା’ନ୍ତି। ତେଣୁ କିଶୋରଙ୍କ ଦଳ କୁଆଡ଼କୁ ଯିବ?

ଏ ପରିପ୍ରେକ୍ଷୀରେ ତାଙ୍କୁ ଏକ ମୌଳିକ ବିଷୟ କଥା ଚିନ୍ତନ କରିବାକୁ ହେବ। ଏହି ତିନି ପ୍ରମୁଖ ଦଳ କେବେ ଶୂନ୍ୟରେ ଶୂନ୍ୟରେ ପ୍ରତିଷ୍ଠିତ ହୋଇନାହାନ୍ତି। ନାନା ଆନ୍ଦୋଳନର ନିଷ୍କର୍ଷ ସ୍ବରୂପ ସେମାନଙ୍କ ସଂଗଠନ ଉଭା ହୋଇଛି। ଆର୍‌ଜେଡି ଓ ଜେଡିୟୁ ଉଭୟ ସମାଜବାଦୀ ଆନ୍ଦୋଳନରୁ ଜନ୍ମ ନେଇଛନ୍ତି। ସେହିପରି ହିନ୍ଦୁତ୍ବ ଆନ୍ଦୋଳନରୁ ବିଜେପିର ସୃଷ୍ଟି। ଯଦିଓ ରାଜ୍ୟରେ ସମ୍ପ୍ରତି କଂଗ୍ରେସ ଓ ବାମଦଳର ନଗଣ୍ୟ ଭୂମିକା ରହିଛି, ସେମାନେ ମଧ୍ୟ ବିଭିନ୍ନ ଆନ୍ଦୋଳନରୁ ଆସିଛନ୍ତି।

ଅପରପକ୍ଷେ, ଛୋଟ ଛୋଟ ଦଳଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦିଷ୍ଟ ଜାତି ବା ଧର୍ମ ସମ୍ପ୍ରଦାୟର ଆପତ୍ତି ଅଭିଯୋଗକୁ ଭିତ୍ତି କରି ଉତ୍ପନ୍ନ ହୋଇଛନ୍ତି। ଦଳିତମାନଙ୍କର ଗୋଷ୍ଠୀକୁ ସମର୍ଥନ କରି ଏଲ୍‌ଜେପି ଓ ହାମ୍‌ ଆସିଥିବା ବେଳେ ଭିଆଇପି ହେଉଛି ମଲ୍ଲମାନଙ୍କର, ଆଏଲ୍‌ଏସ୍‌ପି କୁଶଵାହାମାନଙ୍କର ଏବଂ ଏଆଇଏମ୍‌ଆଇଏମ୍‌ ହେଉଛି ମୁସଲମାନଙ୍କର।
ତେଣୁ ଏମିତି ବିଚାର କଲେ, ବିହାରରେ ଦୁଇ ପ୍ରକାର ରାଜନୈତିକ ଦଳ ଦେଖିବାକୁ ମିଳେ- ଗୋଟିଏ ଆନ୍ଦୋଳନକୁ ଭିତ୍ତି କରି ତ ଅନ୍ୟଟି ଜାତି ବିଶିଷ୍ଟ ସଂଘଟନକୁ କେନ୍ଦ୍ର କରି। ପ୍ରଶାନ୍ତ କିଶୋର କାହାକୁ ଅନୁସରଣ କରିବେ? ସ୍ପଷ୍ଟ ଭାବରେ ଜାତି ବିଶିଷ୍ଟକୁ ନୁହେଁ। ଯେହେତୁ ତାଙ୍କର ଲକ୍ଷ୍ୟ ବିହାରର ସମୃଦ୍ଧି ଆଣିବା, କୌଣସି ନିର୍ଦ୍ଦିଷ୍ଟ ଜାତିର ନୁହେଁ। ଏଥି ସହିତ ଜାତି ବିଶିଷ୍ଟ ମଡେଲ୍‌କୁ ଆଦରିବା ମଧ୍ୟ ତାଙ୍କର ବାଧ୍ୟବାଧକତା ନୁହେଁ। କାରଣ ସେ ଏକ ଉଚ୍ଚ ଜାତି ବର୍ଗର ଏବଂ ବିହାରର ନିର୍ବାଚନୀ ରାଜନୀତିରେ ଉଚ୍ଚ ବର୍ଗ କେବେ ଜାତି ବିଶିଷ୍ଟ ସଂଗଠନକୁ ପ୍ରୋତ୍ସାହିତ କରିନାହାନ୍ତି। ସେମାନେ କଦବା କଂଗ୍ରେସକୁ ଅଥବା ବିଜେପିକୁ ସମର୍ଥନ କରି ଅଦୃଶ୍ୟ ଭାବରେ ନିଜ ସମସ୍ୟାଗୁଡ଼ିକର ଆଲୋଚନା କରିଥା’ନ୍ତି।

ତେବେ କିଶୋର କ’ଣ ଆନ୍ଦୋଳନଭିତ୍ତିକ ମଡେଲ୍‌କୁ ଅନୁସରଣ କରିବେ? ଏ ଦିଗରେ ସେ କୌଣସି ଇଙ୍ଗିତ କରିନାହାନ୍ତି। ତେବେ ବିହାରର କୋଣ ଅନୁକୋଣରେ ରହିଥିବା ଲୋକମାନଙ୍କୁ ଭେଟିବା ଲାଗି ଆଗାମୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ସେ ଚମ୍ପାରଣ ସ୍ଥିତ ଗାନ୍ଧୀ ଆଶ୍ରମରୁ ଏକ ୩,୦୦୦ କି.ମି. ବ୍ୟାପୀ ପଦଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଜଣେ ମହାନ୍‌ ରାଜନୈତିକ ବିକ୍ରେତା ଭାବରେ ଗାନ୍ଧୀଙ୍କ ଉତ୍ତରଦାନ ସହ ଜଡ଼ିତ ତାଙ୍କର ସେହି ନୂତନ ରାଜନୈତିକ ପ୍ରକଳ୍ପର ସାର୍ବଜନୀନ ମୂଲ୍ୟବୋଧ ସମ୍ପର୍କରେ ସେ ଅବଗତ। ମାତ୍ର କେବଳ ଏକ ପ୍ରତୀକାତ୍ମକ ସାହଚର୍ଯ୍ୟ କେବେ ତାଙ୍କୁ ଅଧିକ କର୍ଷଣର ସହ ଜିତାଇପାରିବନି। ପ୍ରତ୍ୟେକ ରାଜନୈତିକ ଦଳ ଗାନ୍ଧୀଙ୍କ ଉତ୍ତରଦାନର ଶପଥ ନେଇଥା’ନ୍ତି, ମାତ୍ର ସେହି ଅଙ୍ଗୀକାରବଦ୍ଧତାର ସାର୍ବଜନୀନ ପ୍ରଦର୍ଶନ ବେଳେ ସେମାନେ ପ୍ରତୀକବାଦକୁ ଟପିନଥା’ନ୍ତି। ଲୋକଙ୍କର ସୁଶାସନ ପାଇଁ ଗାନ୍ଧୀଙ୍କର ଅବଧାରିତ, ଅତୁଟ, ନିଃସ୍ବାର୍ଥପର, ଯନ୍ତ୍ରଣାରହିତ ଶୈଳୀ ଦ୍ବାରା ପ୍ରଶାନ୍ତ ନିଜର ‘ଜନ ସୁରାଜ’ ଲକ୍ଷ୍ୟ ହାସଲ ନିମନ୍ତେ ଯଦି ଏକ ଆନ୍ଦୋଳନକୁ ଆଗେଇ ନେଇ ପାରିବେ, ତେବେ ସେ କିଛି ପରିବର୍ତ୍ତନ ଆଣିପାରିବେ।

ତେବେ ସେ ଏପରି କରିବାକୁ ସମର୍ଥ କି? ଆଜିକା ଦିନରେ ତାହାର ଉତ୍ତର ନିଶ୍ଚିତ ଭାବରେ ‘ନା’ ହେବ। ଏପରିକି ସୁଶାସନ ପାଇଁ ସେ ଏକ ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ବୋଲି ଘୋଷଣା କଲେ ବି ଜନସାଧାରଣ ତାଙ୍କ ସାଥିରେ ଯୋଗଦେବେନାହିଁ। କାରଣ ତାଙ୍କର ଆଦର୍ଶ ସମ୍ପର୍କରେ ସମସ୍ତେ ଅଜ୍ଞ। ସେ ଜଣେ ଗାନ୍ଧୀବାଦୀ କି? ସେ ଜଣେ ସମାଜବାଦୀ ନା ମାର୍କସ୍‌ବାଦୀ? କଂଗ୍ରେସର ଆଦର୍ଶକୁ ସେ ସ୍ବୀକାର କରନ୍ତି କି? ସେ ଜଣେ ହିନ୍ଦୁ ଜାତୀୟତାବାଦୀ କି?

ସେ ଆଦର୍ଶଗତ ଭାବେ ‘ମଧ୍ୟ-ବାମ’ର ନିକଟତର ବୋଲି ଥରେ କି ଦି’ଥର ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ମାତ୍ର ସେ କେବେ ତାହାଠୁ ଊର୍ଦ୍ଧ୍ବକୁ ଯାଇ ନିଜର ରାଜନୈତିକ ଦୃଷ୍ଟିକୋଣ ସମ୍ପର୍କରେ ବ୍ୟାଖ୍ୟା କରିନାହାନ୍ତି। ତାଙ୍କର ଇତିହାସ କହୁଛି, ତାଙ୍କର କୌଣସି ସ୍ପଷ୍ଟ ରାଜନୈତିକ ଗତିଶୀଳତା ନାହିଁ। ସେ ଯେତେବେଳେ ଜେଡିୟୁର ଉପାଧ୍ୟକ୍ଷ ଥିଲେ, ସେତେବେଳେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ସେହି ଦଳର ଆଦର୍ଶ ସହ ତାଙ୍କର ନିଜସ୍ବ ମନୋଭାବ ଖାପ ଖାଉଥିବା ଅନୁଭବ କରିବାରୁ ସେଥିରେ ସେ ଯୋଗଦେଇଥିଲେ। ଦଳର ମୁଖ୍ୟ ବିଚାରକ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସେ ଅଶେଷ ପ୍ରଶଂସା କରିଥିଲେ। ଏପରିକି ଜେଡିୟୁରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ସେ ଦୁଇ ବର୍ଷ ଧରି କାମ କରିଛନ୍ତି। ତା’ପରେ କିନ୍ତୁ କିଛି ସପ୍ତାହ ତଳେ ସେ କଂଗ୍ରେସରେ ପ୍ରାୟ ଯୋଗଦେଇଥିଲେ। ଏ ପରିପ୍ରେକ୍ଷୀରେ ରାଜନୈତିକ ବିଚାରଧାରା ପ୍ରଣାଳୀର କାହାକୁ ସେ ଗ୍ରହଣ କରନ୍ତି?

ତା’ ଅର୍ଥ ନୁହେଁ ଯେ କୌଣସି ପ୍ରତିଷ୍ଠିତ ରାଜନୈତିକ ଆଦର୍ଶବୋଧକୁ ଗ୍ରହଣ କରିନଥିବା ନେତାମାନେ ଗଣଆନ୍ଦୋଳନର ନେତୃତ୍ବ ନେଇପାରିବେନି। ଜୟପ୍ରକାଶ ନାରାୟଣ ୧୯୭୪ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସେହିପରି ଆନ୍ନା ହଜାରେ ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ଆଗେଇ ନେଇଥିଲେ। ମାତ୍ର ସେମାନଙ୍କର ନିଜସ୍ବ ରାଜନୈତିକ ବିଚାରଧାରା ରହିଥିଲା। ପ୍ରଶାନ୍ତ କିଶୋରଙ୍କର ନା ସେମାନଙ୍କ ପରି ଭାବମୂର୍ତ୍ତି ରହିଛି ନା ତାଙ୍କର କୌଣସି ବିଚାରଧାରା ରହିଛି।

ତାଙ୍କର ବଡ଼ ଭାବମୂର୍ତ୍ତି ହେଲା, ସେ ଜଣେ ନିର୍ବାଚନ ରଣନୀତି ବିଶାରଦ। ତେଣୁ ସେ ଦୁଇଟି କଥା ଗ୍ରହଣ ନ କଲେ ତାଙ୍କର ସେହି ଭାବମୂର୍ତ୍ତି ତାଙ୍କ ପାଇଁ ସମ୍ପତ୍ତି ହେବା ବଦଳରେ ବୋଝ ହୋଇପଡ଼ିବ। ପ୍ରଥମତଃ, ସେ ନିଜକୁ ଜଣେ ସ୍ପଷ୍ଟ ବିଚାରଧାରାର ବ୍ୟକ୍ତି ଭାବେ ଉପସ୍ଥାପନ କରିବାକୁ ପଡ଼ିବ। ତେବେ ଯାଇ ଜନସାଧାରଣ ତାଙ୍କୁ ରାଜନୈତିକ ଢଙ୍ଗରେ ସ୍ଥାନିତ କରିବା ସହଜ ହେବ ଏବଂ ତାଙ୍କୁ ସେମାନେ ସମର୍ଥନ କି ବିରୋଧ କରିବେ, ତାହା ପଛ କଥା। ଦ୍ବିତୀୟତଃ ଏକ ସାମୂହିକ ଭିତ୍ତିଭୂମିର ନିର୍ମାଣ ପାଇଁ ତାଙ୍କୁ ଏକ ଗଣଅଭିଯାନ ଆଗେଇନେବାର ଆବଶ୍ୟକତା ରହିଛି। ଆମ୍‌ ଆଦମୀ ପାର୍ଟି ସେହି ପନ୍ଥା ଆପଣେଇଥିଲା, ନିଖିଳ ଆସାମ ଛାତ୍ର ସଂଘ ମଧ୍ୟ ଅନୁରୂପ ବାଟରେ ଯାଇଥିଲା।

ବିହାର ଗଣଆନ୍ଦୋଳନ ଓ ରାଜନୈତିକ ବିଚାରଧାରାର ଏକ ପରୀକ୍ଷାଗାର ହୋଇ ଆସିଛି। ଯଦି ପ୍ରଶାନ୍ତ କିଶୋର ଗଣଆନ୍ଦୋଳନର ମାର୍ଗକୁ ଗ୍ରହଣ କରନ୍ତି, ସେ ବିହାରର ଗହଳିପୂର୍ଣ୍ଣ ରାଜନୈତିକ ଇଲାକାରେ କିଛି ସ୍ଥାନ ହାତେଇବା ପାଇଁ ଆଶା କରିପାରିବେ। ମାତ୍ର ସେ ନିର୍ବାଚନ ଜିତିବାର କୁହୁକ ସୂତ୍ର ଜାଣିଛନ୍ତି ବୋଲି ମୋହଗ୍ରସ୍ତ ହୋଇ ଯଦି ନିର୍ବାଚନ ପନ୍ଥା ଆପଣାନ୍ତି, ତେବେ ‘ନିର୍ବାଚନ ଜିତିଥିବା ଓ ହାରିଥିବା ବ୍ୟକ୍ତିଟି ଏଇଠି ରହିଛି’ ବୋଲି ଏକ ସମାଧି ସ୍ମାରକ ପଢ଼ିବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।

[email protected]

ସମ୍ବନ୍ଧିତ ଖବର