ଏକ ଉଜ୍ଜ୍ବଳ ପରଂପରାର ଗାଥା

ଅମ୍ବିକା ପ୍ରସାଦ କାନୁନ୍‍‌ଗୋ

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଜି ଏକ କିଂବଦନ୍ତି। ଆମେ ଏବେ କାର୍ତ୍ତିକ ପୂଣ୍ଣିମାରେ ଯେଉଁ କୁନି ଡଙ୍ଗାମାନ ଭସାଉଛୁ ତାହା ଆମ ଅତୀତର ସେହି ଗୌରବମୟ ଗାଥାକୁ ସ୍ମରଣ କରି। କଳିଙ୍ଗର ସାମ୍ରାଜ୍ୟ ଏକଦା ଗଙ୍ଗାଠାରୁ ଗୋଦାବରୀ ଯାଏଁ ପରିବ୍ୟାପ୍ତ ଥିଲା। ଏହି ସାମ୍ରାଜ୍ୟର ବଙ୍ଗୋପସାଗର ତଟ ଏଠାକାର ନୌବାଣିଜ୍ୟ ପରଂପରାକୁ ସମୃଦ୍ଧ କରିଥିଲା।

ଖ୍ରୀଷ୍ଟ୍ରପୂର୍ବ ୩୫୦ ବେଳକୁ ପ୍ରାରମ୍ଭ ହୋଇଥିବା କଳିଙ୍ଗର ନୌବାଣିଜ୍ୟ ୪୦୦ ଖ୍ରୀଷ୍ଟାବ୍ଦ ବେଳକୁ ପ୍ରସିଦ୍ଧି ଲାଭ କରିସାରିଥିଲା। ସେତେବେଳେ ଜଳପଥରେ ଦୂରଦୂରାନ୍ତକୁ ଗମନାଗମନ ଓ ମାଲ ପରିବହନ ଆଦି କରାଯାଉଥିଲା। ସେଥି ପାଇଁ ପୁରୀ, କୋଣାର୍କ, ମାଣିକପାଟଣା, ପାଲୁର୍‍, ଚେଳିତୋଳ, ପିପିଲି, ଚାନ୍ଦବାଲି, ଗଞ୍ଜାମ, ଚିଲିକା, ଧାମରା ଆଦି ଅନେକ ସ୍ଥାନରେ ଛୋଟ ବଡ଼ ବନ୍ଦର ବା ପୋତାଶ୍ରୟମାନ ଗଢ଼ି ଉଠିଥିଲେ, ଯାହା ମଧ୍ୟ ଦେଇ ଉତ୍କଳର ସାଧବ ପୁଏ ବାଣିଜ୍ୟ କରିବାକୁ ଯାଉଥିଲେ। ସାଧବମାନେ ସିଂହଳ, ବର୍ମା, ଦକ୍ଷିଣପୂର୍ବ ଏସିଆ, ଇଣ୍ଡୋନେସିଆ, ଚୀନ୍‍ ଭଳି ଦୂର ଦେଶମାନଙ୍କୁ ବାଣିଜ୍ୟାର୍ଥେ ଯାଉଥିଲେ। ଜଣାଯାଏ ଯେ ନବମ ଓ ଦଶମ ଶତାବ୍ଦୀ ବେଳକୁ ଭୌମକର ରାଜତ୍ୱ କାଳରେ ଉତ୍କଳର ନଦୀ ବନ୍ଦରଗୁଡ଼ିକ ନୌବାଣିଜ୍ୟର ପ୍ରାଣକେନ୍ଦ୍ର ଥିଲେ।

ନୌବାଣିଜ୍ୟ ପାଇଁ ପାଲଟଣା ବୋଇତମାନ ବ୍ୟବହୃତ ହେଉଥିଲା, ଯହିଁରେ ଋତୁ ଅନୁଯାୟୀ ପବନର ଗତି ଅନୁକୂଳରେ ଦୂର ସ୍ଥାନକୁ ନୌଯାତ୍ରା କରାଯାଉଥିଲା। ଉଦାହରଣ ସ୍ବରୂପ ଜ୍ୟେଷ୍ଠ-ଆଷାଢ଼ (ଜୁନ୍‍)ରୁ ଭାଦ୍ରବ-ଆଶିନ୍ୟ (ସେପ୍ଟେମ୍ବର) ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହୁଥିବାରୁ ଏହି ସମୟରେ ସିଂହଳରୁ କଳିଙ୍ଗ ଆସିବା ପାଇଁ ପବନର ଗତିର ସାହାଯ୍ୟ ନେଇ ସାଧବମାନେ ସିଂହଳ ଦେଇ କଳିଙ୍ଗକୁ ଫେରି ଆସୁଥିଲେ। ସେହିପରି ମାର୍ଗଶିର-ପୌଷ (ଡିସେମ୍ବର)ର ପ୍ରଥମାର୍ଦ୍ଧରୁ ଫାଲଗୁନ-ଚୈତ୍ର (ମାର୍ଚ୍ଚ) ମାସ ମଧ୍ୟରେ ପବନ ଅନୁକୂଳରେ କଳିଙ୍ଗରୁ ସିଂହଳକୁ ନୌଯାତ୍ରା କରାଯାଉଥିଲା। ସେହିଭଳି ଇଣ୍ଡୋନେସିଆକୁ ଆଷାଢ଼-ଭାଦ୍ରବ (ଜୁଲାଇ ଏବଂ ଅଗଷ୍ଟ)ରେ ଯାଇ ପୌଷ-ଫାଲଗୁନ (ଜାନୁଆରି ଏବଂ ଫେବ୍ରୁଆରିରେ ପ୍ରତ୍ୟାବର୍ତ୍ତନ କରାଯାଉଥିଲା।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ମୂଲ୍ୟବାନ ରତ୍ନ ପଥର, ହାତୀ ଦାନ୍ତ ଓ ସ୍ୱର୍ଣ୍ଣ ଅଳଙ୍କାର, ହସ୍ତତନ୍ତ ବସ୍ତ୍ର, ଶସ୍ୟ ଭଳି ସାମଗ୍ରୀ ନେଇ ସାଧବମାନେ ବାଣିଜ୍ୟ କରିବାକୁ ଯାଉଥିଲେ ଏବଂ ବଦଳରେ ବିଭିନ୍ନ ମସଲା ଓ ଅନ୍ୟାନ୍ୟ ଦ୍ରବ୍ୟ ଧରି ଫେରୁଥିଲେ। ପ୍ରତ୍ନତାତ୍ତ୍ୱିକ ଖନନ ପରେ ଆତ୍ମପ୍ରକାଶ କରିଥିବା ଶିଶୁପାଳଗଡ଼, ଜଉଗଡ଼, ତାମ୍ରଲିପ୍ତି, ପାଲୁର୍‍, ମାଣିକପାଟଣା, ଖଲକାପାଟଣା ଓ କଳିଙ୍ଗପାଟଣା ଭଳି ପ୍ରାଚୀନ ବନ୍ଦରଗୁଡ଼ିକରୁ ପ୍ରାପ୍ତ ମୁଦ୍ରା, ମୋହର ଓ ବିଭିନ୍ନ ଦ୍ରବ୍ୟର ଜୀର୍ଣ୍ଣାଂଶରୁ ପ୍ରମାଣ ମିଳେ ଯେ ପଶ୍ଚିମା ଦେଶଗୁଡ଼ିକ ସହିତ ଉତ୍କଳର ନୌବାଣିଜ୍ୟ ସଂପର୍କ ଥିଲା।

ଟୋଲମିଙ୍କ ‘ଜିଓଗ୍ରାଫି ଅଫ୍‍ ଆନସିଏଣ୍ଟ ଇଣ୍ଡିଆ’ ହେଉ ବା ପର୍ସିଆନ୍‍ ଐତିହାସିକ ଇବନ୍‍ ଖୁର୍ଦିବିନ୍‍ ଓ ଇବନ୍‍ ରସ୍ତାଙ୍କ ରଚିତ ପୁସ୍ତକ ହେଉ; ସେ ସବୁରେ କଳିଙ୍ଗ ନୌବାଣିଜ୍ୟ ସଂପର୍କିତ ବିଭିନ୍ନ ସୂଚନା ଓ ତଥ୍ୟ ମିଳିଥାଏ। ସେହିପରି ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟରେ କଳିଙ୍ଗ ରାଜାଙ୍କୁ ମହୋଦଧିପତି ରୂପେ ବର୍ଣ୍ଣନା କରାଯାଇଛି। ଶଙ୍ଖ ଜାତକ, ସମୁଦ୍ର ଜାତକ, ମହାଜନ ଜାତକରେ ପ୍ରାଚୀନ ନୌବାଣିଜ୍ୟର ବର୍ଣ୍ଣନାରେ ସାଧବମାନଙ୍କ ସଂପର୍କରେ ସୂଚନା ମିଳିଥାଏ। ସେମିତି ଭାସିନ୍ତରା ଜାତକ ସୂଚନା ଦିଏ ଯେ କଳିଙ୍ଗ ପ୍ରାଚୀନ କାଳରେ ଶିଳ୍ପ ଓ ବାଣିଜ୍ୟର ଗୋଟିଏ ପେଣ୍ଠ ସ୍ଥଳ ଥିଲା। ‘କଥାସରିତ ସାଗର’ରେ ତାମ୍ରଲିପ୍ତି ବନ୍ଦରରୁ ଚୀନ୍‍କୁ ବାଣିଜ୍ୟ କାରବାର ବିଷୟରେ ସୂଚନା ରହିଛି। ଚୀନ୍‍ର ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରେ ଓଡ଼ିଶା ସହିତ ଚୀନ୍‍ର ନୌବାଣିଜ୍ୟ କଥା ଉଲ୍ଲିଖିତ ଅଛି। କୋଣାର୍କ ମନ୍ଦିରରେ ଖୋଦେଇରେ ଜିରାଫ୍‍ ହେଉଛି ଆଫ୍ରିକା ସହ ଉତ୍କଳର ସଂପର୍କର ପ୍ରମାଣ, ଯାହାର ଆଧାର ଥିଲା ପରବର୍ତ୍ତୀ କାଳରେ ସାଧବମାନଙ୍କ ମନୋବଳ ଦୁର୍ବଳ ହୋଇଯିବା ବା ପଡ଼ୋଶୀ ରାଷ୍ଟ୍ରମାନଙ୍କ ପକ୍ଷରୁ ଆକ୍ରମଣ ଏବଂ ନୌବାଣିଜ୍ୟ ଉପରେ କର ଲଗାଯିବା କାରଣରୁ ନୌବାଣିଜ୍ୟ ତା’ର ଚମକ ହରାଇଲା। ସାଧବମାନଙ୍କ ଦୁଃସାହସ, ଦୃଢ଼ ମନୋବଳ ଏବଂ ପାରଦର୍ଶିତା ବିଷୟ ନେଇ ଗର୍ବ କଲା ବେଳେ ଲାଗେ ନାହିଁ କି ଆମେ ଏକ ଖର୍ବକାୟ ଜାତିରେ ପରିଣତ ହୋଇ ଯା‌ଇଛୁ?

ମୋ- ୭୯୭୮୮୭୫୯୦୭

ସମ୍ବନ୍ଧିତ ଖବର