ଗତ ମେ’ ମାସ ୨୮ ତାରିଖରେ ସୁପ୍ରିମକୋର୍ଟରେ ଲକ୍‌ଡାଉନ୍‌ ଯୋଗୁଁ ବେଶ୍ ହଇରାଣ ହରକତ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କ ଉପରେ ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମିଡିଆ ଉପରେ କିଛି ବିବାଦୀୟ ଟୀକା ଟିପ୍ପଣୀ କରିଥିଲେ। ସଲିସିଟର ଜେନେରାଲଙ୍କ ଟାର୍ଗେଟ୍‌ରେ ଥିଲେ ଟିଭି ନ୍ୟୁଜ୍‌ ଚ୍ୟାନେଲ୍, ଭିଡିଓ ଜର୍ନାଲିଷ୍ଟ ଓ ଫଟୋ ସାମ୍ବାଦିକ। ତୁଷାର ମେହେଟ୍ଟା କହିଥିଲେ ଯେ, ଦେଶରେ କିଛି ‘ପ୍ରଳୟର ପ୍ରଫେଟ’ (ପ୍ରଫେଟ୍ ଅଫ୍ ଡୁମ୍) ଅଛନ୍ତି, ଯେଉଁମାନେ କି କେବଳ ନକାରାତ୍ମକତା ପ୍ରସାର କରନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ସୌଖୀନ ବୁଦ୍ଧିଜୀବୀମାନେ (ଆର୍ମଚେୟାର ଇଂଟେଲେକ୍‌ଚୁଆଲ୍) ଦେଶର ସମସ୍ୟାର ସମାଧାନ ପାଇଁ ଉଦ୍ୟମକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ତେବେ ମେହେଟ୍ଟାଙ୍କ ଟାର୍ଗେଟ୍‌ ଥିଲେ ନ୍ୟୁଜ୍‌ ଚ୍ୟାନେଲ, ଯେଉଁ ଚ୍ୟାନେଲଗୁଡ଼ିକ କି ସାରାଦେଶରେ ପ୍ରବାସୀ ଶ୍ରମିକଙ୍କ ଦୟନୀୟ ସ୍ଥିତି ଓ ଦୁର୍ଦଶା ସଂପର୍କରେ ଛାତିଥରା ଖବର ପ୍ରସାରଣ କରି ଦେଶବାସୀଙ୍କୁ ନିରନ୍ତର ସୂଚନା ଦେଉଥିଲେ।

Advertisment

ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦଶାର ଖବର ବହୁଳ ଭାବେ ପ୍ରସାରଣ କରି ସରକାରଙ୍କୁ ପ୍ରଶ୍ନ କରିଥିବା ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ସମାଲୋଚନା କରି ଶାଗୁଣା ସାମ୍ବାଦିକ ବୋଲି ଅଭିହିତ କରିଥିଲେ ସଲିସିଟର ଜେନେରାଲ୍। ଏଥିପାଇଁ ଏକ ଚର୍ଚ୍ଚିତ ଘଟଣାର ବି ସେ ଉଦାହରଣ ଦେଇଥିଲେ। ପୁଲିଜର ପୁରସ୍କାର ବିଜେତା ଫଟୋ ସାମ୍ବାଦିକ କେଭିନ କାର୍ଟର ସୁଦାନରେ ଦୁର୍ଭିକ୍ଷ ବେଳେ ଉଠାଇଥିବା ଶାଗୁଣା ଓ ଅନାହାରରେ ଜର୍ଜରିତ ଶିଶୁର ଫଟୋର କାହାଣୀ ବଖାଣିଥିଲେ ସଲିସିଟର ଜେନେରାଲ୍। ସେ କହିଥିଲେ ଯେ, ୧୯୯୩ରେ କେଭିନ କାର୍ଟର ସୁଦାନ ଯାଇଥିଲେ। ସେଠାରେ ସେ ଏକ ଅନାହାର ପୀଡ଼ିତ ଭୟଭୀତ ଶିଶୁକୁ ଦେଖିଲେ। ଶିଶୁ ପାଖରେ ବସିଥିଲା ଏକ ଶାଗୁଣା, ଯିଏ କି ବୋଧହୁଏ ତାହାର ମୃତ୍ୟୁକୁ ଅପେକ୍ଷା କରିଥିଲା। ଏଭଳି ଏକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ କେଭିନ କାର୍ଟର। କାର୍ଟରଙ୍କ ଫଟୋ ଆମେରିକାର ଦି ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ହୋଇଥିଲା। ଏହି ଫଟୋ ପାଇଁ ସେ ପୁଲିଜର ପୁରସ୍କାର ପାଇଥିଲେ। ଘଟଣା ବାବଦରେ ଏତିକି ଯାଏଁ ତ ସଲିସିଟର ଜେନେରାଲ ଠିକ୍ ଥିଲେ। କିନ୍ତୁ ଆଉ କିଛି ମନଗଢ଼ା କହି ସେ ବିବାଦୀୟ ହୋଇପଡ଼ିଲେ। ସଲିସିଟର ଜେନେରାଲ୍ ଆଗକୁ ଯାଇ କହିଥିଲେ ଯେ, କେଭିନ କାର୍ଟରଙ୍କୁ ଜଣେ ସାମ୍ବାଦିକ ସେହି ଅନାହାର ପୀଡ଼ିତ ଶିଶୁର ଅବସ୍ଥା ବାବଦରେ ପଚାରିଥିଲେ। ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଥିବାରୁ ଶିଶୁର ଅବସ୍ଥା ଜାଣିନାହାନ୍ତି ବୋଲି କାର୍ଟର ତାଙ୍କୁ କହିଥିଲେ। କେତୋଟି ଶାଗୁଣା ଥିଲେ ବୋଲି ମଧ୍ୟ ସାମ୍ବାଦିକ କାର୍ଟରଙ୍କୁ ପଚାରିଥିଲେ। କାର୍ଟର ଗୋଟିଏ ଶାଗୁଣା ଥିଲା ବୋଲି କହିଥିଲେ ମଧ୍ୟ ସଂପୃକ୍ତ ସାମ୍ବାଦିକ ତାଙ୍କୁ ପରୋକ୍ଷ ଭାବେ ସମାଲୋଚନା କରି କହିଥଲେ ଯେ, ଘଟଣାସ୍ଥଳରେ ଶିଶୁ ପାଖରେ ଗୋଟିଏ ଶାଗୁଣା ନୁହେଁ, ବରଂ ଦୁଇଟି ଶାଗୁଣା ଥିଲେ। ଦ୍ୱିତୀୟ ଶାଗୁଣା ହାତରେ କ୍ୟାମେରା ଥିଲା ବୋଲି ସଂପୃକ୍ତ ସାମ୍ବାଦିକ କାର୍ଟରଙ୍କୁ ତାଚ୍ଛଲ୍ୟ କରିଥିଲେ। ତେବେ, ସଲିସିଟର ଜେନେରାଲଙ୍କ ଦୁଇଟି ଶାଗୁଣା ବା ଦ୍ୱିତୀୟ ଶାଗୁଣା ସଂପର୍କିତ ଘଟଣାର କୌଣସି ପ୍ରାମାଣିକ ତଥ୍ୟ ବା ରେକର୍ଡ ନାହିଁ। ମୋଦୀ ସରକାରଙ୍କ ସମର୍ଥକଙ୍କ ଦ୍ୱାରା ହ୍ୱାଟ୍‌ସଆପ୍‌ରେ ଦ୍ୱିତୀୟ ଶାଗୁଣା ସଂପର୍କିତ କାହାଣୀ ଗଢ଼ାଯାଇ ତାହା ଭାଇରାଲ କରାଯାଇଥିଲା। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସଲିସିଟର ଜେନେରାଲ ନ୍ୟୁଜ୍‌ ଚ୍ୟାନେଲ ସାମ୍ବାଦିକଙ୍କୁ ସମାଲୋଚନା କରି ଏହି ମିଥ୍ୟା ଉଦାହରଣ ଦେଇଥିଲେ। ଶାଗୁଣା ସାମ୍ବାଦିକତା ଥିଓରି ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।

ସଲିସିଟର ଜେନେରାଲ ତ ଭୁଲ ଟିପ୍ପଣୀ ଦେଇଦେଲେ। କିନ୍ତୁ ଟିକେ ତଳେଇ କରି ଦେଖିଲେ ମନେହେବ ଯେ, କିଛି ମାତ୍ରାରେ ତାଙ୍କ ଶାଗୁଣା ସାମ୍ବାଦିକତା ଟିପ୍ପଣୀ କିଛି ଜାତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲ କ୍ଷେତ୍ରରେ ଲାଗୁ ହେବ। ଏହାର ସଦ୍ୟ ଉଦାହରଣ ହେଉଛି କିଛି ଦିନ ତଳେ ଉଦୀୟମାନ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶର ପ୍ରମୁଖ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ସମ୍ବେଦନହୀନ ରିପୋର୍ଟିଂ। ୩୪ ବର୍ଷୀୟ ଯୁବ ଓ ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନିଃସନ୍ଦେହରେ ଏକ ଦୁଃଖଦ ଓ ଚାଂଚଲ୍ୟକର ଘଟଣା। ଏହି ଖବର ନିଶ୍ଚିତ ଭାବେ ସବୁ ମିିଡିଆରେ ପ୍ରମୁଖ ଭାବେ ସ୍ଥାନ ପାଇବାକୁ ଯୋଗ୍ୟ। କିନ୍ତୁ ଏଭଳି ଏକ ଦୁଃଖଦ ଓ ସମ୍ବେଦନଶୀଳ ଆତ୍ମହତ୍ୟା ଖବର ଓ ଏ ସଂପର୍କିତ ଚର୍ଚ୍ଚାକୁ ଅତି ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିବା, ଆତ୍ମହତ୍ୟା ଭଳି ଘଟଣାକୁ ମନୋରଂଜନରେ ପରିଣତ କରିବାକୁ ଚେଷ୍ଟା କରିବା, ବ୍ୟାକ‌୍ଗ୍ରାଉଣ୍ଡରେ ମୃତ ଅଭିନେତାଙ୍କ ଅଭିନୀତ ଫିଲ୍ମର ଗୀତ ବଜାଇବା, ଅଜବ ଅଜବ ଶୀର୍ଷକ ଦେଇ ଦର୍ଶକଙ୍କୁ ଆକର୍ଷିତ କରିବା, କୌଣସି ସନ୍ଦେହ ନ କରି ଆତ୍ମହତ୍ୟାର ବିଭିନ୍ନ ମନଗଢ଼ା ଦିଗ ତଲାସ କରିବା ସମ୍ବେଦନହୀନତା ଓ ଦାୟିତ୍ୱହୀନ ସାମ୍ବାଦିକତାର ପରିଚାୟକ ବୋଲି କୁହାଯାଇପାରିବ। ଟିଭି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଏହି ସବୁ ରଂଗ ଢଙ୍ଗ ଓ ଆଭିମୁଖ୍ୟ ଦେଖିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ‘ଶାଗୁଣା ସାମ୍ବାଦିକତା’ ଟିପ୍ପଣୀର ଯଥାର୍ଥତା ରହିଛି ବୋଲି ବେଳେ ବେଳେ ମନେହୁଏ। ଏଭଳି ଆତ୍ମହତ୍ୟା ସଂପର୍କିତ ଖବର ଉପସ୍ଥାପନା କରୁଥିବା ଆଙ୍କର୍‌ଙ୍କ ଅତି ଉତ୍ସାହପୂର୍ଣ୍ଣ ଓ ଆକ୍ରମଣାତ୍ମକ ଉପସ୍ଥାପନାରୁ ମନେହୁଏ ଯେ, ସେ ସାମ୍ବାଦିକ ନୁହନ୍ତି, ବରଂ ପ୍ରଳୟର ପ୍ରଫେଟ ସାଜି ଆତ୍ମହତ୍ୟା ଭଳି ଖବରରେ ମଧ୍ୟ ନକାରାତ୍ମକ ବା ମନୋରଂଜନର ଦିଗ ଖୋଜନ୍ତି। ଏଭଳି ଗୁରୁଗମ୍ଭୀର ଘଟଣାକୁ ଅତିରଂଜିତ କରି ଉପସ୍ଥାପନ କରିବା ପଛରେ ରହିଥାଏ ଟିଆର୍‌ପି ହାତେଇବାର ଖେଳ। ତେଣୁ ନୈତିକତାର କଥା ପଚାରେ କିଏ?

ଆତ୍ମହତ୍ୟା ଭଳି ଖବରର ପ୍ରସାରଣ ଅତି ସମ୍ବେଦନଶୀଳ ଓ ସଂଯମର ସହ ପ୍ରସାରଣ କରିବାକୁ ପ୍ରେସ୍‌ କାଉନସିଲ ଅଫ ଇଣ୍ଡିଆର ଗାଇଡଲାଇନ ରହିଛି। ଏଭଳି ଖବର ବାରମ୍ବାର ପ୍ରସାରଣ ନ କରିବା, ରୁଚିହୀନ ଭାଷାର ପ୍ରୟୋଗ ନ କରିବା, ନିଜଆଡୁ କୌଣସି ନିଷ୍କର୍ଷରେ ନ ପହଞ୍ଚିବାକୁ ପ୍ରେସ୍‌ କାଉନସିଲ ଅଫ ଇଣ୍ଡିଆର ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ଜାତୀୟ ଟିଭି ଚ୍ୟାନେଲଗୁଡ଼ିକ ଏହାର ବିପରୀତ ଭାବେ କାମ କରନ୍ତି। ଏଭଳି ଆତ୍ମହତ୍ୟା ଖବରଗୁଡ଼ିକୁ ଦର୍ଶକଙ୍କ ପାଖରେ ଅତିରଂଜିତ ଓ ଚାଂଚଲ୍ୟକର ଭାବେ ଉପସ୍ଥାପନ କରନ୍ତି ଟିଭି ଚ୍ୟାନେଲ୍। ଏମିତି ଆଭିମୁଖ୍ୟ ରଖୁଥିବା ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ହିଁ ସମଗ୍ର ଗଣମାଧ୍ୟମ ସମାଲୋଚନାର ଶରବ୍ୟ ହେଉଛି। କୌଣସି ସେଲିବ୍ରିଟିଙ୍କ ଆତ୍ମହତ୍ୟା ଖବରକୁ ମନୋରଂଜନର ମାଧ୍ୟମ ଭାବେ ଉପସ୍ଥାପନା କରିବା ଦାୟିତ୍ୱହୀନତା ଓ ନୈତିକତାର ଅଭାବକୁ ହିଁ ସୂଚାଉଛି।
ଚାଣକ୍ୟ ନଗର, ଲାଂଜିପଲ୍ଲୀ, ବ୍ରହ୍ମପୁର -୮
ମୋ- ୯୭୦୩୬୯୦୮୪୭