ଏବର ଭାରତୀୟ ଗଣତନ୍ତ୍ର : ନିର୍ବାଚନର ଆବଶ୍ୟକତା ଅଛି କି?

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୨୦୧୫ ଡିସେମ୍ବର‌୍‌ରେ ମୁଁ ଚେତାବନୀ ଦେଇ ଲେଖିଥିଲି- ଭାରତ ଏବେ ବିପଦରେ; ଏହା ଏବେ କେବଳ ଏକ ନିର୍ବାଚନ ଭିତ୍ତିକ ଗଣତନ୍ତ୍ର। ଆଜିକାଲି କୌଣସି ଦଳ ନିର୍ବାଚନରେ ବିଜୟ ଲାଭ କରି ସରକାର ଗଢ଼ିଦେବା ପରେ ଏହାର ନେତାମାନେ ଧରିନେଉଛନ୍ତି ଯେ ସେମାନେ ସମସ୍ତ ପ୍ରକାରର ସମାଲୋଚନା, ସମୀକ୍ଷା ଓ ସ˚ବୀକ୍ଷାର ଊର୍ଦ୍ଧ୍ବରେ; ଏବ˚ ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍‌, ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଯାହା ଇଚ୍ଛା ତାହା (ସ୍ବେଚ୍ଛାଚାର) କରିପାରିବେ।

ପ୍ରକୃତ ଗଣତନ୍ତ୍ରରେ, ନିର୍ବାଚିତ ଜନ-ପ୍ରତିନିଧିମାନଙ୍କର ପ୍ରଭୁବାଦୀ ପ୍ରବୃତ୍ତିକୁ ରୋକିବା- ସ˚ସଦ, ମୁକ୍ତ ଗଣମାଧ୍ୟମ, ସ୍ବାଧୀନ କାର୍ଯ୍ୟନିର୍ବାହୀ ବା କାର୍ଯ୍ୟପାଳିକା ବା ପ୍ରଶାସନିକ ସେବା ଓ ମୁକ୍ତ ନ୍ୟାୟପାଳିକାର ଦାୟିତ୍ବ। ଉତ୍ତର ଆମେରିକା ଓ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଗୁଡ଼ିକରେ ଗଣତନ୍ତ୍ରର ସ୍ବରୂପ ଏହି ଭଳି। ଆମ ସମ୍ବିଧାନ ପ୍ରଣେତାମାନେ ମଧ୍ୟ ଆମ ଦେଶରେ ଏ ପ୍ରକାରର ଗଣତନ୍ତ୍ର କାର୍ଯ୍ୟ କରିବ ବୋଲି ଆଶା କରିଥିଲେ।

ସ୍ବାଧୀନତା ପରବର୍ତ୍ତୀ ଦୁଇ ଦଶନ୍ଧି କାଳ ସବୁ ପ୍ରାୟ ଠିକ୍‌-ଠାକ୍‌ ଚାଲିଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଆଦ୍ୟ ଶାସନ କାଳରେ, ନିଜର ପୂର୍ବସୂରୀ ପଣ୍ତିତ ଜଵାହରଲାଲ ନେହରୁ ଏବ˚ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଅନୁଗାମୀ ଭାବେ ଦେଶ ଚଳାଇଥିଲେ। ସ˚ସଦରେ ନିୟମିତ ବିତର୍କରେ ଭାଗ ନେଉଥିଲେ ଏବ˚ ପକ୍ଷ ରଖୁଥିଲେ। କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର କାର୍ଯ୍ୟ-କଳାପରେ ହସ୍ତକ୍ଷେପ କରୁ ନ ଥିଲେ। ଗଣମାଧ୍ୟମକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କୌଣସି ପ୍ରଚେଷ୍ଟା କରୁ ନ ଥିଲେ। ତେବେ, ୧୯୬୯ରେ କ˚ଗ୍ରେସ୍‌କୁ ଦୁଇ ଭାଗ କଲା ପରେ, ତାଙ୍କ ସ୍ବଭାବ ଓ କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆସିଥିଲା। ସେ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଠାରୁ ଆଜ୍ଞାନୁବର୍ତ୍ତିତା ଦାବି କଲେ। ସ˚ସଦର ମହତ୍ତ୍ବକୁ ଅସମ୍ମାନ କଲେ। ଖବରକାଗଜର ମାଲିକ ଓ ସ˚ପାଦକମାନଙ୍କୁ ଧମକାଇବା ଆରମ୍ଭ କଲେ। କ˚ଗ୍ରେସ୍‌ ଦଳର ଅଭ୍ୟନ୍ତରୀଣ ଗଣତନ୍ତ୍ରକୁ ମଧ୍ୟ ଧ୍ବ˚ସ କରିଦେଲେ। ଏହାକୁ ବ୍ୟକ୍ତି ତଥା ପରିବାର-କୈନ୍ଦ୍ରିକ ଦଳରେ ପରିଣତ କରିଦେଲେ।

ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାର କିଛି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ସ୍ବାୟତ୍ତ ଓ ସ୍ବାଧୀନ ଅନୁଷ୍ଠାନଗୁଡ଼ିକୁ ସ˚ପୂର୍ଣ୍ଣ ଭାବେ ଦୁର୍ବଳ କରିସାରିଥିଲେ। ଜୁନ୍‌ ୧୯୭୫ରୁ ମାର୍ଚ୍ଚ ୧୯୭୭ ମଧ୍ୟରେ ଭାରତୀୟ ଗଣତନ୍ତ୍ର ସରକାରୀ ଭାବେ ମୃତ ଥିଲା। ତେବେ, ସେହି ଇନ୍ଦିରା ଗାନ୍ଧୀ ହିଁ ରହସ୍ୟମୟ ଭାବେ ନିର୍ବାଚନ କରାଇବାକୁ ଘୋଷଣା କରି, ଏହାକୁ ପୁନର୍ଜୀବନ ଦେଇଥିଲେ। ନିର୍ବାଚନ ଫଳାଫଳ ସେ ଓ ତାଙ୍କ ଦଳ ବିରୋଧରେ ଯାଇଥିଲା। ୧୯୭୭ରେ ନୂତନ ସରକାରର ଗଠନ ପରେ ଇନ୍ଦିରାଙ୍କ ଅମଳରେ କ୍ଷମତା ହରାଇଥିବା ସମସ୍ତ ସ୍ବାୟତ୍ତ ଓ ସ୍ବାଧୀନ ସରକାରୀ ଅନୁଷ୍ଠାନ ତଥା ଆନୁଷ୍ଠାନିକ ଗଣତନ୍ତ୍ର ପୁଣି ଥରେ ମୁଣ୍ତ ଟେକିଥିଲା। ସେଗୁଡ଼ିକ ନିଜର ପୂର୍ବର ଆଇନଗତ, ବିଧିଗତ ଓ ନ୍ୟାୟୋଚିତ ସ୍ବାଧୀନତା ଓ ସ୍ବତନ୍ତ୍ରତା ଫେରିପାଇଥିଲେ। ଗଣମାଧ୍ୟମ ମଧ୍ୟ ମୁକ୍ତ ହୋଇଥିଲା। ପ୍ରକୃତରେ ୧୯୭୭ ପରେ ଭାରତର ଗଣମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ଗଣମାଧ୍ୟମ ଅଧିକ ଦୃଢ଼ ଓ ଶକ୍ତିଶାଳୀ ହୋଇଥିଲା। ଇ˚ରେଜୀ ତଥା ଅନ୍ୟ ପ୍ରାଦେଶିକ ଭାଷାରେ ପ୍ରକାଶିତ ଖବରକାଗଜ ଓ ପତ୍ର-ପତ୍ରିକାଗୁଡ଼ିକର ପ୍ରକାଶନରେ ନୂତନ ସାହସ ଓ ଦର୍ଶନ ଦେଖିବାକୁ ମିଳିଥିଲା। ଗଣମାଧ୍ୟମଗୁଡ଼ିକ ଅନୁସନ୍ଧାନମୂଳକ ସାମ୍ବାଦିକତାକୁ ପ୍ରାଧାନ୍ୟ ଦେଇଥିଲେ ଏବ˚ ସମସ୍ତ ଦଳର ନେତାଙ୍କ ଅପରାଧ ଓ ଦୁର୍ନୀତିର ପର୍ଦାଫାସ ପର୍ବ ଆରମ୍ଭ ହୋଇଥିଲା। ଅଧିକ ଗବେଷଣାମୂଳକ ଖବର ପ୍ରକାଶନର ଯୁଗ ମଧ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ଗଣମାଧ୍ୟମର ଏହି ବୈପ୍ଳବିକ ପରିବର୍ତ୍ତନ ସ˚ପର୍କରେ ରବିନ୍‌ ଜେଫ୍‌ରେ ଏକ ପୁସ୍ତକ ଲେଖିଛନ୍ତି। ନ୍ୟାୟପାଳିକା ବିଶେଷତଃ ସୁପ୍ରିମ୍‌ କୋର୍ଟ‌୍‌ ସମସ୍ତ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ହୋଇଥିଲା। ସ˚ସଦ ବି ଜାଗ୍ରତ ହୋଇଉଠିଥିଲା। ୧୯୫୦ରେ ଯେଉଁ ପରି ବିତର୍କ ହେଉଥିଲା, ୧୯୮୦-୯୦ ପର୍ଯ୍ୟନ୍ତ ସେହି ଭଳି ବିତର୍କ ଓ ଆଲୋଚନା, ସ˚ସଦର ଉଭୟ ଗୃହକୁ ଅଧିକ ଗଣତାନ୍ତ୍ରିକ କରିଥିଲା। କେବଳ କାର୍ଯ୍ୟପାଳିକା ବା ପ୍ରଶାସନ ନିଜର ସ୍ବାଧୀନତା ଫେରିପାଇ ନ ଥିଲା। ନିଯୁକ୍ତି, ପଦ ପ୍ରଦାନ ଓ ବଦଳି ଆଦିରେ ଦକ୍ଷତାକୁ ଗୁରୁତ୍ବ ଦିଆଯିବା ବଦଳରେ ରାଜନୈତିକ ନିକଟତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଶାସକ ଦଳର କ୍ଷମତାଶାଳୀ ନେତାଙ୍କ ସହ ଯେଉଁ ସରକାରୀ କର୍ମଚାରୀମାନେ ଉତ୍ତମ ସ˚ପର୍କ ରଖିଲେ ବା ସେମାନଙ୍କ କଥାରେ ଚାଲିଲେ, ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ-ପଦବି ମିଳିଲା ଏବ˚ ଅବୋଲକରାମାନଙ୍କୁ ଦଣ୍ତ।

ତେବେ, ସରକାରୀ ଅନୁଷ୍ଠାନଗୁଡ଼ିକର ସ୍ବାଧୀନତା ଆ˚ଶିକ ଓ ଅସ˚ପୂର୍ଣ୍ଣ। ଆମ ଲୋକତନ୍ତ୍ରର ନିର୍ମାତାମାନଙ୍କର ସ୍ବପ୍ନ ଏବେ ବି ସାକାର ହୋଇନାହିଁ। ସେମାନେ ଦେଖିଥିବା ସ୍ବପ୍ନର ଅଧା ବାଟରେ ଆମ ଲୋକତନ୍ତ୍ର ଅଟକିରହିଛି। ଏବେ ଆସିବା ୨୦୧୪ ନିର୍ବାଚନ ପରର ଅବସ୍ଥାକୁ। ରାଜନୈତିକ ଶୈଳୀରୁ ଦେଖିଲେ, ଏବର ପ୍ରଧାନମନ୍ତ୍ରୀ, ଷ୍ଟେରଏଡ୍‌ ନେଉଥିବା ଇନ୍ଦିରା ଗାନ୍ଧୀଙ୍କ ଅବତାର। ଅର୍ଥାତ୍‌, ଇନ୍ଦିରାଙ୍କଠାରୁ ସେ ଆହୁରି ଅଧିକ କ୍ଷମତା ଚାହାଁନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ କାର୍ଯ୍ୟକଳାପ ଆମେ ଦେଖି ସାରିଛେ। ଆନୁଷ୍ଠାନିକ ସ୍ବାଧୀନତା ପ୍ରସଙ୍ଗରେ ସେ ଇନ୍ଦିରାଙ୍କ ତୁଳନାରେ ଅଧିକ ସନ୍ଦିହାନ। ସେ ସ୍ବାୟତ୍ତ-ସ୍ବାଧୀନ ଅନୁଷ୍ଠାନଗୁଡ଼ିକୁ ସ˚ପୂର୍ଣ୍ଣ ଭାବେ ଦଳିଚକଟି ଦେବାକୁ ଚାହାଁନ୍ତି। ସେ ମଧ୍ୟ ଗଣମାଧ୍ୟମର ସ୍ବାଧୀନତା ଚାହାଁନ୍ତିନାହିଁ। ନିଜର ରାଜନୈତିକ ବିରୋଧୀ ଓ ସମାଲୋଚକଙ୍କ ପଛରେ ତଦନ୍ତକାରୀ ସ˚ସ୍ଥାଗୁଡ଼ିକୁ ଲଗାଇବାରେ ସେ ଆଗୁଆ। ସେ ଚାହାଁନ୍ତି ଏକ ଆଜ୍ଞାନୁବର୍ତ୍ତୀ ନ୍ୟାୟପାଳିକା। ଏକଦା ସେନା, ରିଜର୍ଭ‌୍‌ ବ୍ୟାଙ୍କ୍‌, ନିର୍ବାଚନ ଆୟୋଗ ଆଦି ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ଥିଲା। ଏବେ ଏହିସବୁ ସ˚ସ୍ଥା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆଖି। ସେ ଏସବୁକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ଇଚ୍ଛୁକ। ଏ କ୍ଷେତ୍ରରେ କିଛି ପରିମାଣରେ ସଫଳ ମଧ୍ୟ ହୋଇସାରିଲେଣି।

ଦଳ, ସରକାର ଓ ରାଷ୍ଟ୍ରକୁ ନିଜ ଅଧୀନରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପର୍ଯ୍ୟନ୍ତ କେବଳ ଜଣଙ୍କୁ ନେଇ ଚାଲିଛନ୍ତି ଏବ˚ ସେହି ଜଣକ ହେଉଛନ୍ତି, ଗୁଜରାଟ ଅମଳର ତାଙ୍କର ସବୁଠାରୁ ବିଶ୍ବସ୍ତ ସାଥୀ ଅମିତ ଶାହ। ପ୍ରଥମେ ସେ ହେଲେ ଦଳର ସଭାପତି ଏବ˚ ଏବେ ଗୃହ ମନ୍ତ୍ରୀ। ସରକାର ସମସ୍ତ ପ୍ରକାରର ବାହ୍ୟ ଗଣତାନ୍ତ୍ରିକ ବିରୋଧକୁ ଦମନ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସରକାର ଭିତରେ ମଧ୍ୟ ସ୍ବାୟତ୍ତ ତଥା ସ୍ବାଧୀନ ଅନୁଷ୍ଠାନଗୁଡ଼ିକୁ ଆଜ୍ଞାନୁବର୍ତ୍ତୀ କରିବାରେ ସେ ସଫଳ ହୋଇଛନ୍ତି।

କେନ୍ଦ୍ରରେ ପ୍ରଥମ ଥର ପାଇଁ ମୋଦୀ-ଶାହ ଯୁଗଳବନ୍ଦୀର ପ୍ରାୟ ଦେଢ଼ ବର୍ଷର କାର୍ଯ୍ୟ-କଳାପ ଦେଖିବା ପରେ ୨୦୧୫ ଡିସେମ୍ବର‌୍‌ରେ ମୁଁ ଲେଖିଥିଲି- ‘ଭାରତ ଏକ ନିର୍ବାଚନ ଭିତ୍ତିକ ଗଣତନ୍ତ୍ର’। ଏବେ ଆମ ଗଣତନ୍ତ୍ର ଆହୁରି ନିମ୍ନଗାମୀ ହୋଇସାରିଥିବାରୁ ଉକ୍ତ ଉକ୍ତିରେ ମଧ୍ୟ ସ˚ଶୋଧନ ଲୋଡ଼ା। ଏବେ ଆମ ସ୍ବାଧୀନ ଦେଶର ଇତିହାସରେ ଏ ଭଳି ଏକ ମୋଡ଼ରେ ଆମେ ଉପନୀତ ଯେ, ନିର୍ବାଚନ ହିଁ ଆଉ ଗୁରୁତ୍ବପୂର୍ଣ୍ଣ ହୋଇରହିନାହିଁ।

ଗତ ସପ୍ତାହର ପ୍ରଥମ ଭାଗରେ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ଅନ୍ତରଙ୍ଗ ସହାୟକମାନଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗୀୟ ଚଢ଼ାଉ ହୋଇଥିଲା। ଏହା ଏ ଭଳି ଏକ ସମୟରେ ହେଲା, ଯେତେ ବେଳେ ତାଙ୍କର ଉପ-ମୁଖ୍ୟ ସଚ୍ଚିନ ପାଇଲଟ ଖୋଲାଖୋଲି ନିଜ ଉପରିସ୍ଥ ଓ ବରିଷ୍ଠଙ୍କ ବିରୋଧରେ ଗଲେ ଏବ˚ ଭାଜପା, ତାଙ୍କ ମାଧ୍ୟମରେ ରାଜସ୍ଥାନର କ˚ଗ୍ରେସ୍‌ ସରକାର ଭାଙ୍ଗିବାକୁ ଉଦ୍ୟମ କଲା। ଉକ୍ତ ଉଦ୍ୟମ ଏବେ ଅସ୍ଥାୟୀ ଭାବେ ଅସଫଳ। କିନ୍ତୁ, ମହାମାରୀ କବଳରେ ସାରା ଦେଶ ତ୍ରାହି ତ୍ରାହି ଡାକୁଥିବା ବେଳେ ମୋଦୀ-ଶାହ ଯୋଡ଼ିଙ୍କର ଏହି ରାଜନୈତିକ ଚକ୍ରାନ୍ତ, ସେମାନଙ୍କ ଅଗଣତାନ୍ତ୍ରିକ ଚରିତ୍ରକୁ ବୟାନ କରୁଛି। ସ୍ପଷ୍ଟ ଭାବେ କହିଲେ ସାମ୍ବିଧାନିକ ଗଣତନ୍ତ୍ର ପ୍ରତି ସେମାନଙ୍କର ସର୍ବନିମ୍ନ ସମ୍ମାନବୋଧ ନାହିଁ।

ଗତ ବର୍ଷ କର୍ଣ୍ଣାଟକରେ ଯାହା ଘଟିଥିଲା ଏବ˚ ମାର୍ଚ୍ଚରେ ମଧ୍ୟପ୍ରଦେଶରେ ଯାହା ଘଟିଗଲା, ରାଜସ୍ଥାନ ଘଟନା କେବଳ ତାହାର ପୁନରାବୃତ୍ତି ମାତ୍ର। ପ୍ରତ୍ୟେକଟି ରାଜ୍ୟରେ ନିର୍ବାଚନ ପରେ ଅଣଭାଜପା ସରକାର ଗଠିତ ହୋଇଥିଲା। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କ˚ଗ୍ରେସ୍‌ ସରକାର ଏବ˚ କର୍ଣ୍ଣାଟକରେ ଜେଡି(ଏସ୍‌)-କ˚ଗ୍ରେସ୍‌ ମେଣ୍ଟ ସରକାର। ପ୍ରତିଟି ରାଜ୍ୟରେ ଭାଜପା, ମତଦାତାଙ୍କ ମତକୁ ଅସମ୍ମାନ କଲା। ଅନ୍ୟ ଦଳର ବିଧାୟକଙ୍କୁ ଲୋଭ ଦେଖାଇ ବା ବିପୁଳ ଅର୍ଥ ଦେଇ, ନିଜ ଆସନରୁ ଇସ୍ତଫା ଦେବା ପାଇଁ ବା ଦଳ ତ୍ୟାଗ କରିବା ନିମନ୍ତେ ପ୍ରବର୍ତ୍ତାଇବାରେ ସଫଳ ହେଲା, ଯେମିତି ସେମାନେ କ୍ଷମତା ଦଖଲ କରିପାରିବେ।

ପ୍ରଥମେ କର୍ଣ୍ଣାଟକ, ତାହା ପରେ ମଧ୍ୟପ୍ରଦେଶ ଏବ˚ ଏବେ ରାଜସ୍ଥାନ; ଏହି ତିନି ରାଜ୍ୟରେ ଭାଜପା ଚାହିଁଛି କ’ଣ? ଏହା ବିରୋଧରେ ଯାଇଥିବା ନିର୍ବାଚନ ପରିଣାମକୁ ଅନୈତିକ, ଅବୈଧ ଓ ଅଗଣତାନ୍ତ୍ରିକ ପଦ୍ଧତିରେ ବଦଳାଇବା। ଶାସକ ଦଳର ଏହି ଚକ୍ରାନ୍ତ କେବଳ ଏହି ତିନିଟି ରାଜ୍ୟ ମଧ୍ୟରେ ସୀମିତ ନୁହେଁ। ଗୋଆ ଓ ମଣିପୁରରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ପ୍ରତି ଶ୍ରଦ୍ଧା ବା ହିନ୍ଦୁତ୍ବ ପ୍ରତି ଆକର୍ଷଣ ଯୋଗୁଁ ସ୍ବାଧୀନ ବା ଅନ୍ୟ ଛୋଟ ଦଳର ବିଧାୟକମାନେ ଉତ୍ସାହିତ ହୋଇ ନ ଥିଲେ। ସେମାନେ ଭିନ୍ନ କାରଣରୁ ଭାଜପା ସହ ହାତ ମିଳାଇଥିଲେ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ କିଛି କ˚ଗ୍ରେସ୍‌ ବିଧାୟକଙ୍କ ଇସ୍ତଫା ବି ଆଉ ଏକ ଦୃଷ୍ଟାନ୍ତ। ଏସବୁ କୌଣସି ସ˚ଯୋଗ ନୁହେଁ। ଏସବୁ ଶାସକ ଦଳର ଚକ୍ରାନ୍ତର ଅ˚ଶବିଶେଷ।

ଦଳ ପରିତ୍ୟାଗ କରିବା ପାଇଁ ଏହି ବିଧାୟକମାନଙ୍କୁ କେତେ ଅର୍ଥ ଦିଆଯାଇଛି? ରାଜସ୍ଥାନର ମୁଖ୍ୟମନ୍ତ୍ରୀ କହୁଛନ୍ତି, କ˚ଗ୍ରେସ୍‌ ଛାଡ଼ି ଭାଜପାରେ ମିଶିବା ପାଇଁ ଜଣେ ଜଣେ ବିଧାୟକଙ୍କୁ ପନ୍ଦର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ମୁଁ ବାର୍ତ୍ତାଳାପ କରିଥିବା କିଛି ସାମ୍ବାଦିକଙ୍କ ସୂତ୍ରରୁ ପ୍ରକାଶ ଯେ ପନ୍ଦର ନୁହେଁ, ପଚିଶ କୋଟି ପର୍ଯ୍ୟନ୍ତ ଯଚାଯାଇଛି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ଏହି ପରିମାଣର ଅର୍ଥ ଦିଆଯାଇଥିବା ଅନୁମାନ କରାଯାଇପାରେ। ଏ ହାତରୁ ସେ ହାତକୁ ଯାଇଥିବା ଏହି ଟଙ୍କାର ପରିମାଣ ନିଶ୍ଚିତ ଭାବେ ବିପୁଳ ପଦବାଚ୍ୟ। ଏହା ଆସିଲା କେଉଁଠୁ? ନିଶ୍ଚିତ ଭାବେ ଅବୈଧ ଉପାୟରେ ସ˚ଗୃହୀତ ନିର୍ବାଚନୀ ବଣ୍ତ୍‌ରୁ, ଯାହାର ତଦନ୍ତ କରିବାରେ ସୁପ୍ରିମ୍‌ କୋର୍ଟ‌୍‌ ବିଫଳ ହୋଇଥିଲେ। ଅନ୍ୟ କୌଣସି ଅସାଧୁ ବାଟରେ ମଧ୍ୟ ଆସିଥାଇପାରେ।

ଏସବୁ ଅସାଧୁ କାରବାରରୁ ଏକ ମୌଳିକ ପ୍ରଶ୍ନ ଉଠୁଛି- ଯଦି ଯେକୌଣସି ସମୟରେ ବିଧାୟକ କ୍ରୟ-ବିକ୍ରୟ କରାଯାଇପାରେ; ତେବେ, ନିର୍ବାଚନର ଆବଶ୍ୟକତା କେଉଁଠି? ନିର୍ବାଚନର ଉଦ୍ଦେଶ୍ୟ କ’ଣ? ଏବ˚ ନିର୍ବାଚନ କାହିଁକି? ଏହା ଦ୍ବାରା କୋଟି କୋଟି ମତଦାତାଙ୍କର ଅଧିକାର କ୍ଷୁଣ୍ଣ ହେଉନାହିଁ କି? ସେମାନଙ୍କର ମତଦାନ ମୂଲ୍ୟହୀନ ହୋଇଯାଉନାହିଁ କି? ଯଦି ଟଙ୍କା ବଳରେ ଭାଜପା ସବୁ କିଛି କରିପାରେ; ଯଦି ଏହା ଦ୍ବାରା ମୁକ୍ତ ଓ ଅବାଧ ନିର୍ବାଚନ ପରିଣାମକୁ ବଦଳାଇଦିଆଯାଇପାରେ; ଆମେ ଆଉ ଭାରତକୁ ନିର୍ବାଚନ ଭିତ୍ତିକ ଗଣତନ୍ତ୍ର କହିପାରିବା କି?

ନରେନ୍ଦ୍ର ମୋଦୀ ହେଉଛନ୍ତି, ଷ୍ଟେରଏଡ୍‌ ନେଇଥିବା ଇନ୍ଦିରା ଗାନ୍ଧୀ, ଏହା ମୁଁ ପୂର୍ବରୁ କହିସାରିଛି। ମୋର କହିବାର ଅର୍ଥ ହେଲା, ସେ ଇନ୍ଦିରାଙ୍କ ତୁଳନାରେ ଅଧିକ ଚତୁର, ନିଷ୍ଠୁର ଓ ନିର୍ଦୟ। ସ୍ବାୟତ୍ତ-ସ୍ବାଧୀନ ଅନୁଷ୍ଠାନଗୁଡ଼ିକ ବିରୋଧରେ ଇନ୍ଦିରା ଦନ୍ଥରା କଟୁରିି ବ୍ୟବହାର କରୁଥିଲେ; ତେବେ, ମୋଦୀ ବ୍ୟବହାର କରୁଛନ୍ତି ଏକ ଧାରୁଆ ଖଣ୍ତା। ଇନ୍ଦିରା ନିଜର କାର୍ଯ୍ୟକଳାପର ଅନୁଶୀଳନ କରୁଥିଲେ। ଜରୁରିକାଳୀନ ପରିସ୍ଥିତି ପରବର୍ତ୍ତୀ କାଳର ଇନ୍ଦିରାଙ୍କ ଦୃଷ୍ଟାନ୍ତ ଦିଆଯାଇପାରେ। ତେବେ, ମୋଦୀ ନିଜର କାର୍ଯ୍ୟକଳାପକୁ ନେଇ କେବେ ହେଲେ ଚିନ୍ତା କରନ୍ତିନାହିଁ। ଅନୁତାପ ବା ପାପବୋଧ ତାଙ୍କ ଅଭିଧାନରେ ନାହିଁ। ନାନା ଦୋଷ-ଦୁର୍ବଳତା ସତ୍ତ୍ବେ ଇନ୍ଦିରା ଧାର୍ମିକ ବହୁବାଦିତାରେ ବିଶ୍ବାସ ରଖିଥିଲେ। ଅପରପକ୍ଷେ ମୋଦୀ ପ୍ରଭୁତ୍ବବାଦୀ ଏବ˚ ସ˚ଖ୍ୟାଗରିଷ୍ଠବାଦୀ।

ଇନ୍ଦିରା କ୍ଷମତାରେ ଥିବା ବେଳେ ଭାରତୀୟ ଗଣତନ୍ତ୍ର ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ, ପରେ ଅବସ୍ଥା କ୍ରମଶଃ ରହିରହି ସୁଧୁରି ଥିଲା; ଧୀରେ ହେଉ ପଛକେ। ସମ୍ବିଧାନ ପ୍ରଣେତାଙ୍କ ସ୍ବପ୍ନ ସ˚ପୂର୍ଣ୍ଣ ସାକାର ନ ହେଉ ପଛକେ ୧୯୮୯-୨୦୧୪ ମଧ୍ୟରେ ଭାରତକୁ ଏକ ଗଣତନ୍ତ୍ର ଭାବେ ଚିହ୍ନି ହେଉଥିଲା; ଯଦିଓ ଏହା ତ୍ରୁଟିଶୂନ୍ୟ ଓ ନିଖୁଣ ନ ଥିଲା। ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶାସିତ ଭାରତରେ, ଏହାର ସ୍ବାୟତ୍ତ-ସ୍ବାଧୀନ ଅନୁଷ୍ଠାନସମୂହ ଏବ˚ ଭାରତୀୟ ଗଣତନ୍ତ୍ର ଆଉ ପୂର୍ବ ସ୍ବାସ୍ଥ୍ୟ ଫେରିପାଇବ ତ! ଏହା ଏକ ଖୋଲା ପ୍ରଶ୍ନ।

ସମ୍ବନ୍ଧିତ ଖବର