ଆମ ବହି ପଢ଼ାର ରୁଚି

ଉପେନ୍ଦ୍ର ବିଶ୍ୱାଳ

୨୦୧୭ ମସିହାରେ ଭାରତର ପ୍ରଥମ ‘ବହିର ଗାଁ’ ଭାବେ ଘୋଷିତ ଭିଲାରା ଆଖପାଖରେ ରହିଛି ୨୫ଟି ପାଠାଗାର। ବିଭିନ୍ନ ଭାଷାର ହଜାର ହଜାର ସ˚ଖ୍ୟାର ବହିରେ ସମୃଦ୍ଧ ସେହି ପାଠାଗାରମାନ। ପ୍ରଖ୍ୟାତ ଶୈଳନିବାସ ମହାବଳେଶ୍ବରର ନିକଟରେ ଅବସ୍ଥିତ ଏହି ଗାଁର ପ୍ରାକୃତିକ ପରିବେଷ୍ଟନୀରେ ପଠନର ପରିବେଶଟିଏ ବି ତିଆରି କରିଛନ୍ତି ମହାରାଷ୍ଟ୍ର ସରକାର। ଏଥି ଯୋଗୁ ସେଠାରେ ପୁସ୍ତକ ପଠନ ପ୍ରତି ଅନୁରାଗ ମଧୢ ବୃଦ୍ଧି ପାଇଛି।

ପଠନ ପ୍ରତି ଅନୁରାଗ କଥା ଉଠିଲେ ମନେପଡ଼େ ଜଣେ ବରିଷ୍ଠ ଅଧୢାପକ ଏହି ଲେଖକକୁ କହିଥିବା ଏକ ଅନୁଭୂତି ସ˚ପର୍କରେ। ଅଧ୍ୟାପକ ମହାଶୟ ଏକ ରେଳ ଯାତ୍ରାରେ ଥିବା ବେଳେ ଦେଖିଥିଲେ କିଭଳି ଦିନମଜୁରିଆ ଭଳି ଲାଗୁଥିବା କିଛି ବଙ୍ଗୀୟ ମହିଳା ସେମାନଙ୍କ ଅଣ୍ଟାରେ ଖୋସିଥିବା ପଇସା କାଢ଼ି ସେହି ବଗିରେ ଜଣେ ବୁଲା ବହି ବିକାଳି ଠାରୁ ଅତି ଆଗ୍ରହର ସହିତ ଅନେକ ପତ୍ରିକା କିଣିଥିଲେ। ଅଧୢାପକ ମହାଶୟ ଏଥିରେ ଚମତ୍କୃତ ହୋଇଥିଲେ। ଏହା ଥିଲା ବଙ୍ଗଭାଷୀମାନଙ୍କ ଅସାଧାରଣ ପଠନ ରୁଚିର ଏକ ପ୍ରମାଣ। ବଙ୍ଗୀୟମାନେ କେବଳ ପଠନପ୍ରିୟ ନୁହନ୍ତି, ସେମାନେ ଅତ୍ୟନ୍ତ ଭ୍ରମଣପ୍ରିୟ ମଧୢ। ପୁସ୍ତକ ହେଉ ବା ଅନୁଭୂତି; ସବୁ ସ୍ରୋତରୁ ଜ୍ଞାନ ଆହରଣ କରିବା ଲାଗି ସେମାନେ ଉଦ୍‌ଗ୍ରୀବ। ସେ ଯାହା ହେଉ, ସେମାନଙ୍କ ପଠନପ୍ରିୟତା କୋଲକାତା ପୁସ୍ତକ ମେଳାକୁ ଏକ ରାଜ୍ୟ ମହୋତ୍ସବ‌େର ପରିଣତ କରିଛି। ଏହାର ତୁଳନା ଆମ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ପୁସ୍ତକ ମେଳା ସହିତ କଲେ ହତାଶ ହେବାକୁ ହୁଏ। କାରଣ ତିନି ଦଶନ୍ଧିରୁ ଅଧିକ କାଳ ଧରି ଭୁବନେଶ୍ବରରେ ପୁସ୍ତକ ମେଳା ହୋଇ ଚାଲିଛି ଏବ˚ ପୁସ୍ତକ ମେଳାର ସ˚ଖ୍ୟା ମଧୢ ବୃଦ୍ଧି ପାଇଛି, କିନ୍ତୁ ଏହାର ଗୁଣମାନରେ ଉନ୍ନତି ଦେଖାଯାଉ ନାହିଁ। ଏତେ ବର୍ଷ ପରେ ମଧୢ ଆମ ରାଜ୍ୟରେ ଗୋଟିଏ ଆନ୍ତର୍ଜାତିକ ପୁସ୍ତକ ମେଳା ଅନୁଷ୍ଠିତ ହୋଇ ପାରିଲା ନାହିଁ, ଯେମିତି କୋଲକାତାରେ ହୋଇପାରିଛି। ପୁସ୍ତକ ବିକ୍ରିବଟାରେ ମଧୢ ସେମିତି ଅଭିବୃଦ୍ଧି ଘଟିନାହିଁ ବୋଲି ମେଳାର ଆୟୋଜକମାନେ ମଧୢ କହନ୍ତି।

ଏହାର ଏକ ବଡ଼ କାରଣ ଆମମାନଙ୍କ ମଧୢରେ ପୁସ୍ତକ ପଠନ ପ୍ରତି ଆଗ୍ରହର ଅଭାବ। ଗୋଟିଏ ଶିକ୍ଷିତ ଓଡ଼ିଆ ପରିବାର ତାର ମାସିକ ଆୟର କେତେ ଅ˚ଶ ବହି ଓ ପତ୍ରପତ୍ରିକା କିଣାରେ ବ୍ୟୟ କରେ ତହିଁରୁ ଆମମାନଙ୍କର ପଠନ ପ୍ରତି ରହିଥିବା ଆଗ୍ରହକୁ ମପା ଯାଇପାରିବ। ତେବେ ଏ ବିଷୟରେ ଧାରଣା ପାଇବା ଲାଗି ଜଣେ ବରିଷ୍ଠ ଲେଖକଙ୍କ ମନ୍ତବ୍ୟ ଯଥେଷ୍ଟ। ସେ କହନ୍ତି ଯେ ଏଠାରେ ଜଣେ ଜଣାଶୁଣା ଲେଖକଙ୍କ ପୁସ୍ତକ ପ୍ରକାଶ କରୁଥିବା ସ˚ସ୍ଥା ପ୍ରଥମ ‘ପ୍ରିଣ୍ଟ୍‌ ରନ୍‌’ ଭାବେ ହଜାରେ ବହି ଛାପିବା ଲାଗି ଅତି କଷ୍ଟରେ ରାଜି ହୁଅନ୍ତି। କାରଣ ସେତକ ବିକ୍ରି କରିବା ଲାଗି ସେମାନଙ୍କୁ ଗଳଦ୍‌ଘର୍ମ ହେବାକୁ ପଡ଼େ। କିନ୍ତୁ ପଶ୍ଚିମବଙ୍ଗରେ ଜଣେ ଜଣାଶୁଣା ଲେଖକଙ୍କ ପୁସ୍ତକ ପ୍ରଥମ ‘ପ୍ରିଣ୍ଟ ରନ୍‌’ରେ ଦଶ ହଜାର ଛପା ହେବା ଏକ ସାଧାରଣ କଥା। ପୁଣି ଆମ ରାଜ୍ୟର ଅନେକ ପ୍ରକାଶନ ସ˚ସ୍ଥାର ପ୍ରଥମ ଅବଲମ୍ବନ ପାଠକ ନୁହନ୍ତି, ରାଜା ରାମମୋହନ ଲାଇବ୍ରେରି।

ଆମ ଭାଷାରେ ପୁସ୍ତକ କହିଲେ କେବଳ ବୁଝାଯାଏ ସାହିତ୍ୟଧର୍ମୀ ଲେଖା- ଗଳ୍ପ, କବିତା, ପ୍ରବନ୍ଧ ବା ଉପନ୍ୟାସ। ଅର୍ଥନୀତି, ରାଜନୀତି, ଦର୍ଶନ ବା ବିଜ୍ଞାନ ସମ୍ବଳିତ ଲୋକପ୍ରିୟ ଓଡ଼ିଆ ପୁସ୍ତକ ପ୍ରାୟ ନାହିଁ। ଆଜିକୁ ଚାଳିଶ ବର୍ଷ ତଳେ ଗୋକୁଳାନନ୍ଦ ମହାପାତ୍ର କିଛି ବିଜ୍ଞାନଧର୍ମୀ ଉପନ୍ୟାସ ଲେଖି ସେସବୁକୁ ଅତ୍ୟନ୍ତ ଲୋକପ୍ରିୟ କରି ପାରିଥିଲେ। ସେ ଦିଗରେ ବିନୋଦ କାନୁନ୍‌ଗୋଙ୍କ ଉଦ୍ୟମ ମଧୢ ବେଶ୍‌ ହୃଦୟଗ୍ରାହୀ। କାରଣ ପିଲାମାନେ ବୁଝିବା ଭଳି କିଛି ଅତ୍ୟନ୍ତ ସୁଖପାଠ୍ୟ ଚଟି ବହି ସେ ଛାପିଥିଲେ। ଏବେ ସେ ଭଳି ବହି ଆଉ ଦିଶେନାହିଁ। ଏହା ପ୍ରମାଣ କରିଥାଏ ଯେ ଆମମାନଙ୍କ ଭିତରେ ଓଡ଼ିଆ ବହିର ପଠନ ଅଭ୍ୟାସ ଓ ଆଗ୍ରହ ତିରିଶ ବା ଚାଳିଶ ବର୍ଷ ତଳ ଭଳି ନାହିଁ। ଏବେ ଅନ୍ୟାନ୍ୟ ମନୋର˚ଜନର ମାଧୢମ ବହିର ସ୍ଥାନ ଅକ୍ତିଆର କରିନେଇଛି। ପଶ୍ଚିମବଙ୍ଗରେ ଇରେଜୀ ପଢୁଆ ବିଦ୍ବାନମାନେ ଇ˚ରେଜୀ ସହିତ ବଙ୍ଗଳାରେ ମଧୢ ଲେଖନ୍ତି। ସତ୍ୟଜିତ ରାୟଙ୍କ ଠାରୁ ଆରମ୍ଭ କରି ଅମର୍ତ୍ତ୍ୟ ସେନଙ୍କ ପର୍ଯ୍ୟନ୍ତ ଏଭଳି ଦ୍ବି ଭାଷୀ ଲେଖକଙ୍କ ସ˚ଖ୍ୟା ପଶ୍ଚିମବଙ୍ଗରେ ଅନେକ। କିନ୍ତୁ ଆମର ଅନେକ ଇ˚ରେଜୀ ପ୍ରବୀଣ ଓଡ଼ିଆ ନିଜ ମାତୃଭାଷାରେ ଲେଖିବାକୁ ହୀନକର୍ମ ବୋଲି ମନେ କରନ୍ତି। ସତ କଥା ହେଲା ଭାଷାକୁ ଭଲ ପାଇଲେ ହିଁ ସେଥିରେ ପଢ଼ା ଲେଖା କରିହୁଏ।

ଜଣେ ବିଦଗ୍‌ଧ ପାଠକ ହିଁ ବହି ପଢ଼ାର ଅସଲ ଆନନ୍ଦ ଆହରଣ କରିଥାଏ। ସେ ଆନନ୍ଦ ନିର୍ବିକଳ୍ପ। କିନ୍ତୁ ସେଥିଲାଗି ଯେଉଁଭଳି ପଠନ ଆଗ୍ରହ ଓ ଅଭ୍ୟାସ ସୃଷ୍ଟି ହେବା ଦରକାର, ତାହା ଆମ ଭିତରେ ମଉଳି ଯାଇଛି। କିନ୍ତୁ କେଉଁ ପାଣି ମଉଳା ଫୁଲକୁ ସତେଜ କରିପାରିବ? ଏହା ଏକ ଗୂଢ଼ ପ୍ରଶ୍ନ।

ମୋ- ୯୪୩୭୪୩୬୦୭୩
[email protected]

ସମ୍ବନ୍ଧିତ ଖବର