ଆଧ୍ୟାତ୍ମିକ ପଥର ଦୁଇ ପଥିକ

ଇତିହାସର ଅଳିନ୍ଦ - ସୁଜିତ କୁମାର ପୃଷେଠ

୨୦୧୫ ମସିହାର ଅକ୍‌ଟୋବର ମାସ। ଧଳା ବରଫ ଯୁକ୍ତ ଶୀତୁଆ ୟୁରୋପୀୟ ଦେଶ ଲିଥୁଆନିଆର ଛୋଟ ସହର ରୁସ୍‌ନେରେ ଉଲ୍ଲାସର ଛଟା ଖେଳି ଯାଇଥାଏ। ନେମାନ୍‌ ନଦୀର କୂଳରେ ଥିବା ଏହି ସହରର ଅଧିବାସୀଙ୍କ ମନରେ ଆନନ୍ଦର କାରଣ ଥିଲା ରୁସ୍‌ନେ ମାଟିରେ ଜନ୍ମିତ ଜଣେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନାବରଣ କାର୍ଯ୍ୟକ୍ରମ। ଉଲ୍ଲାସର ଆଉ ଏକ କାରଣ ହେଲା ରୁସ୍‌ନେ ମାଟିର ଏହି ବରପୁତ୍ରଙ୍କ ସାଙ୍ଗକୁ ଆଉ ଜଣେ ବରେଣ୍ୟ ବିଶ୍ବ-ପୁରୁଷଙ୍କ ପ୍ରତିମୂର୍ତ୍ତିର ଅନାବରଣ କରାଯିବାର ଅବକାଶ। ରୁସ୍‌ନେ ମାଟି ପ୍ରସ୍ତୁତ ହେଉଥିଲା ନିଜର ଭୂମିପୁତ୍ର ଡ. ହେର‌୍‌ମେନ୍‌ କାଲେନ୍‌ବାକ୍‌ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କୋଳେଇ ନେବାକୁ।

ମହାତ୍ମା ଗାନ୍ଧୀ ଏବ˚ ଡ. ହେରମେନ୍‌ କାଲେନ୍‌ବାକ୍‌ ମଧୢରେ ଥିଲା ପ୍ରଗାଢ଼ ବନ୍ଧୁତ୍ବ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ‘ସତ୍ୟାଗ୍ରହ’ ଏହି ଦୁଇ ମହାନ ପୁରୁଷଙ୍କୁ ମିତ୍ରତାର ବନ୍ଧନରେ ବାନ୍ଧି ଦେଇଥିଲା। ଗାନ୍ଧୀଜୀଙ୍କ ‘ସତ୍ୟାଗ୍ରହ’ ପ୍ରତି ଚରମ ନିଷ୍ଠା ଡ.କାଲେନ୍‌ବାକଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିିଥିଲା।

୧୯୦୪ ମସିହାରେ ଦକ୍ଷିଣ ଆଫ୍ରିକାରେ ଡ. କାଲେନ୍‌ବାକ୍‌‍ଙ୍କ ସାକ୍ଷାତ ହୁଏ ମହାତ୍ମା ଗାନ୍ଧୀଙ୍କ ସହ। ଗାନ୍ଧୀ ଥିଲେ ଜଣେ ବାରିଷ୍ଟର ଏବ˚ କାଲେନ୍‌ବାକ୍‌ ଜଣେ ଉଚ୍ଚକୋଟୀର ସ୍ଥପତି। କାଲେନ୍‌ବାକ୍‌ ଥିଲେ ମହାତ୍ମା ଗାନ୍ଧୀଙ୍କ ଠାରୁ ବୟସରେ ଦୁଇ ବର୍ଷ ଛୋଟ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ପହଞ୍ଚିଥିଲେ ୧୮୯୩ରେ ଏବ˚ ତାର ତିନି ବର୍ଷ ପରେ ଦକ୍ଷିଣ ଆଫ୍ରିକା ପହଞ୍ଚିଥିଲେ ଡ. କାଲେନ୍‌ବାକ୍‌। ବ୍ୟବସାୟ ଏବ˚ ସ୍ଥାପତ୍ୟ ପେସା କାଲେନ୍‌ବାକ୍‌ଙ୍କୁ ଖୁବ୍‌ ଶୀଘ୍ର ଧନୀ କରି ଦେଇଥିଲା। ତେବେ, ଗାନ୍ଧୀଙ୍କ ସହ ସାକ୍ଷାତ କାଲେନ୍‌ବାକ୍‌ଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣି ଦେଇଥିଲା। ଗାନ୍ଧୀଜୀ ତାଙ୍କୁ ବୁଝାଇଥିଲେ ବର୍ଣ୍ଣ ବୈଷମ୍ୟର କଦର୍ଯ୍ୟ ଦିଗ ବିଷୟରେ ଏବ˚ ତାଙ୍କୁ ‘ସତ୍ୟାଗ୍ରହ’ର ପରୀକ୍ଷଣ ଦିଗକୁ ଅନୁପ୍ରାଣିତ କରିଥିଲେ। ଗାନ୍ଧୀଜୀଙ୍କ ଉପରେ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ ଜୀବନ ଶୈଳୀ ଏବ˚ ଲେଖାର ଗଭୀର ପ୍ରଭାବ ପଡ଼ିଥିଲା। ୧୮୯୪ରେ ଲିଓ ଟଲଷ୍ଟୟଙ୍କ ଦ୍ବାରା ଲିଖିତ ‘ଦି କିଙ୍ଗଡମ୍‌ ଅଫ୍‌ ଗଡ଼୍ ଇଜ୍‌ ଵିଦିନ ୟୁ’ ପୁସ୍ତକଟି ଗାନ୍ଧୀଜୀଙ୍କୁ ଖୁବ ପ୍ରଭାବିତ କରିଥିଲା। ଋଷି ପ୍ରତିମ ଟଲଷ୍ଟୟଙ୍କ ଆଦର୍ଶ ଗାନ୍ଧୀଜୀଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେହି ଆଦର୍ଶକୁ ଜୀବନରେ ପ୍ରୟୋଗ କରିବା ପାଇଁ ଗାନ୍ଧୀଜୀ ଜୋହାନ୍‌ସବର୍ଗ ନିକଟରେ ‘ଟଲଷ୍ଟୟ ଫାର୍ମ’ ପ୍ରତିଷ୍ଠା କରିଥିଲେ। ‘ଟଲଷ୍ଟୟ ଫାର୍ମ’କୁ ‘ସତ୍ୟାଗ୍ରହ’ କାମରେ ଏବ˚ ‘ଆଧୢାତ୍ମିକ ଚେତନା’ର ଉତ୍ତରଣ ଦିଗରେ ଗାନ୍ଧୀଜୀ ନିୟୋଜିତ କରିଥିଲେ। ସେତେବେଳେ ଦକ୍ଷିଣ ଆଫ୍ରିକାର ଟ୍ରାନ୍‌ସଭାଲ ଠାରେ ପାତର-ଅନ୍ତର ନୀତି ବିରୋଧରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ୧୯୧୦ରେ ସ୍ଥାପିତ ‘ଟଲଷ୍ଟୟ ଫାର୍ମ’ର ନାମକରଣ କରିଥିଲେ ଡ. କାଲେନ୍‌ବାକ୍‌ । ପୁଣି ‘ଟଲଷ୍ଟୟ ଫାର୍ମ’ ପ୍ରତିଷ୍ଠିତ ହୋଇଥିଲା କାଲେନ୍‌ବାକ୍‌ଙ୍କ ଦ୍ବାରା କିଣା ଜମି ଉପରେ। ଗାନ୍ଧୀଜୀ ଏବ˚ କାଲେନ୍‌ବାକ୍‌ଙ୍କ ଗଭୀର ବନ୍ଧୁତ୍ବ ଓ ‘ସତ୍ୟାଗ୍ରହ’ ପ୍ରତି ଉଭୟଙ୍କ ପରମ ନିଷ୍ଠାକୁ ଏହା ଦର୍ଶାଏ।

‘ଟଲଷ୍ଟୟ ଫାର୍ମ’ର ନିର୍ମାଣରେ କାଲେନ୍‌ବାକ୍‌ଙ୍କ ପ୍ରମୁଖ ଭୂମିକା ଥିଲା। ଭାରତୀୟ ଅହି˚ସ ସ୍ବାଧୀନତା ସ˚ଗ୍ରାମ ପ୍ରତି କାଲେନ୍‌ବାକ୍‌ଙ୍କ ସାହାଯ୍ୟ ଓ ସମର୍ଥନ ଗାନ୍ଧୀଜୀଙ୍କୁ ଖୁବ୍‌ ସହାୟକ ହୋଇଥିଲା। ‘ଟଲଷ୍ଟୟ ଫାର୍ମ’ରେ ଗାନ୍ଧୀଜୀ ‘ପୁଅ ଓ ଝିଅଙ୍କ ସାମଗ୍ରିକ ବିକାଶ’ ଉପରେ ପ୍ରାଧାନ୍ୟ ଦେଇଥିଲେ। ଛଅରୁ ଷୋହଳ ବର୍ଷ ବୟସ ମଧୢରେ ଉଭୟ ପୁଅ ଏବ˚ ଝିଅଙ୍କୁ ଶିକ୍ଷା ସହ ବୃତ୍ତିଗତ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଗାନ୍ଧୀଜୀ ସେଠାରେ କରିଥିଲେ। ବୃତ୍ତିଗତ ପ୍ରଶିକ୍ଷଣ ଆତ୍ମ-ନିର୍ଭରଶୀଳ କରିବା ଦିଗରେ ଗାନ୍ଧୀଜୀଙ୍କ ଏକ ସଫଳ ପ୍ରୟାସ ଥିଲା। ଗାନ୍ଧୀଜୀଙ୍କ ଅନୁସାରେ ‘ଟଲଷ୍ଟୟ ଫାର୍ମ’ ଥିଲା ଗୋଟିଏ ପରିବାର ଭଳି ଯେଉଁଠାରେ ସେ ଜଣେ ପିତାର ଦାୟିତ୍ବ ନିର୍ବାହ କରୁଥିଲେ। ‘ଟଲଷ୍ଟୟ ଫାର୍ମ’ରେ ଝାଡୁ କରିବା, ପାଇଖାନା ସଫା କରିବା ତଥା ପାଣି ବୋହିବା ଇତ୍ୟାଦି କାମକୁ ପ୍ରାଧାନ୍ୟ ଦିଆଯାଉଥିଲା। ସେଠାରେ ନୈତିକ ମନୋବଳକୁ ସୁଦୃଢ଼ କରାଯିବା ଉପ‌େର ଗୁରୁତ୍ବ ଦିଆଯାଉଥିଲା।

ଗାନ୍ଧୀଜୀ ଏବ˚ କାଲେନ୍‌ବାକ୍‌ ପରସ୍ପରକୁ ଗଭୀର ସମ୍ମାନ ଦେଉଥିଲେ। ଶାରୀରିକ ପରିଶ୍ରମ ଏବ˚ ବୃତ୍ତିଗତ ପ୍ରଶିକ୍ଷଣ ଉପରେ ପ୍ରାଧାନ୍ୟ ଦେଇଥିବା ଗାନ୍ଧୀଜୀ କାଲେନ୍‌ବାକ୍‌ଙ୍କୁ ସାଣ୍ତେଲ୍ ବା ଚପଲ ତିଆରି ଶିଖିବା ପାଇଁ ପାଇନ୍‌ଟାଉନ୍‌ ପାଖରେ ଥିବା ମେରିଏନ୍‌ ହିଲ ମୋନାଷ୍ଟ୍ରିକୁ ପଠେଇଥିଲେ। ସେଇଠୁ ଚପଲ ତିଆରି ଶିଖି କାଲେନ୍‌ବାକ୍‌ ‘ଟଲଷ୍ଟୟ ଫାର୍ମ’ରେ ସମସ୍ତଙ୍କୁ ତାହା ଶିଖାଇଥିଲେ। ଏପରିକି ଗାନ୍ଧୀଜୀଙ୍କୁ ମଧୢ!! ଗାନ୍ଧୀଜୀ ତାଙ୍କ ପୁତୁରା ମଗନଲାଲ ଗାନ୍ଧୀଙ୍କୁ ଏକ ଚିଠିରେ ଏହି କଥାର ଉଲ୍ଲେଖ କରିଥିଲେ।

ଗାନ୍ଧୀଜୀ ଏବ˚ କାଲେନ୍‌ବାକ୍‌ଙ୍କ ଗଭୀର ବନ୍ଧୁତ୍ବର ଅନ୍ୟତମ ମହନୀୟ ଦିଗ ହେଉଛି ନିଜ ନିଜ ଜୀବନରେ ଉଚ୍ଚ ଆଦର୍ଶର ପ୍ରୟୋଗ। ସେଥିରୁ ଗୋଟିଏ ହେଉଛି ବ୍ରହ୍ମଚର୍ଯ୍ୟ। ଏ ଦିଗରେ ଗାନ୍ଧୀଜୀଙ୍କୁ ନୈତିକ ସମର୍ଥନ ଦେଇଥିଲେ କାଲେନ୍‌ବାକ୍‌। ଗାନ୍ଧୀଜୀ ଏବ˚ କାଲେନ୍‌ବାକ୍‌ଙ୍କ ମଧୢରେ ଥିବା ପ୍ରଗାଢ଼ ସଂପର୍କ କେବଳ ଉଚ୍ଚ ଆଦର୍ଶ ଏବ˚ ଚିନ୍ତନରେ ସୀମିତ ନ ରହି ଏଭଳି ବ୍ୟକ୍ତିଗତ ସ୍ତରକୁ ଚାଲି ଯାଇଥିଲା ଯେ ଗାନ୍ଧୀଜୀ ତାଙ୍କର ପାରିବାରିକ ସମସ୍ୟାକୁ କାଲେନ୍‌ବାକ୍‌ଙ୍କୁ ବିଶ୍ବାସର ସହ କହୁଥିଲେ। ୧୯୦୪-୦୫ରେ ଏକ ହାତ ଲେଖା ଚିଠିରେ ଗାନ୍ଧୀଜୀ କାଲେନ୍‌ବାକ୍‌ଙ୍କୁ ଲେଖିଥିଲେ, ‘ଗତକାଲି ମୁଁ ଚାରିଟି କଦଳୀ, ତିନିଟି କମଳା, କିଛି ଖଜୁରୀ ଓ ବାଦାମ ଖାଇଛି… ରାତି ଗୋଟାଏରେ ଶୋଇ ଭୋର‌୍‌ ଚାରିଟା ବେଳକୁ ଉଠି ପଡ଼ିଥିଲି… ତେଣୁ ଆଖି ଅଳ୍ପ ବିନ୍ଧୁଛି…।’ (ରାମଚନ୍ଦ୍ର ଗୁହା, ଗାନ୍ଧୀ ବିଫୋର ଇଣ୍ତିଆ, ପୃଷ୍ଠା ୧୮୭)।

ଗାନ୍ଧୀଜୀଙ୍କ ପ୍ରତି କାଲେନ୍‌ବାକ୍‌ଙ୍କ ସମ୍ମାନବୋଧ କେତେ ଉଚ୍ଚ ସ୍ତରର ଥିଲା ତାହା ଜଣାପଡ଼େ ଦକ୍ଷିଣ ଆଫ୍ରିକାର ଏକ ଘଟଣାରୁ। ଦକ୍ଷିଣ ଆଫ୍ରିକା ସରକାରଙ୍କ ନୀତିକୁ ବିରୋଧ କରି ଗାନ୍ଧୀଜୀଙ୍କୁ କାରାଦଣ୍ତ ହୋଇଥିଲା। କିଛି ମାସ କାରାଦଣ୍ତ ପରେ ଗାନ୍ଧୀଜୀ ଜେଲ୍‌ରୁ ମୁକୁଳିଥିଲେ। ଗାନ୍ଧୀଜୀଙ୍କୁ ସ୍ବାଗତ କରିବା ପାଇଁ କାଲେନ୍‌ବାକ୍‌ ନିଜର ନୂଆ ମହଙ୍ଗା କାର‌୍‌ରେ ପହଞ୍ଚିଥିଲେ। ନିଜ ଅନ୍ତରଙ୍ଗ ବନ୍ଧୁଙ୍କ ଉତ୍ସାହ ଦେଖି ଗାନ୍ଧୀଜୀ କାର‌୍‌ରେ ବସି ଯାଇଥିଲେ ଅଥଚ ବସାକୁ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ସାଙ୍ଗେ କିଛି କଥାବାର୍ତ୍ତା ନ କରି ଗମ୍ଭୀର ଭାବରେ ଚୁପ ‌େହାଇ ବସି ରହିଥିଲେ। ବସା ଭିତରେ ପହଞ୍ଚିଲା ପରେ ଗାନ୍ଧୀଜୀଙ୍କ ପାଟିରୁ କାଲେନ୍‌ବାକ୍‌ଙ୍କ ପ୍ରତି ବାହାରିଥିଲା, ‘ଯେତେ ଜଲ୍‌ଦି ହେବ, ଏ କାର‌୍‌ରେ ଦିଆସିଲି ମାରିଦିଅ।’ କାଲେନ୍‌ବାକ୍‌ କାର‌୍‌କୁ ଦିଆସିଲି ମାରି ନ ଥିଲେ ସିନା, ତାକୁ ବିନା ବ୍ୟବହାରରେ ଗ୍ୟାରେଜ୍‌ରେ ବର୍ଷେ ଉପରେ ପକାଇ ରଖିଲା ପରେ ହସ୍ତାନ୍ତର କରି ଦେଇଥିଲେ। କେବଳ ଏତିକି ନୁହେଁ, ପରବର୍ତ୍ତୀ ଏଗାର ବର୍ଷ କାଳ କାଲେନ୍‌ବାକ୍‌ କାର‌୍‌ ବ୍ୟବହାର କରିନଥିଲେ!! ଗାନ୍ଧୀଜୀ ସରଳ ଜୀବନ ଯାପନ ଦିଗରେ ଖୁବ୍‌ ଯତ୍ନବାନ ଥିଲେ ଏବ˚ ତାଙ୍କ ଏହି ଉଚ୍ଚାଦର୍ଶକୁ ସସମ୍ମାନେ ଗ୍ରହଣ କରିନେଇଥିଲେ ଡ. କାଲେନ୍‌ବାକ୍‌।

ଗାନ୍ଧୀଜୀ ଏବ˚ ଡ. କାଲେନ୍‌ବାକ୍‌ ଜୋହାନ୍ସବର୍ଗର ଏକ ଘରେ ଦେଢ଼ ବର୍ଷ କାଳ ଏକାଠି ରହୁଥିଲେ। ଏହି ସମୟରେ ଗାନ୍ଧୀଜୀଙ୍କ ମଧୢରେ ଉଚ୍ଚ ଚେତନା ସମ୍ବଳିତ ଏକ ଅନନ୍ୟ ନେତୃତ୍ବର ସୂତ୍ରପାତ ହେଉଥିଲା। ଗାନ୍ଧୀଜୀଙ୍କ ମାନସିକ ଉତ୍ତରଣର ସେହି ମହାନ୍‌ ପ୍ରକ୍ରିୟାର ଅନ୍ୟତମ ସହଯୋଗୀ ଏବ˚ ପ୍ରତ୍ୟକ୍ଷଦର୍ଶୀ ହେବାରେ ସୌଭାଗ୍ୟ ଲାଭ କରିଥିଲେ କାଲେନ୍‌ବାକ୍‌।

ବାଲ୍‌ଟିକ୍‌ ସାଗରର ଘନନୀଳ ଜଳରାଶି କୂଳରେ ଅବସ୍ଥିତ ନିଜ ଜନ୍ମଭୂମି ଲିଥୁଆନିଆକୁ ୧୯୧୧ରେ କିଛି ସମୟ ଫେରିଥିଲେ ଡ. କାଲେନ୍‌ବାକ୍‌। ହାତରେ ଥିଲା ଗାନ୍ଧୀଜୀଙ୍କ ଦ୍ବାରା ଲିଖିତ ଏକ ବାର୍ତ୍ତା। ଗାନ୍ଧୀଜୀ ଲେଖିଥିଲେ ଯେ କାଲେନ୍‌ବାକ୍‌ ହେଉଛନ୍ତି ଆଧୢାତ୍ମିକ ରଜ୍ଜୁ ଉପରେ ଚାଲୁଥିବା ଜଣେ ପଥିକ। ପ୍ରକୃତରେ ଉଭୟେ ଥିଲେ ଆଧ୍ୟାତ୍ମିକ ପଥରେ ଦୁଇ ପଥିକ।

ମୋ: ୯୮୬୮୭୬୬୭୦୫

ସମ୍ବନ୍ଧିତ ଖବର