ଶତାୟୁଙ୍କ ଚାବିକାଠି

ଆମରି କଥା - ନାରାୟଣ ମିଶ୍ର

ଜାପାନର ଅନେକ ସହରରେ ଅନେକ ଶତାୟୁ ଅଛନ୍ତି; ସେମାନେ କେବଳ ଶତାୟୁ ନୁହନ୍ତି, ସୁସ୍ଥ, ନିରୋଗ ଏବ˚ ଖୁସି ବି ଅଛନ୍ତି। ସେମାନଙ୍କ ଭାଷାରେ କାମରୁ ଅବସର ନେବା ପରେ ଆମପରି ସେମାନେ ଦୁଃଖୀ ବା ନିକମା ହୋଇ ଯାଆନ୍ତିନି। ସେମାନେ କହନ୍ତି- ‘ଅବସର ନେବାର ବହୁ ପୂର୍ବରୁ ଯେଉଁ କାମ ଭଲ ଲାଗୁଛି, ତାକୁ ଏବେ ଆରମ୍ଭ କରି ଚଳାଇବାର ଯୋଜନା କର। ବଗିଚା କାମ, ଫୁଲ ଚାଷ, ପରିବା ଚାଷ, ବହି ପଢ଼ିବା, ଲେଖାଲେଖି କରିବା ଇତ୍ୟାଦି ଅନେକ ପ୍ରକାରର ଶାରୀରିକ ଓ ମାନସିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଆମର କର୍ତ୍ତବ୍ୟ। ଶରୀର ଓ ମନକୁ ଯେତେ କାମରେ ଲଗାଇ ପାରିବ ସେତେ ଅଧିକ ଦିନ ବଞ୍ଚିବ ଓ ସୁସ୍ଥ ରହିବ। ଆମ ସମସ୍ତଙ୍କର ଜୀବନ ପ୍ରତି ମୋହ ଅଛି; ସୁତରାଂ, ଯଦି ବଞ୍ଚି ରହିବାକୁ ମନ, ତେବେ କ’ଣ କେବଳ ଖାଇପିଇ, ବୁଲାବୁଲି କରି ଏବଂ ଶୋଇ ଶୋଇ ବଞ୍ଚିବା? ନାଁ, ଜୀବନର ଲକ୍ଷ୍ୟ ସ୍ଥିର କରିବାକୁ ହେବ।

ନିଜେ କ’ଣ କରି ପାରିବା ତାହା ଚିନ୍ତା କରିବାକୁ ହେବ। ନିଜକୁ ଭଲ ଲାଗୁଥିବା ଭଳି କାମ ଆରମ୍ଭ କରିବାକୁ ହେବ। ତା’ପରେ ଦେଖିବେ ସୁଯୋଗ ଆପେ ଆପେ ଆସିବ ଏବ˚ ଆପଣ ଆରମ୍ଭ କରିଥିବା କୌଣସି କାର୍ଯ୍ୟ ଆପଣଙ୍କୁ ସଫଳତା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ମନେ ରଖନ୍ତୁ; ସେଥି ଲାଗି କେତୋଟି ନୀତି ବା ନିୟମରେ ଚଳି ନିଜକୁ ଶୃଙ୍ଖଳିତ କରିବାକୁ ହେବ। ଭୋରରୁ ଉଠି ଉଦିତ ସୂର୍ଯ୍ୟାଲୋକରେ ସ୍ନାନ କରିବାକୁ ହେବ, ଅର୍ଥାତ୍‌ ସୂର୍ଯ୍ୟାଲୋକରେ କିଛି ବାଟ ଚାଲିବାକୁ ହେବ। ପ୍ରତ୍ୟେକ ଦିନ ପଡ଼ୋଶୀ ବା ସାଙ୍ଗମାନଙ୍କୁ ଦେଖା କରିବାକୁ ବା ସେମାନଙ୍କ ସହ ଆଳାପ, ହସଖୁସିରେ ଅନ୍ତତଃ ଘଣ୍ଟାଏ ଦେଢ଼ଘଣ୍ଟା ଦେବାକୁ ହେବ। କିଛି ସମତୁଲ ମନସ୍କ ଲୋକ ମିଶି ସ˚ଘ, ସମିତି ବା ସ˚ସ୍ଥା ଗଢ଼ିପାରିଲେ ଭଲ। ପ୍ରତ୍ୟେକ କିଛି କିଛି ଚାନ୍ଦା ଦେଇ ସ˚ସ୍ଥାରେ ସମସ୍ତଙ୍କ ଜନ୍ମ ଦିନ, ପର୍ବପର୍ବାଣି ଆଦିକୁ ନିରାଡ଼ମ୍ବର ଭାବେ ପାଳନ କଲେ ଶରୀର ଓ ମନ ପ୍ରଫୁଲ୍ଲ ରହିବ। କେବେ ବି ଏକୁଟିଆ ରହିବାକୁ ଏବ˚ ଘଣ୍ଟା ଘଣ୍ଟା ଧରି କୌଣସି ସମସ୍ୟାକୁ ନେଇ ଚିନ୍ତାରେ ସମୟ ନଷ୍ଟ କରିବା ଅନୁଚିତ। ସମସ୍ୟା ସମାଧାନ ଯୋଗ୍ୟ ହୋଇଥିଲେ ସେଥିପାଇଁ ଚେଷ୍ଟା କରନ୍ତୁ ଏବ˚ ଯାହାର ସମାଧାନ ଆପଣଙ୍କ ହାତରେ ନାହିଁ, ସେଇ କଥାକୁ ନେଇ ଧନ୍ଦି ହୁଅନ୍ତୁ ନାହିଁ। ଚେଷ୍ଟା ଅବ୍ୟାହତ ରଖନ୍ତୁ ଏବ˚ ନିଜକୁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ। ଚାଲିବା, ଧୢାନ ବା ଯୋଗ କରି, ପିଲାଙ୍କ ସହ ଖେଳି, ବିବାହ ବ୍ରତ ଭଳି ସାମାଜିକ ଅନୁଷ୍ଠାନରେ ଯୋଗ ଦେଇ ଭାରି ମନକୁ ହାଲୁକା କରନ୍ତୁ। ଋଣ ଆଣିଥିଲେ ଯଥାଶୀଘ୍ର ଶୁଝିବାକୁ ଚେଷ୍ଟା କରନ୍ତୁ; ପାରିଲେ ଅନ୍ୟକୁ ନିଜ ଶକ୍ତି ଅନୁସାରେ ସାହାଯ୍ୟ କରନ୍ତୁ; କିନ୍ତୁ ଅଯଥାରେ, ନିହାତି ଦରକାର ନ ଥିଲେ ଟଙ୍କା ବା ଅନ୍ୟ ସାହାଯ୍ୟ ମାଗନ୍ତୁ ନାହିଁ। ଯେତିକି ଖାଇ ପାରିବେ, ତା’ର ଶତକଡ଼ା ସତୁରି ଭାଗ ଖାଆନ୍ତୁ ଏବ˚ ଯେତେ ଦୂର ସମ୍ଭବ ଫଳ ଓ ପନିପରିବା ଆଣି ଘରେ ଖାଆନ୍ତୁ। ବାହାରର ତିଆରି ଓ ପ୍ୟାକେଟ୍‌ ଖାଦ୍ୟ ଗୁରୁତର ଅସୁସ୍ଥତାର ମୁଖ୍ୟ କାରଣ। ସକାଳ ଶେଯ ଛାଡ଼ିବାର ଘଣ୍ଟାଏ ପର୍ଯ୍ୟନ୍ତ ଏବ˚ ଶୋଇବାର ଘଣ୍ଟାଏ ପୂର୍ବରୁ ମୋବାଇଲ ଦେଖିବା ଅଭ୍ୟାସ ଛାଡ଼ନ୍ତୁ। ଶୋଇବା ସମୟ କମାନ୍ତୁ ନାହିଁ, ଚବିଶ ଘଣ୍ଟା ଭିତରେ ନିହାତି ଛଅ ଘଣ୍ଟା ନିଘୋଡ଼ ନିଦରେ ଶୁଅନ୍ତୁ।

ଯେତେଦୂର ସମ୍ଭବ ସତ କୁହନ୍ତୁ ଏବ˚ ଅନ୍ୟ ସହ ନିଜକୁ ତୁଳନା କରିବାରୁ ବିରତ ରୁହନ୍ତୁ। କାହାର ପ୍ରତିଷ୍ଠା ପ୍ରତି ଈର୍ଷା ଆସିଲେ ତା’ର କ୍ଷତି ନ ଚାହିଁ ବରଂ ନିଜକୁ ଅଧିକ ଶକ୍ତ କରିବାକୁ ଚେଷ୍ଟା କରନ୍ତୁ। ମାସକୁ ଅନ୍ତତଃ ତିନି ଚାରି ଦିନ ଉପବାସ କରନ୍ତୁ। ଏହା ଦ୍ବାରା ଆୟୁ ବୃଦ୍ଧି ସହ ନିରୋଗ ରହି ହେବ। କୌଣସି କାର୍ଯ୍ୟକୁ ବା କୌଣସି ଲୋକକୁ ହେୟ ଜ୍ଞାନ କରନ୍ତୁ ନାହିଁ। ଭଗବାନ ଆମକୁ ଦେଖିବାକୁ ଦୁଇଟି ଆଖି, ଶୁଣିବାକୁ ଦୁଇଟି କାନ, ଶୁଙ୍ଘିବାକୁ ଦୁଇଟି ନାକପୁଡ଼ା, କାର୍ଯ୍ୟ କରିବାକୁ ଦୁଇଟି ହାତ ବା ଦୁଇଟି ଗୋଡ଼ ଦେଇଥିଲେ ବି ଗୋଟିଏ ମାତ୍ର ଜିଭକୁ ଦୁଇଟି କାର୍ଯ୍ୟ ଦେଇଛନ୍ତି- ଖାଦ୍ୟର ସ୍ବାଦ ବାରିବା ଓ କଥା କହିବା। ଏହି ଜିଭଟିକୁ ନିୟନ୍ତ୍ରଣ କଲେ ଶରୀରର ଓଜନ ଆମ ଆୟତ୍ତରେ ରହିବ ଏବ˚ ଆମେମାନେ ଅଯଥା କଳି ତକରାଳରୁ ମୁକ୍ତ ରହିବା। ତେଣୁ ଅନାବଶ୍ୟକ ସ୍ଥଳେ କଥା କୁହନ୍ତୁ ନାହିଁ। ସବୁବେଳେ ଆଶାବାଦୀ ହୁଅନ୍ତୁ; କଠିନ ବ୍ୟାୟାମ କରି ନ ପାରିଲେ ମୃଦୁ ବ୍ୟାୟାମ କରନ୍ତୁ। ବୟସ ବଢ଼ି ଯାଇଛି ବୋଲି ମନକୁ ଦୁର୍ବଳ କରନ୍ତୁ ନାହିଁ; ତାହା ଶରୀରକୁ ଦୁର୍ବଳ କରିବ। ବରଂ ସର୍ବଦା କର୍ମ ତତ୍ପର ରହନ୍ତୁ।

ପରିବାରର କାର୍ଯ୍ୟରେ ସମସ୍ତଙ୍କ ସହିତ ନିଜକୁ ସାମିଲ କରନ୍ତୁ। ବିଲ୍‌ ଗେଟ୍‌ସ ବାସନ ମାଜିବାକୁ ଭଲ ପାଆନ୍ତି। ଆମକୁ କାହିଁକି ତାହା ନାକରା ଲାଗିବ? ଆଇନ୍‌ଷ୍ଟାଇନ୍‌ ଭାୟୋଲିନ୍‌ ବଜାଉଥିଲେ। ସେମିତି ସଉକଟିଏ କରନ୍ତୁ ଏବଂ ତହିଁରେ ମଗ୍ନ ରହି ଆନନ୍ଦ ପାଆନ୍ତୁ।
ପାଠକବୃନ୍ଦ, ଏ ସବୁ ଶତାୟୁ ଜାପାନୀମାନଙ୍କର ଅଧିକ ବର୍ଷ ବଞ୍ଚି ରହିବାର କାରଣ ଭିତରୁ କିଛି। ସୁତରାଂ, ଏ ସବୁ ସୁଖୀ, ସୁସ୍ଥ ଏବଂ ଦୀର୍ଘାୟୁ ହେବାର ଚାବିକାଠି।

ଲକ୍ଷ୍ମୀବିହାର, ଭୁବନେଶ୍ବର

ସମ୍ବନ୍ଧିତ ଖବର