ଓଡ଼ିଆ ଆନ୍ଦୋଳନ ଓ ଅସ୍ମିତା

ପ୍ରୀତୀଶ ଆଚାର୍ଯ୍ୟ

ଊନବି˚ଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଶାରେ ଭାଷା ଅସ୍ମିତାର ଜାଗରଣ ଆରମ୍ଭ ହେଲା, ଯାହାର ପରିଣାମ ହେଲା ୧୯୩୬ ମସିହାରେ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ସରକାରୀ ସ୍ବୀକୃତି। ୧୯୩୫ ମସିହାର ଭାରତ ଆଇନରେ ଏହାର ଉଲ୍ଲେଖ ରହିଥିଲା। ଏହି ଜାଗରଣକୁ ଓଡ଼ିଆ ଆନ୍ଦୋଳନ କୁହାଯାଏ। ତା’ର କେତୋଟି ନିର୍ଦ୍ଦିଷ୍ଟ ଦିଗକୁ ନେଇ ଏହି ଆଲୋଚନା।

ଓଡ଼ିଆ ଆନ୍ଦୋଳନକୁ ସାଧାରଣତଃ ଜାତୀୟ ମୁକ୍ତି ସ˚ଗ୍ରାମଠାରୁ ଏକ ଭିନ୍ନ ଆନ୍ଦୋଳନ ରୂପେ କେହି କେହି ଦେଖିଥାନ୍ତି। ସେମାନଙ୍କ ଦୃଷ୍ଟିରେ, ଓଡ଼ିଆ ଆନ୍ଦୋଳନ ଆଞ୍ଚଳିକ ସ୍ବାର୍ଥ ରକ୍ଷା ପାଇଁ ଏବ˚ ଜାତୀୟତା ଆନ୍ଦୋଳନ ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ। ସେହି ଆଧାରରେ ଓଡ଼ିଆ ଆନ୍ଦୋଳନକୁ ରାଷ୍ଟ୍ରୀୟ ସ˚ଗ୍ରାମର ଏକ ସମାନ୍ତରାଳ ଜାଗରଣ ରୂପରେ ଚିହ୍ନିତ କରାଯାଏ। ରାଷ୍ଟ୍ରୀୟତାର ସ˚ଗ୍ରାମ ଓଡ଼ିଶାର ଆଞ୍ଚଳିକ ସ୍ବାର୍ଥକୁ ଆବଶ୍ୟକୀୟ ମହତ୍ତ୍ବ ନ ଦେବା କାରଣରୁ ଏକ ଆଞ୍ଚଳିକ ଆନ୍ଦୋଳନର ଆବଶ୍ୟକତା ପଡ଼ିଲା ବୋଲି ତର୍କ ଦିଆଯାଏ ଏବ˚ ଉଭୟ ଆନ୍ଦୋଳନ ପରସ୍ପରର ବିରୋଧୀ ବୋଲି କୁହାଯାଏ।

ଏହି ଧାରଣା ପୂର୍ଣ୍ଣତଃ ଭ୍ରମାତ୍ମକ ପ୍ରତୀତ ହୁଏ। ଏହାକୁ ବୁଝିବା ପାଇଁ ସ୍ବାଧୀନତା ସ˚ଗ୍ରାମର ଏକ ବ୍ୟାପକ ପରିଭାଷାର ଲୋଡ଼ା ପଡ଼େ। ଏକଥା ସତ ଯେ ଜାତୀୟତା ଆନ୍ଦୋଳନ ଭାରତରୁ ଇ˚ରେଜ ଶାସନକୁ ଦୂରୀଭୂତ କରିବାକୁ ଉଦ୍ଦିଷ୍ଟ ଥିଲା। ସମଗ୍ର ଭାରତ ବର୍ଷକୁ ଇ˚ରେଜ ଶକ୍ତି କବଳିତ କରିଥିବାରୁ ମୋଟ ଭାରତକୁ ଉପନିବେଶବାଦ ଭଳି ଏକ ସାଧାରଣ ଶତ୍ରୁ ବିରୋଧରେ ଏକଜୁଟ ହେବାକୁ ଅବସର ଦେଇଥିଲା। ଅର୍ଥାତ୍‌ ଭାରତ ଯଦି (ବିଦେଶୀ) ଇ˚ରେଜ ଦ୍ବାରା କବଳିତ ହୋଇନଥାନ୍ତା,ତେବେ, ଜାତୀୟତା ନାମରେ ଲୋକଙ୍କର ଏକଜୁଟ ହେବା ଏତେ ସହଜରେ ସମ୍ଭବ ହୋଇନଥାନ୍ତା। ଏକଥା ମଧୢ ଅନସ୍ବୀକାର୍ଯ୍ୟ ଯେ ଇ˚ରେଜ ଶାସନର କେବଳ ଉଚ୍ଛେଦ ଜାତୀୟତା ଆନ୍ଦୋଳନର ଏକମାତ୍ର ଲକ୍ଷ୍ୟ ନ ଥିଲା। ତା’ସହିତ ଏକ ଆଧୁନିକ ଏବ˚ ବିକଶିତ ଭାରତର ମଧୢ ତହିଁରେ ସ୍ବପ୍ନ ରହିଥିଲା। ୧୭୫୭ ମସିହାରେ ଫରାସୀ ଯୁଦ୍ଧରେ ବିଜୟ ପରଠାରୁ ଭାରତରେ ଇ˚ରେଜ ଶାସନର ଆରମ୍ଭ ହେଲା ଏବ˚ ତା’ ବିରୋଧରେ ନିରନ୍ତର ଭାବେ ଇ˚ରେଜ କବଳିତ ଅଞ୍ଚଳରେ ବିଦ୍ରୋହ ସ˚ଘଟିତ ହୋଇଥିଲା। ସେହିସବୁ ଆଦ୍ୟ-ବିଦ୍ରୋହରେ ଉକ୍ତ ଆଧୁନିକ ଭାରତର ସ୍ବପ୍ନ ସ˚ଯୋଜିତ ନ ଥିଲା ବୋଲି, ଆଦ୍ୟ-ବିଦ୍ରୋହଗୁଡ଼ିକୁ ଜାତୀୟତା ଆନ୍ଦୋଳନର ପର୍ଯ୍ୟାୟବାଚୀ ମନେ କରାଯାଏ ନାହିଁ, ଯଦିଓ ଉକ୍ତ ଆଦ୍ୟ-ବିଦ୍ରୋହରୁ ପରବର୍ତ୍ତୀକାଳୀନ ଜାତୀୟବାଦୀମାନେ ତ୍ୟାଗ ଏବ˚ ବଳିଦାନର ପ୍ରେରଣା ଲାଭ କରିଥିଲେ। ମୋଟ କଥା ହେଲା ଯେ, ଜାତୀୟତା ଆନ୍ଦୋଳନ ଉପନିବେଶବାଦ ବିରୋଧୀ ହେବା ସହିତ ପ୍ରାକ୍‌-ଇ˚ରେଜକାଳୀନ ସାମନ୍ତୀ ବ୍ୟବସ୍ଥାର ମଧୢ ବିରୋଧୀ ଥିଲା; ଏକ ଗଣତାନ୍ତ୍ରିକ, ସ˚ଘୀୟ, ସାମାଜିକ କୁସ˚ସ୍କାର ବିମୁକ୍ତ, ସଭ୍ୟ ଏବ˚ ଆଧୁନିକ ଶିକ୍ଷିତ ଭାରତ ଗଠନ କରିବାକୁ ଏହା ପ୍ରୟାସରତ ଥିଲା। ଜାତୀୟତାର ଅର୍ଥ ଭାରତରେ ମଧୢଯୁଗୀୟ ସାମନ୍ତୀ ବ୍ୟବସ୍ଥା ନୁହେଁ; ବର˚ ଉଭୟ ଉପନିବେଶବାଦ ଏବ˚ ସାମନ୍ତବାଦରୁ ନିବୃତ୍ତି ଲାଭ କରିବା। ଏଭଳି ଏକ ବ୍ୟାପକ ଦୃଷ୍ଟିକୋଣରୁ ଜାତୀୟତା ଆନ୍ଦୋଳନକୁ ପରିଭାଷିତ କଲେ, ଓଡ଼ିଆ ଭାଷା ଅସ୍ମିତାର ଜାଗରଣ ତହିଁରୁ ପୃଥକ୍‌ କିମ୍ବା ତାର ବିରୋଧୀ ପ୍ରତୀତ ହୁଏ ନାହିଁ। ଭାରତ ଏକ ବିଶାଳ ଦେଶ; ସବୁ କିସମର ବିବିଧତା ଏହାର ମୌଳିକ ଚରିତ୍ର। ଭିନ୍ନ ଭିନ୍ନ ପରିବେଶ ଏବ˚ ପରିସ୍ଥିତିରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଏହାର ଉଦ୍‌ଗମ, ଯାହା ସମୟ କ୍ରମେ ପରସ୍ପର ସହିତ ସମାହିତ। ଓଡ଼ିଆ ଆନ୍ଦୋଳନ ମଧୢ ସେହି କ୍ରମରେ ମହାଭାରତୀୟତାର ମୁଖ୍ୟ ସ୍ରୋତରେ ସମାହିତ ହୋଇଛି ଏବ˚ ସମାହିତ ହେଲା ପରେ ତା’ର ଗତି ଓ ରୂପ ପ୍ରଖର ହୋଇଛି। ତାକୁ ଜାତୀୟତା ଆନ୍ଦୋଳନ ଠାରୁ ପୃଥକ୍‌ ମନେ କରାଯାଇନପାରେ।

ଓଡ଼ିଆ ଆନ୍ଦୋଳନର ପ୍ରାରମ୍ଭିକ ରୂପ ପ୍ରକାଶ ପାଇଲା ୧୮୬୬ରେ କଟକରେ ଗୌରୀଶଙ୍କର ରାୟଙ୍କ ସ˚ପାଦନାରେ ‘ଉତ୍କଳ ଦୀପିକା’ର ପ୍ରକାଶନରୁ। ୧୮୬୫ରେ ନଅଙ୍କ ଦୁର୍ଭିକ୍ଷରେ ପୋକମାଛି ପରି ମରିଥିବା ଲକ୍ଷ ଲକ୍ଷ ନିରନ୍ନ ଲୋକ ସ˚ଖ୍ୟାନ୍ୟୂନ ଆଧୁନିକ ଶିକ୍ଷିତ ବର୍ଗ ମନରେ ଧାରଣା ସୃଷ୍ଟି କରିଥିଲେ ଯେ ଶିକ୍ଷାଲାଭ ବିନା ଏଭଳି ଦୁର୍ଗତିରୁ ନିବୃତ୍ତି ନାହିଁ; ସମ୍ବାଦପତ୍ରଗୁଡ଼ିକ ଲୋକ ଏବ˚ ପ୍ରଶାସନ ମଧୢରେ ଯୋଗସୂତ୍ରର କାମ କରିବ; କୁସ˚ସ୍କାରରୁ ବିମୁକ୍ତି ବିନା ଆଧୁନିକ ପ୍ରଗତି ଏବ˚ ସାମାଜିକ ବିକାଶ ସମ୍ଭବ ନୁହେଁ! ଆଧୁନିକ ଶିକ୍ଷିତବର୍ଗ ଏକଥା ମଧୢ ଅନୁଭବ କଲେ ଯେ ଓଡ଼ିଆ ଭାଷା ଓ ସ˚ସ୍କୃତି ଯଦି ଉନ୍ମୂଳନର ଶିକାର ହୁଏ, ଆଧୁନିକତାର ମାର୍ଗ ବିପନ୍ନ ହେବ; ଓଡ଼ିଆ କ୍ଷେତ୍ର ସମୂହର ଏକତ୍ରୀକରଣ ଏବ˚ ପରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟଗଠନ ପାଇଁ ମଧୢ ଦାବି କରାଗଲା। ଏଥିପାଇଁ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ର ଗଠନ ହେଲା। ଓଡ଼ିଆ ଆନ୍ଦୋଳନର ମୂର୍ତ୍ତ ରୂପ ଭାବରେ ‘ଉତ୍କଳ ସମ୍ମିଳନୀ’ର ସ୍ଥାପନାକୁ ନିଆଯାଇପାରିବ। ଅର୍ଥାତ୍‌, ସମ୍ମିଳନୀର ଗଠନର ବହୁ ପୂର୍ବରୁ ଆନ୍ଦୋଳନର ସୂତ୍ରପାତ ହୋଇ ସାରିଥିଲା। ଏହାର ଆରମ୍ଭ ଜାତୀୟତା ଆନ୍ଦୋଳନର ପଛରେ ନୁହେଁ, ଉଭୟେ ସମକାଳୀନ।

ଜାତୀୟତା ଆନ୍ଦୋଳନ ଏବ˚ ଓଡ଼ିଆ ଆନ୍ଦୋଳନ ମଧୢରେ କୌଣସି ବୈରଭାବ ନ ଥିଲା। ଏହା ପଛରେ ପ୍ରମାଣ ହେଲା ଯେ ୧୮୮୬ରେ ମାଡ୍ରାସରେ ଆୟୋଜିତ ଜାତୀୟ କ˚ଗ୍ରେସର ଦ୍ବିତୀୟ ବାର୍ଷିକ ଅଧିବେଶନ ଦିନରୁ ନିୟମିତ ଭାବେ ଓଡ଼ିଶାରୁ ପ୍ରତିନିଧିମାନେ ତହିଁରେ ଯୋଗ ଦେଉଥିଲେ। ଉତ୍କଳ ସମ୍ମିଳନୀ ସ୍ଥାପନାର ଦୀର୍ଘ ୨୧ ବର୍ଷ ପୂର୍ବରୁ ୧୮୮୨ରେ ମଧୁସୂଦନ ଦାସଙ୍କ ନେତୃତ୍ବରେ କଟକରେ ‘ଉତ୍କଳ ସଭା’ର ଗଠନ ହୋଇଥିଲା। ସେହି ଅବଧିରେ ବାଲେଶ୍ବରରେ ନ୍ୟାସନାଲ ସୋସାଇଟି (୧୮୭୮) ଏବ˚ ପାରଳାଖେମୁଣ୍ତିରେ ଉତ୍କଳ ହିତୈଷିଣୀ ସଭା (୧୮୮୧)ର ମଧୢ ଗଠନ ହୋଇଥିଲା। ଏହି ସଭାମାନଙ୍କର ପ୍ରତିନିଧି ଜାତୀୟ କ˚ଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଉଥିଲେ ଏବ˚ ଅଧିବେଶନରୁ ଫେରି ନିଜ ନିଜ ସ˚ଗଠନର ସଭ୍ୟମାନଙ୍କ ମଧୢରେ କ˚ଗ୍ରେସର ପ୍ରସ୍ତାବଗୁଡ଼ିକୁ ନେଇ ବିଚାର ଆଲୋଚନା କରୁଥିଲେ। ପ୍ରସ୍ତାବଗୁଡ଼ିକୁ ଓଡ଼ିଆରେ ମୁଦ୍ରିତ କରି ପ୍ରସାରଣ ମଧୢ କରାଯାଉଥିଲା। ମଧୁସୂଦନ ଦାସ ଥିଲେ ‘ଉତ୍କଳ ସମ୍ମିଳନୀ’ର ସବୁଠାରୁ ଶୀର୍ଷସ୍ତରୀୟ ନେତା ଏବ˚ ସେ ମୋଟ ୧୭ ଥର କ˚ଗ୍ରେସ ସମ୍ମିଳନୀରେ ଭାଗ ନେଇଥିବାର ପ୍ରମାଣ ରହିଛି। ୧୯୧୨ର ବାଙ୍କିପୁର କ˚ଗ୍ରେସରେ ତାଙ୍କୁ ସମ୍ବର୍ଦ୍ଧନା ସମିତିର ସଭ୍ୟ ମଧୢ ରଖାଯାଇଥିଲା। ଫକୀରମୋହନ ସେନାପତି ମାଡ୍ରାସ କ˚ଗ୍ରେସରେ ଯୋଗ ଦେବା ଅବଧିରେ ବାଳଗଙ୍ଗାଧର ତିଳକଙ୍କୁ ସେଠି ଭେଟିଥିବାର ନିଜ ‘ଆତ୍ମଜୀବନ ଚରିତ’ରେ ବର୍ଣ୍ଣନା କରିଛନ୍ତି। ‘ଉତ୍କଳ ସମ୍ମିଳନୀ’ର ଆବାହନୀ ସଙ୍ଗୀତ ‘‘ସର୍ବେଷା˚ ନୋ ଜନନୀ ଭାରତ, ଧରଣୀ କଳ୍ପଲତେୟମ’’ରେ ଭାରତ ବର୍ଷକୁ ସମସ୍ତଙ୍କର ମାତୃଭୂମି କୁଯାହାଇଥିଲା। ଯାହା ଉଭୟ ଆଞ୍ଚଳିକତା ଏବ˚ ମହାଭାରତୀୟତା ମଧୢରେ ଥିବା ଅନୁପୂରକତାକୁ ଦର୍ଶାଏ।

ଆରମ୍ଭରେ ଜାତୀୟତା ଆନ୍ଦୋଳନ ନରମପନ୍ଥୀ ଥିଲା ଏବ˚ ବ୍ରିଟିସ ସରକାର ପ୍ରତି ଉଗ୍ର ବିରୋଧ ପ୍ରଦର୍ଶନ କରି ନ ଥିଲା। ତା’ର ଜନାଧାର ମଧୢ ଅତି ସୀମିତ ଥିଲା। ବି˚ଶ ଶତାବ୍ଦୀର ଦ୍ବିତୀୟ ଦଶକରେ ଏହା ବିଭିନ୍ନ ଜାତୀୟ ଏବ˚ ଆନ୍ତର୍ଜାତିକ ଘଟଣାର ପ୍ରବାହରେ ପରିପକ୍ବତା ଲାଭ କରିଥିଲା। ଓଡ଼ିଆ ଆନ୍ଦୋଳନ ମଧୢ ତଦୁପ ଥିଲା। ବି˚ଶ ଶତାବ୍ଦୀର ଆରମ୍ଭ ଦଶକରେ ଏହାକୁ କ୍ରମଶଃ ଗୋପବନ୍ଧୁ ଦାସଙ୍କ ନେତୃତ୍ବାଧୀନ ଦ୍ବିତୀୟ ପିଢ଼ିର ଯୁବ ଜାତୀୟତାବାଦୀମାନେ ନିଜ କର୍ତ୍ତୃତ୍ବକୁ ଆଣିଥିଲେ। ଫଳରେ, ମଧୁସୂଦନ ଦାସଙ୍କ ପ୍ରଥମ ପିଢ଼ିର ଜାତୀୟତାବାଦୀଙ୍କ ସାମୟିକ ବିରୋଧ ସତ୍ତ୍ବେ ୧୯୨୦ରେ ‘ଉତ୍କଳ ସମ୍ମିଳନୀ’ ତା’ର ଚକ୍ରଧରପୁର ବାର୍ଷିକ ଅଧିବେଶନରେ ଜାତୀୟ କ˚ଗ୍ରେସରେ ସମାହିତ ହୋଇଥିଲା। ସେତେବେଳେ ଜାତୀୟ କ˚ଗ୍ରେସର ଓଡ଼ିଶା ଶାଖା ରୂପରେ ଉତ୍କଳ ପ୍ରାଦେଶିକ କ˚ଗ୍ରେସ କମିଟିର ମଧୢ ସ୍ଥାପନା ହୋଇଥିଲେ। ୧୮୮୫ରେ ସ୍ଥାପିତ ଜାତୀୟ କ˚ଗ୍ରେସର ଦୀର୍ଘ ୩୫ ବର୍ଷ ଉତ୍ତାରୁ ଓଡ଼ିଶାରେ ପ୍ରଥମ ଥର ଲାଗି ଶାଖା ଗଠନ ହେଲା ଓଡ଼ିଶା ଇତିହାସର ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ସ୍ବତନ୍ତ୍ର ପ୍ରଦେଶ ଗଠନର ଦୀର୍ଘ ୧୬ ବର୍ଷ ପୂର୍ବରୁ ଓଡ଼ିଶାକୁ କ˚ଗ୍ରେସ ଏକ ‘ପ୍ରଦେଶ’ ମାନ୍ୟତା ପ୍ରଦାନ କଲା, ଯାହା ଓଡ଼ିଆ ଆନ୍ଦୋଳନର ଏକ ମହାନ ଉପଲବ୍‌ଧିକୁ ଇଙ୍ଗିତ କରେ।

ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର ଇତିହାସରେ ‘ସତ୍ୟବାଦୀ’ ଗୋଷ୍ଠୀର ଉଦୟକୁ ଏକ ନୂତନ ଯୁଗ ଭାବରେ ଦେଖାଯାଏ। ତା’ପୂର୍ବରୁ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ ଏବ˚ ଗଙ୍ଗାଧର ମେହେର ଆଦିଙ୍କ ସୃଷ୍ଟି ସମ୍ଭାରକୁ ଆଧୁନିକ ଓଡ଼ିଆର ପ୍ରାରମ୍ଭିକ କାଳ ରୂପରେ ଚିହ୍ନିତ କରାଯାଏ। ଆରମ୍ଭିକ ସମୟରେ ଓଡ଼ିଆରେ ଗଦ୍ୟ ସାହିତ୍ୟର ଆରମ୍ଭ ହେଲା ଏବ˚ ପୌରାଣିକ କଥାବସ୍ତୁରେ ସୁଦ୍ଧା ଗଣତନ୍ତ୍ର, ବ୍ୟକ୍ତି ସ୍ବତନ୍ତ୍ରତା, ହେତୁବାଦିତା ଏବ˚ ଯୌକ୍ତିକତା ଆଦି ଆଧୁନିକ ବିଚାରର କର୍ତ୍ତୃତ୍ବ ଦେଖିବାକୁ ମିଳିଲା; ତହିଁରେ ସାମାଜିକ ସ˚ସ୍କାର ପାଇଁ ମଧୢ ଆହ୍ବାନ ରହିଥିଲା। ଏହି ଭାବଧାରାର ପରିପକ୍ବତା ଅନୁଭୂତ ହେଲା ‘ସତ୍ୟବାଦୀ’ ଯୁଗୀୟ ସାହିତ୍ୟରେ, ଯାହାର ମେରୁଦଣ୍ତ ଥିଲେ ଦ୍ବିତୀୟ ପିଢ଼ିର ଯୁବ ଜାତୀୟତାବାଦୀ ଗୋଷ୍ଠୀ। ସହଜ ଏବ˚ ସରଳ ଭାଷା ତଥା ସମୂହ ପାଇଁ ବ୍ୟକ୍ତିର ତ୍ୟାଗକୁ ଏଥିରେ ମହତ୍ତ୍ବ ଦିଆଗଲା। ଗୋପବନ୍ଧୁ ଦାସଙ୍କ ପାଇଁ କିଶୋର ‘ଧର୍ମପଦ’ ଏକ ଆଦର୍ଶ, କାରଣ ସେ ବିଶାଳ ସମୂହ ଏବ˚ ଜାତି ନିମନ୍ତେ ନିଜକୁ ବଳି ଦେବାକୁ ଆଗଭର ହୋଇଥିଲା। ଗୋପବନ୍ଧୁ ଏବ˚ ସତ୍ୟବାଦୀ ଗୋଷ୍ଠୀ ଦ୍ବାରା ପ୍ରକାଶିତ ‘ସମାଜ’ ପତ୍ରିକାର ସହଜ ଏବ˚ ସରଳ ଭାଷା ଲୋକାଭିମୁଖୀ ଜାତୀୟତାର ପ୍ରତୀକ ଥିଲା। ହରେକୃଷ୍ଣ ମହତାବ, ବୀର କିଶୋର ଦାସ ଏବ˚ ବା˚ଛାନିଧି ମହାନ୍ତି ଆଦି ପ୍ରତ୍ୟକ୍ଷ ଭାବରେ ‘ସତ୍ୟବାଦୀ’ ଗୋଷ୍ଠୀର ସଭ୍ୟ ନ ଥିଲେ ବି ନିଜ ନିଜ ସୃଜନୀରେ ‘ସତ୍ୟବାଦୀ’ ବିଚାରକୁ ପରିପୁଷ୍ଟ କରିଛନ୍ତି। ଅନ୍ୟ ଶବ୍ଦରେ କହିଲେ, ଦ୍ବିତୀୟ ପିଢ଼ିର ଜାତୀୟତାବାଦୀମାନେ ଉଭୟ ଉଗ୍ର ବ୍ରିଟିସ ବିରୋଧୀ ୍ରାଭିମୁଖ୍ୟ ସାଙ୍ଗରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପ୍ରତି ସମାନ ଭାବରେ ସଚେତନ ଥିଲେ। ବ୍ରିଟିସ ଶକ୍ତିର ବିରୋଧ ନିମନ୍ତେ ସେମାନେ ଆଞ୍ଚଳିକ ଭାଷା ଅସ୍ମିତାକୁ ଗୌଣ ମନେ କରିଥିଲେ ବୋଲି କେହି ଅଭିଯୋଗ କରିପାରିବେ ନାହିଁ।

୧୯୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନ ଓଡ଼ିଆ ଆନ୍ଦୋଳନର ଏକ ଉପଲବ୍‌ଧି ଥିଲା। ମାତ୍ର ତା’ର ଚରମ ଉପଲବ୍‌ଧି ହେଲା ୧୯୪୮ରେ ଗଡ଼ଜାତଗୁଡ଼ିକର ଓଡ଼ିଶାରେ ସମ୍ମିଶ୍ରଣ। ମୋଟ ୨୬ଟି ଗଡ଼ଜାତର ସମ୍ମିଶ୍ରଣ ବିନା ଓଡ଼ିଶା ପୂର୍ଣ୍ଣ ରୂପ ଲାଭ କରିପାରିନଥାନ୍ତା। ଦ୍ବିତୀୟତଃ, ୧୯୩୦ ଏବ˚ ୧୯୪୦ ଦଶକରେ ଗଡ଼ଜାତ ପ୍ରଜା ମଣ୍ତଳ ଆନ୍ଦୋଳନରେ କ˚ଗ୍ରେସର ପ୍ରତ୍ୟକ୍ଷ ସମ୍ପୃକ୍ତି ହୋଇନଥିଲେ ଗଡ଼ଜାତ ସମ୍ମିଶ୍ରଣ ଏବ˚ ଗଡ଼ଜାତ ଗୁଡ଼ିକରେ ଗଣତାନ୍ତ୍ରିକତା ଏବ˚ ବ୍ୟକ୍ତି ସ୍ବାଧୀନତା ଆଦି ସାମନ୍ତବାଦ ବିରୋଧୀ ବିଚାରର ପ୍ରଚଳନ ସହଜ ହୋଇନଥାନ୍ତା। ଆରମ୍ଭରୁ ୧୯୨୦ ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନର ଉଦାରବାଦୀ ନେତୃତ୍ବ ଓଡ଼ିଶାରେ ଗଡ଼ଜାତର ସମ୍ମିଶ୍ରଣ ତଥା ସାମନ୍ତବାଦ ବିରୋଧୀ ପ୍ରସଙ୍ଗକୁ ସର୍ବଦା ଉହ୍ୟ କରି ରଖିଥିଲେ, କାରଣ ଉଦାରବାଦୀ ନେତୃତ୍ବରେ ସାମନ୍ତବାଦୀ ରାଜା-ରାଜୁଡ଼ା ବର୍ଗ ମଧୢ ଓଡ଼ିଆ ଆନ୍ଦୋଳନରେ ସାମିଲ ଥିଲେ।

୧୯୨୦ ପର ଠାରୁ ଓଡ଼ିଆ ଆନ୍ଦୋଳନ କ˚ଗ୍ରେସରେ ମିଶିଗଲା ପରେ ରାଜାରାଜୁଡ଼ା ବର୍ଗ ଆନ୍ଦୋଳନରୁ ବାହାରି ଆସିଲେ। ଫଳରେ, ଓଡ଼ିଶାରେ ଜାତୀୟତା ଆନ୍ଦୋଳନ ସ୍ପଷ୍ଟ ରୂପେ ବ୍ରିଟିସ ବିରୋଧୀ ହେବା ସହିତ ସାମନ୍ତବାଦିତାର ମଧୢ ଦୃଢ଼ ପ୍ରତିରୋଧ କରିବାକୁ ଅବସର ପାଇଲା। ୧୯୨୧-୨୨ରେ କନିକା ପ୍ରଜା ଆନ୍ଦୋଳନ ଏବ˚ ତହିଁରେ ଉତ୍କଳ ପ୍ରଦେଶ କ˚ଗ୍ରେସର ସମ୍ପୃକ୍ତି ହେଲା ଏହାର ପ୍ରତ୍ୟକ୍ଷ ପ୍ରମାଣ।
ଉପସ˚ହାରରେ ଏତିକି କହିବା ଯଥେଷ୍ଟ ହେବ ଯେ ଓଡ଼ିଆ ଆନ୍ଦୋଳନ ଏବ˚ ମହାଭାରତୀୟ ମୁକ୍ତି ସ˚ଗ୍ରାମ ପରସ୍ପରର ପରିପୂରକ। ଦେଶ ଏବ˚ ପ୍ରଦେଶ କିମ୍ବା ରାଜ୍ୟ ଏବ˚ ରାଷ୍ଟ୍ର ମଧୢରେ ତଥା ଏକ ସ˚ଘୀୟ ବ୍ୟବସ୍ଥାରେ ଯେଉଁ ପରିପୂରକତା, ତାହା ଏହି ଉଭୟ ରାଜନୈତିକ ଚେତନା ମଧୢରେ ବି ପରିଦୃଷ୍ଟ ହୁଏ। ଓଡ଼ିଆ ଅସ୍ମିତାର ପରିପୁଷ୍ଟି ହେଉଛି ରାଷ୍ଟ୍ରୀୟ ବିବିଧତାର ଦ୍ୟୋତକ। ଏହା ଭାରତୀୟ ରାଷ୍ଟ୍ରୀୟତାକୁ ଛିନ୍ନମୂଳ ହେବାକୁ ଦିଏ ନାହିଁ; ଅଧିକ ବଳଶାଳୀ କରାଏ।

[email protected]

ସମ୍ବନ୍ଧିତ ଖବର