ମଣିଷର କେ‌ତେ କେତେ ମୁଖା!

ସରସ ରସ - ସୁଭାଷ ପଟ୍ଟନାୟକ

ଆମେ ଏବେ ନିଜ ମୁହଁରେ ଯେଉଁ ମୁଖା ପିନ୍ଧୁଛୁ ସେଇଟା ତ ଗୋଟିଏ ବାହ୍ୟ ଆବରଣ, ଆମର ସୁରକ୍ଷା ପାଇଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ମନୁଷ୍ୟ ପିନ୍ଧିଥିବା ଅନ୍ୟ ମୁଖାମାନଙ୍କ କଥା, ଯେଉଁ ମୁଖାଗୁଡ଼ିକ ପଛରେ ତାର ପ୍ରକୃତ ଚେହେରା ଓ ଚରିତ୍ର ଲୁଚି ରହିଥାଏ। ସେଇ ମୁଖା ପିନ୍ଧି ସେ ନିଜର ଏକାଧିକ ପ୍ରତାରଣାପୂର୍ଣ୍ଣ ଚେହେରା ପ୍ରଦର୍ଶନ କରିଥାଏ। ପେଟରେ ଗୋଟିଏ କଥା ଲୁଚାଇ ରଖି ମୁହଁରେ ଆଉ ଗୋଟିଏ କଥା କୁହେ। ଡାହାଣୀ ହୋଇ ଲାଗି ଯାଏ, ପୁଣି ଗୁଣିଆ ହୋଇ ଡାହାଣୀ ଛଡ଼ାଏ। ସମ୍ମୁଖରେ ସୁନ୍ଦର କଥା କହି ପଛରୁ ଗୋଡ଼ ଟାଣି ଦିଏ। ମୁଖା ତଳେ ଛପି ରହି ‘ବିଷକୁମ୍ଭଂ ପୟମୁଖଂ’ ଚରିତ୍ର ପ୍ରଦର୍ଶନ କରେ। ଆମେ ସମସ୍ତେ ଏହିପରି ଅନେକ ମୁଖା ପିନ୍ଧି ବିଚରଣ କରୁଛେ। ଆମର ପ୍ରକୃତ ସ୍ବରୂପ ମୁଖା ଗୁଡ଼ିକ ମଧ୍ୟରେ ଛପି ରହିଛି। ପରିସ୍ଥିତି ଓ ପରିବେଶକୁ ଦେଖି ଆମେ କେବଳ ମୁଖା ବଦଳେଇ ଚାଲିଛେ। ମୁଖା ମଧ୍ୟରେ ଥାଇ ନା’ ଆପଣ ମୋର ପ୍ରକୃତ ଚରିତ୍ରକୁ ଦେଖିଛନ୍ତି, ନା’ ମୁଁ ଆପଣଙ୍କର ପ୍ରକୃତ ଚରିତ୍ରକୁ ଜାଣିଛି। ମୁଖାର ଆବରଣ ତଳେ ଥାଇ ଆମେ ଆମର ପିତାମାତା, ସ୍ତ୍ରୀ, ପୁତ୍ରକନ୍ୟା, ସାଙ୍ଗସାଥି, ବନ୍ଧୁ ପରିଜନ, ସମସ୍ତଙ୍କୁ ଭିନ୍ନ ଭିନ୍ନ ଚେହେରା ଦେଖାଇ ଚାଲିଛେ। ମୁଖା ଆମ ଚରିତ୍ରର ଏକ ବିରୋଧାଭାସ ପାଲଟି ଯାଇଛି।

ମନୁଷ୍ୟ ଏପରି କାହିଁକି କରେ? ଏହା ପଛରେ ଅନେକ କାରଣ। ସ୍ବାର୍ଥ ସିଦ୍ଧି, ଈର୍ଷା, ଅହଙ୍କାର ଓ ହୀନମନ୍ୟତା ଯୋଗୁଁ ଆମକୁ ମୁଖାଟିଏ ପିନ୍ଧିବାକୁ ପଡ଼େ। ଆତ୍ମନିଷ୍ଠ ମନୁଷ୍ୟ ଯେତେବେଳେ ଜୀବନର କିଛି ଅପ୍ରତ୍ୟାଶିତ ସମସ୍ୟାକୁ ସାମନା କରେ, ନିଜକୁ ଏକ ଆବରଣ ମଧ୍ୟରେ ରଖି ତାର ପ୍ରକୃତ ଚରିତ୍ରକୁ ଅନ୍ୟ ଠାରୁ ଲୁଚାଇ ଥାଏ। ସେଇ ଆବରଣଟି ତା ଚରିତ୍ରର ଏକ ବିରୋଧାଭାସ। ଗୋଟିଏ ମୁଖା। ଉଇଲିୟମ ହାଜଲିଟ୍ ତାଙ୍କ ଭ୍ରମଣ କାହାଣୀ ‘ଏ ଜର୍ନି ଥ୍ରୁ ଫ୍ରାନ୍‌ସ ଏଣ୍ଡ୍ ଇଟାଲି’ ପୁସ୍ତକରେ ଲେଖିଛନ୍ତି, “ମନୁଷ୍ୟ ଏକ ଛଳନାରେ ପରିପୂର୍ଣ୍ଣ ଜୀବ। ପ୍ରତି ମୁହୂର୍ତ୍ତରେ ସେ କଳ୍ପନା ଓ ସ୍ବପ୍ନ ଜଗତ୍‌ରେ ବିଚରଣ କରୁଥାଏ। ସେଥି ପାଇଁ ଏକ ଆବରଣ ମଧ୍ୟରେ ତାର ପ୍ରକୃତ ‘ମୁଁ’ ଟିକୁ ଲୁଚାଇବାକୁ ବାଧ୍ୟ ହୁଏ। ଅନେକ ସମୟରେ ମନୁଷ୍ୟ ଚରିତ୍ରର ବିବିଧତା ତାର ଆତ୍ମସଂଘର୍ଷରୁ ସୃଷ୍ଟି ହୋଇଥାଏ, ତେଣୁ ତାକୁ ଅନେକ ପରିବର୍ତ୍ତନଶୀଳ ଚେହେରା ଧାରଣ କରିବାକୁ ପଡ଼େ। ବେଳେ ବେଳେ ଆମେ ଆମର ପ୍ରକୃତ ମୂଲ୍ୟବୋଧ ଗୁଡ଼ିକର ସୁରକ୍ଷା ପାଇଁ ମୁଖା ଭିତରେ ଲୁଚି ରହିବାକୁ ବାଧ୍ୟ ହେଉ। ଏହାକୁ ଦାର୍ଶନିକ ନିତସେ କହିଛନ୍ତି- ‘ଏଭ୍ରି ପ୍ରୋଫାଉଣ୍ଡ ସ୍ପିରିଟ୍ ନିଡସ୍ ଏ ମାସ୍କ୍’। ପ୍ରତ୍ୟେକ ଅନ୍ତର୍ଦୃଷ୍ଟି ସଂପନ୍ନ ବ୍ୟକ୍ତି ମୁଖାଟିଏ ଆବଶ୍ୟକ କରେ। ମନସ୍ତତ୍ତ୍ବବିତ୍ କାର୍ଲ‍୍ ୟୁଙ୍ଗଙ୍କର ମତ କିଛି ଅଲଗା। ମନୁଷ୍ୟ ଓ ତାର ପ୍ରତିରୂପ ବା ‘ପର୍ସୋନା’କୁ ନେଇ ତାଙ୍କ ପୁସ୍ତକ: ‘ଟୁ ଏସେଜ୍ ଅନ୍ ଆନାଲିଟିକାଲ ସାଇକଲୋଜି’ ରେ ସେ ଲେଖିଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ଚରିତ୍ରରେ ଏକ ଅନ୍ଧକାର ପାର୍ଶ୍ବ ରହିଛି। ତାହା ତାର ‘ସ୍ୟାଡୋ’ ବା ପ୍ରତିବିମ୍ବ। ଏହି ପ୍ରତିବିମ୍ବଟି ହେଉଛି ତାର ସାମାଜିକ ମୁଖା, ଯାହା ସେ ବାହାରକୁ ଦେଖାଇ ଥାଏ ଓ ତାର ପ୍ରକୃତ ସ୍ବରୂପ ପ୍ରତିବିମ୍ବ ପଛରେ ଲୁଚି ରହେ। ସେ ଭିତରେ ହସି ବାହାରେ କାନ୍ଦେ, ବାହାରେ ହସି ଭିତରେ କାନ୍ଦେ, ବାହାରେ ଅନୁକମ୍ପା ଦେଖାଇ ପଛରେ ତାଚ୍ଛଲ୍ୟ କରେ କିମ୍ବା ବାହାରକୁ ମିଠା କଥା କହି ପଛରୁ ଗୋଛି କାଟିଦିଏ। ମନୁଷ୍ୟ ଏତେଗୁଡ଼ିଏ ମୁଖା ମଧ୍ୟରେ ନିଜର ପ୍ରକୃତ ସ୍ବରୂପକୁ ଲୁଚାଇଥାଏ ଯେ, ଗୋଟିଏ ମୁଖା ଖସି ଗଲେ, ଆଉ ଗୋଟିଏ ସାମନାକୁ ଚାଲି ଆସେ। ଆମେ ପ୍ରସଙ୍ଗ କ୍ରମେ କହିଥାଉ, ‘ଅସଲ ରୂପ ଦେଖାଇ ଦେଲା’। କିନ୍ତୁ ସେଇଟି ତାର ଅସଲ ଚେହେରା ନୁହେଁ, ପରନ୍ତୁ ଆଉଗୋଟିଏ ମୁଖା। ମୁଖାଧାରୀ ମନୁଷ୍ୟ ଅନ୍ୟମାନଙ୍କୁ ତା ନିଜ ପରି ହେବାକୁ ଆଶା କରେ। ନିଜର ମୁଖା ଯଦି କଳା ହୁଏ, ଅନ୍ୟର ନୀଳ ମୁଖା ତାର ଗ୍ରହଣୀୟ ହୁଏ ନାହିଁ। ସର୍ବଦା ମୁଖା ମଧ୍ୟରେ ରହି ରହି ମନୁଷ୍ୟର ଜୀବନରେ ଏପରି ଏକ ସମୟ ଆସେ, ଯେତେବେଳେ ମୁହଁରୁ ମୁଖାକୁ ଆଉ ଅଲଗା କରି ହୁଏନା। ଓଲଟି ମୁଖା ତାକୁ ହିଁ ପିନ୍ଧି ସାରିଥାଏ। ଏହାକୁ ଲକ୍ଷ୍ୟ କରି ଓସ୍କାର ୱାଇଲଡ୍ କହିଛନ୍ତି, ‘ବି ୟୋରସେଲଫ୍’, ଅର୍ଥାତ, ତୁମେ କିଏ, ତୁମେ କେଉଁଠି, ତୁମେ କାହା ସହିତ ଅଛ, ସବୁଠାରେ ନିଜକୁ ନିଜ ରୂପରେ ହିଁ ପ୍ରକାଶ କର, ନିଜର ଅପର ସ୍ବରୂପରେ ନୁହେଁ। ଏକ ପ୍ରକାର କଥା କୁହ। ତୁମର ଚରିତ୍ର ଓ ମୂଲ୍ୟବୋଧ ସବୁ ସ୍ଥାନରେ ଏକ ପ୍ରକାର ରହୁ, ଯାହା ଫଳରେ ପ୍ରତ୍ୟେକ ବ୍ୟକ୍ତି ତୁମର ପ୍ରକୃତ, ମୁଖା ବିହୀନ ଚେହେରା ଦେଖି ପାରିବେ।

ସର୍ବଦା ମୁଖା ମଧ୍ୟରେ ରହି ରହି ଆମେ ଆମର ପ୍ରକୃତ ପରିଚୟ ଭୁଲି ଯାଉଛେ। ସେ ଆବରଣ ମଧ୍ୟରୁ ନିଜକୁ ଅଲଗା କରିବା ଅସମ୍ଭବ ହୋଇ ପଡୁଛି। ରୂପାନ୍ତରିତ ଚେହେରା ମଧ୍ୟରେ ଆମର ନିଜତ୍ବ ହଜି ଯାଉଛି। ଏକ କୃତ୍ରିମ ଆବରଣ ମଧ୍ୟରେ ଆମକୁ ଜିଇବାକୁ ପଡୁଛି। ଆମେ ଭାବି ନେଇଛେ ଯେ, ମୁଖାର ଅନ୍ତରାଳରେ ରହି ଆମେ ବାସ୍ତବତାର ଅନିର୍ବଚନୀୟ, ଅବ୍ୟକ୍ତ ଓ ଅନ୍ତିମ ମର୍ମ ବୁଝିପାରିବା, କିନ୍ତୁ ତାହା କ’ଣ ସମ୍ଭବ? କାରଣ ଆମେ ସମସ୍ତେ ତ ମୁଖା ଭିତରେ ଲୁଚିଛେ। ଆମେ ସେଇଥି ପାଇଁ ପ୍ରଶ୍ନ ହୋଇ ସାମନାକୁ ଆସିଲେ ମଧ୍ୟ ନିଜେ ନିଜର ଉତ୍ତର ପାଲଟି ଯାଉଛେ। କବି ନିଦା ଫାଜଲୀଙ୍କର କବିତା ଧାଡ଼ିଏ ମନେ ପକାନ୍ତୁ, ‘ହର୍ ଆଦମୀ ମୈ ହୋତେ ହୈଁ ଦଶ ବିଶ ଆଦମୀ, ଜିସକୋ ଭି ଦେଖନା ହୋ, କଇ ବାର୍ ଦେଖନା’। ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଦଶ, କୋଡ଼ିଏ ମନୁଷ୍ୟ ଅଛନ୍ତି। ଯାହାକୁ ଦେଖିବାକୁ ଚାହଁ ବାରମ୍ବାର ଦେଖ।

ଆମେ ସମସ୍ତେ ନିଜ ମୁହଁରୁ ମୁଖାଟିମାନ ଖୋଲି ଦେଇ ଆମର ପ୍ରକୃତ ଚିତ୍ର ଓ ଚରିତ୍ରକୁ ନେଇ କ’ଣ ବଞ୍ଚି ପାରିବାନି? ଆମର ଅପର ସ୍ବରୂପ ନୁହେଁ, ନିଜସ୍ବ ସ୍ବରୂପ ମଧ୍ୟରେ କ’ଣ ଏକ ଭାବପୂର୍ଣ୍ଣ ସୌହାର୍ଦ୍ଦ୍ୟର ସଂପର୍କ ରହି ପାରିବନି? ଏ ସତ-ମିଛ, ପ୍ରତାରଣା, ଗୋଡ଼ଟଣା ବ୍ୟତୀତ ଆମେ କ’ଣ ଏକ ଅପରର ହୃଦୟରେ ସ୍ଥାନ ପାଇ ପାରିବାନି?

ଆମେ ଏବେ ଗୋଟିଏ ଅସ୍ତିତ୍ବର ସଙ୍କଟ ମଧ୍ୟ ଦେଇ ଗତି କରୁଛେ। ଏହା ଆମକୁ ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ହେବାର ମାନେ କ’ଣ, ପଚାରି ଚାଲିଛି। ଏ ପ୍ରଶ୍ନର ଉତ୍ତର ଦେବ ବା କିଏ! ଗୋଟିଏ କଥା କରିବା, ଏବେ ଆସନ୍ତୁ ଆମର ମୁଖାଗୁଡ଼ିକୁ ଖୋଲି ଫିଙ୍ଗିଦେବା ଓ ପରସ୍ପରର ଅସଲ ଚେହେରାକୁ ଚିହ୍ନିବା। ଏକ ନୂତନ ଦିଗନ୍ତ ଆଡ଼କୁ ଆଗେଇବା। ନିଜକୁ ନିଜ ମାଧ୍ୟମରେ ହିଁ ପ୍ରକାଶ କରିବା। ନିଜର ଅପର ସ୍ବରୂପ ନୁହେଁ, ନିଜକୁ ହିଁ ସାମନାକୁ ଆଣିବା। ଏକ ଭବ୍ୟ ଆତ୍ମାର ଅଧିକାରୀ ଆମେ। ଦୁନିଆ ସେହି ରୂପରେ ହିଁ ଆମର ପରିଚୟ ପାଉ। ଆମର ମୁଖା ପିନ୍ଧିବାର ଆବଶ୍ୟକତା ନାହିଁ। ନିଜର ପ୍ରକୃତ ବ୍ୟକ୍ତିତ୍ବକୁ ଦେଖିବା ପାଇଁ କେବଳ ଗୋଟିଏ ଦର୍ପଣ ହେଲେ ଯଥେଷ୍ଟ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର