ଭ୍ୟାକ୍‌ସିନ କୂଟନୀତିର ଲମ୍ୱା ଖେଳ

ସରଳ ବିଚାର - ସରଳ କୁମାର ଦାସ

ଜାତିସଂଘର ସେକ୍ରେଟାରି ଜେନେରାଲ ଆଣ୍ଟୋନିଓ ଗୁଟେରସ ୨୦୨୧ ଜାନୁଆରି ମାସରେ ଉଦ୍‌ବେଗ ପ୍ରକାଶ କରି କହିଥିଲେ, ‘ଆଜି ଆମେ ଏକ ‘ଭ୍ୟାକ୍‌ସିନ ଶୂନ୍ୟତା’କୁ ଦେଖୁଛେ। ଉଚ୍ଚ ଆୟକାରୀ ଦେଶଗୁଡ଼ିକଙ୍କ ନିକଟରେ ତୁରନ୍ତ ଭ୍ୟାକ୍‌ସିନ ପହଞ୍ଚି ଯାଉଥିବା ବେଳେ ବିଶ୍ୱର ଦରିଦ୍ର ଦେଶଗୁଡ଼ିକ କିଛି ପାଉ ନାହାନ୍ତି। ବିଜ୍ଞାନ ସଫଳ ହେଉଛି- ହେଲେ ପାରସ୍ପରିକ ନିର୍ଭରଶୀଳତା ବିଫଳ ହେଉଛି ।’ ତାଙ୍କର ଏହି ମନ୍ତବ୍ୟ ପଛର କାରଣ ଥିଲା କିଛି ଦେଶ ସେମାନଙ୍କ ଆବଶ୍ୟକତା ଠାରୁ ଅଧିକ ଟିକା ମହଜୁଦ କରି ରଖିବା। ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ସବୁ ସରକାରଙ୍କ କର୍ତ୍ତବ୍ୟ ହୋଇଥିଲେ ବି ଅନ୍ୟ ଦେଶ କଥା ନ ଭାବି କେବଳ ନିଜ ଦେଶ କଥା ଭାବିବା ‘ଭ୍ୟାକ୍‌ସିନ ଜାତୀୟତାବାଦ’କୁ ଜନ୍ମ ଦେଲା। ବସ୍ତୁତଃ, ଆମେରିକା, କାନାଡା, ପଶ୍ଚିମ ଇଉରୋପର କିଛି ଦେଶ ଏହାକୁ ଅନୁସରଣ କରି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ଆବଶ୍ୟକତାକୁ ଅଣଦେଖା କରିବାରୁ ସାରା ବିଶ୍ୱରେ ଏକ ଭ୍ୟାକ୍‌ସିନ ଶୂନ୍ୟତା ଦେଖା ଦେଲା। ଚୀନ ଓ ରୁଷିଆ ଏହି ବିଶାଳ ଶୂନ୍ୟତାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ଲୋକସମ୍ପର୍କ ଅଭିଯାନ ମାଧ୍ୟମରେ ନିଜକୁ ବିକାଶଶୀଳ ଦେଶଙ୍କ ତ୍ରାଣକର୍ତ୍ତା ରୂପେ ଉପସ୍ଥାପିତ କରିବାର ପ୍ରଚେଷ୍ଟା ସହ ଭ୍ୟାକ୍‌ସିନ କୂଟନୀତିର ଲମ୍ୱା ଖେଳ ଖେଳିବାକୁ ପ୍ରସ୍ତୁତ ହୋଇଗଲେ। ଉଭୟ ଦେଶ କେବଳ ସ୍ୱଳ୍ପ ମିଆଦୀ ଟିକା ଆବଶ୍ୟକତା ପୂରଣ କରି ପ୍ରଶଂସା ସାଉଁଟିବା ପାଇଁ ନୁହେଁ; ବରଂ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦେଶରେ ଟିକା ଉତ୍ପାଦନ କେନ୍ଦ୍ରଠାରୁ ଆରମ୍ଭ କରି ସ୍ଥାନୀୟ ଶ୍ରମିକଙ୍କୁ ଟିକା ଉତ୍ପାଦନ ଲାଗି ତାଲିମ ଦେବାର ବ୍ୟବସ୍ଥା କଲେ।

ଔଷଧ କମ୍ପାନି ଓ ଦେଶଗୁଡ଼ିକ ମଧ୍ୟରେ ହେଉଥିବା ନିୟମିତ ଚୁକ୍ତି ଠାରୁ ଭ୍ୟାକ୍‌ସିନ କୂଟନୀତି ସମ୍ପୂର୍ଣ୍ଣ ଅଲଗା। ଟିକା ଯୋଗାଣ ପାଇଁ ଦୁଇଟି ସାର୍ବଭୌମ ଦେଶ ମଧ୍ୟରେ ହେଉଥିବା ଚୁକ୍ତି ଭ୍ୟାକ୍‌ସିନ କୂଟନୀତିର ଅଂଶ ବିଶେଷ, ଯାହାର ବ୍ୟାବସାୟିକ ତାତ୍ପର୍ଯ୍ୟ ଠାରୁ (ଭୂ)ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ। ଅନେକ ସମୟରେ ଭ୍ୟାକ୍‌ସିନ ଯୋଗାଣ ପଛରେ ଯୋଗାଉଥିବା ଦେଶର ପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥାଏ। ଉଭୟ ଚୀନ ଓ ରୁଷିଆର ଭ୍ୟାକ୍‌ସିନ କୂଟନୀତି ପଛରେ ଯେଉଁ ତିନିଟି ଲକ୍ଷ୍ୟ ରହିଛି ସେଗୁଡ଼ିକ ହେଲା, ବିଶ୍ୱ ସ୍ତରରେ ସେମାନଙ୍କ ଉପସ୍ଥିତିକୁ ସୁଦୃଢ଼ କରିବା, ବିକାଶଶୀଳ ଦେଶଗୁଡ଼ିକ (ବିଶେଷ କରି ଯେଉଁ ଦେଶ ଉପରେ ପାଶ୍ଚାତ୍ୟ ଦେଶର ପ୍ରଭାବ ହ୍ରାସ ପାଇଛି) ସହ ସମ୍ପର୍କକୁ ଘନିଷ୍ଠ କରିବା, ନିଜକୁ ଟିକାର ନିର୍ଭରଯୋଗ୍ୟ ଯୋଗାଣକାରୀ (କୋଭିଡ୍‌ ଟିକାକକରଣ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହେବାକୁ ଯାଉଥିବାରୁ) ଭାବେ ପ୍ରତିଷ୍ଠିତ କରାଇବା। ଏଥିପାଇଁ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ଉପରେ ସେମାନେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଉଭୟ ଦେଶଙ୍କର ବିଶ୍ୱାସ ଯେ ଟିକା ପାଉଥିବା ପ୍ରତିଟି ଦେଶ ସେମାନଙ୍କ ପ୍ରତି କୃତଜ୍ଞ ରହିବେ ଓ ପ୍ରତିବଦଳରେ ସେମାନଙ୍କ ପ୍ରତ୍ୟାଶା ପ୍ରତି ଅସମ୍ମତି ଜଣାଇବେ ନାହିଁ। ସେହି ପ୍ରତ୍ୟାଶା ଜାତିସଂଘ ଏବଂ ବିଭିନ୍ନ ମଞ୍ଚ ଓ ପ୍ରସଙ୍ଗରେ ସମର୍ଥନ ଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ପଦ ହାତେଇବା, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ମଞ୍ଜୁରି, ବାଣିଜ୍ୟ ବୃଦ୍ଧି, ପ୍ରତିରକ୍ଷା ସାମଗ୍ରୀ କ୍ରୟ, ୫ ଜି ଟେକ୍ନୋଲୋଜି, ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଆଦି ପର୍ଯ୍ୟନ୍ତରେ କିଛି ବି ହୋଇପାରେ ।

ଅପ୍ରେଲ ୨୦୨୦ରୁ ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାରୁ ସେଠାରେ ଲକ୍‌ଡାଉନ୍‌ ନ ହୋଇ କଳକାରଖାନାଗୁଡ଼ିକ ଚାଲିବା ଦ୍ୱାରା ସେଠାରେ ଉତ୍ପାଦିତ ଟିକାକୁ ଦେଶର ଆବଶ୍ୟକତା ମେଣ୍ଟାଇବା ପରେ ବିଦେଶକୁ ରପ୍ତାନି କରିବାରେ ଅସୁବିଧା ହେଲା ନାହିଁ। ୧୪୪ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ରେ ଜୁନ୍‌ ୭, ୨୦୨୧ ସୁଦ୍ଧା ପ୍ରାୟ ୮୧ କୋଟି ଡୋଜ୍‌ ଟିକା ଦିଆ ସରିଛି, ଯାହା ଭାରତ ଟିକାକରଣର ୩ ଗୁଣରୁ ଅଧିକ। ଚୀନ୍‌ରେ ବିକଶିତ ‘ସାଇନୋଭାକ’ ଓ ‘ସାଇନୋଫାମ’ ଟିକା ଦୁଇଟି ନିଷ୍କ୍ରିୟ ହୋଇଥିବାରୁ ସେଗୁଡ଼ିକର ପରିବହନ ଓ ଭଣ୍ଡାରଣ ଅପେକ୍ଷାକୃତ ସହଜ, ଯେଉଁଥିପାଇଁ ବିକାଶଶୀଳ ଦେଶଗୁଡ଼ିକ ଏଥି ପ୍ରତି ଆକୃଷ୍ଟ ହେଲେ। ଏବେ ୮୯ଟି ଦେଶକୁ ଚୀନ ଟିକା ରପ୍ତାନି କରୁଛି ଓ ସେଥିପାଇଁ ବିଶ୍ୱର ୯ଟି ଦେଶରେ ଟିକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରୁଛି। ଲାଟିନ ଆମେରିକୀୟ ଓ କାରିବୀୟ ଦ୍ୱୀପପୁଞ୍ଜର ଦେଶଗୁଡ଼ିକୁ ଟିକା ଯୋଗାଇବା ପାଇଁ ଚୀନ ୧୦୦ କୋଟି ଡଲାରର ଋଣ ମଧ୍ୟ ଦେଇଛି। ଅଧିକାଂଶ ଟିକା ଚୀନ ବିକ୍ରି କରିଥିବା ବେଳେ ‘ବିଆରଆଇ’(ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌) ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ପାକିସ୍ତାନକୁ ଏବଂ ଦକ୍ଷିଣ ଚୀନ ସାଗର ବିବାଦରେ ସମର୍ଥନ ପାଇବା ଆଶାରେ କମ୍ୱୋଡିଆ ଓ ଲାଓସକୁ କିଛି ଟିକା ଅନୁଦାନ ଆକାରରେ ଦେଇଛି। ତେବେ ଉଭୟ ସାଇନୋଭାକ ଓ ସାଇନୋଫାମ ଟିକାର ଦକ୍ଷତା ହାର ଅନ୍ୟ ଟିକା ତୁଳନାରେ କମ ହୋଇଥିବାରୁ ତାହା ଚୀନ୍‌ର ଭ୍ୟାକ୍‌ସିନ କୂଟନୀତିର ବିସ୍ତାରରେ ମୁଖ୍ୟ ଅନ୍ତରାୟ ସାଜିପାରେ। ସେଠାରେ ଆହୁରି ୧୫ଟି ଟିକା ପରୀକ୍ଷା ସ୍ତରରେ ଥିବାରୁ ସେଥିରୁ ଉନ୍ନତ ମାନର ଟିକା ବିକଶିତ ହେବା ନେଇ ଚୀନ ଆଶାବାଦୀ।

ରୁଷିଆ ହିଁ ‘ସ୍ପୁଟନିକ-ଭି’ ନାମକ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ବିକାଶ କରିଥିଲା। ତେବେ ଭାରତ ପରି ସେଠାରେ ବି ଟିକା-କୁଣ୍ଠା (ହେଜିଟାନ୍‌ସି) ଥିବାରୁ ୧୪.୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଜୁନ୍‌ ୭, ୨୦୨୧ ସୁଦ୍ଧା ମାତ୍ର ୩ କୋଟି ଡୋଜ୍‌ ଟିକା ଦିଆଯାଇଛି। ଅବଶ୍ୟ ସେଠାରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାରୁ ରୁଷିଆ ଭ୍ୟାକ୍‌ସିନ କୂଟନୀତି କ୍ଷେତ୍ରରେ ସକ୍ରିୟ ରହିଛି। ଇତିମଧ୍ୟରେ ସେଠାରେ ଗୋଟିଏ ଡୋଜ୍‌ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟିକା ବିକଶିତ ହୋଇ ସାରିଛି, ଯାହା ତା’ର କୂଟନୀତିର ବିସ୍ତାର ଲାଗି ସହାୟକ ହୋଇପାରେ। ‘ସ୍ପୁଟନିକ-ଭି’ ଟିକା ଅପେକ୍ଷାକୃତ ଶସ୍ତା ଓ ଏହା ସାଧାରଣ ଫ୍ରିଜ୍‌ରେ ରଖାଯାଇ ପାରୁଥିବାରୁ ୬୦ଟି ରୁ ବେଶି ଦେଶ ଏଥି ପ୍ରତି ଆଗ୍ରହ ଦେଖାଇ ପ୍ରାୟ ୬୩ କୋଟି ଡୋଜ୍‌ କିଣିବାକୁ ଅର୍ଡର ଦେଇ ସାରିଛନ୍ତି। ତେବେ ରୁଷିଆର ଭ୍ୟାକ୍‌ସିନ କୂଟନୀତିର ଦୁର୍ବଳତମ ଦିଗଟି ହେଲା ଏହି ଅର୍ଡରକୁ ପୂରଣ କରିବା ଲାଗି ତା’ ନିକଟରେ ଉତ୍ପାଦନ କ୍ଷମତାର ଅଭାବ। ରୁଷିଆ ବାହାରେ କାଜାଖାସ୍ତାନ, ବେଲାରୁସରେ ଏହି ଟିକା ଉତ୍ପାଦନ ହେଉଥିବା ବେଳେ ଚୀନ, ଦକ୍ଷିଣ କୋରିଆ, ତୁର୍କୀ, ଭାରତ ଆଦି ଦେଶର କାରଖାନାରୁ ଏହାର ଉତ୍ପାଦନକୁ ତ୍ୱରାନ୍ୱିତ କରିବାର ପ୍ରଚେଷ୍ଟା ହେଉଛି।

ଭାରତ ଜାନୁଆରି ୨୦, ୨୦୨୧ରେ ଅର୍ଥାତ୍ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ୪ ଦିନ ପରେ, ସରକାର ବିଦେଶକୁ ଟିକା ରପ୍ତାନି କରିବା ପାଇଁ ‘ଭ୍ୟାକ୍‌ସିନ ମୈତ୍ରୀ’ କାର୍ଯ୍ୟକ୍ରମର ଘୋଷଣା କଲେ। ଭାରତ ଏକ ପ୍ରମୁଖ ଟିକା ଉତ୍ପାଦନକାରୀ ଦେଶ ଏବଂ ଏଠାରେ କୋଭାକ୍ସିନ୍‌ ଓ କୋଭିସିଲ୍‌ଡ ଟିକା ଦୁଇଟିର ଉତ୍ପାଦନ ହେଉଥିବାରୁ ଚୀନ ଓ ରୁଷିଆ ଟିକାର ମାନକୁ ନେଇ ପ୍ରଶ୍ନ ଉଠୁଥିବାର ସୁଯୋଗ ନେଇ ଭାରତ ଭ୍ୟାକ୍‌ସିନ କୂଟନୀତିରେ ଲମ୍ଫ ପ୍ରଦାନ କରି ଥାଇପାରେ। ପରବର୍ତ୍ତୀ ତିନି ମାସରେ ଭାରତରୁ ପ୍ରାୟ ୬.୬୪ କୋଟି ଡୋଜ୍‌ ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ରପ୍ତାନି ହେଲା। ତନ୍ମଧ୍ୟରୁ ପ୍ରାୟ ୩.୫୮ କୋଟି ଡୋଜ୍‌ ଟିକା ବାଣିଜ୍ୟିକ ଭିତ୍ତିରେ ୨୬ଟି ଦେଶକୁ ବିକ୍ରି କରାଗଲା। ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନି କରି ସରକାର ସମାଲୋଚନାର ଶରବ୍ୟ ହେଲେ। ଦେଶରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସରକାରଙ୍କୁ ଅପ୍ରେଲ ୨୨ରୁ ଟିକା ରପ୍ତାନି ବନ୍ଦ କରିବାକୁ ପଡ଼ିଲା। କମ୍ପାନିଗୁଡ଼ିକଙ୍କ ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ ଲାଇସେନ୍‌ସିଂ ଦାୟବଦ୍ଧତାର ପରିପୂରଣ ପାଇଁ ଓ ଟିକା ପାଇଁ କଞ୍ଚାମାଲ ଯୋଗାଇଥିବା ଦେଶଗୁଡ଼ିକୁ ଟିକା ରପ୍ତାନି କରିବାକୁ ପଡ଼ିଲା ବୋଲି ସରକାରୀ ଦଳ ତରଫରୁ ସଫେଇ ଦିଆଗଲା। ତାହା ଶତ ପ୍ରତିଶତ ସତ ହୋଇଥିଲେ ଏହା ଭିତରେ ଦେଢ଼ ମାସରୁ ଅଧିକ ସମୟ ଅତିବାହିତ ହୋଇଥିଲେ ବି ଭାରତରୁ ଟିକା ରପ୍ତାନି ନ ହୋଇ ରହିଛି କିପରି? ବାସ୍ତବତା ହେଉଛି ବ୍ରିଟେନ ଓ କାନାଡାକୁ ବାଦ୍‌ ଦେଲେ ଭାରତ ଟିକା ରପ୍ତାନି କରିଥିବା ଅନ୍ୟ କୌଣସି ଦେଶରେ ଟିକାର କଞ୍ଚାମାଲ ଉତ୍ପାଦନ ହୁଏ ନାହିଁ। ଭାରତକୁ ‘ବିଶ୍ୱଗୁରୁ’ କରିବା ଓ ମୋଦୀଙ୍କ ଛବିକୁ ଉଜ୍ଜ୍ୱଳ କରିବା ପ୍ରଚେଷ୍ଟାରେ ଏ ଭଳି ପଦକ୍ଷେପ ନିଆ ଯାଇଥିଲା ବୋଲି ସମାଲୋଚକମାନେ କହିଲେ। ହେଲେ ଦେଶ ଭିତରେ କୋଭିଡ୍‌ ପରିସ୍ଥିତି ଏତେ ଅସମ୍ଭାଳ ହେଲା ଯେ ଭାରତକୁ ‘ଦାତା’ରୁ ‘ଦୟାର ପାତ୍ର’ରେ ପରିଣତ ହେବାକୁ ଡେରି ଲାଗିଲାନି। ଅନ୍ୟ ଦେଶକୁ ଟିକା ଯୋଗାଇବା ପଛରେ ଯେଉଁ ଅହମିକାଟି ଲୁକ୍କାୟିତ ଥିଲା; ଅନ୍ୟ ଦେଶଙ୍କଠାରୁ ସାହାଯ୍ୟ ଗ୍ରହଣ କଲା ବେଳେ ତାହା ସେମାନଙ୍କ ଅନୁକମ୍ପାରେ ନିଷ୍ପ୍ରଭ ହୋଇଗଲା। ମନ ବୁଝାଇବାକୁ କେହି କେହି କହିଲେ ଯେ ଭାରତ ଟିକା ଦେଇଥିଲା ବୋଲି ଅନ୍ୟ ଦେଶମାନେ ସାହାଯ୍ୟର ହାତ ବଢ଼‌ାଇଲେ। ଭାରତ ଟିକା ଯୋଗାଇ ନ ଥିଲେ ଏହି ସାହାଯ୍ୟ ପାଇ ନ ଥାଆନ୍ତା ବୋଲି କହିବା ଭୁଲ୍‌ ହେବ, କାରଣ ସାହାଯ୍ୟ ଦେଇଥିବା ଅଧିକାଂଶ ଦେଶକୁ ଭାରତ ଟିକା ଦେଇ ନ ଥିଲା।

ଭାଗବତର ଧାଡ଼ିଏ, “ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ’’ରୁ ଶିକ୍ଷା ଗ୍ରହଣ କରି ପାରିଥିଲେ ହୁଏ’ତ ନିଜ ଟିକା ଆବଶ୍ୟକତାକୁ ପୂରଣ କରିବାକୁ ଅସମର୍ଥ ଥାଇ ନିଜକୁ ତ୍ରାଣକର୍ତ୍ତା ରୂପେ ପ୍ରଦର୍ଶିତ କରିବା ଲାଗି ବିଦେଶକୁ ଟିକା ରପ୍ତାନି ନିଷ୍ପତ୍ତି ନିଆ ଯାଇ ନ ଥାଆନ୍ତା। ଭାରତର ‘ଭ୍ୟାକ୍‌ସିନ ମୈତ୍ରୀ’ର ଉଚ୍ଚାଭିଳାଷୀ କୂଟନୈତିକ ଉଡ଼ାଣ ଦୂରଦୃଷ୍ଟି ଓ ଯୋଜନା ଅଭାବରୁ ନିୟନ୍ତ୍ରଣହୀନ ଅବତରଣ କରିବାକୁ ବାଧ୍ୟ ହୋଇ ଧରାଶାୟୀ ହେଲା ।

ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭ୍ୟାକ୍‌ସିନ କୂଟନୀତିର ଖେଳରେ ଏକ ପ୍ରକାର ପଛରେ ପଡ଼ି ସାରିଛନ୍ତି। ନିଜ ଦେଶବାସୀଙ୍କ ଟିକାକରଣ ଲାଗି ଧ୍ୟାନ କେନ୍ଦ୍ରିତ କରି ବିକାଶଶୀଳ ଦେଶଗୁଡ଼ିକର ଆବଶ୍ୟକତାକୁ ଅଣଦେଖା କରିଥିବାରୁ ତାହା ସେମାନଙ୍କ ବିଫଳତା ରୂପେ ପରିଗଣିତ ହେଉଛି। ବିକାଶଶୀଳ ଦେଶଗୁଡ଼ିକର ଦରକାର ବେଳେ ଆମେରିକା ଓ ଇଉରୋପୀୟ ଦେଶଗୁଡ଼ିକଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ଭାବମୂର୍ତ୍ତି ଯେଉଁ ଭଳି ମଳିନ ହୋଇଛି ଓ ବିଶ୍ୱସନୀୟତା ଯେଉଁପରି ହ୍ରାସ ପାଇଛି, ତାହା ସୁଧାରିବାକୁ କିଛି ଦେଶ ବିଳମ୍ୱିତ ପ୍ରୟାସ କରୁଥିଲେ ବି ହୁଏ’ତ ସେଥିପାଇଁ ସମୟ ଲାଗିପାରେ। ଭ୍ୟାକ୍‌ସିନ କୂଟନୀତି କ୍ଷେତ୍ରରେ ଚୀନ୍‌ର ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ ‘କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଇଲଗ‘ ବା ‘କ୍ୱାଡ୍‌’ ( ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ) ମଞ୍ଚ ମାର୍ଚ୍ଚ ୧୨, ୨୦୨୧ରେ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଟିକା ଯୋଗାଣ ଲାଗି ଘୋଷଣା କରିଥିଲା। ତେବେ ବିଭିନ୍ନ କାରଣରୁ ତାହା ଆଗେଇ ପାରି ନଥିଲେ ବି ଏବେ ପୁଣି ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆରମ୍ଭ ହୋଇଛି।

ନିଜ ଦେଶର ଲୋକଙ୍କ ଟିକାକରଣ ଲାଗି ଆଗେ ଟିକା ପାଇବା ପାଇଁ ଦେଶମାନଙ୍କ ମଧ୍ୟରେ ଥିବା ଉତ୍କଣ୍ଠା ଓ ପ୍ରତିଯୋଗିତାକୁ ସର୍ବିୟାର ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଚିଚ ଅତି ହୃଦୟସ୍ପର୍ଶୀ ଭାବେ ଟାଇଟାନିକ ଜାହାଜର ବୁଡ଼ିବା ସମୟରେ ଯାତ୍ରୀଙ୍କ ଉତ୍କଣ୍ଠା ସହ ତୁଳନା କରିଛନ୍ତି, ଯେତେବେଳେ ପ୍ରତ୍ୟେକ ଯାତ୍ରୀ କେବଳ ନିଜ ଜୀବନ ରକ୍ଷା ପାଇଁ ହିଁ ଜୀବନତରୀ ଖୋଜିବାରେ ବ୍ୟସ୍ତ ଥିଲେ। କୋଭିଡ୍‌ ସମଗ୍ର ମାନବ ସମାଜକୁ ତା’ ବିରୋଧରେ ଏକ ହୋଇ ଲଢ଼ିବା ପାଇଁ ଏକ ସୁଯୋଗ ଦେଇଥିଲା, ଯାହା ମଣିଷ ହରାଇ ବସିଲା। କେଉଁଠି ଅକ୍‌ସିଜେନ ଅଭାବର ସୁଯୋଗ ଉଣ୍ଡି ମଣିଷ ବ୍ଲାକ୍ ମାର୍କେଟିଂ କଲା ତ କେଉଁଠି ଟିକା ଅଭାବ ପରିସ୍ଥିତିର ଲାଭ ଉଠାଇ ଗୋଟିଏ ଦେଶ ଅନ୍ୟ ଦେଶକୁ ବ୍ଲାକ୍‌ ମେଲିଂ କଲା, ଆଉ ତାକୁ ସଭ୍ୟତାର ପୋଷାକ ପିନ୍ଧାଇ ପୁଣି ଭ୍ୟାକ୍‌ସିନ ଡିପ୍ଲେମାସିର ନାମ ଦେଇ ମହିମାମଣ୍ଡିତ କଲା। ଏହି ଭ୍ୟାକ୍‌ସିନ କୂଟନୀତି ଯେତେ ବେଶି ଉଗ୍ର ହେବ ଭବିଷ୍ୟତ୍‌ରେ ବିଶ୍ୱ ରାଜନୈତିକ ବ୍ୟବସ୍ଥା ଅଧିକ ବିଭାଜିତ ହେବାର ଆଶଙ୍କା ଦେଖା ଦେବ। ତେବେ ଏବେ ବି ବିଳମ୍ୱ ହୋଇନାହିଁ। ଦେଶଗୁଡ଼ିକ ଇଚ୍ଛା କଲେ ପରସ୍ପର ମଧ୍ୟରେ ଭ୍ୟାକ୍‌ସିନ ସହଯୋଗର ହାତ ବଢ଼ାଇ ‘ଭ୍ୟାକ୍‌ସିନ ସାମ୍ୟଭାବ’ (ଇକୁଇଟି) ପ୍ରଦର୍ଶନ ପୂର୍ବକ କୋଭିଡ୍ ମହାମାରୀର ଉଚିତ ମୁକାବିଲା କରିପାରିବେ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର