ସବୁ ମାୟା ହିଁ ମାୟା

ସରସ ରସ - ସୁଭାଷ ପଟ୍ଟନାୟକ

ଝିଅଟି ସହିତ ଦେଖା ସାକ୍ଷାତ ହେଲା, ତା’ପରେ ବାହାଘର ହୋଇଗଲା। ନଈକୂଳର ଛୋଟ ଗାଁ’ଟିରେ ଜୀବନ ବିତିଲା। ବଡ଼ଝିଅକୁ ପାଞ୍ଚ ଓ ପୁଅକୁ ତିନି ବର୍ଷ। ସୁଖର ସଂସାର। ହଠାତ୍‌ ଦିନେ ବନ୍ୟା ଆସି ଘର, ସ୍ତ୍ରୀ, ପିଲା ସବୁ ଭାସିଗଲେ। ଘରର ଭଗ୍ନାବଶେଷ ଭିତରୁ ଫଟୋଟିଏ ପାଇ ଆପଣ କାନ୍ଦୁଛନ୍ତି, ନିଦଟା ଭାଙ୍ଗିଗଲା। ଉଠି ବସିଲେ। ପାଖରେ ସ୍ତ୍ରୀ ବ୍ୟସ୍ତ ହୋଇ କହୁଛନ୍ତି, ‘କ’ଣ ସ୍ବପ୍ନ ଦେଖିଲ କି, ଏମିତି କାନ୍ଦୁଛ? ଦେହ ଥରୁଛି, ଆଖିରୁ ଲୁହ ବୋହିଯାଉଛି?’ ଆପଣ ଆଶ୍ବସ୍ତ ହେଲେ, ଯାହା ହେଉ, ସେଇଟା ଥିଲା ଗୋଟେ ସ୍ବପ୍ନ। ଏବେ ଏଇ କାହାଣୀର ପ୍ରେକ୍ଷାପଟ ବଦଳାଇ ସ୍ବପ୍ନ ବଦଳରେ ବାସ୍ତବ ଜଗତ୍‌କୁ ଚାଲିଆସନ୍ତୁ। ବନ୍ୟା ଓ ବାତ୍ୟାରେ ପରିବାର ଉଜୁଡ଼ିଯାଇଛି। ଆପଣ ଅତୀତକୁ ଭାବି କାନ୍ଦି କାନ୍ଦି ଶୋଇପଡ଼ିଲେ। ସ୍ବପ୍ନ ଦେଖିଲେ, ସ୍ବପ୍ନର ପତ୍ନୀ ଆପଣଙ୍କର, ଆପଣଙ୍କୁ ନିଦରୁ ଉଠାଇ ପଚାରୁଛନ୍ତି ସେଇ ଏକା ପ୍ରଶ୍ନ, ‘ସ୍ବପ୍ନ ଦେଖିଲ କି? ଏମିତି କାନ୍ଦୁଛ ଯେ?’ ଆଚ୍ଛା, ଏବେ କୁହନ୍ତୁ, ସ୍ବପ୍ନର ସ୍ବପ୍ନଟି ବାସ୍ତବ ନା ବାସ୍ତବ ଜୀବନର ଘଟଣାଟି ବାସ୍ତବ? କେଉଁଟି ସ୍ବପ୍ନ, କେଉଁଟି ବାସ୍ତବ? ସ୍ବପ୍ନରୁ ଜାଗ୍ରତ ହେଲେ ମନୁଷ୍ୟ ଭାବେ ସ୍ବପ୍ନଟି ମିଥ୍ୟା ଓ ସ୍ବପ୍ନ ଦେଖିଲା ବେଳେ ଜାଗ୍ରତ ଅବସ୍ଥାର ସବୁକିଛି ହୋଇଯାଏ ମିଥ୍ୟା। ଉପରୋକ୍ତ ସ୍ବପ୍ନରେ ଆପଣ ଉପସ୍ଥିତ ଥିଲେ ଓ ସ୍ବପ୍ନଟିର ମଧ୍ୟ ଅସ୍ତିତ୍ବ ଥିଲା। ଅସ୍ତିତ୍ବ ନ ଥିଲେ ସ୍ବପ୍ନ ଓ ଆପଣ ଉଭୟ ଏକାଠି ନଥା’ନ୍ତେ। ସ୍ବପ୍ନ ଓ ବାସ୍ତବତା ମଧ୍ୟରେ ତେଣୁ କିଛି ଅନ୍ତର ନାହିଁ। ସ୍ବପ୍ନ ନ ଭାଙ୍ଗିଲେ ଉଭୟଙ୍କ ମଧ୍ୟରେ ଥିବା ଫରକ ଆମେ କେବେ ବି ଜାଣିପାରିବାନି। ଯୁକ୍ତି କରାଯାଇପାରେ, ବାସ୍ତବ ଚେତନାର ସ୍ବାଦ, ଗନ୍ଧ ଓ ପ୍ରତିକ୍ରିୟା ଦେବାର ଶକ୍ତି ଅଛି। ସ୍ବପ୍ନର କ’ଣ ନାହିଁ କି? ତା’ହେଲେ ଆପଣ ସ୍ବପ୍ନ ଦେଖି କାନ୍ଦୁଥିଲେ କାହିଁକି? ସ୍ବପ୍ନରେ ଚିନି ଖାଇଲେ ମିଠା ଲାଗିବନି କି? ତେଣୁ ଆମର ଚେତନାର ଜଗତ୍‌ଟି ମଧ୍ୟ ହୋଇପାରେ ଗୋଟିଏ ସ୍ବପ୍ନ। ସ୍ବପ୍ନ ଜଗତ୍‌ଟି ଯଦି ବାସ୍ତବ ଅନୁଭୂତ ହେଉଛି, ଚେତନ ଅବସ୍ଥା ଗୋଟିଏ ସ୍ବପ୍ନ କାହିଁକି ନ ହେବ ଓ ଏ ସ୍ବପ୍ନରୁ ଆମେ ଦିନେନାଦିନେ ଜାଗ୍ରତ କାହିଁକି ନ ହେବା? ଏମିତି ବି ହୋଇପାରେ, ଆମେ ଏବେ ସ୍ବପ୍ନରେ ବଞ୍ଚିଛେ, ମୃତ୍ୟୁ ହେଲେ ପୁଣି ଜାଗ୍ରତ ହୋଇ ଅନ୍ୟ ଏକ ସ୍ବପ୍ନର ଜଗତ୍‌କୁ ଚାଲିଯିବା। ଆମର ଏ ଜାଗ୍ରତ ଅବସ୍ଥା କେବଳ ସ୍ବପ୍ନ ମଧ୍ୟରେ ସ୍ବପ୍ନଟିଏ। କ୍ବାଣ୍ଟମ୍ ଫିଜିକ୍‌ସର ନିୟମ କହେ, ବିଶ୍ବର ସମସ୍ତ ପରିଦୃଶ୍ୟମାନ ପଦାର୍ଥ ଅନୁଭବୀ ଦର୍ଶକ ବ୍ୟତିରେକେ ଅବାସ୍ତବ। ଆମ ସ୍ବପ୍ନ ଜଗତ୍‌ ଭିତରେ ମଧ୍ୟ ଆମେ ନିଜେ ଦର୍ଶକ ଓ ଅନୁଭବୀ।

ଏ ସ୍ବପ୍ନ ଓ ବାସ୍ତବତା ପ୍ରକୃତରେ କ’ଣ? ଭାରତୀୟ ଦର୍ଶନରେ ଏ ଉଭୟ ହେଉଛି ମାୟା। ‘ମା’ ଅର୍ଥ, ‘ନୁହେଁ’ ଏବଂ ‘ୟା’ ଅର୍ଥ ‘ତାହା’। ଯାହା ତାହା ନୁହେଁ, ତାହା ହିଁ ମାୟା। ଆଇନଷ୍ଟାଇନଙ୍କ କହିବା ପରି, ବାସ୍ତବ ଜଗତ୍‌ ଏକ ଦୀର୍ଘସ୍ଥାୟୀ ସ୍ବପ୍ନ ଓ ଆମର ଅସ୍ତିତ୍ବତା ମଧ୍ୟରେ ଏକ ବିରାଟ ଭ୍ରମ। ସେଇ ଭ୍ରମ ଦ୍ବାରା ପ୍ରତାରିତ ହେବା ହେଉଛି ମାୟା। ଅଦ୍ବୈତବେଦାନ୍ତ ଅନୁସାରେ ବ୍ରହ୍ମ କେବଳ ସତ୍ୟ ଓ ଆଉ ସବୁ ହେଉଛି ମାୟା। ଏକ ସ୍ବପ୍ନ ଜଗତ୍‌। ମାୟା ଆମକୁ ଏପରି ଭ୍ରମିତ କରାଏ ଯେ, ପରିଦୃଶ୍ୟମାନ ଜଗତ୍‌ ଅବାସ୍ତବ ହେଲେ ବି ବାସ୍ତବ ଅନୁଭୂତ ହୁଏ। ମୁଣ୍ଡକୋପନିଷଦ ଅନୁସାରେ ମାୟା ଦ୍ବାରା ପରିଚାଳିତ ଚେତନାର ତିନିଟି ସ୍ତର ରହିଛି: ବୈଶ୍ବ, ତୈଜସ ଓ ସୁସୂପ୍ତ। ଏହା ମଧ୍ୟରୁ ତୈଜସ ବା ଅନ୍ତଃପ୍ରଜ୍ଞା ହେଉଛି ମାୟା ଦ୍ବାରା ସୃଷ୍ଟ ସ୍ବପ୍ନର ସ୍ତର। ‘‘ସ୍ବପ୍ନସ୍ଥାନଃଅନ୍ତଃପ୍ରଜ୍ଞା’’। ଏହା ମନୁଷ୍ୟର ସ୍ବପ୍ନ ଜଗତ୍‌।

ସ୍ବପ୍ନ ହେଉ ଅବା ବାସ୍ତବ, ଏ ଜଗତ୍‌ ହେଉଛି ଦର୍ପଣରେ ପ୍ରତିବିମ୍ବିତ ଗୋଟିଏ ସହର ପରି, ଆଉ ସେ ଦର୍ପଣ ହେଉଛି ନିଜେ ମନୁଷ୍ୟ। ଦର୍ପଣ ଯେମିତି ନିଜସ୍ବ ପ୍ରତିବିମ୍ବଟି ଦର୍ପଣରେ ଦେଖାଇ ପାରେନା, ମନୁଷ୍ୟ ସେହିପରି ନିଜର ପ୍ରକୃତ ଜଗତ୍‌କୁ ଦେଖିବା, ଅଥବା ଦେଖାଇବାରେ ଅସମର୍ଥ ହୁଏ। କେବଳ ନିଜ ମାଧ୍ୟମରେ ପ୍ରତିଫଳିତ ପ୍ରତିବିମ୍ବଟି ନିଜେ ଦେଖୁଥାଏ। ତେଣୁ ଯାହା ଦେଖେ, ସବୁ ମାୟା ଓ ଅବାସ୍ତବ। ଏ ମାୟାର ସ୍ରଷ୍ଟା ହେଉଛନ୍ତି ପରଂବ୍ରହ୍ମ। ଗୀତାରେ ଶ୍ରୀକୃଷ୍ଣ କହିଲେ, ‘‘ଦୈବୀହ୍ୟେଷାଗଣମୟୀମମମାୟାଦୁରତ୍ୟୟା’’। ଆମ୍ଭର ମାୟା ଦୁର୍ଭେଦ୍ୟ।

ସାଧାରଣ ଅର୍ଥରେ ବୁଝିବାକୁ ହେଲେ ମାୟା ହେଉଛି, ଯାହା ଅନୁଭୂତ ହୁଏ ଏକ ପ୍ରକାରେ କିନ୍ତୁ ବାସ୍ତବରେ ତାହା ଅନ୍ୟ ପ୍ରକାର। ମାୟାର ଅସ୍ତିତ୍ବ ନାହିଁ। ଏ କଥା ଯିଏ ବୁଝିପାରେ ସେ ମାୟାରୁ ମୁକ୍ତ ହୋଇ ମୋକ୍ଷ ହୋଇଯାଏ। ଯେଉଁ ଶକ୍ତି ଉତ୍ସରୁ ମନୁଷ୍ୟର ସୃଷ୍ଟି, ସେଇ ଶକ୍ତି ଦେହରେ ପୁଣି ମିଶିଯିବା ହେଉଛି ମୋକ୍ଷ। ମିଶିଯିବାର ରାସ୍ତା କିନ୍ତୁ ରୋକୁଥାଏ ମାୟା। ତେଣୁ ମାୟା ଜଗତ୍‌ରେ ବାଟବଣା ହୋଇ ମନୁଷ୍ୟ କେବଳ ସ୍ବପ୍ନରେ ବଞ୍ଚେ।

ସେ ସ୍ବପ୍ନ ହେଉ ବା ମାୟା, ବାସ୍ତବ ସତ୍ୟ ଠାରୁ ଦୂରେଇ ଯିବା ପାଇଁ ମାୟା ବା ସ୍ବପ୍ନ ହେଉଛି ଏକମାତ୍ର ବାହକ। ସେ ବାହନ ଆରୋହଣ କରି, ପୁତ୍ର ତା’ର ଆଉ ନାହିଁ, ଜାଣି ମଧ୍ୟ ବୁଢୀ ମା’ଟି ଦୁଆର ମୁହଁରେ ବସି ବାହୁନି କାନ୍ଦେ, ଅତୀତ ଫେରିବନି ଜାଣି ମଧ୍ୟ ମନୁଷ୍ୟ ତା’ ଅତୀତକୁ ଝୁରିହୁଏ, ଆକାଶକୁ ଛୁଇଁହେବନି ଜାଣି ମଧ୍ୟ ଶୈଶବ ଆକାଶକୁ ବାରମ୍ବାର ହାତ ବଢ଼ାଏ, ଜୀବନର ଅନିତ୍ୟତା ବୁଝି ମଧ୍ୟ ଯୌବନ ସୁଖ ସ୍ବପ୍ନରେ ବିଭୋର ହୁଏ, ମୃତ୍ୟୁ ଅବଶ୍ୟମ୍ଭାବୀ ଜାଣି ମଧ୍ୟ ବାର୍ଦ୍ଧକ୍ୟ ସମୟର ଚକ୍ରକୁ ପଛକୁ ଘୂରାଇବାର ଅସଫଳ ଚେଷ୍ଟାରେ ମାତିଥାଏ। ଏ ସବୁ କେବଳ ମାୟା ନୁହେଁ ତ ଆଉ କ’ଣ? ଦାର୍ଶନିକ ଫ୍ରେଡେରିକ ନିତସେ ତାଙ୍କ ପୁସ୍ତକ ‘ହ୍ୟୁମାନ୍, ଅଲ୍ ଠୁ ହ୍ୟୁମାନ୍’ରେ ଲେଖିଛନ୍ତି, ‘ମାନବୀୟ ସଂସ୍କୃତି ଆରମ୍ଭ ହେବାର ପ୍ରାକ୍‌ କାଳରେ ମନୁଷ୍ୟ ବିଶ୍ବାସ କରି ବସିଲା ଯେ, ସ୍ବପ୍ନ ମଧ୍ୟରେ ସେ ଗୋଟିଏ ବାସ୍ତବ ଦ୍ବିତୀୟ ପୃଥିବୀର ଆବିଷ୍କାର କରିଛି ଓ ଏହିଠାରୁ ସବୁ ଆତ୍ମଜ୍ଞାନ ତତ୍ତ୍ବର ସୃଷ୍ଟି। ଶରୀରର ପ୍ରସ୍ଥାନ, ଆତ୍ମାର ପୁନର୍ଜନ୍ମ ଓ ଏପରି କି ଭଗବାନ ମଧ୍ୟ ସବୁ ଏଇ ସ୍ବପ୍ନ ବା ମାୟାର ବ୍ୟାଖ୍ୟାରୁ ଉତ୍ପତ୍ତି’।

ଏଇ ମାୟା ବା ସ୍ବପ୍ନ ପାଇଁ ମନୁଷ୍ୟ ଉଦାସ ହୁଏ, ସ୍ବପ୍ନ ମାଧ୍ୟମରେ ଜୀବିତ ରହେ, ସ୍ବପ୍ନ ଦ୍ବାରା ଆଘାତ ପ୍ରାପ୍ତ ହୁଏ, ସ୍ବପ୍ନ ଦ୍ବାରା ପୁନର୍ଜୀବନ ଲଭେ ଓ ସ୍ବପ୍ନର ମାୟା ଜାଲରେ ଛନ୍ଦି ହୋଇ ମୃତ୍ୟୁ ଲଭେ। ସ୍ବପ୍ନ ଦ୍ବାରା ପ୍ରତ୍ୟାଖ୍ୟାତ ହେଲେ ଅନ୍ତର୍ଦାହରେ ମୃତ୍ୟୁ ପର୍ଯ୍ୟନ୍ତ ହୃଦୟକୁ ଜଳାଇ ଚାଲେ। ମନୁଷ୍ୟ ତେଣୁ ଅବଶେଷରେ ସେଇ ଦେବତାଙ୍କ ପାଖରେ ନିଜକୁ ସମର୍ପି ଦେଇ ସହିଦ ହୋଇଯାଏ, ଯାହାର ନାଆଁ ହେଉଛି, ମାୟାବିନୀ ସ୍ବପ୍ନ। ଏ ସ୍ବପ୍ନର ପ୍ରଭାବ ଏମିତି ଯେ, କାହାରିକୁ ତା’ର ସ୍ବପ୍ନରୁ ଟିକିଏ ମାଗନ୍ତୁ, ସିଏ ନିଜ ଆଖି ଦେଇଦେବ ପଛେ, ସ୍ବପ୍ନ ବାଣ୍ଟିବନି। ଗୀତଟିଏ ଅଛି, ‘‘ଜିନ୍ଦେଗୀ ଖ୍ବାବ ହୈ, ଖ୍ବାବମୈ ଝୁଠ ହୈ କ୍ୟା ଔର ଭଲା ସଚ ହୈ କ୍ୟା’’? ଜୀବନ ଏକ ସ୍ବପ୍ନ। ସ୍ବପ୍ନରେ ମିଛ କ’ଣ, ସତ ବା କ’ଣ?’

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର