ପ୍ରାୟ ୪୦ ବର୍ଷ ତଳର କଥା।
ଜଣେ ସାଧାରଣ ମଣିଷର ଜୀବନରେ ୪୦ ବର୍ଷର ମହତ୍ତ୍ବ ବହୁତ ଅଧିକ। ସାଧାରଣ ଭାବରେ ୭୦ ବର୍ଷରୁ ୮୦ ବର୍ଷ ପର୍ଯ୍ୟନ୍ତ ବଂଚୁଥିବା ମଣିଷ ପାଖରେ ଏ ତ ଜୀବନର ଅର୍ଦ୍ଧାଧିକ ସମୟ। ଏତେ ଦିନ ତଳେ ଘଟିଥିବା ଅନେକ ଘଟଣା ସମୟକ୍ରମେ ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇ ଯାଇଥା’ନ୍ତି। ସେଥି ମଧ୍ୟରୁ କିଛି ଘଟଣା ବା ଦୁର୍ଘଟଣା ଘଟଣାକ୍ରମରେ ମନ ଭିତରୁ ଶ୍ରାବଣ ମାସର ଆକାଶରେ ସୂର୍ଯ୍ୟ ପରି ସାମୟିକ ଭାବେ ଉଙ୍କି ମାରିଥା’ନ୍ତି।
ଶଙ୍ଖାମେରୀ ବ୍ରାହ୍ମଣ ସାହିରେ ରଘୁବାପାଙ୍କ ଘର। ଜଣେ କର୍ମଠ, ସତ୍ୟନିଷ୍ଠ, ଅହଙ୍କାରଶୂନ୍ୟ ତଥା ନୀତିବାନ ଶିକ୍ଷକ ହିସାବରେ ଆଖପାଖ ଅଂଚଳରେ ସେ ଭଲ ଭାବରେ ପରିଚିତ। ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ହିସାବରେ ରାଜ୍ୟପାଳଙ୍କ ଦ୍ବାରା ଦିଆଯାଉଥିବା ପୁରସ୍କାର ମଧ୍ୟ ସେ ପାଇଥିଲେ। ସେତେବେଳକୁ ମୋର ବୟସ ମାତ୍ର ଛଅ କିମ୍ବା ସାତ। ବୋଧହୁଏ ଦ୍ବିତୀୟ କିମ୍ବା ତୃତୀୟ ଶ୍ରେଣୀର ଛାତ୍ର। ରଘୁବାପା ଆଖପାଖ ଅଞ୍ଚଳର କିଛି ମେଧାବୀ ପିଲାମାନଙ୍କୁ ସନ୍ଧ୍ୟା ବେଳେ ଘରେ ପଢ଼ାଇ ଦିଅନ୍ତି, ବିନା କୌଣସି ପାରିଶ୍ରମିକର ଆଶା ରଖି। ଇଚ୍ଛା କେବଳ ଏତିକି ଯେ ମୋ ଅଂଚଳର ପିଲାମାନେ ଭଲ ପାଠ ପଢ଼ି ଉନ୍ନତି କରନ୍ତୁ ଓ ମଣିଷ ଭଳି ମଣିଷ ହୁଅନ୍ତୁ। ସେଦିନ ସନ୍ଧ୍ୟାବେଳେ ମୁଁ ଓ ମୋର ବଂଧୁମାନେ ତାଙ୍କ ଘରୁ ପାଠ ପଢ଼ି ନିଜ ନିଜର ଘରକୁ ପ୍ରାୟ ଆଠଟା ବେଳକୁ ଫେରିଥାଉ। ଏକରେ ଗ୍ରାମାଞ୍ଚଳ; ତା’ପରେ ୪୦ ବର୍ଷ ତଳର କଥା। ବିଜୁଳି ଆଲୋକର ଯେଉଁ ଅବସ୍ଥା ସେଥିରେ କିରାସିନି ଲଣ୍ଠନ ହିଁ ଏକମାତ୍ର ସାହାରା। ଗାଁଗହଳିରେ ସେତେବେଳେ ଟେଲିଭିଜନ ନ ଥାଏ। ସାଧାରଣତଃ ଲୋକମାନେ କାମଦାମ ସାରି ଲଣ୍ଠନରୁ କିରାସିନି ସରିବା ପୂର୍ବରୁ ନିଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ନେଇଯାଉଥିଲେ।
ଗ୍ରାମରେ ଦୁଇଧାଡ଼ି ଘର। ମଝିରେ ରାସ୍ତା। ନଦୀକୂଳିଆ ଘର ହୋଇଥିବାରୁ ବନ୍ୟାର ଭୟ ଚିରାଚରିତ ଭାବରେ ଲାଗିରହେ। ତେଣୁ ଘରଗୁଡ଼ିକ ରାସ୍ତା ପତ୍ତନ ଠାରୁ ପ୍ରାୟ ୫ରୁ ୬ ଫୁଟ ଉଚ୍ଚ। ପ୍ରତି ଘରକୁ ଯିବା ପାଇଁ ପ୍ରାୟ ୬ରୁ ୭ଟି ପାହାଚ। ସାମ୍ନାରେ ବାରଣ୍ଡା। ଅଧିକାଂଶ ଘର ଚାଳ ଛପର। ଘରଗୁଡ଼ିକ ଲଗାଲଗି।
ରାତି ପ୍ରାୟ ନଅଟା ହେବ। ମୁଁ ଖାଇପିଇ ଶୋଇପଡ଼ିଥାଏ। ବୋଉ ଘରକାମ ସାରି ନନାଙ୍କ ଫେରିବା ବାଟକୁ ଚାହିଁ ବସିଥାଏ। ନନା ଜଣେ ପୂଜକ। ନିକଟସ୍ଥ ଗ୍ରାମରେ ହେଉଥିବା ପୂଜାରେ ପୁରୋହିତ କର୍ମ କରିବା ପାଇଁ ନିମନ୍ତ୍ରିତ ହୋଇ ଯାଇଥା’ନ୍ତି।
ହଠାତ୍ ‘ନିଆଁ ନିଆଁ’ର ଚିତ୍କାରରେ ଗାଁ ଦାଣ୍ଡ ଥରି ଉଠିଲା। ବୋଉ ଦାଣ୍ଡପଟକୁ ଥରେ ଆଖି ପକେଇ ଧଡ଼୍ କରି ମୋତେ ଆସି ଉଠେଇ ଦେଲା।
ନିଆଁ ରଘୁବାପାଙ୍କ ଘରୁ ଦୁଇଘର ଛାଡ଼ି ଲାଗିଥାଏ। ସଙ୍ଗେ ସଙ୍ଗେ ଆଖପାଖ ଗାଁର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥା’ନ୍ତି। ଅନେକ ଯୁବକ ଚାଳ ଉପରେ ଚଢ଼ି ନଡ଼ାକୁ ଟାଣି, ବାଉଁଶକୁ ହାଣି ନିଆଁ ଲାଗିଥିବା ଅଂଚଳ ଠାରୁ ଅନ୍ୟ ଅଂଚଳକୁ ଅଲଗା କରୁଥା’ନ୍ତି। ଖବର ପାଇ ପାଖାପାଖି ଏକ ଘଣ୍ଟା ପରେ ଦମକଳ ଆସି ପହଞ୍ଚିଲା ଓ ଖୁବ୍ କମ୍ ସମୟ ମଧ୍ୟରେ ନିଆଁ ଲିଭାଯାଇ ପାରିଲା।
ତା’ ପରଦିନ କିଛି ସରକାରୀ ଅଧିକାରୀ ଆସି ପହଞ୍ଚିଲେ। ଆରମ୍ଭ ହେଲା କ୍ଷୟକ୍ଷତିର ଆକଳନ ଓ ସରକାରୀ ସାହାଯ୍ୟ ବଣ୍ଟନ। ଯେଉଁମାନଙ୍କର ଅଧିକ କ୍ଷତି ହୋଇଥିଲା, ସେମାନଙ୍କୁ ଆଗ କ୍ଷତିପୂରଣ ଦିଆଗଲା। ସବା ଶେଷରେ ଆସିଲା ରଘୁବାପାଙ୍କ ପାଳି। ସେ ଦିନ ସରକାରୀ ଅଧିକାରୀଜଣଙ୍କ କ୍ଷତିପୂରଣ ସ୍ବରୂପ ଏକ ହଜାର ଟଙ୍କା ଗଣି ଦେଲେ। ମାତ୍ର ରଘୁବାପା ଟଙ୍କା ନେବାକୁ ଅମଙ୍ଗ। ସେ କହୁଥାନ୍ତି -‘ମୋ ଘର ସେଭଳି କିଛି କ୍ଷତି ହୋଇନାହିଁ। ମାତ୍ର କେତେ ବିଡ଼ା ନଡ଼ା ହେଲେ ମରାମତି ହୋଇଯିବ। ମୁଁ ଅଯଥା ପଇସା ନେବି ନାହିଁ।’ ସରକାରୀ ଅଧିକାରୀଜଣଙ୍କ ରଘୁବାପାଙ୍କ ପୂର୍ବତନ ଛାତ୍ର। ତେଣୁ ସେଦିନ ଟଙ୍କା ନେବା ପାଇଁ ରଘୁବାପାଙ୍କୁ ସେ ବହୁତ କହିଲେ। ମାତ୍ର ବିନମ୍ରତାର ସହିତ ତାହା ପ୍ରତ୍ୟାଖ୍ୟାନ କଲେ ରଘୁବାପା। ଏ ଟଙ୍କା ଯେଉଁମାନଙ୍କର ଅଧିକ କ୍ଷତି ହୋଇଥିଲା ସେମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ସେ ଅନୁରୋଧ କଲେ।
ଚାଳିଶ ବର୍ଷ ପରର କଥା।
୨୦୨୧ ମସିହା ମେ ଛବିଶ ତାରିଖ। ଏକ ଅତି ଭୀଷଣ ବାତ୍ୟାର ସୂଚନା ଦେଲା ପାଣିପାଗ ବିଭାଗ। ପୂର୍ବାନୁମାନ କହିଲା ଯେ ଘଣ୍ଟାକୁ ୧୭୦ରୁ ୧୮୫ କିଲୋମିଟର ବେଗରେ ପବନ ବହିପାରେ। କରୋନାର ଦ୍ବିତୀୟ ତରଙ୍ଗର ତାଣ୍ଡବ ଭିତରେ ଏଭଳି ଏକ ଦୁଃସମ୍ବାଦ!
ତେବେ ବାତ୍ୟା ପରିଚାଳନାରେ ସୁଦକ୍ଷ ଆମ ସରକାର ଏ ମହାମାରୀ ସମୟରେ ବି ବାତ୍ୟା ମୁକାବିଲା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କଲେ। ସୌଭାଗ୍ୟକୁ ବାତ୍ୟାର ବେଗ ଘଣ୍ଟାକୁ ୧୩୦ରୁ ୧୪୦ କିଲୋମିଟର ମଧ୍ୟରେ ରହିଲା। କ୍ଷୟକ୍ଷତି ଆଶଙ୍କା ଠାରୁ କମ୍ ହେଲା।
ହେଲେ ଦୁଇଦିନ ପରେ ଯାହା ଘଟିଲା, ତାହା ଚମତ୍କୃତ କଲା। ଦେଶର ପ୍ରଧାନମନ୍ତ୍ରୀ ଦୁର୍ଦଶା ଘେରରେ ଥିବା ଲୋକଙ୍କ ଅବସ୍ଥାର ଅନୁଧ୍ୟାନ କରି ତତ୍କାଳ ସହାୟତା ଘୋଷଣା କଲେ। କିନ୍ତୁ ରାଜ୍ୟ ସରକାର ଦୃଢ଼ ମନୋଭାବର ପରିଚୟ ଦେଇ କହିଲେ, ‘ଦେଶର ଏ ଦୁଃସମୟରେ ଆମେ ଆପଣଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁନାହୁଁ। ଆମର ଯାହା କ୍ଷତି ହୋଇଛି, ତାହା ଆମେ ନିଜସ୍ବ ସମ୍ବଳରୁ ଭରଣା କରିବୁ’।
ହଠାତ୍ ରଘୁବାପା ମେନ ପଡ଼ିଗଲେ। ମନରେ ସାହସ ଆସିଗଲା: ସତରେ ମାନସିକ ଦାରିଦ୍ର୍ୟରୁ ଉପରକୁ ଉଠୁଥିବା ବ୍ୟକ୍ତି ବା ଦେଶକୁ କେହି କ’ଣ କେବେ ରୋକି ପାରିବେ? ତା’ର ପ୍ରଗତିର ପ୍ରବାହ ଅବ୍ୟାହତ ରହିବ।
ଧନ୍ୟ ରଘୁବାପା, ଧନ୍ୟ ସରକାର!
ଇଂରେଜୀ ପ୍ରାଧ୍ୟାପକ, ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ
ମୋ: ୯୪୩୭୨୧୩୪୮୮