ଭୋଟ ଦାନ- ଏକ ଅଧିକାର, କର୍ତ୍ତବ୍ୟ ନୁହେଁ

ଅଲେଖ ଚନ୍ଦ୍ର ସାମଲ

ମହାମାରୀ କରୋନା ଭିତରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ବିଭିନ୍ନ ସ˚ସଦୀୟ କ୍ଷେତ୍ର ପାଇଁ ଉପନିର୍ବାଚନ ହେବା ପାଇଁ ଯାଉଛି। ତେବେ ଏହି ନିର୍ବାଚନ ଏଥରକ କରୋନାର ସମ ଦୂରତ୍ବ ମାନଦଣ୍ତ ଭିତରେ ନିର୍ଦ୍ଧାରିତ ହେବାକୁ ଯାଉଥିବା ବେଳେ ସୁପ୍ରିମ କୋର୍ଟର ଏକ ମାମଲା ଏ ପ୍ରସଙ୍ଗକୁ ବଡ଼ ଗୁରୁତ୍ବ ପ୍ରଦାନ କରୁଛି। ଭୋଟ ଦେବା ଜଣେ ନାଗରିକର ଅଧିକାର ନା କର୍ତ୍ତବ୍ୟ? ଏମିତି ଏକ ପ୍ରଶ୍ନ ଅତୀତରେ ବାରମ୍ବାର ଉଠିଛି ଏବ˚ ଗତ ସପ୍ତାହରେ ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ନିଜର ମତ ରଖିଛନ୍ତି। ଏଥିପାଇଁ ସରକାର ଲ’ କମିସନଙ୍କ ୨୨୫ତମ ରିପୋର୍ଟ ଆଧାରରେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କର ଅଧିକାର; କର୍ତ୍ତବ୍ୟ ନୁହେଁ। ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଭୋଟରଙ୍କର ମତଦାନ ଅଧିକାର ମଧ୍ୟରେ ଏକ ନିର୍ବାଚନରେ ଭୋଟଦାନ କରିବା ବା ଭୋଟଦାନ କରିବାରୁ ନିବୃତ୍ତ ରହିବା ଅନ୍ତର୍ଭୁକ୍ତ। ସେହିପରି ନିର୍ବାଚନଗୁଡ଼ିକୁ ପରିଚାଳନା କରୁଥିବା ୧୯୫୧ର ‘ରିପ୍ରେଜେଣ୍ଟେସନ୍ ଅଫ୍‌ ପିପୁଲ୍‌ ଆକ୍‌ଟ’ ମଧ୍ୟ କହେ ଯେ ଭୋଟ ଦେବା ଏକ କର୍ତ୍ତବ୍ୟ ନୁହେଁ, ଏକ ଅଧିକାର। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଭୋଟଦାନକୁ ବାଧ୍ୟତାମୂଳକ କରିବା ନିମନ୍ତେ ସତ୍ୟ ପ୍ରକାଶ ନାମକ ଜଣେ ସମାଜ କର୍ମୀଙ୍କ ଦ୍ବାରା ୨୦୧୫ରେ ସୁପ୍ରିମ କୋର୍ଟରେ ଦାଏର କରାଯାଇଥିବା ଜନସ୍ବାର୍ଥ ମାମଲାର ବିଚାର ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟଗୁଡ଼ିକୁ ଉପସ୍ଥାପନ କରିଛନ୍ତି। ନିଜର ଦାବି ସନ୍ଦର୍ଭରେ ସତ୍ୟ ପ୍ରକାଶ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, ବେଲ୍‌ଜିଅମ ଇତ୍ୟାଦି ଦେଶମାନଙ୍କର ଉଦାହରଣ ଉପସ୍ଥାପନ କରିଥିଲେ। ଏଠାରେ ସୂଚାଇ ଦିଆଯାଇପାରେ ଯେ ଗୁଜୁରାଟ ହେଉଛି ଦେଶର ପ୍ରଥମ ରାଜ୍ୟ ଯାହା ଆଞ୍ଚଳିକ ନିର୍ବାଚନ କ୍ଷେତ୍ରରେ ଭୋଟଦାନକୁ ବାଧ୍ୟତାମୂଳକ କରିଥିଲା, କିନ୍ତୁ ଗୁଜୁରାଟ ହାଇକୋର୍ଟ ୨୦୧୫ର ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଭାରତ ପରିପ୍ରେକ୍ଷୀରେ ବାସ୍ତବତା ଦୃଷ୍ଟିରୁ ଏହା ଦ୍ବାରା କେତେକ ଅସୁବିଧା ଉପୁଜିବା ଆଶଙ୍କାରେ ଅତୀତରେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି। ରାଜନୀତିକ ଦୃଷ୍ଟିକୋଣରୁ ବିଚାର କଲେ ଏପରି ଏକ ପ୍ରସ୍ତାବର ମଧ୍ୟ କେତେକ ଅସୁବିଧା ରହିଛି। ତେଣୁ ଆଇନଗତ ଦିଗକୁ ଛାଡ଼ି ଦେଲେ ବି ଏଥିରୁ ଦୂରେଇ ରହିବାର କାରଣ ଅଛି। ରାଜନୀତି ବିଜ୍ଞାନୀମାନଙ୍କ ମତରେ ଗଣତନ୍ତ୍ରରେ ଭିନ୍ନ ମତ ଉପସ୍ଥାପନ କରିବା ଏବ˚ ଅସନ୍ତୋଷ ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ରହିବାର ଆବଶ୍ୟକତା ଅଛି। ଏହା ମଧ୍ୟରେ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା, କୌଣସି କାର୍ଯ୍ୟରେ ଅ˚ଶ ଗ୍ରହଣ କରିବାରୁ ବିରତ ରହିବା ମଧ୍ୟ ଅନ୍ତର୍ଭୁକ୍ତ।

ବାଧ୍ୟତାମୂଳକ ଭୋଟଦାନ ନାଗରିକମାନଙ୍କୁ ରାଜନୀତିକ ପ୍ରକ୍ରିୟାରେ ଅଧିକ ପରିମାଣରେ ସାମିଲ ହେବାକୁ ପ୍ରୋତ୍ସାହନ ଯୋଗାଇବ ବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଭାଗୀଦାର କରିବ ବୋଲି ଅନେକ ସମୟରେ ଯୁକ୍ତି ଦର୍ଶାଯାଇଛି। କିନ୍ତୁ ଏ ବାବଦରେ ବିଭିନ୍ନ ଦେଶର ଅନୁଭୂତି ଓ ଅବସ୍ଥାକୁ ବିଚାର କଲେ ଏହି ଯୁକ୍ତି ଠିକ୍‌ ମନେ ହୁଏ ନାହିଁ। ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେମୋକ୍ରାସି ଆଣ୍ତ୍‌ ଇଲେକ୍େ‌ଟାରାଲ ଆସିଷ୍ଟାନ୍‌ସ’ ଦ୍ବାରା କରାଯାଇଥିବା ଏକ ବ୍ୟାପକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ଯେଉଁ ୨୮ଟି ଦେଶ ଭୋଟଦାନକୁ ବାଧ୍ୟତାମୂଳକ କରିଛନ୍ତି ଏବ˚ ଯେଉଁ ୧୭୧ଟି ଦେଶ ଏପରି କରି ନାହାନ୍ତି; ସେହି ଦେଶଗୁଡ଼ିକର ମତଦାନ ହାରରେ ମାତ୍ର ୭.୩୭ ପ୍ରତିଶତ ପାର୍ଥକ୍ୟ ରହିଛି। ତେଣୁ ରାଜନୀତିକ ଭାଗୀଦାରି ବଢ଼ିଗଲେ ଯେ ତାହା ଅଧିକ ଗୁଣାତ୍ମକ ଫଳ ପ୍ରଦାନ କରିବ ବା ବାଧ୍ୟତାମୂଳକ ଭୋଟଦାନ ଗଣତନ୍ତ୍ରକୁ ଅଧିକ ସକ୍ରିୟ ଓ କର୍ମଠ କରି ଗଢ଼ି ତୋଳିବ, ତାର କୌଣସି ନିଶ୍ଚିତତା ନାହିଁ। ଏତଦ୍‌ ବ୍ୟତୀତ ବାଧ୍ୟତାମୂଳକ ଭୋଟଦାନ ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ଅଧିକରୁ ଅଧିକ ଭୋଟ କିଣିବା ନିମନ୍ତେ ପ୍ରୋତ୍ସାହିତ କରିବାର ସମ୍ଭାବନା ରହିଛି। ଏମିତିରେ ତ ଭାରତରେ ଭୋଟ ପାଇଁ ନୋଟ ଦିଆଯାଉଥିବା ବା ଘୋଡ଼ା ବେପାର ହେଉଥିବା ସମ୍ବନ୍ଧରେ କମ୍‌ ଶୁଣିବାକୁ ମିଳେନାହିଁ। ତେଣୁ ଭୋଟଦାନକୁ ଯଦି ବାଧ୍ୟତାମୂଳକ କରାଯାଏ, ତା’ହେଲେ ତାର ପ୍ରାବଲ୍ୟ ଆହୁରି ବୃଦ୍ଧି ପାଇବ ଓ ସ୍ଥିତି ଗୁରୁତର ‌ହୋଇପାରେ। ପୁଣି ଭୋଟଦାନକୁ ଯଦି ବାଧ୍ୟତାମୂଳକ କରି ଦିଆଯାଏ, ତା’ହେଲେ ଲୋକମାନଙ୍କ ନିକଟରେ ପ୍ରତିବାଦ ସ୍ବରୂପ ଭୋଟଦାନରୁ ବିରତ ରହିବାର ବିକଳ୍ପ ରହିବ ନାହିଁ। ତେବେ ଲକ୍ଷଣୀୟ ଯେ ଭୋଟର ପରିମାଣ ବଢ଼ାଇବା ନିମନ୍ତେ ଭୋଟଦାନକୁ ବାଧ୍ୟତାମୂଳକ କରିବାକୁ ଅନେକ ଲୋକ ପ୍ରସ୍ତାବ ଦେଉଥିବା ବେଳେ ସଚେତନଶୀଳ ଭୋଟରମାନଙ୍କର ଭୋଟ ହାର ବଢ଼ିବା ଏକ ଗଣତନ୍ତ୍ର ନିମନ୍ତେ କିପରି ଲାଭଦାୟକ ହୋଇଥାଏ, ସେ ସମ୍ପର୍କରେ କ୍ବଚିତ୍‌ କେହି କହିଥାନ୍ତି। ତାହା ବିଶଦ ଆଲୋଚନା-ସାପେକ୍ଷ। ତେବେ, ଗଣତନ୍ତ୍ରର ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଧିକରୁ ଅଧିକ ନାଗରିକ ଭୋଟ ଦେବା ଆବଶ୍ୟକ। କାରଣ କୌଣସି ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟର ସଂଖ୍ୟାର ମାତ୍ର ୧୫% ଭୋଟ ପାଇ ଜଣେ ବ୍ୟକ୍ତି ଜନପ୍ରତିନିଧି ରୂପେ ନିର୍ବାଚିତ ହେବା ଏକ ବିଡ଼ମ୍ବନା, ଯାହା ଆମ ଦେଶରେ ଅନେକତ୍ର ଦେଖିବାକୁ ମିଳୁଛି।
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌)
ମୋ: ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର