କବି ବସିର୍ ବଦର ଲେଖିଥିଲେ, “ଉଜାଲେ ଅପନି ୟାଦୋଁ କୋ ହମାରେ ସାଥ୍ ରହନେ ଦୋ, ନ ଜାନେ କିସି ଗଲି ମୈଁ ଜିନ୍ଦେଗୀ କୀ ସାମ୍ ହୋଯାୟେ”। ସ୍ମୃତିର ଆଲୋକଟିକୁ ସାଥିରେ ମୋର ରହିବାକୁ ଦିଅ, କିଏ ଜାଣେ କେଉଁ ଅନ୍ଧ ଗଳିରେ ଜୀବନର ସନ୍ଧ୍ୟା ଆସିଯିବ। ବେଳେବେଳେ ଘର ଭିତରୁ ଏମିତି କିଛି ପୁରୁଣା ପଦାର୍ଥ ମିଳିଯାଏ ଯାହା କେବଳ ଯେ ପୁରୁଣା ସମୟକୁ ମନେ ପକାଇଦିଏ ତାହା ନୁହେଁ, ତା ପଛର ସ୍ମୃତିଟି କେବେ ଶକ୍ତ ଆଘାତ ଦେଇଯାଏ ତ ଆଉ କେବେ ସମୟର କ୍ଷତରେ ମଲମ ଲେପିଦିଏ। ପୁରୁଣା ବହି ଭିତରୁ ଶୁଖିଲା ଫୁଲଟିଏ ହେଉ କି ଷାଠିଏ ବର୍ଷ ତଳର ନିଜ ବିବାହ ବେଳର ନିମନ୍ତ୍ରଣ ପତ୍ର ହେଉ ଅଥବା ବାପାଙ୍କର ଶେଷ ଚିଠିଟି ହେଉ, ଏଥିରୁ ଗୋଟିଏ ହାତରେ ପଡ଼ିଗଲେ ସ୍ବର୍ଣ୍ଣିମ ସ୍ମୃତିର ଦ୍ବାର ଆପେଆପେ ଖୋଲିଯାଏ। ଏସବୁ ପଦାର୍ଥ ଅନ୍ୟ ପାଇଁ ଅଦରକାରୀ ହେଲେ ମଧ୍ୟ ନିଜ ପାଇଁ ତାହା ସିନ୍ଦୁକର ହଜି ଯାଇଥିବା ଚାବିକାଠି ପରି। ଆମ ବନ୍ଧୁ ଅନୁଭବଙ୍କ କଥା ଦେଖନ୍ତୁ, ଶରୀରରୁ ଖଣ୍ଡେ ଅଂଶ ଯେମିତି ଫିଙ୍ଗି ପାରିବା ଅସମ୍ଭବ, ଅନୁଭବଙ୍କ ପାଇଁ ସ୍ମୃତି ବିଜଡ଼ିତ ପୁରୁଣା ଜିନିଷ ସେମିତି ଫିଙ୍ଗିଦେବା କଷ୍ଟକର। ପୁଅ ତାଙ୍କର ଘରୁ ଅଦରକାରୀ ବସ୍ତୁ ସଫା କରିବାରେ ବ୍ୟସ୍ତ, ଏଣେ ଅନୁଭବ ସେସବୁ ଭିତରୁ ସ୍ମୃତି ସାଉଣ୍ଟୁଛନ୍ତି। ପୁଅ ବୁଝାଇବାକୁ ଯାଇ କହିଲା, ‘ବାପା, ଜୀବନକୁ ଠିକ୍‌ରେ ଜିଇଁବାକୁ ହେଲେ ପୁରୁଣା ସ୍ମୃତିରୁ ପ୍ରେରଣା ନେବାକୁ ହୁଏ, ପୁରୁଣା ବସ୍ତୁକୁ ଜାବୁଡ଼ି ଧରିବା ଆବଶ୍ୟକ କ’ଣ? ସ୍ମୃତି ବସ୍ତୁରେ ନଥାଏ, ମନରେ ଥାଏ।’ ଅନୁଭବ କିନ୍ତୁ ଏକଥା ମାନନ୍ତିନି। ସେ କୁହନ୍ତି, ‘ଫଳ ଖାଇ ମଞ୍ଜିଟି ଫିଙ୍ଗିଦେବା ସହଜ, ମାତ୍ର ମଞ୍ଜିଟିକୁ ଗଛ ହେବାରୁ ଅଟକାଇବା କଷ୍ଟ ନୁହେଁ କି? ଥରେ ମାଟି ଛୁଇଁଦେଲେ ମଞ୍ଜିଟି ଯେମିତି ଗଛ ହୋଇଯାଏ, ପୁରୁଣା ବସ୍ତୁର ସ୍ମୃତି ଠିକ୍‌ ସେମିତି। ସମୟ ହଜିଗଲେ ବି ବସ୍ତୁଟି ମାଧ୍ୟମରେ ସ୍ମୃତି ମନରେ କାୟା ବିସ୍ତାର କରିଚାଲେ। ତେଣୁ ଯେଉଁ ପୁରୁଣା ପଦାର୍ଥ ଜଣକ ପାଇଁ ଅବାଞ୍ଛିତ, ଅନ୍ୟ ଜଣକ ପାଇଁ ତାହା ହୋଇପାରେ ଚିର ବାଞ୍ଛିତ। ପ୍ରକୃତରେ ସମସ୍ତ ପୁରାତନ ସ୍ମୃତି ବିଜଡ଼ିତ ବସ୍ତୁ ଗୋଟିଏ ଗୋଟିଏ ଦୀର୍ଘ କାହାଣୀର ନକ୍ସାକୁ ନିଜ ଭିତରେ ସାଇତି ରଖିଥାଏ। ଆଖି ସାମନାକୁ ଆସିଗଲେ ଅତୀତର ସେ କାହାଣୀ ପେଡ଼ି ଖୋଲିଯାଏ। ପୁଅ ଫିଙ୍ଗିବାକୁ ରଖିଥିବା ଅନାବନା ଅଳିଆ ଭିତରୁ ପୁଟୁଳିଟିଏ ଉଠାଇ ଆଣି ଟେବୁଲ ଉପରେ ରଖିଲେ ଅନୁଭବ। କହିଲେ, ଏହା ଭିତରେ କିଛି ଆବର୍ଜନା ଛଡ଼ା ଆଉ କିଛି ନାହିଁ। ଏହାରି ପଛରେ ଥିବା କାହାଣୀଟି ଜାଣିଲେ ତୁ ବୁଝିଯିବୁ ଗୋଟିଏ କ୍ଷୁଦ୍ର ଓ ମାମୁଲି ପଦାର୍ଥ ପଛର ସ୍ମରଣିକକୁ ମନ ଭିତରେ ସାଇତିବାକୁ ହେଲେ କେତେ ବିଶାଳ ସ୍ଥାନର ଆବଶ୍ୟକ ହୁଏ।

Advertisment

ପୈତୃକ ଗାଁଟି ଅନେକ ବର୍ଷ ପୂର୍ବରୁ ଛାଡ଼ି ଆସିଥିଲି। ବୋଉ କେବଳ ଏକା ରହୁଥିଲା ଗାଁରେ। ଗାଁ ଛାଡ଼ି ବାହାରେ ରହିବାକୁ ଚାହୁଁ ନଥିଲା। ମୁଁ କେତେବେଳେ କେମିତି ଗାଁକୁ ଯାଏ। ଆମ ଗାଁଟା ଥିଲା ଗୋଟିଏ ଅପହଞ୍ଚ ଇଲାକା ପରି। ପିଲାଦିନେ ଲଣ୍ଠନ ଓ ଡିବି ଆଲୁଅରେ ପାଠ ପଢୁଥିଲି। ସକାଳୁ ବାରଣ୍ଡାରେ ବୋଉ ବାଢ଼ିଦେଉଥିଲା ପଖାଳ କଂସା। ଶୀତ ଦିନ ରାତିରେ ଶୋଇପଡ଼ିଲେ ଘୋଡ଼େଇ ଦେଉଥିଲା ହେଁସ କତରା। ଗାଁରେ ନା ଥାଏ ଡାକ୍ତର ନା ଆଖପାଖରେ ଥାଏ ଡାକ୍ତରଖାନା। ବୋଉର ସବୁବେଳେ ମୁଣ୍ଡ ବିନ୍ଧେ। ତେଣୁ ସେ ଦୂର ବଜାରରୁ ମଗାଇ ରଖିଥାଏ ମୁଣ୍ଡ ବିନ୍ଧାର ଔଷଧ। ପାଖରେ ରଖିଥାଏ ଶିଶୁ କାଠର ଖଣ୍ଡଟିଏ। ମୁଣ୍ଡ ବିନ୍ଧିବା ବେଳେ ଔଷଧ ଖାଇ କାଠ ଖଣ୍ଡଟି ବେକ ତଳେ ଦେଇ ଶୋଇପଡ଼େ। ତାକୁ ଆରାମ ଲାଗେ। ଏକଥା ପ୍ରାୟ ସବୁଦିନ ଘଟେ। ବୋଉର ଦେହାନ୍ତ ପରେ ଅନେକ ଦିନ ଘରଟି ଖାଲି ପଡ଼ିରହି ଶେଷରେ ଭୁଷୁଡ଼ି ଗଲା। ଗାଁରୁ ଚିଠି ଆସେ ଡିହ ଖଣ୍ଡିକ ବିକିଦେବା ପାଇଁ। ଶେଷରେ ଦିନେ ବିକ୍ରି କରିଦେବାକୁ ମନସ୍ଥ କରି ଗାଁରେ ପହଞ୍ଚିଲି। ଅନେକ ବର୍ଷର ବ୍ୟବଧାନ ପରେ ଗାଁରେ ପହଞ୍ଚି ଲାଗିଲା, ଘରଟି ଭୁଷୁଡ଼ିନି ଯେ, ତା ସହିତ ମୋର ଶୈଶବ ମଧ୍ୟ ହଜିଯାଇଛି। ସମୟର ମୂଲ୍ୟ ବୁଝି ହୁଏନି ଯେପର୍ଯ୍ୟନ୍ତ ତାହା ସ୍ମୃତିରେ ପରିଣତ ନ ହୋଇଛି।

ଗାଁରେ ପହଞ୍ଚି ମୋର ଅନୁଭବ ଠିକ୍ ସେମିତି ଥିଲା। ପଥରର ଅଧା ଉଠା କାନ୍ଥ ଉପରେ ମାଟି ଘରଟି ଆଉ ନଥିଲା। ଘରର ଅବଶେଷ ବୋଲି ଯାହାଥିଲା ତାହା ହେଉଛି ଭଙ୍ଗା କାନ୍ଥର ଗୋଟେ ଅବକ୍ଷୟିତ କଙ୍କାଳ ଓ ତାକୁ ମାଡ଼ି ବସିଥିବା କିଛି ଉଇଖିଆ ବାଉଁଶ। ଅଳିଆ ସଫା ହେଲାପରେ ସେଇ ପଥର କାନ୍ଥରେ ଦେଖିଲି, କଳା ପଡ଼ିଯାଇଥିବା ଠଣା ଭିତରେ ଅଛି ଗୋଟିଏ ଡିବି, ସେ ଶିଶୁ କାଠର ଖଣ୍ଡଟି ଓ ଭଙ୍ଗାରୁଜା କାଇଁଚ ପେଡ଼ି ଭିତରେ ଔଷଧ ମିଳାଇ ଯାଇଥିବା ଗୋଟିଏ ମୁଣ୍ଡବିନ୍ଧା ବଟିକାର ଖୋଳ। ଅଦରକାରୀ ହୋଇ ମଧ୍ୟ କୌଣସି ଅଲୋଡ଼ା ପଦାର୍ଥଟିଏ ବି ଆଖିରୁ ଲୁହ ଝରାଇ ଦେଇପାରେ, ତାହା ସେଦିନ ଅନୁଭବ କଲି। ଏଇ ପୁଟୁଳିଟି ହେଉଛି ସେଇ ଶେଷ ସନ୍ତକ। ଫିଙ୍ଗିଦେଇ ପାରିବା ମୋ ପକ୍ଷରେ ସହଜ ହେବ କି? ଏମିତି ଏକ ମୁହୂର୍ତ୍ତ ଆମ ସମୟର ଟିପା ଖାତାରେ ନାହିଁ, ଯେତେବେଳେ ଆମେ ସେଥିରେ ସ୍ମୃତିର ଚିତ୍ରଟିଏ ଆଙ୍କି ନ ଥାଉ। ଅତୀତର ସ୍ମୃତି ହିଁ ବର୍ତ୍ତମାନକୁ ଗତିଶୀଳ କରାଏ। ଜୀବନ ଆମକୁ ତିନିଟି ଅମୂଲ୍ୟ ବସ୍ତୁ ଦେଇଛି। ଆଖିରେ ଲୁହ, ଓଠରେ ହସ ଓ ମନରେ ସ୍ମୃତି। ଲୁହ ତ ଶୁଖିଯାଏ, ହସ ବି କ୍ଷଣିକରେ ମିଳାଇ ଯାଏ। କିନ୍ତୁ ସ୍ମୃତି ହଜିଗଲେ ଜୀବନ ଆଉ ନଥିବ।’ ପୁଟୁଳିଟି ଜଙ୍ଘ ଉପରେ ରଖି ଆଖି ପୋଛିଲେ ଅନୁଭବ।
ମୋ: ୯୩୩୭୬୪୮୬୩୮