ବର୍ଷ ୨୦୨୦ର ଶିକ୍ଷାକୁ ନେଇ ଆଲୋଚନା କଲା ବେଳେ କରୋନା ମହାମାରୀର ଉଲ୍ଲେଖ ଅପରିହାର୍ଯ୍ୟ, କାରଣ ଚଳିତ ବର୍ଷର ଶିକ୍ଷା ଏହାଦ୍ବାରା ସର୍ବାପେକ୍ଷା ଅଧିକ ଆକ୍ରାନ୍ତ। କରୋନା ଯୋଗୁଁ ସମଗ୍ର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟଗ୍ରସ୍ତ ଏବ˚ ପୂର୍ବାବସ୍ଥାକୁ ଫେରିବା ଲାଗି ତାକୁ କେତେ ବର୍ଷ ଲାଗିବ କେଜାଣି? ୨୦୧୯-୨୦ ଶିକ୍ଷାବର୍ଷ ମାର୍ଚ୍ଚ ମାସରେ ଯେତେବେଳେ ଶେଷ ହେବା ଉପରେ, ସେତେବେଳେ ଭାରତ ଏବ˚ ଅବଶିଷ୍ଟ ବିଶ୍ବରେ କରୋନା ତା’ର ପ୍ରକୋପ ଦେଖାଇଲା। ଫଳରେ, ସାରା ପୃଥିବୀରେ ଲକ୍‌ଡାଉନ୍‌ ହେଲା ଓ ସର୍ବତ୍ର ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା। ସାରା ପୃଥିବୀରେ କରୋନାର ପ୍ରାଦୁର୍ଭାବ ଅବ୍ୟାହତ ରହିଛି। ସୁତରା˚, ଯଦି ୨୦୨୧ର ଜାନୁଆରିରୁ ସ୍କୁଲ ବା କଲେଜ ବା ଶିକ୍ଷାନୁଷ୍ଠାନ ଆଦି ନ ଖୋଲେ, ତେବେ ପୃଥିବୀର ଅଧିକା˚ଶ ଦେଶରେ ୨୦୨୦-୨୧ର ଶିକ୍ଷାବର୍ଷ ନଷ୍ଟ ଗଲା ବୋଲି ବୁଝିବାକୁ ହେବ।

Advertisment

ଏତେ ଦୀର୍ଘ ଦିନ ଧରି ସମଗ୍ର ବିଶ୍ବ ସ୍ତରରେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ହେଉଛି ଆଧୁନିକ ଇତିହାସର ଏକ ଅଭୂତପୂର୍ବ ଘଟଣା। ଏହା ପୂର୍ବରୁ ଶହେ ବର୍ଷ ତଳେ ମଧୢ ‘ସ୍ପେନିସ ଇନ୍‌ଫ୍ଲୁଏ˚ଜା’ ନାମରେ ମହାମାରୀ ବ୍ୟାପିଥିଲା, ମାତ୍ର ସେତେବେଳେ ଏତେ ଦୀର୍ଘ ଅବଧି ଧରି ଶିକ୍ଷାନୁଷ୍ଠାନ ବନ୍ଦ ହେବାର ଉଦାହରଣ ନାହିଁ। ଦ୍ବିତୀୟତଃ, ଶହେ ବର୍ଷ ତଳେ ମୋଟ ବିଶ୍ବ ସମାଜ ଶିକ୍ଷା ନିମନ୍ତେ ଶିକ୍ଷାନୁଷ୍ଠାନ ଉପରେ ଏତେ ମାତ୍ରାରେ ନିର୍ଭରଶୀଳ ନ ଥିଲା। ଭାରତ ଭଳି ଅନେକ ଦେଶ ଥିଲେ ଉପନିବେଶବାଦର କର୍ତ୍ତୃତ୍ବାଧୀନ। ନା ଉପନିବେଶବାଦୀ ସରକାର ସେଠାରେ ଲୋକଙ୍କର ଶିକ୍ଷା ପାଇଁ ଚିନ୍ତାଶୀଳ ଥିଲେ, ନା ଜନସାଧାରଣଙ୍କ ମଧୢରେ ଔପଚାରିକ ଶିକ୍ଷାକୁ ନେଇ ବିଶେଷ ସଚେତନତା ରହିଥିଲା! ଫଳରେ, ସେତେବେଳେ ଶିକ୍ଷା ଉପରେ ମହାମାରୀର ଦୁଷ୍ପ୍ରଭାବକୁ ନେଇ ମଧୢ ବିଶେଷ ଚର୍ଚ୍ଚା ନ ଥିଲା। ତୃତୀୟତଃ, ସର୍ବଦା ନିକଟ ଅତୀତ ଆମ ପାଇଁ ସୁଦୂର ଅତୀତ ତୁଳନାରେ ଅଧିକ ସ୍ମୃତିଯୋଗ୍ୟ ହୋଇଥାଏ। ବର୍ତ୍ତମାନର କଷ୍ଟ ଏବ˚ ଅସୁବିଧାକୁ ଆମେ ଅଧିକ ବୋଲି ମନେ କରିଥାନ୍ତି। ଏଥିରେ ଅସ୍ବାଭାବିକତା କିଛି ନାହିଁ।

ଚଳିତ ଶିକ୍ଷାବର୍ଷରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହେବା କାରଣରୁ ସ୍କୁଲ-କଲେଜମାନଙ୍କରେ ‘ଅନଲାଇନ’ ପାଠପଢ଼ାର ଆରମ୍ଭ ହେଲା, ଯାହା ଏକ ଅନନ୍ୟ ଅନୁଭୂତି ସାବ୍ୟସ୍ତ ହେଲା। ଅନଲାଇନ ପାଠପଢ଼ା କଥା ଆଗରୁ ରହିଛି, କିନ୍ତୁ ମହାମାରୀ ଯୋଗୁଁ ତା’ର ବ୍ୟାପକତା ବୃଦ୍ଧି ପାଇଲା। ଫଳରେ, ତା’ର ଉଭୟ ଗୁଣ ଓ ଅବଗୁଣ ସାମନାକୁ ଆସିଲା। ଅନଲାଇନ ପାଠର ସୁଗୁଣ ହେଲା ଯେ ଏହା ଶାରୀରିକ ଦୂରତାକୁ ଅତିକ୍ରମ କରିବାକୁ ଅବସର ଦିଏ। ଆବଶ୍ୟକୀୟ ଉପକରଣ (ଏଣ୍ତ୍ରଏଡ ଫୋନ) ହାତରେ ଥିଲେ ଯେ କୌଣସି ସ୍ଥାନରୁ ଉଭୟ ଶିକ୍ଷକ ଏବ˚ ଶିକ୍ଷାର୍ଥୀ ପାଠପଢ଼ା ପ୍ରକ୍ରିୟାରେ ସାମିଲ ହୋଇପାରିବେ! ଏଥିପାଇଁ ଉଭୟଙ୍କ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଗୃହରେ ଉପସ୍ଥିତ ହେବାର ଆବଶ୍ୟକତା ରହେ ନାହିଁ। ଦ୍ବିତୀୟତଃ, ଶ୍ରେଣୀଗୃହ ତୁଳନାରେ ଢେର ଅଧିକ ସ˚ଖ୍ୟକ ଶିକ୍ଷାର୍ଥୀ ଜଣେ ଶିକ୍ଷକଙ୍କ ଶ୍ରେଣୀରେ ଉପସ୍ଥିତ ରହିପାରିବେ। ଏହାଛଡ଼ା, ଏହା ପାଠପଢ଼ାରେ ଟେକ୍‌ନୋଲୋଜିର ଉପଯୋଗର ମାର୍ଗକୁ ସୁଗମ କଲା। ‘ଅନଲାଇନ’ରେ କ୍ଲାସ ନେବା ପାଇଁ ସମସ୍ତ ଶିକ୍ଷକ ସମର୍ଥ ହେଲେ। ମହାମାରୀ ପୂର୍ବରୁ ‘ଅନଲାଇନ’କୁ ନେଇ ସାଧାରଣ ଶିକ୍ଷକର ଏତେ ମାତ୍ରାରେ ଆତ୍ମବିଶ୍ବାସ ନ ଥିଲା।

ଏ’ତ ଗଲା ‘ଅନଲାଇନ’ର ଗୁଣ। ମାତ୍ର ଗୁଣ ତୁଳନାରେ ତା’ର ଅବିଗୁଣ ଢେର ଅଧିକ। ଭାରତ ଭଳି ବିକାଶଶୀଳ ବା ଅନ୍ୟାନ୍ୟ ଦରିଦ୍ର ରାଷ୍ଟ୍ରରେ ‘ଅନଲାଇନ’ ଶିକ୍ଷା ଛାତ୍ର ସମାଜକୁ ଦୁଇ ଭାଗରେ ବିଭାଜିତ କରିଛି। କାରଣ ଅନଲାଇନ ଶିକ୍ଷା ପାଇଁ ଉପକରଣ ମହଙ୍ଗା; ଅଭ୍ୟନ୍ତର ଇଲାକା ବା ଗ୍ରାମାଞ୍ଚଳରେ ନେଟ୍‌ଵାର୍କ ମିଳିବା ସହଜ ନୁହେଁ; ଡାଟା ଖର୍ଚ୍ଚ କରିବା ବ୍ୟୟ ବହୁଳ। ତେଣୁ ଏଭଳି ଅନେକ ରାଷ୍ଟ୍ରରେ ଏକ ବୃହତ୍‌ ବର୍ଗର ଦରିଦ୍ର ଛାତ୍ରଛାତ୍ରୀ ଏଥରୁ ସୁଫଳ ପାଇ ନ ପାରି ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ି ଯାଇଛନ୍ତି। କିନ୍ତୁ ସେମାନଙ୍କ ତୁଳନାରେ ସହରରେ ରହୁଥିବା ସ˚ପନ୍ନ ପରିବାରର ସନ୍ତାନମାନେ ଏଥିରୁ ଲାଭ ପାଇଛନ୍ତି। ସୁତରା˚ ଅନେକ ଦେଶର ଛାତ୍ରଛାତ୍ରୀଙ୍କ ମଧୢରେ ‘ଡିିଜିଟାଲ ଡିଭାଇଡ୍‌’ ସୃଷ୍ଟି ହୋଇଛି। କିନ୍ତୁ ‘ଅଫଲାଇନ’ ବା ସ୍ବାଭାବିକ ପାଠପଢ଼ା ସମ୍ଭବ ନ ହେବା ସ୍ଥିତିରେ ‘ଅନଲାଇନ’ ଏକ କାମଚଳା ବ୍ୟବସ୍ଥା ହୋଇଥିଲେ ହେଁ ଏହା ଏକମାତ୍ର ବିକଳ୍ପ ରୂପେ ଉଭା ହୋଇଛି। କରୋନାକାଳୀନ ବିଡ଼ମ୍ବନା ମଧୢରୁ ଏହା ଗୋଟିଏ। ‘ଅନଲାଇନ’ ପାଠପଢ଼ାର ବାଧୢବାଧକତାରୁ ଏ କଥା ମଧୢ ସିଦ୍ଧ ହୋଇଛି ଯେ ଟେକ୍‌ନୋଲୋଜି ବା ଆଧୁନିକ ପ୍ରଯୁକ୍ତି କଦାପି ଶ୍ରେଣୀଗୃହର ଶିକ୍ଷକର ସ୍ଥାନ ନେଇ ପାରିବ ନାହିଁ। ଏହାର ଅର୍ଥ ହେଲା, ଶିକ୍ଷକ ନିଯୁକ୍ତି ବଦଳରେ ଟେକ୍‌ନୋଲୋଜିର ସ୍ଥାପନାକୁ ଅଧିକ ପ୍ରାଥମିକତା ଦେଇ କୌଣସି ସମାଜ ଶିକ୍ଷାର ହିତ ରକ୍ଷା କରି ପାରିବ ନାହିଁ ବୋଲି ଏହି କରୋନା କାଳରେ ହିଁ ପ୍ରମାଣିତ ହୋଇଛି। ଏଣୁ ଟେକ୍‌ନୋଲୋଜି ସତ୍ତ୍ବେ ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ଆବଶ୍ୟକତା ଓ ଗୁରୁତ୍ବ ରହିବ।

ଚଳିତ ବର୍ଷର ଅନୁଭବ ଶିକ୍ଷା ଦୃଷ୍ଟିରୁ ଖୁବ୍‌ ଅଧିକ ମହତ୍ତ୍ବପୂର୍ଣ୍ଣ। କାରଣ ଶିକ୍ଷା ଯେ ସମାନତାର ଦ୍ୟୋତକ, ତାହା ଏ ବର୍ଷ ଭୁଲ ପ୍ରମାଣିତ ହେଲା। ଶିକ୍ଷାର ଅର୍ଥ ସମାନତାର ବିଚାରକୁ ପ୍ରାଥମିକତା ମିଳିବା। ମାତ୍ର ଅନଲାଇନ ପାଠପଢ଼ା ଯୋଗୁଁ ଏହା ଅସମାନତାକୁ ଅଧିକ ସ˚ପ୍ରସାରିତ କରିଛି। ସବୁ ପିଲାଙ୍କ ହାତରେ ପାଠପଢ଼ାର ଆବଶ୍ୟକ ଉପକରଣ ‘ଏଣ୍ତ୍ରଏଡ ଫୋନ’ ନ ଥିବା କାରଣରୁ ଅସମାନତା ସୃଷ୍ଟି ହୋଇଛି; ପୁଣି ସାଧାରଣ ଶ୍ରେଣୀ ଗୃହରେ ବୁଝାପଡୁଥିବା ପାଠ ଅନଲାଇନରେ ଅନେକଙ୍କ ଲାଗି ଅବୁଝା ହୋଇ ରହିଯାଉଥିବା କାରଣରୁ ଛାତ୍ରମାନଙ୍କ ମଧୢରେ ମଧ୍ୟ ଶିକ୍ଷାର୍ଜନ ସ୍ତରରେ ଅସମାନତା ପରିଦୃଷ୍ଟ ହୋଇଛି- ମୋଟାମୋଟି ଭାବେ କହିଲେ ଚଳିତ ବର୍ଷର ଶିକ୍ଷା ପିଲାଙ୍କ ପାଠପଢ଼ାର ପଶ୍ଚାତ୍‌ ଗତିକୁ ହିଁ ଦର୍ଶାଇଲା। ଏହାର ଅଧିକ ଶିକାର ହେଲେ ଅନୁନ୍ନତ ଗ୍ରାମାଞ୍ଚଳ ମଫସଲର ଛାତ୍ରଛାତ୍ରୀ। ଆମ ଦେଶରେ ସରକାରୀ ସ୍କୁଲ ବ୍ୟବସ୍ଥାରେ ଆଶ୍ରିତ ଶିକ୍ଷାର୍ଥୀ ଏହା ଦ୍ବାରା ଘୋର ଆକ୍ରାନ୍ତ। କରୋନା ଶିକ୍ଷା ବର୍ଷରେ ଗ୍ରାମୀଣ ଏବ˚ ସହରୀ ପିଲାଙ୍କ ମଧୢରେ ସୃଷ୍ଟି ହୋଇ ସାରିଥିବା ବ୍ୟବଧାନକୁ ଅନଲାଇନ ଶିକ୍ଷା ଆହୁରି ଅଧିକ ଓସାରିଆ କରିଛି ଏବ˚ ଏହା ଊଣାଅଧିକେ ପୃଥିବୀର ଅଧିକା˚ଶ ଦେଶରେ ଦେଖିବାକୁ ମିଳିଛି। ଚଳିତ ବର୍ଷର ଶିକ୍ଷା କେବଳ ଶିକ୍ଷାର୍ଥୀଙ୍କ ପାଇଁ ନୁହେଁ, ଶିକ୍ଷକଙ୍କ ପାଇଁ ମଧୢ ଯଥେଷ୍ଟ ମାତ୍ରାରେ ଅହିତକର ସାବ୍ୟସ୍ତ ହୋଇଛି। ସ୍କୁଲ ବନ୍ଦ ହେବା ଯୋଗୁଁ ଅନେକ ଶିକ୍ଷକ ଜୀବିକା ହରାଇଛନ୍ତି। କେବଳ ସେତିକି ନୁହେଁ ଅନଲାଇନରେ ଶିକ୍ଷକତା ଏହା ଦେଖାଇ ଦେଇଛି ଯେ ଜଣେ ଶିକ୍ଷକ ଅନେକ ପିଲାଙ୍କୁ ପଢ଼ାଇ ପାରନ୍ତି। ପୂର୍ବରୁ ଶ୍ରେଣୀଗୃହରେ ଚାଳିଶ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ଶିକ୍ଷକ ଆବଶ୍ୟକ ହେଉଥିବା ବେଳେ ଏବେ ଅନଲାଇନରେ ଚାରି ଶହ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ଶିକ୍ଷା ଦେଇ ପାରିବ ବୋଲି ସାବ୍ୟସ୍ତ ହୋଇଛି। ଏହା ଭବିଷ୍ୟତ୍‌ରେ ଶିକ୍ଷକ ନିଯୁକ୍ତିରେ ସ˚କୋଚନ ଘଟାଇପାରେ। କେବଳ ସ୍କୁଲ ଶିକ୍ଷକ ନୁହେଁ, ସାରା ପୃଥିବୀରେ ଘରୋଇ ଭାବେ ପାଠ ପଢ଼ାଉଥିବା ବା ଟୁଇସନ କରୁଥିବା ଶିକ୍ଷକମାନେ ମଧୢ ରୋଜଗାର ଶୂନ୍ୟ ହୋଇଛନ୍ତି।

୨୦୨୦ର ଶିକ୍ଷାର ଅନ୍ୟ ଏକ ବିଶେଷତ୍ବ ହେଲା ଯେ ଏହା ଆମ ମନରୁ ଟେକ୍‌ନୋଲୋଜିକୁ ନେଇ ରହିଥିବା କେତେକ ପ୍ରମାଦକୁ ପ୍ରତ୍ୟକ୍ଷ ଅନୁଭବ କରିବାରେ ସାହାଯ୍ୟ କଲା। ସାନ ପିଲାଙ୍କ ହାତରେ ଏଣ୍ତ୍ରଏଡ ଫୋନ ପଡ଼ିବା ଦ୍ବାରା ସବିଶ୍ବ ଅଭିଭାବକଙ୍କ ଚିନ୍ତା ବୃଦ୍ଧି ପାଇଛି। ମାନସିକ ପରିପକ୍ବତା ଲାଭ କରିବା ପୂର୍ବରୁ ସ୍କୁଲ ପିଲା ଫୋନରେ ଉପଲବ୍‌ଧ ଅନେକ ନିଷିଦ୍ଧ ଇଲାକାରେ ପ୍ରବେଶ କଲେ ଯାହା ସେମାନଙ୍କ ନିରୀହତାକୁ ଅପହରଣ। ଏହା ସମସ୍ତେ ଜାଣନ୍ତି ଯେ ଟେକ୍‌ନୋଲୋଜି ହେଉଛି ଏକ ଦୁଇଟି ଧାର ଥିବା ଅସ୍ତ୍ର ସଦୃଶ, ଯାହାକୁ ଉଭୟ ଭଲ ବା ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ। ଚଳିତ ବର୍ଷର ଶିକ୍ଷା ବ୍ୟବସ୍ଥା କରୋନା ଯୋଗୁଁ ବିପର୍ଯ୍ୟସ୍ତ। ତଥାପି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର କେତେକ ଦେଶରେ କିଛି ଶିକ୍ଷାନୁଷ୍ଠାନ ସତର୍କତାର ସହିତ ଖୋଲିବା ଆରମ୍ଭ କରିଛନ୍ତି। କିନ୍ତୁ କରୋନାର ଛାୟା ସ˚ପୂର୍ଣ୍ଣ ଅପସରି ନ ଗଲା ପର୍ଯ୍ୟନ୍ତ ସେ ସବୁ କେତେ ଦିନ ଯାଏ ଖୋଲା ରହିବେ, ତାହା ସନ୍ଦେହାସ୍ପଦ। ତେବେ ଏହା କହିବାରେ ଦ୍ବିଧା ନାହିଁ ଯେ କରୋନା ବିଦାୟ ନେବା ପରେ ସାରା ପୃଥିବୀରେ ଶିକ୍ଷା ବ୍ୟବସ୍ଥା ପୁଣି ତାର ପୂର୍ବର ଔଜ୍ଜ୍ବଲ୍ୟ ଫେରି ପାଇବ। ଏ ବର୍ଷ ଯେଉଁମାନେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ସେମାନେ ଏକ ପାନ୍‌ଡେମିକ କାଳର ଅଭୂତପୂର୍ବ ଅନୁଭୂତି ହାସଲ କରିଥିବା କାରଣରୁ ପରବର୍ତ୍ତୀ ପିଢ଼ି ଠାରୁ ସେମାନଙ୍କ ଅନୁଭୂତି ଆଧାରରେ ଓ ସେମାନଙ୍କ ବିବେଚନା ଆଧାରରେ ଭିନ୍ନ ହେବେ। ସେମାନଙ୍କ ଶିକ୍ଷା ଜୀବନରୁ ଗୋଟିଏ ବର୍ଷ ପ୍ରାୟ ଅଦୃଶ୍ୟ ହୋଇଯାଇଛି ସତ, କିନ୍ତୁ ତାହା ଏକ ହଜି ଯାଇଥିବା ବର୍ଷ ହେବ ନାହିଁ। ତାହା ହେବ ଅନେକ ନୂଆ ଅନୁଭୂତି ପ୍ରଦାନ କରିଥିବା ଭଳି ଗୋଟିଏ ବର୍ଷ, ଯାହା ସେମାନଙ୍କୁ ପରବର୍ତ୍ତୀ କାଳର ଆହ୍ବାନର ସମ୍ମୁଖୀନ ହେବା ଲାଗି ସମର୍ଥ କରିବ।
[email protected]