ମୌସୁମୀର ସଂଗୀତ

ସୌଭାଗ୍ୟ ର˚ଜନ ମହାନ୍ତି

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଠିକ୍‌ ସମୟରେ ଅର୍ଥାତ ଜୁନ୍‌ ମାସ ୧ ତାରିଖରେ କେରଳ ଛୁଇଁଛି। ସୁତରାଂ, ଭାରତରେ ଏ ବର୍ଷ ଠିକ ସମୟରେ ଏକ ଚାରି ମାସିଆ ବର୍ଷା ଋତୁ ରାଜୁତି କରିବ ବୋଲି ପାଣିପାଗ ବିଭାଗ କହିଛି। ଏହା ଆମ ଦେଶର ଚାଷୀମାନଙ୍କ ପାଇଁ ଏକ ଖୁସିର ଖବର। ଯେଉଁ ଦେଶରେ ଚାଷରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ୭୫ ଭାଗ ଏବଂ ସେମାନଙ୍କ ଚାଷ ପୁଣି ମୌସୁମୀ ଉପରେ ପ୍ରାୟ ସଂପୂର୍ଣ୍ଣ ନିର୍ଭରଶୀଳ, ସେତିକି ବେଳେ ଏକ ସ୍ବାଭାବିକ ମୌସୁମୀ ଛଡ଼ା ଆଉ ଭଲ ଖବର କ’ଣ ହୋଇପାରେ! ଆମ ଦେଶର ଜିଡିପି ବା ମୋଟ ଜାତୀୟ ଆୟରେ କୃଷିର ଅବଦାନ ମାତ୍ର ୩ରୁ ୪% ହୋଇଥିଲେ ସୁଦ୍ଧା ଏକ ଭଲ ମୌସୁମୀ ଦ୍ବାରା ଅମଳ ଭଲ ହେଲେ ଏହା ଦେଶର ଅର୍ଥନୀତି ଲାଗି ଅଧିକ ଅନୁକୂଳ ହେବାର ସମ୍ଭାବନା ଅଧିକ। ସଂପ୍ରତି କରୋନା ଭୂତାଣୁ ସ˚କ୍ରମଣ କାରଣରୁ ଦେଶର ଉଦ୍ୟୋଗ ଭାରାକ୍ରାନ୍ତ। ଏଭଳି ସ୍ଥିତିରେ ଭଲ ଚାଷବାସ ଭାରତୀୟ ଅର୍ଥନୀତି ଲାଗି ଆଶାର କିରଣ ସୃଷ୍ଟି କରିପାରେ। ଚଳିତ ବର୍ଷ ଦେଶରେ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗଲା କିଛି ବର୍ଷ ଧରି ଭାରତରେ ମୌସୁମୀ ପ୍ରବାହ ଅତ୍ୟନ୍ତ ଅନିୟମିତ ରହିଛି। ଗଲା ୨୦୧୫, ୨୦୧୬ ଏବଂ ୨୦୧୯ରେ ମୌସୁମୀ ବିଳମ୍ବରେ କେରଳ ଉପକୂଳ ଛୁଇଁଥିଲା। ୨୦୧୭ ଓ ୨୦୧୮ରେ ଏହା ଆଗୁଆ ଥିଲା। ସାଧାରଣତଃ ରଜ ବେଳକୁ ଆମ ରାଜ୍ୟରେ ମୌସୁମୀ ପ୍ରବେଶ କରିଥାଏ। କିନ୍ତୁ ଗତ କିଛି ବର୍ଷ ହେଲାଣି ଏଥିରେ ବିଭ୍ରାଟ ଲାଗି ରହିଥିବା ଦେଖିବାକୁ ମିଳିଛି। ଗଲା କିଛି ବର୍ଷ ହେଲାଣି ମୌସୁମୀ ବର୍ଷାର ଅନୁଭବ ହିଁ ମିଳୁନାହିଁ; କେବଳ ଲଘୁଚାପ ଦ୍ବାରା ବର୍ଷା ହେଉଛି ଯହିଁରେ କୌଣସି ଏକ ଧାରା ଦେଖିବାକୁ ମିଳି ନ ଥାଏ। ମୌସୁମୀ ପ୍ରବାହ ଯଦି ଠିକ ରହେ, ତେବେ ବର୍ଷାର ଏକ ଧାରା ଦେଖିବାକୁ ମିଳିଥାଏ।

ମୌସୁମୀ ବର୍ଷାକୁ ନେଇ ପାଶ୍ଚାତ୍ୟ ଦେଶର ଲୋକେ ଭାରି କଳ୍ପନାପ୍ରବଣ ହୋଇ ଯାଆନ୍ତି। କେବଳ ବିଦେଶରେ ନୁହେଁ, ଆମ ଦେଶରେ ମଧ୍ୟ ଅନେକ ରୋମାଣ୍ଟିକଧର୍ମୀ ବା ବିରହ ବା ବିଷାଦ ଭରା କବିତା ଏଇ ମୌସୁମୀକୁ ନେଇ ଲେଖା ଯାଇଛି। ମୌସୁମୀ ପ୍ରବାହ ହେତୁ ହେଉଥିବା ଧାରା ଶ୍ରାବଣ ବର୍ଷା ଯେଉଁ ଲୟ ଓ ତାନ ସୃଷ୍ଟି କରେ, ତାହା ପ୍ରକୃତି-ପ୍ରେମୀଙ୍କୁ ବି‌େମାହିତ କରି ପକାଏ। ବ୍ରିଟେନ୍‌ର ପ୍ରସିଦ୍ଧ ଭ୍ରମଣ କାହାଣୀ ଲେଖକ ଆଲେକଜାଣ୍ଡର ଫ୍ରେଟର ଗୋଟିଏ ବହି ଲେଖିଛନ୍ତି, ଯାହାର ନାମ ‘ଚେଜିଂ ଦ ମନସୁନ୍‌’ ଅର୍ଥାତ ‘ମୌସୁମୀ ଅନୁଧାବନରେ’। ତହିଁର ଲେଖକ କେରଳରୁ ଆରମ୍ଭ କରି ମୌସୁମୀ ପଛେ ପଛେ ଯାଇ ବର୍ଷଣମୁଖର ଭାରତକୁ ପୂରା ପରିକ୍ରମା କରି ପକାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏଇ ଗଲା ଜାନୁଆରି ମାସରେ ଫ୍ରେଟରଙ୍କ ପରଲୋକ ଘଟିଯାଇଛି।

ଚଳିତ ବର୍ଷ ଲକଡାଉନ୍‌ ହେତୁ ବାୟୁ ମଣ୍ଡଳ ନିର୍ମଳ ହୋଇ ଯାଇଥିଲା। ଏବେ ଲକଡାଉନ୍ କୋହଳ ହେବା ପରେ ମଧ୍ୟ ଗାଡ଼ି ମଟର କମ୍ ଚାଲୁଛି, କମ୍‌ ସଂଖ୍ୟକ ଉଡ଼ାଜାହାଜ ଉଡୁଛି ଏବଂ ବାତାବରଣ ପରିଷ୍କାର ରହିଛି। ଏହି କାରଣରୁ ବୋଧହୁଏ ଏ ବର୍ଷ ଆମ ରାଜ୍ୟ ଭୀଷଣ ଗ୍ରୀଷ୍ମ ପ୍ରବାହ ଦ୍ବାରା ଆକ୍ରାନ୍ତ ହୋଇନାହିଁ। ବିଗତ ବର୍ଷଗୁଡ଼ିକରେ ଗ୍ରୀଷ୍ମ ଲହରି ମୌସୁମୀ ପ୍ରବାହର ବାଟ ଓଗାଳି ଥାଏ। ଏଥର କିନ୍ତୁ ସେଭଳି ହୋଇ ନ ଥିବାରୁ ମୌସୁମୀ ପ୍ରବାହ ଭଲ ରହିବ ବୋଲି ଆଶା। ତାହା ହିଁ ହେଉ। ମୌସୁମୀର ସଂଗୀତ ଆମ ସମସ୍ତଙ୍କୁ ବିମୋହିତ କରୁ। ଏ ଧରା ପଲ୍ଲବିତ ହେଉ; ନୂତନ ଜୀବନ ସଂଚାରିତ ହେଉ।
ମୋ: ୯୪୩୭୯୯୪୩୭୯

ସମ୍ବନ୍ଧିତ ଖବର