ସନତ ମିଶ୍ର: ଓଡ଼ିଶାରେ ବ୍ୟାଡମିଣ୍ଟନ୍ ଓ ସନତଙ୍କ ସ୍ମୃତି

ସୁଧାଂଶୁ ରଞ୍ଜନ ଦାସ

କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଓଡ଼ିଶାରେ ବ୍ୟାଡମିଣ୍ଟନ୍ ୱର୍ଲଡ୍‌ ଫେଡେରେସନ୍‌ (ବି.ଡବ୍ଲ୍ୟୁ.ଏଫ୍‌.)ର ସୁପର ୧୦୦ ଟୁର୍ନାମେଣ୍ଟ ଗଲା ଡିସେମ୍ବର ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହୋଇଗଲା। ଏହି ପ୍ରତିଯୋଗିତାରେ ୩୦ଟି ଦେଶର ୪୫୦ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଥିଲେ। ଦୁଇ ବର୍ଷ ଧରି ଏହା ଓଡ଼ିଶାର ଅନେକ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କୁ ଆନନ୍ଦିତ ଏବଂ ରୋମାଞ୍ଚିତ କରୁଛି। ଆମ ରାଜ୍ୟରେ ବ୍ୟାଡମିଣ୍ଟନ୍‌ ଖେଳ ପ୍ରତି କିଶୋର ଓ ତରୁଣ ବୟସରେ, ବିଶେଷ କରି ସ୍କୁଲ ଓ କଲେଜରେ ପଢୁଥିବା ବେଳେ ଆଗ୍ରହ ଦେଖିବାକୁ ମିଳିଥାଏ। ଗାଁ ଗହଳିରେ ମଧ୍ୟ ପିଲାମାନେ ଯାହିତାହି ରାକେଟ୍‌ ଯୋଗାଡ଼ କରି ବିନା ନେଟ୍‌ରେ ବ୍ୟାଡମିଣ୍ଟନ୍‌ ଖେଳୁଥିବା ଦେଖିବାକୁ ମିଳେ। ଶୀତ ଦିନ ଆସିଲେ ହେମାଳ ରାତିରେ ଉଷ୍ମତା‌ ଲାଭ କରିବା ଲାଗି ଅନେକ ମଧ୍ୟ-ବୟସ୍କ ମଧ୍ୟ ନିଜ ଘର ପାଖ ଖୋଲା ଜାଗାରେ ଲାଇଟ୍‌ ଲଗାଇ ବ୍ୟାଡମିଣ୍ଟନ୍‌ ଖେଳନ୍ତି। କିନ୍ତୁ କଥା ହେଲା, ଶୀତ ଦିନ ଚାଲିଯିବା ସହିତ ଏହି ଖେଳ ପ୍ରାୟ ସରିଯାଏ ଏବଂ ଏହାକୁ ପେସାରେ ପରିଣତ କରିବାକୁ ବିଶେଷ ଆଗ୍ରହ ଓ ସାହସ ପ୍ରକାଶ ପାଇ ନ ଥାଏ।
ଏବେ ବ୍ୟାଡମିଣ୍ଟନ୍ ଖେଳର ବିକାଶ ତଥା ପେସାଦାର ଖେଳାଳି ସୃଷ୍ଟି ସକାଶେ ରାଜ୍ୟ ସରକାର ଆଗ୍ରହୀ ଭଳି ମନେ ହୋଇଥାଏ। ସେହି ଦୃଷ୍ଟିରୁ ବିଭିନ୍ନ ଜିଲ୍ଲାରେ ନିର୍ମିତ ୯୦ଟି ବହୁମୁଖୀ ବା ‘ମଲ୍‌ଟି ପର୍ପସ୍‌’ ଇନ୍‌ଡୋର ଷ୍ଟାଡିଅମର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହି ପରିପ୍ରେକ୍ଷୀରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଯୋଗ୍ୟ ବ୍ୟାଡମିଣ୍ଟନ୍‌ ପ୍ରତିଭାଙ୍କ ଚିହ୍ନଟ। ଏଥି ସକାଶେ ଦକ୍ଷ ‘ଟାଲେଣ୍ଟ ସ୍କାଉଟ୍‌’ ବା ପ୍ରତିଭା ଚିହ୍ନଟକାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଆବଶ୍ୟକ, ଯେଉଁମାନେ ବିନା ପ୍ରିୟାପ୍ରୀତି ତୋଷଣ ବା ପାତରଅନ୍ତରରେ କୈଶୋର ଏବଂ ତାରୁଣ୍ୟରେ ଥିବା ପ୍ରତିଭାମାନଙ୍କୁ ଠାବ କରିବେ। ଏହି କାମରେ ଗଣମାଧ୍ୟମର ମଧ୍ୟ ଏକ ବିଶେଷ ଭୂମିକା ରହିଛି; କାରଣ ‘ଟାଲେଣ୍ଟ ସ୍କାଉଟ୍‌’ ପହଞ୍ଚି ପାରୁ ନ ଥିବା ଇଲାକାରୁ ପ୍ରତିଭାମାନଙ୍କୁ ଆବିଷ୍କାର କରିବାର ଦାୟିତ୍ବ ଗଣମାଧ୍ୟମର।
ଏହାକୁ ପେସାରେ ପରିଣତ କରିବା ପଥରେ ଏକ ବଡ଼ ବାଧକ ହେଉଛି ଏହି ଖେଳ ଦାବି କରୁଥିବା ଅଧିକ ବ୍ୟୟ। ଏହି କାରଣରୁ ମଧ୍ୟବିତ୍ତ ପରିବାରର ପିଲାଏ ମଧ୍ୟ ଏହାକୁ କ୍ୟାରିଅର କରିବାର ସ୍ବପ୍ନ ଦେଖି ପାରନ୍ତି ନାହିଁ, ଦରିଦ୍ର ବା ନିମ୍ନବିତ୍ତ ପରିବାରର ପିଲାମାନଙ୍କ କଥା ଦୂରେ ଥାଉ। ଜଣେ ବ୍ୟାଡମିଣ୍ଟନ୍ ଖେଳାଳିକୁ ଜୋତା, ରାକେଟ୍‌ ଏବଂ ସଟଲ୍ ଭଳି ଖେଳ ସାମଗ୍ରୀ, ପ୍ରଶିକ୍ଷଣ ଲାଗି ପାଉଣା, ଟୁର୍ନାମେଣ୍ଟରେ ଭାଗ ନେବା ଲାଗି ଜମା କରିବାକୁ ପଡୁଥିବା ‘ଫି’, ଖେଳିବା ଲାଗି ଦୂର ଜାଗାକୁ ଯିବାଆସିବା ଓ ରହିବା ଖର୍ଚ୍ଚ ଇତ୍ୟାଦି ବାବଦକୁ ମାସିକ ହାରାହାରି କୋଡ଼ିଏରୁ ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିପାରେ। ଏବେ ଦଶଟି ବ୍ୟାଡମିଣ୍ଟନ୍ ସଟଲ୍‌ର ବଜାର ଦର ହେଉଛି ୧୨୦୦ ଟଙ୍କାରୁ ୨୦୦୦ ଟଙ୍କା। ଏହି କାରଣରୁ ଆମ ରାଜ୍ୟରେ ଅନେକ ଉଦୀୟମାନ ଖେଳାଳି ଶସ୍ତା ପ୍ଲାଷ୍ଟିକ ସଟଲ୍‌ରେ ଖେଳନ୍ତି; ଏପରିକି ଅନେକ ଭଲ ଖେଳାଳି ମଧ୍ୟ ସେଥିରେ ଅଭ୍ୟାସ କରିବାକୁ ବାଧ୍ୟ ହୁଅନ୍ତି। ତେଣୁ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ଲାଗି ବେସରକାରୀ ସ୍ତରରେ ପୃଷ୍ଠପୋଷକତାର ଆବଶ୍ୟକତା ମଧ୍ୟ ରହିଛି।
ଭାରତରେ ହାଇଦ୍ରାବାଦକୁ ବ୍ୟାଡମିଣ୍ଟନ୍ ଖେଳର ମକ୍କା ବୋଲି କୁହାଯାଏ। ଏଠି ମଧ୍ୟ ଅଧିକାଂଶ ଖେଳାଳି ଶସ୍ତା ପ୍ଲାଷ୍ଟିକ ସଟଲ୍‌ରେ ଖେଳନ୍ତି। କିନ୍ତୁ, ହାଇଦ୍ରାବାଦରେ ବ୍ୟାଡମିଣ୍ଟନ୍‌ ଖେଳର ତୀବ୍ର ବ୍ୟବସାୟୀକରଣ ହୋଇଯାଇଛି। ଯାହା ଫଳରେ ମଧ୍ୟବିତ୍ତ ବର୍ଗର ପିଲାମାନେ ଉତ୍ତମ କୋଚିଂ ନେବା ଲାଗି ମଧ୍ୟ ଭରସି ପାରନ୍ତି ନାହିଁ। ହାଇଦ୍ରାବାଦରେ ଅଧିକାଂଶ କୋଚ ଲକ୍ଷ ଲକ୍ଷ ଟଙ୍କା ନେଇ ଧନୀ ପରିବାରର ପିଲାମାନଙ୍କୁ କୋଚିଂ ଦିଅନ୍ତି। ଓଡ଼ିଶାରେ ବ୍ୟଡମିଣ୍ଟନ୍‌ ଖେଳର ବିକାଶ କଥା ଚିନ୍ତା କଲା ବେଳେ ଏହି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ। କାରଣ ମୂଳ ଉଦ୍ଦେଶ୍ୟ ହେଲା, କୌଣସି ପ୍ରତିଭା ଯେମିତି ସୁଯୋଗ ପାଇବାରୁ ବଞ୍ଚିତ ନ ହୁଅନ୍ତି।
ଏବେ ପେସାଦାର ବ୍ୟାଡମିଣ୍ଟନ୍‌ରେ ଆଉ ଗୋଟିଏ ଅପସଂସ୍କୃତି ସୃଷ୍ଟି ହୋଇଗଲାଣି। ତାହା ହେଲା, ପ୍ରତିଷ୍ଠିତ ଖେଳାଳିମାନେ ଅର୍ଥ ଓ ପ୍ରଭାବ ବଳରେ ଦୀର୍ଘ କାଳ ଧରି ଖେଳ ଜାରି ରଖୁଥିବା ଭଳି ବିଷୟ। ଏହା ଫଳରେ ଅନ୍ୟ ରାଜ୍ୟର ଅନେକ ପ୍ରତିଭାବାନ ଖେଳାଳି ଆଗେଇ ପାରୁନାହାନ୍ତି। ତିରିଶ ବର୍ଷ ବୟସ ଅତିକ୍ରମ କଲା ପରେ ମଧ୍ୟ ଅନେକ ଖେଳାଳି ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଓଡ଼ିଶାର ଖେଳାଳିମାନେ କିପରି ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ, ସେଥିପାଇଁ ପଥିକୃତ୍‌ ଉଦ୍ୟମ ହେବା ଆବଶ୍ୟକ।
ସ୍ବର୍ଗତ ସନତ ମିଶ୍ର ଥିଲେ ଓଡ଼ିଶାର ଏକମାତ୍ର ବ୍ୟାଡମିଣ୍ଟନ୍ ଖେଳାଳି ଯିଏ ପ୍ରତିକୂଳ ପରିବେଶରେ ରହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ଜିତିଥିଲେ ଓ ଓଡ଼ିଶାକୁ ଗୌରବାନ୍ୱିତ କରିଥିଲେ। ସନତଙ୍କ ପଦକ ତାଲିକାରେ ଅନ୍ତର୍ଭୁକ୍ତ ୧୯୮୬ର ସିଓଲ୍‌ ଏସୀୟ କ୍ରୀଡ଼ାରେ ପୁରୁଷ ଡବଲ୍‌ସରେ କାଂସ୍ୟ ପଦକ ଓ ଦକ୍ଷିଣ-ଏସୀୟ ଫେଡେରେସନ୍ ଖେଳରେ ପୁରୁଷ ଡବଲ୍‌ସରେ ସ୍ବର୍ଣ୍ଣ ପଦକ। ଓଡ଼ିଶା ସରକାର ରାଜ୍ୟରେ ବ୍ୟାଡମିଣ୍ଟନ୍‌ କ୍ରୀଡ଼ାର ବିକାଶ ବିଷୟ ଚିନ୍ତା କଲା ବେଳେ ଏହି ମହାନ ଖେଳାଳିଙ୍କ ସ୍ମୃତି ଓ ସମ୍ମାନ ରକ୍ଷା ଲାଗି ମଧ୍ୟ ଉଦ୍ୟମ କରିବା ଉଚିତ। ତାଙ୍କ ନାମରେ କୌଣସି ଷ୍ଟାଡିଅମ ନାମିତ କରାଯିବା ଉଚିତ। ବ୍ୟାଡମିଣ୍ଟନ୍‌ ଖେଳ ସହିତ ଜଡ଼ିତ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ପଦକ ତାଙ୍କ ନାମରେ ଉତ୍ସର୍ଗୀକୃତ ହେବା ଉଚିତ। ରାଜ୍ୟରେ ବ୍ୟାଡମିଣ୍ଟନର ବିକାଶ ଲାଗି ବାତାବରଣ ତିଆରିର ଉଦ୍ୟମ ଆରମ୍ଭ କଲା ବେଳେ ଏହି ବିରଳ ବ୍ୟାଡମିଣ୍ଟନ୍‌ ପ୍ରତିଭାଙ୍କୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ।
ମୋ: ୭୭୦୨୩୮୩୮୮୦

ସମ୍ବନ୍ଧିତ ଖବର