ସାଧୁ ଓ ପଣ୍ଡିତ

କଥାଟିଏ-ଯାଯାବର

ଜଣେ ସାଧୁ ତାଙ୍କ ଚେଲା ସହିତ ଘୂରି ବୁଲୁଥିଲେ।
ଏମିତି ବୁଲୁବୁଲୁ ଜଣେ ପଣ୍ତିତଙ୍କ ସହିତ ସାଧୁଙ୍କ ଦେଖାହେଲା। ପଣ୍ତିତ ତାଙ୍କ ସହିତ ଶାସ୍ତ୍ର ଜ୍ଞାନକୁ ନେଇ ତର୍କ କରିବାକୁ ବାହାରିଲେ। ସାଧୁ ଦେଖିଲେ, ପଣ୍ତିତଙ୍କ ଜ୍ଞାନ ଖୁବ୍‌ ସୀମିତ, କିନ୍ତୁ ବିତଣ୍ତା ଯୁକ୍ତି କରିବାରେ ସେ ଧୁରନ୍ଧର। ତେଣୁ ସାଧୁ ଆଉ ତର୍କକୁ ଆଗକୁ ନ ବଢ଼ାଇ ସେଠାରୁ ଚାଲିଲେ। ଚେଲା ପଚାରିଲା- ଆଜ୍ଞା, ଏ ପଣ୍ତିତ କେମିତି? ଗୁରୁ କହିଲେ ଯେଉଁ ନିର୍ବୋଧ ଜାଣେ ନାହିଁ ଯେ ସେ ନିର୍ବୋଧ ଏବ˚ ନିଜକୁ ପଣ୍ତିତ ବୋଲି ଭାବେ ସେ ଭାରି ବିପଜ୍ଜନକ। ତାକୁ ଛାଡ଼ି ପଳାଇବା ଶ୍ରେୟସ୍କର।
କିଛି ଦିନ ପରେ ଦେଖା ହେଲା ଆଉ ଜଣେ ପଣ୍ତିତଙ୍କ ସହ, ଯିଏ ମଧୢ ଘଟଣାକ୍ରମରେ ଗୁରୁଙ୍କ ସହିତ ଶାସ୍ତ୍ର ଚର୍ଚ୍ଚା କଲେ। ସାଧୁ ଦେଖିଲେ ଯେ ସେ ବ୍ୟକ୍ତି ଅତ୍ୟନ୍ତ ବିଦ୍ବାନ। ନିଜ ବିଦ୍ୟାକୁ ନେଇ ତାଙ୍କର ଅହ˚କାର ନାହିଁ। ସେ ସାଧୁଙ୍କ ସହିତ ଶାସ୍ତ୍ର ଚର୍ଚ୍ଚା କଲା ପରେ ବିଦାୟ ନେଲେ। ଚେଲା ପଚାରିଲା- ୟାଙ୍କ ବିଷୟରେ ମତ କ’ଣ? ସାଧୁ କହିଲେ- ୟେ ଜଣେ ପଣ୍ତିତ ଏବ˚ ୟେ ନିଜ ପାଣ୍ତିତ୍ୟ ବିଷୟରେ ଜାଣି ବି ନମ୍ର। ୟେ ନିଜେ ଗୁରୁ ହେବାକୁ ଯୋଗ୍ୟ।
କିଛି ଦିନ ପରେ ଆଉ ଜଣେ ପଣ୍ତିତ ଦେଖାହେଲେ। ସେ ଥିଲେ ଲଜ୍ଜାଶୀଳ। କୁଣ୍ଠାର ସହିତ ସେ ସାଧୁୁଙ୍କ ସହିତ ଶାସ୍ତ୍ର ଚର୍ଚ୍ଚା କଲେ। କିନ୍ତୁ ବାରମ୍ବାର ସେ ତର୍କରେ ଛନ୍ଦି ହେଉଥିଲେ। ଏମିତି ଚର୍ଚ୍ଚା ଚାଲିଥିବା ବେଳେ ସେ ମଝିରେ ମଝିରେ ନିରବ ହୋଇଯାଉଥିଲେ।
ସାଧୁ ସେଠାରୁ ବିଦାୟ ନେଇ ଗଲା ବେଳେ ଚେଲାର ପ୍ରଶ୍ନର ଉତ୍ତରରେ କହିଲେ ୟେ ଜଣେ ପଣ୍ତିତ ସତ, କିନ୍ତୁ ନିଜ ଜ୍ଞାନର ଗଭୀରତା ବାବଦରେ ତାଙ୍କୁ ଜଣାନାହିଁ। ୟାଙ୍କୁ ବାଟ ଦେଖାଇବା ଦରକାର। ୟାଙ୍କୁ ଜଣେ ଗୁରୁ ଲୋଡ଼ା।

ସମ୍ବନ୍ଧିତ ଖବର