ଆମ ବ୍ୟବସ୍ଥା ସମ୍ମାନ ହରାଉଛି କାହିଁକି?

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଗତ ସପ୍ତାହଟି ଖବର ଦୃଷ୍ଟିରୁ ଘଟଣାବହୁଳ ହୋଇଥିଲେ ମଧ୍ୟ କୌଣସି ଖବରକୁ ନେଇ ଆନନ୍ଦିତ ବା ଉତ୍ସାହିତ ହୋଇପାରୁ ନାହୁଁ। ସପ୍ତାହର ପ୍ରଥମ ଦିନରୁ ହିଁ ବିଧାନସଭା ବାତିଲ ହୋଇ ଅସ୍ବାଭାବିକ ଅବସ୍ଥା ଆରମ୍ଭ ହେଲା। ଦୁଇ ଦୁଇ ଥର ପ୍ରଶ୍ନକାଳ ଓ ଶୂନ୍ୟକାଳ ଆଲୋଚନାରୁ ଆମେ ବଞ୍ଚିତ ହେଲେ। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇ ପାରିଲା ନାହିଁ। କେତେବେଳେ ବିରୋଧୀଦଳମାନେ ହଟ୍ଟଗୋଳ କରି ଗୃହ ମଧ୍ୟକୁ ଚାଲି ଆସି ବାଚସ୍ପତିଙ୍କର ମଞ୍ଚ ଆରୋହଣ କଲେ ତ କେତେବେଳେ ଗୃହରେ ଜଣେ କେହି ମନ୍ତ୍ରୀ ଉପସ୍ଥିତ ନ ରହିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ମନେ ହେଉଛି, ବିଧାନସଭାକୁ ଉଭୟ ସରକାରୀ ଓ ବିରୋଧୀ ଦଳ ସେପରି କୌଣସି ଗୁରୁତ୍ବ ଦେଉ ନାହାନ୍ତି। ବାଚସ୍ପତି ମହୋଦୟ ଅଯଥାରେ ଯାହା ହଟହଟା ହେଉଛନ୍ତି। ତେବେ ଏହା ବାରମ୍ବାର କାହିଁକି ହେଉଛି? ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟସଭାର ୨୫୦ତମ ଅଧିବେଶନ ପାଳନ ଉତ୍ସବରେ ଦେଇଥିବା ମନ୍ତବ୍ୟ ମନକୁ ଆସୁଛି। ପ୍ରଧାନମନ୍ତ୍ରୀ ମହୋଦୟ ବିଜେଡି ଓ ଏନ୍‌ସିପିର ସଂସଦୀୟ ଆଚରଣର ଭୂୟସୀ ପ୍ରଶଂସା କରିଥିଲେ। ତେବେ ପରବର୍ତ୍ତୀ ଘଟଣାକ୍ରମ ଦୃଷ୍ଟିରୁ ଏଥିରେ ଆନ୍ତରିକତା ଥିଲା ନା ଦଳୀୟ ସ୍ବାର୍ଥ ଜଡ଼ିତ ଥିଲା ସେ ନେଇ ସ୍ବାଭାବିକ ଭାବରେ ମନରେ ପ୍ରଶ୍ନ ଆସୁଛି। ପ୍ରଧାନମନ୍ତ୍ରୀ ଏହି ଦୁଇ ଦଳର ଶୃଙ୍ଖଳିତ ଆଚରଣର ଭୂୟସୀ ପ୍ରଶଂସା କରି ତାହା ସେମାନଙ୍କର ରାଜନୈତିକ ସଫଳତାର ମୁଖ୍ୟ କାରଣ ବୋଲି କହିଥିଲେ। ଗତକାଲିର ମଧ୍ୟରାତ୍ରିରେ ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମ ଯେଉଁ ମୋଡ଼ ନେଲା ତା’ ସହିତ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସମ୍ପର୍କ ନାହିଁ ବୋଲି କହିହେବ କି? ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଆମ ସମାଲୋଚକମାନେ ଯେଉଁ ପ୍ରଶ୍ନ ଉଠାଉଛନ୍ତି ତାହାର ଆମେ କି ଉତ୍ତର ଦେବା? ରାତିଅଧିଆ ପୁଲିସ ମହାନିର୍ଦ୍ଦେଶକଙ୍କ ବଦଳି ପାଇଁ କେହି କେହି ବିଜେଡି ଦଳକୁ ସମାଲୋଚନା କରିଛନ୍ତି। ଅତୀତରେ ଆଉ ଜଣେ ଡିଜିଙ୍କର ରାତିଅଧିଆ ବଦଳି ହୋଇଥିବାରୁ ଏହା ନବୀନବାବୁଙ୍କର ପୁରୁଣା ବଦଭ୍ୟାସ ବୋଲି କହିବାକୁ ସଙ୍କୋଚ କରୁନାହାନ୍ତି। ଏହା ଯେ ଶୂନ୍ୟ ସହନଶୀଳତା (ଜିରୋ ଟଲରେନ୍ସ)ର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ ଥିଲା ଏକଥା ସ୍ବୀକାର କରିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି। କିନ୍ତୁ ସମସ୍ତଙ୍କୁ ଅନ୍ଧାରରେ ରଖି ବିନା ବହୁମତରେ ସରକାର ଗଢ଼ିବାକୁ ପ୍ରଥମେ ଅସମର୍ଥ ଥିବା ଫଡନାଭିସ୍‌ଙ୍କୁ ରାତିଅଧିଆ ମୁଖ୍ୟମନ୍ତ୍ରୀ କରାଯାଇ ପାରିଲା କିପରି?

ସପ୍ତାହର ଅନ୍ୟ ଗୋଟିଏ ଦୃଷ୍ଟି ଆକର୍ଷଣକାରୀ ଘଟଣା ଥିଲା, ‘ଅପରେସନ୍ ବ୍ଳାକ୍‌ ଆଉଟ୍’। ଅଘୋଷିତ ବିଜୁଳି କାଟ୍‌ର ଅସଲ କାରଣ ଖୋଜିବାକୁ ଯାଇ ‘କନକ ନ୍ୟୁଜ୍‌’ର ସାମ୍ବାଦିକ ବନ୍ଧୁମାନେ ଯେଉଁ କପଟଫାଶ ପକାଇ ଥିଲେ ସେଥିରେ ୬ ଜଣ ଅଧିକାରୀ ଫସିଗଲେ। ଅତ୍ୟନ୍ତ ଲଜ୍ଜାଜନକ ସେମାନଙ୍କର ସ୍ବୀକାରୋକ୍ତି ସାରା ଓଡ଼ିଶା ଦେଖିଲା ଆଉ ଶୁଣିଲା। ସରକାରୀ ଦପ୍ତରମାନଙ୍କରେ ଦୁର୍ନୀତିର ଚେର ଯେ କେଉଁ ସ୍ତରକୁ ଗଲାଣି ତାହା ଏଥିରୁ ଜଣାପଡ଼ୁଛି। ଶେଷରେ ଗଙ୍ଗା ଗୌରୀ ପ୍ରସାଦଙ୍କର ବାର୍ତ୍ତାଳାପଟି ଯଦି ପ୍ରସାରିତ ହୋଇ ନଥାନ୍ତା ତାହେଲେ ଆଜି ଆମେ ସମସ୍ତେ ଆତ୍ମଗ୍ଳାନିରେ ସନ୍ତୁଳି ହେଉଥାନ୍ତେ। ଗଙ୍ଗା ଗୌରୀ ପ୍ରସାଦଙ୍କର କଥାଟି କି ବାର୍ତ୍ତା ଦେଉଛି? ଦୁର୍ନୀତି ଏକରକମ ଦେହସୁହା ହୋଇଗଲାଣି। ଏପରିକି ଯଦି ଏବେ ପ୍ରଶ୍ନ କରାଯାଏ ଯେ ବର୍ତ୍ତମାନ ସମାଜରେ ଭଲ ଲୋକଙ୍କର ସଂଖ୍ୟା ବେଶି ନା ଖରାପ ଲୋକଙ୍କର? ଅନେକ ହୁଏତ କହିବେ, ଏବେ ସେ କାଳ ପଖାଳ ଆଉ ନାହିଁ। ଭଲ ଲୋକମାନେ ସଂଖ୍ୟାଲଘୁ ହୋଇ ସାରିଲେଣି। ଆମ ବିଚାରରେ ଏହା ଏକ ଭୁଲ ଧାରଣା। ଖରାପ ଲୋକମାନେ ସଂଗଠିତ ହୋଇ ଆମ ବ୍ୟବସ୍ଥାକୁ କବଳିତ କରିବାରେ ସଫଳ ହୋଇଛନ୍ତି। ଭଲ ଲୋକମାନେ ସେହି କାରଣରୁ ଅସହାୟ ଓ ଅସଂଗଠିତ ହୋଇ ପଡ଼ିଛନ୍ତି। ସେଥିପାଇଁ ସେମାନେ କୌଣସି ଆଖିଦୃଶିଆ କାମ କରି ପ୍ରଭାବ ବିସ୍ତାର କରିପାରୁ ନାହାନ୍ତି। ଆମ ଭିତରେ ଲୁଚି ରହିଥିବା ଗଙ୍ଗା ଗୌରୀ ପ୍ରସାଦମାନଙ୍କୁ ସାହସ କରି ପଦାକୁ ଆସିବାକୁ ପଡ଼ିବ ଓ ସଂଗଠିତ ହୋଇ ପ୍ରଭାବୀ ହେବାକୁ ପଡ଼ିବ।

ଶେଷରେ ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କଥା ମନକୁ ଆସୁଛି। ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉତ୍ସାହର କଥା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶକୁ ଆଜି ୮୩ ବର୍ଷ ହୋଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟକୁ ୭୫ ବର୍ଷ ହୋଇଛି। ଆଧୁନିକ ଓଡ଼ିଶା ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମାନ୍ତରାଳ ଭାବେ ଗତି କରିଆସୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟର ଶୁଭ ଜନ୍ମଦିନ ଅବସରରେ ଆମ ସମସ୍ତଙ୍କର କର୍ତ୍ତବ୍ୟ କ’ଣ? ଯେଉଁମାନଙ୍କର ଆପ୍ରାଣ ଉଦ୍ୟମ ଫଳରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ସମ୍ଭବ ହେଲା, ସେମାନଙ୍କୁ ସ୍ମରଣ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଏଥିପାଇଁ ଆମ ସମସ୍ତଙ୍କ ଆଚରଣ ଓ ଉଚ୍ଚାରଣରେ କୃତଜ୍ଞତାର ଭାବ ଓ ଭାଷା ପ୍ରକାଶିତ ଓ ଉଚ୍ଚାରିତ ହେବା କଥା। ପ୍ରଥମ ଦିନରୁ ଯେଉଁ ଦୃଶ୍ୟ ଆମେ ଦେଖୁଛୁ ଏବଂ ଆମର ଯେଉଁ ଅନୁଭବ ହେଉଛି ତାହା ସେପରି ଉତ୍ସାହଜନକ ନୁହେଁ। ଗୋଟିଏ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ସମ୍ପଦ ହେଲା ତାହାର ପୁରାତନ ସଫଳ ଛାତ୍ରଛାତ୍ରୀମାନେ। ବିଦେଶରେ ବିଖ୍ୟାତ ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କର ପୁରାତନ ଛାତ୍ରଛାତ୍ରୀମାନଙ୍କର ପ୍ରତିଦାନ ଓ ପୃଷ୍ଠପୋଷକତାରେ ଗଢ଼ି ଉଠିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ନଥିଲେ ଏହାର ‌ରୂପରେଖ ଯେ କିପରି ହୋଇଥାନ୍ତା ତାହା ସହଜରେ ଅନୁମାନ କରାଯାଇ ପାରେ। ପାଞ୍ଚଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପୂର୍ବତନ କୁଳପତି, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ସଫଳ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କରାଯିବା ଯୋଜନା ଥିବ ବୋଲି ଆମେ ଆଶା କରୁ। ନିକଟ ଅତୀତରେ ପୁରାତନ ଅଧ୍ୟାପକ ଅଧ୍ୟାପିକାମାନେ ବିଶ୍ବବିଦ୍ୟାଳୟର ଗୁଣାତ୍ମକ ମାନ ହ୍ରାସ ଏବଂ ବୌଦ୍ଧିକ ଆତଙ୍କରାଜର ପ୍ରଶ୍ନ ଉଠାଇଥିଲେ। ୨୦୦ରୁ ଅଧିକ ପିଏଚ୍‌ଡି ଛାତ୍ରଛାତ୍ରୀ ପରିଚାଳନାଗତ ତ୍ରୁଟି ଯୋଗୁଁ ହନ୍ତସନ୍ତ ହେଉଥିବା କଥା କହିଥିଲେ। ଏ ସବୁ ପ୍ରଶ୍ନ ଓ ପ୍ରସଙ୍ଗର ଉଚିତ ଉତ୍ତର ଓ ପ୍ରତିକାର ଆଗାମୀ ଦିନରେ ଏମାନଙ୍କର ସମ୍ପୃକ୍ତି ଦ୍ବାରା ହୋଇପାରିବ ବୋଲି ଆମେ ବିଶ୍ବାସ କରୁ।

ସର୍ବଶେଷରେ ଯେଉଁ କଥାଟି ଆମକୁ ଅଧିକ ବ୍ୟଥିତ କରୁଛି, ତାହା ହେଲା ଜଣେ ଓଡ଼ିଆ ଅଧ୍ୟାପକଙ୍କର ଉଦ୍‌ଘାଟନୀ ଉତ୍ସବରୁ ଦୂରେଇ ରହିବାର ବ୍ୟଥା। ମଞ୍ଚଠାରୁ ଆରମ୍ଭ କରି ଉତ୍ସବ ସ୍ଥଳର ଯେଉଁ ଆଡ଼କୁ ଅନେଇବେ ସବୁଠାରେ ଇଂରାଜୀ ଭାଷାର ଆଧିପତ୍ୟ। ଓଡ଼ିଆ ଭାଷାକୁ ନେଇ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା। ସଂସ୍କୃତ ପରେ ଓଡ଼ିଆ ଏକମାତ୍ର ଆର୍ଯ୍ୟ ଭାଷା ଯାହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ସ୍ବତନ୍ତ୍ର ଭାଷା ବିଭାଗ ଗଢ଼ିବା ସହିତ ଶ୍ରୀକ୍ଷେତ୍ରରେ ଏକ ଐତିହାସିକ କ୍ୟାବିନେଟ୍‌ ଡାକି ଆମ ଭାଷା ସମ୍ପର୍କରେ ଅନେକ ମୌଳିକ ନିଷ୍ପତ୍ତି ନେଇଛନ୍ତି ଓ ଆଇନ୍‌ରେ ଅନେକ ସଂଶୋଧନ କରିଛନ୍ତି। ଏ ସମ୍ପର୍କରେ ଆମ ଓଡ଼ିଆ ଅଧ୍ୟାପକବନ୍ଧୁଙ୍କ ସୂଚନାଟିକୁ ମୁଁ କେବଳ ମନେପକେଇ ଦେଉଛି। ଇଂରେଜ ଶାସନ ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ସଂଗ୍ରାମ ଓ ଅଭିଯାନ ହୋଇଥିଲା ସେଥିରେ ଆମ ପୂର୍ବସୁରିମାନଙ୍କର ଭୂମିକା ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ। ସେତେବେଳେ ବିହାର ଓଡ଼ିଶା ପାଇଁ ପାଟନାରେ ଏକମାତ୍ର ବିଶ୍ବବିଦ୍ୟାଳୟ ଥିଲା। ବଡ଼ଲାଟଙ୍କର ଉପସ୍ଥିତିରେ ପଣ୍ଡିତ ନୀଳକଣ୍ଠ ଦାସ ଦେଇଥିବା ବକ୍ତବ୍ୟ ଆଜି ଆମ ପାଇଁ ଅଧିକ ସ୍ମରଣୀୟ। ଓଡ଼ିଶା ପାଇଁ ସ୍ବର ଉତ୍ତୋଳନ କରି ସେ ଉଲ୍ଲେଖ କରିଥିଲେ, ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଦୁଇଟି କଥା ଏକାନ୍ତ ଆବଶ୍ୟକ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଓ ସ୍ବତନ୍ତ୍ର ଉତ୍କଳ ବିଶ୍ବବିଦ୍ୟାଳୟ। ବକ୍ତବ୍ୟର ଶେଷ ଏହି ଦୁଇଟି କଥାକୁ ସେ ଓଡ଼ିଆରେ କହିଥିଲେ। ଆମ କର୍ତ୍ତୃପକ୍ଷଙ୍କର ଏପରି ଭାବାବେଗ କେବେ ହେବ?

ସମ୍ବନ୍ଧିତ ଖବର