ଅଷ୍ଟମ ଶତାବ୍ଦୀର ମନ୍ଦିର ଜରାଜୀର୍ଣ୍ଣ ସ୍ଥିତିରେ

ରାୟଗଡ଼ା ଜିଲ୍ଲାର ପାଇକପଡ଼ାରେ ଏକ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମନ୍ଦିର ରହିଛି, ଯାହାକୁ ନିର୍ମାଣ କରିଥିଲେ ପୂର୍ବ ଗଙ୍ଗବଂଶୀୟ ରାଜା କାମାର୍ଣ୍ଣବ ଦେବ। ଏହି ମନ୍ଦିରରେ ପାତାଳେଶ୍ୱର, ବିରଞ୍ଚି ନାରାୟଣ, ଶ୍ରୀଜଗନ୍ନାଥ ଏବଂ ମା’ ଦକ୍ଷିଣକାଳୀ ପୂଜା ପାଉଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବ କାରଣରୁ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଏଠାରେ ଥିବା ଅନେକ ପୁରାତନ ପ୍ରସ୍ତର ମୂର୍ତ୍ତି ଚୋରି ହୋଇଗଲାଣି। ପ୍ରାଚୀନ ମୂର୍ତ୍ତିର ଚୋରି ଏବଂ ବିଦେଶ ଚାଲାଣ ଏକ କୋଟି କୋଟି ଟଙ୍କାର କଳା କାରବାର।

କିଛି ଦିନ ତଳେ ନ୍ୟୁୟର୍କ ମହାନଗରରୁ ୩୦୭ଟି ଏଭଳି ଚୋରା ମୂର୍ତ୍ତି ଭାରତକୁ ଫେରିଛି, ଯାହାର ମୂଲ୍ୟ ହେବ ପ୍ରାୟ ୪ ନିୟୁତ ଡଲାର। ତା’ ଛଡ଼ା ଏହି ମନ୍ଦିର ଗାତ୍ରରେ ଖୋଦିତ ଅନେକ ଚମତ୍କାର କାରୁକାର୍ଯ୍ୟ ମଧ୍ୟ ଅତ୍ୟନ୍ତ ଅବକ୍ଷୟିଷ୍ଣୁ ଅବସ୍ଥାରେ। ଏହି ମନ୍ଦିରର ପ୍ରାଚୀରରେ ବ୍ରାହ୍ମୀ ଲିପିର ଏକ ଶିଳାଲେଖ ରହିଛି, ଯାହାର ବର୍ଣ୍ଣନା ଏବଂ ଅନୁବାଦ ମହାନ ଐତିହାସିକ ଓ ପୁରାତତ୍ତ୍ବବିତ୍‌ ସତ୍ୟନାରାୟଣ ରାଜଗୁରୁ ତାଙ୍କ ପୁସ୍ତକରେ କରିଛନ୍ତି। ସୁତରାଂ, ଏହା ପ୍ରାଚୀନତା, ଐତିହ୍ୟ ଏବଂ ଇତିହାସ ଦୃଷ୍ଟିରୁ ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ତେଣୁ, ଏହାର ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ସକାଶେ ସରକାର, ପ୍ରତ୍ନତତ୍ତ୍ବ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ।
ସତ୍ୟବ୍ରତ ପାଣିଗ୍ରାହୀ
ଗୁଣପୁର, ରାୟଗଡ଼ା

ସମ୍ବନ୍ଧିତ ଖବର