ଜନନୀ ଓ ଜନ୍ମଭୂମି

ବାଲ୍ମିକୀଙ୍କ ମହାକାବ୍ୟ ରାମାୟଣ ଭାରତୀୟମାନଙ୍କର ଏକ ପ୍ରିୟ ଏବଂ ମୂଲ୍ୟବାନ ଗ୍ରନ୍ଥ। ଏଥିରେ ବର୍ଣ୍ଣିତ ରାମ-ରାବଣ ଯୁଦ୍ଧ ଏହି ମହାକାବ୍ୟର ଶୀର୍ଷ ଘଟଣା ହେଲେ ସୁଦ୍ଧା ଏହାର ନେପଥ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାର ବିବରଣୀ ସ୍ଥାନୀତ। ଲଙ୍କା ବିଜୟ ପରେ ଶ୍ରୀରାମଚନ୍ଦ୍ର ସେଠାକାର ସିଂହାସନରେ ବିଭୀଷଣଙ୍କୁ ଆସୀନ କରି ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧେଇବାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମଣ ପ୍ରସ୍ତାବ ଦେଇଥିଲେ ଯେ, ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ ଲଙ୍କା ବିଜୟ କରିଥିବାରୁ ଏହାର ସିଂହାସନ ଉପରେ ଶ୍ରୀରାମଚନ୍ଦ୍ରଙ୍କର ଅଧିକାର। ସେ ଏହି ରାଜଗାଦି ଗ୍ରହଣ କରିବା ଉଚିତ।

ଏହାର ଉତ୍ତରରେ ଶ୍ରୀରାମଚନ୍ଦ୍ର ଯାହା କହିଥିଲେ ତାହା ଶହ ଶହ ବର୍ଷ ଧରି ବିଭିନ୍ନ ମଞ୍ଚ, ସମାବେଶ, ଗ୍ରନ୍ଥ ଓ ସାହିତ୍ୟ ସୃଷ୍ଟିରେ ସ୍ଥାନୀତ ହୋଇଆସୁଛି- ଅପି ସ୍ବର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ/ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ। (ହେ ଲକ୍ଷ୍ମଣ! ସ୍ବର୍ଣ୍ଣମୟୀ ଲଙ୍କା ମୋତେ ଭଲ ଲାଗୁନାହିଁ, କ‌ାରଣ ମୋର ଜନନୀ ଓ ଜନ୍ମଭୂମି ସ୍ବର୍ଗଠାରୁ ମଧ୍ୟ ବଡ଼।) ରାମାୟଣର ଏହି ପ୍ରସଙ୍ଗଟି ଏଠାରେ ଉତ୍‌ଥାପନ କରିବାର ଆଭିମୁଖ୍ୟ ହେଲା- ମାତୃଭୂମି ଏବଂ ମାତୃଜାତିର ସୁରକ୍ଷା ଶାସନ ଓ ଶାସକଙ୍କ ପାଇଁ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ।

ଗତ କିଛି ମାସ ମଧ୍ୟରେ ଭାରତରେ ଘଟିଥିବା ଦୁଇଟି ଘଟଣା ଏ ଦେଶର କୋଟି କୋଟି ସାଧାରଣ ଜନତାଙ୍କୁ ବିବ୍ରତ କରିଅାସୁଛି। ଏହାର ପ୍ରମାଣ ଭିନ୍ନ ଭିନ୍ନ ସମ୍ବାଦପତ୍ର ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରରୁ ସ୍ପଷ୍ଟ। ଆମେ ଯେଉଁ ଭାରତୀୟମାନେ ଏହି କାଳଖଣ୍ଡରେ ଭାରତର ନାଗରିକ ଭାବେ ବଞ୍ଚି ରହିଛୁ, ନୀତିଗତ ଦୃଷ୍ଟିରୁ ଏହି ଦୁଇଟି ଘଟଣା ସଂପର୍କରେ ନିଆଯାଇଥିବା ନିଷ୍ପତ୍ତିରେ ସହଭାଗୀ। ତେଣୁ ଏ ସମ୍ବନ୍ଧରେ ଆଲୋଚନାକୁ ଅପ୍ରାସଙ୍ଗିକ କହି କାର୍ପେଟ୍‌ ତଳକୁ ଠେଲିଦେବା ଅର୍ଥ, ଆମର ସାମୂହିକ ବିବେକକୁ ବାରମ୍ବାର ଦଂଶନ କରିବା ଲାଗି ଏକ ଅବକାଶ ଛାଡ଼ିଦେବା।

ବିରଳ ହେଲେ ମଧ୍ୟ ଦେଖାଯାଉଛି ଯେ ଆମର ସମୃଦ୍ଧ ଓ ସୁଦୃଢ଼ ବିଚାର ବ୍ୟବସ୍ଥା, ଯାହା ବହୁ କାଳୁ ସାଧାରଣ ଆଲୋଚନାର ପରିସର ଭିତରକୁ ଆସିଥିଲା ତହିଁରେ ସମୟେ ସମୟେ ଫାଟ ଦୃଶ୍ୟମାନ ହେଉଅଛି। ସଂଘୀୟ ବ୍ୟବସ୍ଥାର ଆବରଣ ତଳେ ଭାରତର ସାର୍ବଭୌମତ୍ବ ପ୍ରାଥମିକତାର ତାଲିକାର ନିମ୍ନକୁ ଆସୁଥିବା ଦେଶ ପାଇଁ ଏକ ଦୁର୍ଭାଗ୍ୟଜନକ ଉପଲବ୍‌ଧି। ମାତ୍ର ପରିତାପର ବିଷୟ ହେଉଛି, ଏହି ପ୍ରକ୍ରିୟା ବ୍ୟତିକ୍ରମ ନୁହେଁ ବରଂ ଏକ ନିୟମିତ ରୀତିରେ ପଡ଼ିବାକୁ ଯାଉଛି।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଅପରାଧୀମାନଙ୍କୁ ଏବଂ ବିଲକିସ ବାନୋ ବଳାତ୍କାର ମାମଲାରେ ଦୋଷୀମାନଙ୍କୁ ମୁକ୍ତି ଦିଆଯିବା ଏଭଳି ଦୁଇଟି ଘଟଣା ଯାହା ଆମର ସାମୂହିକ ବିବେକକୁ ଦୋହଲାଇ ଦେଇଛି। ପ୍ରଥମଟିରେ ଆମର ଜନ୍ମଭୂମିର ସାର୍ବଭୌମତ୍ବ ଏବଂ ଦ୍ବିତୀୟଟିରେ ଗୋଟେ ଜନନୀର ସମ୍ମାନ ଓ ସୁରକ୍ଷା ପ୍ରଶ୍ନ ନିହିତ ଯେଉଁ ଯୋଡ଼ିକକୁ ମହାକବି ବାଲ୍ମିକୀ ସ୍ବର୍ଗଠାରୁ ସୁଦ୍ଧା ଗରୀୟସୀ ବୋଲି ଲେଖିଯାଇଛନ୍ତି। ଦୁଇଟି ଯାକ ଘଟଣାରେ ଦୋଷୀଙ୍କୁ ଫୁଲମାଳରେ ସମ୍ବର୍ଦ୍ଧିତ କରାଯାଇଛି, ସତେ ଯେପରି ସେମାନେ ଦେଶର ବିଜୟ ପତାକା ଉଡ଼େଇବା ଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଦୁଇଟି ଯାକ ଘଟଣା ବହୁଚର୍ଚ୍ଚିତ ହୋଇଥିବାରୁ ସେଗୁଡ଼ିକର ବିବରଣୀ ବା ପୃଷ୍ଠଭୂମି ଉଲ୍ଲେଖ କରିବା ଅନାବଶ୍ୟକ। ଆଶ୍ବସ୍ତିର କଥା ହେଉଛି ଦୁଇଟି ଯାକ ଘଟଣାରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ଏବଂ ଆସନ୍ତା ୨୯ ତାରିଖରେ ବିଲକିସ ବାନୋ ମାମଲାର ଶୁଣାଣି ହେବା ଲାଗି ସମୟ ସ୍ଥିରୀକୃତ ହୋଇଛି।

ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ନିଷ୍ପତ୍ତି ହିଁ ତାଙ୍କ ହତ୍ୟାର କାରଣ ହୋଇଥିଲା। ତାଙ୍କୁ ହତ୍ୟା କରିଥିବା ଏଲ୍‌ଟିଟିଇର ଷଡ୍‌ଯନ୍ତ୍ର ଆମର ଜନ୍ମଭୂମି ଭାରତର ସାର୍ବଭୌମତ୍ବ ବିରୋଧରେ ଷଡ୍‌ଯନ୍ତ୍ର ଯାହା ବିଦେଶ ମାଟିରେ ବିଦେଶୀଙ୍କ ଦ୍ବାରା ରଚାଯାଇଥିଲା। ତୁର୍କୀର ବିଦ୍ବାନ ଫେତହୁଲ୍ଲା ଗୁଲେନ ନିଜ ଦେଶର ସୁରକ୍ଷା ପ୍ରସଙ୍ଗରେ କହିଥିଲେ, ‘ଆମ ଦେଶକୁ ଦୁର୍ବଳ କରିବାର ଯେକୌଣସି ଉଦ୍ୟମ ବିଶ୍ବାସଘାତକତା ଏବଂ ଏହି ଷଡ୍‌ଯନ୍ତ୍ର ଆମର ଏକତା ପ୍ରତି ବିପଦ।’ ଭାରତବର୍ଷ କେବଳ ବାଲ୍ମିକୀଙ୍କର ଦେଶ ନୁହେଁ ଏହା ମଧ୍ୟ ବିଖ୍ୟାତ ରାଜନୀତିଜ୍ଞ ଚାଣକ୍ୟଙ୍କର ଦେଶ ଯିଏ ସ୍ପଷ୍ଟ ଭାବରେ ଲେଖିଯାଇଛନ୍ତି, ଦେଶର ଶତ୍ରୁକୁ କଠୋରରୁ କଠୋରତମ ଶାସ୍ତି ମିଳିବା ଆବଶ୍ୟକ ଯାହାଦ୍ବାରା ସିଏ‌ ନିଜର ଚିହ୍ନବର୍ଣ୍ଣ ହରାଇବସିବ।

ପୃଥିବୀର ଅନ୍ୟ କୌଣସି ସୁଦୃଢ଼ ଗଣତନ୍ତ୍ର କଦାପି ତା’ର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କ ପ୍ରତି ଏଭଳି କୋହଳ ମନୋବୃତ୍ତି ଦେଖାଇ ନ ଥାନ୍ତା। ଏ କ୍ଷେତ୍ରରେ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ କୌଣସି ନିରପେକ୍ଷ ଭାରତୀୟ ସମର୍ଥନ କରିପାରିବ ନାହିଁ। ତେଣୁ ତାମିଲନାଡୁ କ୍ୟାବିନେଟ୍‌ର, ଦୋଷୀମାନଙ୍କୁ ଖଲାସ କରିଦେବାର ସୁପାରିସ ସୁଦ୍ଧା, ସୁପ୍ରିମ୍‌ କୋର୍ଟଙ୍କ ବିଚାର ପରିସରକୁ ଆସିବା ଆବଶ୍ୟକ। ୧୯୯୧ ମଇ ୨୧ ତାରିଖରେ ଘଟିଥିବା ମାନବ ବୋମା ବିସ୍ଫୋରଣ ଏଭଳି ପ୍ରଥମ ଷଡ୍‌ଯନ୍ତ୍ର ଥିଲା ଯାହା ଭାରତ ସମେତ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେଇ ଘଟଣାର ଯଥେଷ୍ଟ ସୁରାକ ତଦନ୍ତକାରୀ ଟିମ୍‌ ହାତରେ ମଧ୍ୟ ରହିଥିଲା। ଅନ୍ୟ ଶକ୍ତିଶାଳୀ ଦେଶ ଏହି ଷଡ୍‌ଯନ୍ତ୍ରର ଖଳନାୟକ ପ୍ରଭାକରନ୍‌କୁ ଦଣ୍ଡିତ କରିବା ଲାଗି ଦୀର୍ଘ ବିଚାର ବ୍ୟବସ୍ଥା ଉପରେ ନିର୍ଭର ନ କରି ହୁଏତ ତା’ର ସେନାବାହିନୀକୁ ଶ୍ରୀଲଙ୍କା ପଠେଇ ତତ୍କାଳ ଶାସ୍ତି ବିଧାନ କରିଥାନ୍ତା, ମାତ୍ର ଭାରତରେ ସେ ତତ୍ପରତା ଦେଖିବାକୁ ମିଳି ନ ଥିଲା। ୧୯୯୧ରୁ ୨୦୨୨ ଏହି ଏକତିରିଶ ବର୍ଷ ଭିତରେ ଦେଶବାସୀ ଯାହା ଦେଖିଛନ୍ତି, ତାହା ଆମ ଦେଶର ଏକତା-ସୁରକ୍ଷାକୁ ବିପନ୍ନ କରିବାଲାଗି ହୋଇଥିବା ହୀନ ଷଡ୍‌ଯନ୍ତ୍ରର ଯଥାର୍ଥ ପ୍ରତିକ୍ରିୟା ନୁହେଁ। ଏହାଦ୍ବାରା ଭାରତ ବିଶ୍ବକୁ କି ସନ୍ଦେଶ ଦେଇଅଛି- ଯିଏ ଚାହିଁବ ସିଏ ଏ ଦେଶ ବିରୋଧରେ ଷଡ୍‌ଯନ୍ତ୍ର କରି ଆଇନର ଆଶ୍ରୟରେ ଲୁଚୁକାଳି ଖେଳିପାରିବ ଏବଂ ଶେଷକୁ ଖଲାସ ହେବା ପରେ ଫୁଲମାଳ ପିନ୍ଧି ଘରକୁ ଫେରିଯିବ?

ଅନୁରୂପ ଭାବରେ ବିଲକିସ ବାନୋ ଗଣବଳାତ୍କାର ଘଟଣାରେ ଗୁଜୁରାଟ ସରକାରଙ୍କର ଦୃଷ୍ଟିଭଙ୍ଗୀ ସମାଲୋଚନାର ପ୍ରସଙ୍ଗ ହୋଇଛି ଯହିଁରେ ଜଣେ ଆସନ୍ନପ୍ରସବା ଜନନୀର ସମ୍ମାନ ରକ୍ଷାରେ ପ୍ରଶାସନର ବିଫଳତା ଉତ୍କୀର୍ଣ୍ଣ। ୨୦୦୨ ମସିହାରେ ଏହି ମହିଳାଙ୍କର ବଳାତ୍କାର ସାଙ୍ଗକୁ ତାଙ୍କ ତିନିବର୍ଷର ଝିଅ ସହ ପରିବାରର ଅନ୍ୟମାନଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୧୧ ଜଣ ଅପରାଧୀଙ୍କ ଜେଲ୍‌ରୁ ମୁକ୍ତି ନିଷ୍ପତ୍ତି ତୀବ୍ର ଆଲୋଚନାର ପ୍ରସଙ୍ଗ ହୋଇସାରିଛି। ଏଭଳି ଭୟଙ୍କର ଅପରାଧରେ ଦୋଷୀଙ୍କ ପ୍ରତି ପ୍ରଶାସନ ଓ ନ୍ୟାୟାଳୟର ଦୃଷ୍ଟିଭଙ୍ଗୀରେ ଉଦାସୀନତା ହେଉଛି ଆମର ଦେଶ ସଂକ୍ରମିତ ହୋଇପଡୁଥିବା ବିପଜ୍ଜନକ ବ୍ୟାଧିର ଏକ ଉପସର୍ଗ। ଅପରାଧୀର ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ବିଚାର ଯେଉଁଭଳି ଅପ୍ରାସଙ୍ଗିକ, ଅପରାଧର ରାଜନୀତୀକରଣ ମଧ୍ୟ ସେହିପରି ଏକ ଅପରାଧ।

ରାଜୀବ ଗାନ୍ଧୀ ହତ୍ୟା ମାମଲା ଏବଂ ବିଲକିସ ବାନୋ ବଳାତ୍କାର ମାମଲାରେ ଦୋଷୀ ଉଭୟେ ଜନ୍ମଭୂମି ଓ ଜନନୀଙ୍କର ଅବମାନନା କରିଛନ୍ତି। ସେମାନଙ୍କର ଅପରାଧର ପୁନର୍ବିଚାର କଲାବେଳେ ଉଚ୍ଚତମ ନ୍ୟାୟାଳୟ ଅନୁରୂପ ଦୃଷ୍ଟିଭଙ୍ଗୀ ରଖିବେ, ଏହା ଜନଗଣଙ୍କର ସର୍ବନିମ୍ନ ପ୍ରତ୍ୟାଶା। ଏହି ଘଟଣା ଦ୍ବୟର ରାୟ ଇତିହାସ କିମ୍ବା ବର୍ତ୍ତମାନ ନୁହଁ ଆମର ଭବିଷ୍ୟତର ଯାତ୍ରାପଥକୁ ମଧ୍ୟ ନିୟନ୍ତ୍ରିତ କରିବ।

ସମ୍ବନ୍ଧିତ ଖବର