ଜଣେ ଅହ˚କାରୀ ରାଜା ଥିଲେ। ତାଙ୍କ ଦରବାରକୁ ଆସିଲେ ଜଣେ ସାଧୁ। ରାଜାଙ୍କ ବ୍ୟବହାରରୁ ସାଧୁ ସାଙ୍ଗେସାଙ୍ଗେ ତାହା ଜାଣିପାରିଲେ। ବିଦାୟ ନେଇ ଗଲା ବେଳକୁ ଶୂନ୍ୟକୁ ହାତ ବଢ଼ାଇ ସାଧୁ ତୋଳି ଆଣିଲେ ଗୋଟିଏ ଚମତ୍କାର ରଙ୍ଗିନ ଶୁଆ ପକ୍ଷୀ। ଏମିତି ସୁନ୍ଦର ଶୁଆ ରାଜା ଜୀବନରେ କେବେ ବି ଦେଖି ନ ଥିଲେ। ସାଧୁ ରାଜାଙ୍କୁ ଶୁଆଟିକୁ ଉପହାର ଭାବେ ଦେଇ କହିଲେ- ମହାରାଜ, ଏଇ ଶୁଆଟି ଆପଣଙ୍କ ସହିତ ସଦା ବେଳେ ରହିବ, ସୁନ୍ଦର ଗୀତ ଗାଇ ଆପଣଙ୍କ ମନ ମୋହିବ। କିନ୍ତୁ ସେ ଆପଣଙ୍କୁ ବାରମ୍ବାର ଗୋଟିଏ କଥା କହିବ। ସେଇ ଗୋଟିଏ କଥା ହିଁ ସେ ଶିଖିଛି। ସେ କଥାଟି ଗୋଟିଏ ପ୍ରଶ୍ନ। ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ଆପଣଙ୍କୁ ବିରକ୍ତ କରିପାରେ। କିନ୍ତୁ ମୋର ଅନୁରୋଧ ଆପଣ ନିଜ କ୍ରୋଧକୁ ସମ୍ବରଣ କରିବେ ଏବ˚ ଶୁଆର ପ୍ରଶ୍ନର କିଛି ଗୋଟାଏ ଉତ୍ତର ଦେବାକୁ ଚେଷ୍ଟା କରିବେ। ଯଦି ତାହା ନ କରି ଆପଣ ବିରକ୍ତ ହେବେ ତେବେ ତା’ର ହୃଦ୍‌କ୍ରିୟା ବନ୍ଦ ହୋଇଯିବ, ସେ ମରିଯିବ।

Advertisment

ରାଜା ଶୁଆଟି ଦ୍ବାରା ସ˚ପୂର୍ଣ୍ଣ ବିମୋହିତ ହୋଇଯାଇଥିଲେ। ଶୁଆଟି ରାଜାଙ୍କ ପାଖରେ ପଞ୍ଜୁରିରେ ଟଙ୍ଗା ହେଲା। ସେ ସୁନ୍ଦର ଗୀତ ତ ଗାଇଲା, କିନ୍ତୁ ଅନେକ ସମୟରେ ଅଟକି ଯାଇ ରାଜାଙ୍କୁ ପଚାରିଲା ସେଇ ଗୋଟିଏ ପ୍ରଶ୍ନ- ତୁମେ କିଏ? ତୁମେ କିଏ?

ରାଜା ପ୍ରଥମେ ପ୍ରଥମେ ଆତ୍ମତୃପ୍ତିର ହସ ହସି ତା’ର ଉତ୍ତରରେ ନିଜ ପରିଚୟ, ବ˚ଶ ଗରିମା, ପ୍ରତିପତ୍ତି, ପ୍ରଭାବ, ସମ୍ମାନ, ଭୂଷଣ ଆଦି ବିଷୟରେ କହିଲେ। କିନ୍ତୁ ଏମିତି ସମୟ ଆସିଲା, ଯେତେବେଳେ ସବୁ ଉତ୍ତର ସରିଗଲା। ଏଥର ରାଜା ଉତ୍ତର ପାଇଁ ବହୁତ କିଛି ଭାବିଲେ। ସତରେ ସେ କିଏ? ମାତ୍ର ଦୁଇ ଦିନରେ ତାଙ୍କ ପରିଚୟ, ରାଜପଣ ଓ ବଡ଼ିମାର ଗାଥା ସରିଗଲା। ଏବେ ସେ କିଏ? ଏହାର ଉତ୍ତର ଖୋଜିବା ବେଳେ ରାଜାଙ୍କୁ ଘେରି ରହିଥିବା ପରସ୍ତ ପରସ୍ତ ଅହ˚କାର ମିଳେଇଗଲା। ଏଣିକି ଶୁଆର ପ୍ରଶ୍ନ ପଚାରିବା ବି କମି କମି ଗଲା। ଦିନେ ଶୁଆ ନିରବ ହୋଇଗଲା। କିନ୍ତୁ ସେତେବେଳକୁ ରାଜା ଆଉ ରାଜା ହୋଇ ନ ଥିଲେ। ତାଙ୍କର ନୂଆ ଚୈତନ୍ୟ ଉଦୟ ହୋଇସାରିଥିଲା।