ମାତୃତ୍ବର ଅସ୍ତିତ୍ବ

ଆଜିର ସମାଜରେ ଯେଉଁ ସମସ୍ତ ମାନବାଧିକାର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇଥାଏ, ସେଥିରେ ଅଗ୍ରଗଣ୍ୟ ରୂପେ ବିବେଚିତ ହୋଇଥାଏ ଲିଙ୍ଗ ଭିତ୍ତିରେ ନାରୀ-ପୁରୁଷଙ୍କ ମଧ୍ୟରେ ସମସ୍ତ ପ୍ରକାର ବାଛବିଚାରର ଅନ୍ତ ଘଟାଇ ଲିଙ୍ଗଗତ ସାମ୍ୟ ନିଶ୍ଚିତ କରିବା। ନାରୀ ଅଧିକାର ଆନ୍ଦୋଳନର ଇତିହାସରେ ଏହି ଚିନ୍ତାଧାରାକୁ ଜନ୍ମ ଦେବା ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ ଯେଉଁ ମହୀୟସୀ ମହିଳାମାନଙ୍କୁ ନାରୀବାଦୀ ଆନ୍ଦୋଳନର ଜନନୀ ରୂପେ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ, ସେମାନଙ୍କ ମଧ୍ୟରେ ପ୍ରାତଃସ୍ମରଣୀୟ ହେଉଛନ୍ତି ସିମନ୍‌ ଡି ବିଭ୍ବା, ବେଟି ଫ୍ରାଏଡାନ୍‌ ଓ ନାଓମି ଉଲ୍‌ଫ। କିନ୍ତୁ ‘ହ୍ବାଟ୍‌ ଇଜ୍‌ ଏ ଓମ୍ୟାନ୍‌?’ (‘ନାରୀଟିଏ କ’ଣ?’) ପୁସ୍ତକର ଲେଖିକା ଫରାସୀ ଦାର୍ଶନିକା ଏଲିଜାବେଥ୍‌ ବାଡିଣ୍ଟର୍‌ଙ୍କ ବିଚାରରେ ନାରୀ-ପୁରୁଷ ମଧ୍ୟରେ ସମସ୍ତ ବିଭାଜନକୁ ନିଶ୍ଚିହ୍ନ କରି ଯିଏ ସର୍ବପ୍ରଥମେ ଲିଙ୍ଗ-ନିରପେକ୍ଷ ମନୁଷ୍ୟର କଳ୍ପନା କରିଥିଲେ ଅର୍ଥାତ୍‌ ଲିଙ୍ଗ-ସାମ୍ୟର ପରିକଳ୍ପନା କରିଥିଲେ, ସେ ହେଉଛନ୍ତି ଆଧୁନିକ ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ଜନକ ରୂପେ ବିବେଚିତ ସପ୍ତଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ରେନେ ଡେକାର୍ଟ‌୍‌।

୧୬୧୯ରେ ଜର୍ମାନୀର ତୁଷାରାବୃତ ନିଉବର୍ଗ ସହରରେ ଅଟକି ରହି ଏକ ଚୁଲି ପାଖରେ ବସି ନିଆଁ ପୋଉଁଥିବା ସମୟରେ ଡେକାର୍ଟ‌୍‌ଙ୍କ ମସ୍ତିଷ୍କରେ ଏକ ଅସ୍ବାଭାବିକ ଚିନ୍ତାଧାରାର ଆବିର୍ଭାବ ଘଟିଲା: ମୋର ଶରୀର ବାସ୍ତବ ନହୋଇ କୌଣସି ଏକ ଦୁଷ୍ଟ ଶକ୍ତି ମୋ ମନରେ ବାସ୍ତବତାର ଏକ ଭେଳିକି ସୃଷ୍ଟି କରି ମତେ ବିଭ୍ରାନ୍ତ କରୁଛି। ଅର୍ଥାତ୍‌ ମୋର ଅସ୍ତିତ୍ବ ନାହିଁ। କିନ୍ତୁ ପର ମୁହୂର୍ତ୍ତରେ ଡେକାର୍ଟ‌୍‌ ନିଜକୁ ପ୍ରଶ୍ନ କଲେ, ମୋର ଯଦି ଅସ୍ତିତ୍ବ ନାହିଁ, ତେବେ ଏ କଥା ଚିନ୍ତା କରୁଛି କିଏ? ବିଭ୍ରାନ୍ତ ହେଉଛି କିଏ? ତେଣୁ ଯୁକ୍ତିଯୁକ୍ତ ଭାବରେ ଡେକାର୍ଟ‌୍‌ ଏହି ସିଦ୍ଧାନ୍ତରେ ଉପନୀତ ହେଲେ: ‘‘ଯେହେତୁ ମୁଁ ଚିନ୍ତା କରୁଛି; ତେଣୁ ମୋର ଅସ୍ତିତ୍ବ ରହିଛି’’ (ସେ ଲାଟିନ୍‌ରେ କହିଥିବା ଭଳି- ‘‘କଜିଟୋ ଏର‌୍‌ଗୋ ସମ୍‌’’)।

ଏଥିରେ ଅବଶ୍ୟ ଡେକାର୍ଟ‌୍‌ ଅସ୍ତିତ୍ବର ଲିଙ୍ଗ ସମ୍ବନ୍ଧରେ କିଛି କହିନାହାନ୍ତି। କିନ୍ତୁ ତାଙ୍କର ଏହି ନିରବତାକୁ ଆଧାର କରି ବାଡିଣ୍ଟର‌୍‌ ତର୍ଜମା କରିଛନ୍ତି ଯେ ଡେକାର୍ଟ‌୍‌ ଯେଉଁ ଚିନ୍ତା କରୁଥିବା ‘‘ମୁଁ’’ ସମ୍ବନ୍ଧରେ କହିଛନ୍ତି, ସେ ‘‘ମୁଁ’’ ହେଉଛି ଲିଙ୍ଗ-ନିରପେକ୍ଷ- ନାରୀ ନୁହେଁ କି ପୁରୁଷ ନୁହେଁ; କେବଳ ଚିନ୍ତା କରିବାକୁ ସମର୍ଥ ହୋଇଥିବା ଏକ ସତ୍ତା ମାତ୍ର। କିମ୍ବା ବାଡିଣ୍ଟର‌୍‌ ତାଙ୍କର ଉପରୋକ୍ତ ପୁସ୍ତକରେ କହିଥିବା ଭଳି, ‘‘ଏକ ନାରୀ ହେଉଛି ଅନ୍ୟ ଯେକୌଣସି ଏକ ପୁରୁଷ ଭଳି ଏକ ପୁରୁଷ।’’ ବାଡିଣ୍ଟର‌୍‌ ତେଣୁ ବୁଝିପାରୁନାହାନ୍ତି ପୁରୁଷ ସହିତ ଏଭଳି ଆନନ୍ଦମୟ କାର୍ଟେସୀୟ ଆଧ୍ୟାତ୍ମିକ ସାମ୍ୟ ଉପଭୋଗ କରୁଥିବା ନାରୀ ତାହାକୁ ତ୍ୟାଗ କରି ତା’ ବଦଳରେ ବିଭିନ୍ନ କଷ୍ଟଦାୟକ ପାର୍ଶ୍ବ ପ୍ରଭାବ ଅଧ୍ୟୁଷିତ ମାତୃତ୍ବକୁ ଆଲିଙ୍ଗନ କରିବାକୁ ଆଗେଇ ଆସିଥାଏ କାହିଁକି? ମାତୃତ୍ବର ଜୟଗାନ କରି ମାତୃତ୍ବ ପ୍ରବୃତ୍ତିରୁ ସ୍ତନ୍ୟଦାନ ପର୍ଯ୍ୟନ୍ତ ଯେଉଁ ବନ୍ଦନା କରାଯାଇଥାଏ, ଏଲିଜାବେଥ୍‌ ବାଡିଣ୍ଟର‌୍‌ ସେସବୁକୁ କେବଳ ‘‘ତାତ୍ତ୍ବିକ ଅଳିଆ’’ କହି ପ୍ରତ୍ୟାଖ୍ୟାନ କରିଛନ୍ତି।

ଏଭଳି ଚିନ୍ତାଧାରାର ମର୍ମ ହେଲା, ସମାଜ ମାତୃତ୍ବର ଭାର କେବଳ ନାରୀ ଉପରେ ଲଦିଦେବା ହେଉଛି ଏକ ଚରମ ଲିଙ୍ଗଗତ ବାଛବିଚାରର ପରିପ୍ରକାଶ, କିନ୍ତୁ ସମାଜ ଓ ସ˚ସ୍କୃତିର ପ୍ରଭାବ ଏଭଳି ହୋଇଥାଏ ଯେ, ନାରୀମାନେ ଏହାକୁ ଏକ ପ୍ରକୃତି ନିର୍ଦ୍ଦେଶିତ, ସ୍ବାଭାବିକ ଦାୟିତ୍ବ ମନେକରି ସ୍ବତଃପ୍ରବୃତ୍ତ ଭାବରେ ମାତୃତ୍ବ ବୋଝ ବହନ କରିବା ପାଇଁ ଆଗେଇ ଆସିଥାନ୍ତି। ସେମାନେ କେବେ ଅନୁଭବ କରିପାରନ୍ତି ନାହିଁ ଯେ ସିମନ୍‌ ଡି ବିଭ୍ବା ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ସେକେଣ୍ତ୍‌ ସେକ୍ସ’ (‘ଦ୍ବିତୀୟ ଲିଙ୍ଗ’)ରେ କହିଥିବା ଭଳି: ‘‘ଜଣେ ନାରୀ ହୋଇ ଜନ୍ମ ହୋଇ ନଥାଏ, ସେ ଏକ ନାରୀରେ ପରିଣତ ହୋଇଥାଏ।’’ ଏହି ନାରୀରେ ପରିଣତ ହେବା ପ୍ରକ୍ରିୟାର ଏକ ମୁଖ୍ୟ ଅ˚ଶ ହେଉଛି ମାତୃତ୍ବ। ସମାଜର ଛଳ, ବଳ, କୌଶଳ ଦ୍ବାରା ପ୍ରଭାବିତ ହୋଇ ନାରୀ ଯେଉଁ ମାତୃତ୍ବକୁ ବରଣ କରିଥାଏ, ତାହା କେବଳ ଯେ ଏକ ଗୁରୁଦାୟିତ୍ବ, ତାହା ନୁହେଁ, ଏଲିଜାବେଥ୍‌ ବାଡିଣ୍ଟର‌୍‌ କହିଥିବା ଭଳି ତାହା ଅନେକ ବୀଭତ୍ସ ପାର୍ଶ୍ବ ପ୍ରଭାବମାନ ସହିତ ଜଡ଼ିତ ଥାଏ। ଏଥିମଧ୍ୟରୁ ଗୋଟିଏ ପାର୍ଶ୍ବ ପ୍ରଭାବ ହୋଇଥାଏ ଚରମ ଶ୍ରେଣୀର: ମାତୃ ମୃତ୍ୟୁ।

ଗର୍ଭଧାରଣଜନିତ କୌଣସି କାରଣରୁ ଏବ˚ ପ୍ରସବର ୪୨ ଦିନ ମଧ୍ୟରେ ଘଟୁଥିବା ମୃତ୍ୟୁକୁ ମାତୃ ମୃତ୍ୟୁ ରୂପେ ବିବେଚନା କରାଯାଇଥାଏ। ମାତୃ ମୃତ୍ୟୁ ହେଉଛି ପୃଥିବୀ ପୃଷ୍ଠରେ ମାନବ ସମାଜକୁ ଜୀବିତ ରଖିବା ପାଇଁ ନାରୀମାନେ ଦେଉଥିବା ଚରମ ମୂଲ୍ୟ। ସ୍ବାର୍ଥପର ସମାଜ କିନ୍ତୁ ଇତିହାସ ସାରା ଏହି ବିପଜ୍ଜନକ ଦାୟିତ୍ବ ସ˚ପାଦନରେ ନାରୀକୁ ସୁରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ତାକୁ ଏକ ପ୍ରଜନନ ଯନ୍ତ୍ର ରୂପେ ବ୍ୟବହାର କରି ଆସିଛି। ଆନ୍ତର୍ଜାତିକ ସ୍ତରରେ ଏଇମାତ୍ର ୧୯୮୭ରେ ଏହି ଅଭିମୁଖ୍ୟରେ ଏକ ପରିବର୍ତ୍ତନ ଦେଖାଦେଇ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’, ‘ବିଶ୍ବବ୍ୟାଙ୍କ୍‌’ ଓ ଜାତିସ˚ଘ ଅଧୀନସ୍ଥ ‘ୟୁଏନ୍‌ଏଫ୍‌ପିଏ’ର ମିଳିତ ଉଦ୍ୟମରେ ‘ସେଫ୍‌ ମଦର‌୍‌ହୁଡ୍‌ ଇନିସିଏଟିଭ୍‌’ ବା ସ˚କ୍ଷେପରେ ‘ଏସ୍‌ଏମ୍‌ଆଇ’ ନାମକ ଏକ ନିରାପଦ ମାତୃତ୍ବ କାର୍ଯ୍ୟକ୍ରମର ଶୁଭାରମ୍ଭ ଘଟିଥିଲା। ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ମାତୃ ମୃତ୍ୟୁର କାରଣ ରୂପେ ଯାହା ସବୁକୁ ଚିହ୍ନଟ କରାଯାଇଥିଲା, ସେଥିରେ ଅନ୍ତର୍ଭୁକ୍ତ ଥିଲା ଦାରିଦ୍ର୍ୟ, ଭଗ୍ନ ସ୍ବାସ୍ଥ୍ୟ, ନିରକ୍ଷରତା, ଲିଙ୍ଗ ବିଦ୍ବେଷ, ସ˚ଖ୍ୟାଧିକ ଗର୍ଭଧାରଣ ଏବ˚ ଜୀବନରକ୍ଷାକାରୀ ସ୍ବାସ୍ଥ୍ୟସେବାର ଅନୁପଲବ୍‌ଧତା ଇତ୍ୟାଦି। ଏହିସବୁ କାରଣମାନଙ୍କୁ ଦୂର କରି ମାତୃ ମୃତ୍ୟୁକୁ ଏଡ଼ାଇବା ଥିଲା ‘ଏସ୍‌ଏମ୍‌ଆଇ’ର ଲକ୍ଷ୍ୟ।

୨୦୦୦ ସାଲରେ ଧାର୍ଯ୍ୟ କରାଯାଇଥିବା ‘ମିଲେନିୟମ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଗୋଲ୍‌ସ’ (‘ଏମ୍‌ଡିଜି’)ରେ ଏହାକୁ ଅନ୍ତର୍ଭୁକ୍ତ କରାଯିବା ପରେ ଏହି ଉଦ୍ୟମରେ ଏକ ନୂତନ ପ୍ରାଣ ସଞ୍ଚାର ହୋଇଥିଲା। ଏହା ଅନୁସାରେ ୨୦୧୫ ମଧ୍ୟରେ ମାତୃ ମୃତ୍ୟୁ ହାରରେ ତିନି-ଚତୁର୍ଥା˚ଶ ହ୍ରାସ ଘଟିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୨୦୧୫ରେ ‘ଏମ୍‌ଡିଜି’ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ତା’ ସ୍ଥାନରେ ୧୭ଟି ଲକ୍ଷ୍ୟକୁ ନେଇ ଯେଉଁ ‘ସସ୍‌ଟେନେବଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଗୋଲ୍‌ସ’ (‘ଏସ୍‌ଡିଜି’) କାର୍ଯ୍ୟକ୍ରମ ଜାତିସ˚ଘ ଅନୁକୂଲ୍ୟରେ କାର୍ଯ୍ୟକାରୀ ହୋଇଛି, ତା’ ଅନୁସାରେ ୨୦୩୦ ସୁଦ୍ଧା ପୃଥିବୀରେ ମାତୃ ମୃତ୍ୟୁ ହାରକୁ ପ୍ରତି ଏକ ଲକ୍ଷ ପ୍ରସବରେ ୭୦ ତଳକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ଦୃଷ୍ଟିରୁ ଦେଖିଲେ ଏବେ କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଭାରତ ସେଇ ଲକ୍ଷ୍ୟ ହାସଲ ଦିଗରେ ନିଶ୍ଚିତ ରୂପେ ଅଗ୍ରସର ହେଉଥିବା ଭଳି ମନେହୁଏ। ଏହା ଅନୁସାରେ ୨୦୧୪-୧୬ ଭାରତରେ ମାତୃ ମୃତ୍ୟୁ ହାର ପ୍ରତି ଏକ ଲକ୍ଷରେ ୧୩୦ ଥିବା ବେଳେ, ୨୦୧୮-୨୦ରେ ତାହା ହ୍ରାସ ପାଇ ହୋଇଥିଲା ୯୭- ଅର୍ଥାତ୍‌ ମନସ୍ତାତ୍ତ୍ବିକ ସୀମାରେଖା ୧୦୦ ତଳକୁ। ଭାରତର ଏହି ସାମଗ୍ରିକ ଉପଲବ୍‌ଧି ବେଶ୍‌ ଆଶାଜନକ ହୋଇଥିଲେ ହେଁ, ଏ କ୍ଷେତ୍ରରେ ରାଜ୍ୟ-ରାଜ୍ୟ ମଧ୍ୟରେ ଦେଖାଯାଇଥିବା ତାରତମ୍ୟ ବେଶ୍‌ ଚିନ୍ତାଜନକ ହୋଇଥାଏ। ଉଦାହରଣ ସ୍ବରୂପ ଆଶା କରାଯାଉଥିବା ଭଳି କେରଳରେ ମାତୃ ମୃତ୍ୟୁ ହାର ମାତ୍ର ୧୯ ହୋଇଥିବା ବେଳେ ଆସାମ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ତାହା ଏକ ଅତି ଉଚ୍ଚ ୧୩୦ରୁ ଅଧିକ ହୋଇଛି (ଓଡ଼ିଶା- ୧୧୯)।

ଉପରେ ମାତୃ ମୃତ୍ୟୁର ଯେଉଁ ଯେଉଁ କାରଣମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି, ଆନୁଷ୍ଠାନିକ ସ୍ବାସ୍ଥ୍ୟସେବା ଉପଲବ୍‌ଧ କରାଇବା ଦ୍ବାରା, ଅର୍ଥନୈତିକ ବିକାଶ ସାଧନ ଦ୍ବାରା, ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଦ୍ବାରା ଓ ନାରୀଶିକ୍ଷାର ପ୍ରସାର ଆଦି ଦ୍ବାରା ସେ ସମସ୍ତ କାରଣର ଦୂରୀକରଣ ସମ୍ଭବ। ଏକ ଉଦାହରଣ ସ୍ବରୂପ ସମସ୍ତ ମାତୃ ମୃତ୍ୟୁର ପ୍ରାୟ ଦୁଇ-ତୃତୀୟା˚ଶ ଘଟିଥାଏ ପ୍ରସବ ସମ୍ପର୍କିତ ଜଟିଳତା ଯୋଗୁଁ କିମ୍ବା ପ୍ରସବ ପରବର୍ତ୍ତୀ ସମୟର ଜଟିଳତା େଯାଗୁଁ, ଯାହା ଉପଯୁକ୍ତ ସ୍ବାସ୍ଥ୍ୟସେବା ଉପଲବ୍‌ଧ ନହେବା ଯୋଗୁଁ ଘଟିଥାଏ। ଏଭଳି ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅନେକ ରାଜ୍ୟରେ ସେଗୁଡ଼ିକ ଲକ୍ଷ୍ୟ ଭେଦ କରିବାରେ ବିଫଳ ହୋଇଛନ୍ତି। ବିଫଳ ରାଜ୍ୟମାନେ ଏ ବାବଦରେ ଯଦି ସଫଳ ରାଜ୍ୟମାନେ ଅବଲମ୍ବନ କରିଥିବା ମଡେଲ୍‌କୁ ଅନୁସରଣ କରନ୍ତେ, ତେବେ ସେମାନଙ୍କର ପ୍ରଦର୍ଶନରେ ନିଶ୍ଚିତ ରୂପେ ଉଲ୍ଲେଖନୀୟ ଉନ୍ନତି ଘଟନ୍ତା। ବାଡିଣ୍ଟର‌୍‌ଙ୍କ ଅନୁସାରେ ଯେଉଁ ନାରୀ ଜାତି ତା’ର କାର୍ଟେସୀୟ ସାମ୍ୟ ତ୍ୟାଗ କରି ମାନବସମାଜର ସେବା ପାଇଁ ମାତୃତ୍ବ ରୂପକ ଶୃଙ୍ଖଳକୁ ଆଦରି ନେଇଛି, ତା’ ପ୍ରତି ସର୍ବନିମ୍ନ କୃତଜ୍ଞତା ପ୍ରଦର୍ଶନ ସ୍ବରୂପ ମାତୃତ୍ବକୁ ମୃତ୍ୟୁ କବଳରୁ ଉଦ୍ଧାର କରିବା ପାଇଁ ସେଇ ସମାଜ ସବୁମନ୍ତେ ଚେଷ୍ଟା କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର