କାଳ ବକ୍ଷରେ କବିତାର ସ୍ବାକ୍ଷର

ବିଜୟ ନାୟକ

‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’; ସନ୍ଥକବି ଭୀମଭୋଇଙ୍କ ଏହି ପଦ୍ୟାଂଶ ଏକ ସନାତନୀ ଚେତନାର ପ୍ରତିବିମ୍ବ। ବ୍ୟକ୍ତି ବା ଗୋଷ୍ଠୀର ନୁହେଁ, ଜଗତ୍‌ର କଲ୍ୟାଣ ପାଇଁ ଆତ୍ମୋତ୍ସର୍ଗ ଏହି କବିତାର ମର୍ମ ବାଣୀ। ଏହା କୌଣସି କାଳ ଖଣ୍ଡ ବା ଭୂଖଣ୍ଡ ମଧ୍ୟରେ ସୀମିତ ନୁହେଁ। ଗତ ଜୁଲାଇ ୨୫ ତାରିଖ ଦିନ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ଅବସରରେ ଓଡ଼ିଶାର ଭୂମିସୁତା ଦ୍ରୌପଦୀ ମୁର୍ମୁ ତାଙ୍କ ବକ୍ତବ୍ୟରେ ଏହି କାଳୋତୀର୍ଣ୍ଣ କବିତା ଉଦ୍ଧାର କରି ଓଡ଼ିଶାବାସୀଙ୍କୁ ପୁଲକିତ କରିଛନ୍ତି ଏବଂ ଏହାର ସଂକ୍ଷିପ୍ତ ସାରାଂଶ ବ୍ୟକ୍ତ କରି ବିଶ୍ୱବାସୀଙ୍କୁ ମୁଗ୍‌ଧ କରିଛନ୍ତି। ସେହିପରି ୭୬ତମ ସ୍ୱାଧୀନତା ଦିବସର ପୂର୍ବ ସଂଧ୍ୟାରେ ପ୍ରଦତ୍ତ ଭାଷଣରେ ମାନ୍ୟବର ରାଷ୍ଟ୍ରପତି ବିଶିଷ୍ଟ ଜାତୀୟତାବାଦୀ କନ୍ନଡ଼ କବି କୁବେମ୍ପୁଙ୍କ କବିତା ପ୍ରସଙ୍ଗତଃ ପରିବେଷଣ କରିଛନ୍ତି, ଯାହାର ଭାବାର୍ଥ ଏହିପରି: ‘ମୁଁ ରହିବି ନାହିଁ କି ତୁମେ ରହିବ ନାହିଁ। କିନ୍ତୁ ଆମ୍ଭମାନଙ୍କ ଅସ୍ଥି ଉପରେ ସୃଜିତ ହେଉ ନବ ଭାରତର ମହାଗାଥା।’ ଏହା ଦେଶାତ୍ମବୋଧର ଚାରୁ ଚିତ୍ରପଟ।

କବିତା ନିଜସ୍ୱ ଦୀପ୍ତିରେ କାଳ ଓ କାଳାନ୍ତରର ବନ୍ଧନ ଭେଦ କରିବାକୁ ସକ୍ଷମ ହୋଇଥାଏ। କବିତା ଓ କଳା ବ୍ୟତିରେକ କାଳ ଆଉ ସବୁ କିଛି ଗ୍ରାସ କରିପାରେ। କିନ୍ତୁ ଗୋଟେ କାଳଜୟୀ କବିତା ଲୋକାଦୃତ କବିତା ହେବାକୁ ବାଧ୍ୟ ନୁହେଁ। ଅନେକ ଶାଶ୍ୱତ ବାଣୀ ଓ ବଚନ ଉଦ୍ଧୃତି ଏବଂ ଉଚ୍ଚାରଣ ଅଭାବରୁ ପୋଥି ଓ ପୁସ୍ତକ ମଧ୍ୟରେ ଆବଦ୍ଧ ହୋଇ ରହିଯାଆନ୍ତି। ଅପର ପକ୍ଷରେ, କିଛି କାଳୋତୀର୍ଣ୍ଣ କବିତା ମୁନି, ମନୀଷୀ, କର୍ଣ୍ଣଧାର ଓ ରାଷ୍ଟ୍ର ନାୟକମାନଙ୍କ ଦ୍ୱାରା ଉଚ୍ଚାରିତ ହୋଇ ଜନାଦୃତି ଲାଭ କରନ୍ତି। ଭାରତର ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇ ଭାଷଣରେ ଦୁଇ ମହନୀୟ କବିଙ୍କ କାବ୍ୟାଂଶ ପରିବେଷଣ, ସେହି ଦୃଷ୍ଟିରୁ ବେଶ୍ ମହତ୍ତ୍ବପୂର୍ଣ୍ଣ।

‘ବୈଷ୍ଣବ ଜନ ତୋ ତେନେ କହିୟେ ଯେ ପୀଡ଼ ପରାୟୀ ଜାଣେ ରେ’; ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ। ଏହା ଆଶ୍ରମ ଭଜନ ଭାବରେ ବିଖ୍ୟାତ। ଆଜି ମଧ୍ୟ ବିଭିନ୍ନ ଅବସରରେ ଏହି ସଂଗୀତ ଗାନ କରାଯାଏ, ଯାହା ଶ୍ରୋତାମାନଙ୍କ ପାଇଁ ଏକ ଚିରନ୍ତନ ପ୍ରେରଣାର ଉତ୍ସ। ଏହି ଭଜନଟି ଗାନ୍ଧୀଜୀଙ୍କର ଖୁବ୍ ପ୍ରିୟ ଥିଲା। ତେବେ କିଏ ଏହାର ରଚୟିତା? ଏହା ସମସ୍ତଙ୍କୁ ହୁଏତ ଜଣା ନ ଥିବ। ଏହି ଭଜନକୁ ଏବଂ ଏହି ଭଜନ ମାଧ୍ୟମରେ ଗୁଜୁରାଟୀ ସନ୍ଥକବି ନରସିଂହ ମେହେଟାଙ୍କୁ ବିଶ୍ୱ ପ୍ରସିଦ୍ଧ କରାଇଛନ୍ତି ମହାତ୍ମା ଗାନ୍ଧୀ। କବି ଭାବରେ ନରସିଂହ ମେହେଟାଙ୍କର ତୁଳନା ନାହିଁ। କିନ୍ତୁ ଗାନ୍ଧୀଜୀଙ୍କ ଉଦ୍ଧୃତି ବିନା ସେ ହୁଏତ ଗୁଜୁରାଟୀ ସାହିତ୍ୟ ମଧ୍ୟରେ ସୀମିତ ହୋଇ ଯାଇଥା’ନ୍ତେ।

ଇଂରେଜୀ କବି ଜନ୍ ହେନେରି ନ୍ୟୁମାନଙ୍କ ଗୀତ- ‘ଲିଡ୍, କାଇଣ୍ଡଲି ଲାଇଟ୍ ଆମିଡ୍ ଦ ଏନସରକ୍ଲିଂ ଗ୍ଲୁମ୍’ ମଧ୍ୟ ଗାନ୍ଧୀଜୀଙ୍କର ଅନ୍ୟ ଏକ ପ୍ରିୟ ସଙ୍ଗୀତ ଥିଲା ବୋଲି ଅନେକ ଗାନ୍ଧୀବାଦୀ ବିଦ୍ୱାନଙ୍କ ମତ। ଏହି ଗୀତଟି ମଧ୍ୟ ମହାତ୍ମାଙ୍କ ମାଧ୍ୟମରେ ଅଧିକ ଲୋକପ୍ରିୟ ହୋଇ ପାରିଥିଲା।

ଆମେରିକାର ବିଶିଷ୍ଟ କବି ରବର୍ଟ ଫ୍ରଷ୍ଟ ‘ଷ୍ଟପିଂ ବାଇ ଉଡ୍‌ସ ଅନ୍‌ ଏ ସ୍ନୋଇ ଇଭିନିଂ’ ଶୀର୍ଷକ ଏକ ସୁନ୍ଦର କବିତା ରଚନା କରିଥିଲେ। ଏହା ନିଶ୍ଚିତ ଭାବରେ ଏକ ବହୁ ପଠିତ କବିତା। ଯୁକ୍ତରାଷ୍ଟ୍ର ଆମେରିକାର ପାଠକ-ପାଠିକାମାନଙ୍କ ମଧ୍ୟରେ ଏହା ବିପୁଳ ଆଦୃତି ଲାଭ କରିଥିଲା। ପଣ୍ଡିତ ଜବାହରଲାଲ ନେହେରୁ ଥିଲେ ଏହି କବିତାର ଜଣେ ବିମୁଗ୍‌ଧ ରସଗ୍ରାହୀ। କୁହାଯାଏ ଯେ ତାଙ୍କ ପଢ଼ା ଟେବୁଲର କାଚ ତଳେ ଏହି କବିତାର ଏକ ପଙ୍‌କ୍ତି- ‘ଦି ଉଡସ୍ ଆର୍ ଲଭଲି, ଡାର୍କ ଆଣ୍ଡ୍ ଡିପ୍’ ଶୋଭା ପାଉଥିଲା।

ଏହି ପଦଟି ଅତ୍ୟନ୍ତ ଆକର୍ଷଣୀୟ, ଯାହାର ଓଡ଼ିଆ ଭାଷାନ୍ତର ମଧ୍ୟ ବେଶ୍ ଭବ୍ୟ; ‘ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଚଳ ଅଟଳ ରହରେ ମନ, ଆଗରେ ପଡ଼ିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି।’ ଏହି କବିତାର ଲୋକପ୍ରିୟତା ପଛରେ ଯେ ରହିଛି ଜାବାହରଙ୍କ ପ୍ରଗାଢ଼ ଭଲ ପାଇବା, ଏଥିରେ କ’ଣ ସନ୍ଦେହ ଅଛି?

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ପ୍ରିୟ କବିତା କଥା ଏହି ପରିପ୍ରେକ୍ଷୀରେ ପ୍ରଣିଧାନଯୋଗ୍ୟ। କୈଶୋରରେ ଲିଙ୍କନ ‌କେତେଗୋଟି ସୁନ୍ଦର କବିତା ମଧ୍ୟ ରଚନା କରିଥିଲେ। ‘ଇମୋର୍ଟାଲିଟି’ ଶୀର୍ଷକ ଏକ କବିତା ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ଅନେକ ସଭାସମିତିରେ ବା ଅନୌପଚାରିକ କଥାବାର୍ତ୍ତା ବେଳେ ସେ ସେହି କବିତା ବିଷୟରେ କହୁଥିଲେ। ସେହି କବିତାର କବି କିଏ? ଅନେକ ଭାବନ୍ତି ଯେ ସେ କବିତାଟି ନିଜେ ଲେଖିଛନ୍ତି ଆବ୍ରାହମ ଲିଙ୍କନ। କିନ୍ତୁ ପ୍ରକୃତରେ ୱିଲିଅମ ନକ୍‌ସ ଥିଲେ ସେହି କବିତାର ରଚୟିତା। କବିତାଟିର କାରୁଣ୍ୟ ଓ ଲାଳିତ୍ୟ ଆବ୍ରାହମ୍ ଲିଙ୍କନଙ୍କୁ ଅଭିଭୂତ କରିଥିଲା। ନକ୍‌ସଙ୍କ ପରି ଜଣେ ସ୍ୱଳ୍ପ ଜ୍ଞାତ କବି ଏବଂ ତାଙ୍କ କବିତାକୁ ସୁପରିଚିତ କରାଇଥିଲେ ଲିଙ୍କନ।

ସେଥି ଲାଗି କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଅନେକ ବିଶିଷ୍ଟ ବ୍ୟକ୍ତି ବିଚକ୍ଷଣ ବୁଡ଼ାଳି ତୁଲ୍ୟ କବିତାର ମହୋଦଧିରୁ କିଛି ରତ୍ନମାନଙ୍କୁ ଉଦ୍ଧାର କରି ଆଣନ୍ତି, ଯାହାର ଔଜ୍ଜଲ୍ୟ କାଳ କାଳାନ୍ତର ଧରି ଅମଳିନ ରହେ।
ମୋ- ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର