ଦର୍ପଣ: ‘ଦେଖାଣିଆ କାମିକା’ଙ୍କ ଦେଶ

ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ ଏସିଆର ପେସାଦାର କର୍ମଚାରୀମାନେ ବାସ୍ତବ କାମ କରିବା ଅପେକ୍ଷା କାମରେ ବ୍ୟସ୍ତ ଅଛନ୍ତି ବୋଲି ଦେଖାଇ କାର୍ଯ୍ୟାଳୟରେ ଅଧିକ ସମୟ କାଟିଥାନ୍ତି। ପୃଥିବୀର ନଅଟି ଦେଶର ୧୮,୦୦୦ ଡେସ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଠାରୁ ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରି ‘ସ୍ଲାକ୍’ କମ୍ପାନି ଓ ଗବେଷଣା ସଂସ୍ଥା ‘କ୍ବାଲ୍‌ଟ୍ରିକ୍‌ସ’ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ୪୩ ପ୍ରତିଶତ ଭାରତୀୟ କର୍ମଚାରୀ ଏହି ପ୍ରକ୍ରିୟାରେ ଉତ୍ପାଦନକ୍ଷମ କାର୍ଯ୍ୟ ନ କରି ଅଫିସରେ ଅଧିକାଂଶ ସମୟ କାଟନ୍ତି ବୋଲି ଜଣାପଡ଼ିଛି। ଏହା ଭାରତକୁ ସର୍ବାଧିକ ‘ପ୍ରଦର୍ଶନଧର୍ମୀ କର୍ମଚାରୀ’ ବା ‘ଦେଖାଣିଆ କାମିକା’ଙ୍କ ଦେଶରେ ପରିଣତ କରିଛି।

ପ୍ରଦର୍ଶନଧର୍ମୀ କାମ ହେଉଛି ସେଭଳି କାମ ଯାହାର ସିଂହଭାଗ ବୈଠକ ବା ‘ମିଟିଂ’ରେ କଟିଥାଏ। ଏଭଳି ବୈଠକରେ କୌଣସି ନିଷ୍ପତ୍ତି ନେବା ଅଥବା ସମସ୍ୟାର ସମାଧାନ କରିବା ବଦଳରେ ବିଭିନ୍ନ ଟିମ୍ ସେମାନଙ୍କ ସଫଳତାର ଚିତ୍ର ଉପସ୍ଥାପନ କରିଥାନ୍ତି। ନଅଟି ଦେଶର ତାଲିକାରେ ଭାରତ ପଛକୁ ଜାପାନ ଓ ସିଙ୍ଗାପୁରର ଯଥାକ୍ରମେ ୩୭ ଓ ୩୬ ପ୍ରତିଶତ କର୍ମଚାରୀ ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ରହିବାର ଅଭିନୟ କରିଥାନ୍ତି ବୋଲି ଜଣାପଡ଼ିଛି। ବିଶ୍ବରେ ହାରାହାରି ୩୨ ପ୍ରତିଶତ କର୍ମଚାରୀ ପ୍ରଦର୍ଶନଧର୍ମୀ କାମରେ ଅଧିକାଂଶ ସମୟ କାଟିଥାନ୍ତି। ଉଭୟ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାର ମାତ୍ର ୨୮ କର୍ମଚାରୀ କାମ କରିବାର ଅଭିନୟରେ ଅଧିକାଂଶ ସମୟ କାଟିଥାନ୍ତି; ଯାହା ସେମାନଙ୍କୁ ଏହି ତାଲିକାର ଶେଷ ସ୍ଥାନରେ ରଖିଥାଏ।

ପ୍ରକୃତ କାମ କରିବାରେ ମଧ୍ୟ ଭାରତର କର୍ମଚାରୀମାନେ ସର୍ବନିମ୍ନ ଅର୍ଥାତ୍‌ ୫୭ ପ୍ରତିଶତ ସମୟ ଦେଇଥାନ୍ତି। ନିଜକୁ କାର୍ଯ୍ୟବ୍ୟସ୍ତ ବୋଲି ଦେଖାଇବା ଲାଗି ସର୍ବାଧିକ ୬୩ ପ୍ରତିଶତ କର୍ମଚାରୀ କାମ କରୁ ନ ଥିଲେ ବି ନିଜକୁ ‘ଅନ୍‌ଲାଇନ୍‌’ରେ ଥିବା ଭଳି ପ୍ରଦର୍ଶିତ କରିବାର ବିଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି। ଏହା ପଛର କାରଣ ସ୍ବରୂପ କମ୍ପାନିର ନେତୃସ୍ଥାନୀୟ ଅଧିକାରୀମାନେ କର୍ମଚାରୀଙ୍କ ଉତ୍ପାଦକତା ଆକଳନ କରିବା ପାଇଁ ପ୍ରକୃତ କାର୍ଯ୍ୟ ଅପେକ୍ଷା ଦୃଶ୍ୟମାନ କାର୍ଯ୍ୟକଳାପକୁ ଅଧିକ ଗୁରୁତ୍ବ ଦେଇଥାନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର