ତରୁଣଙ୍କ ପକ୍ଷ

ଗଲା ବର୍ଷ ଏପ୍ରିଲ ମାସରେ ଇଂଲଶଣ୍ଡର ବିଶିଷ୍ଟ ଖବର-କାଗଜ ‘ଫାଇନାନସିଆଲ ଟାଇମ୍‌ସ’ରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା, ଯହିଁରେ ଡାକ୍ତରମାନଙ୍କ ସକାଶେ ଏକ ପ୍ରହେଳିକା ଉପସ୍ଥାପନ କରାଯାଇଥିଲା, ଯାହାକୁ ‘ଡକ୍ଟର‌୍‌ସ ଡିଲେମା’(ପ୍ରସିଦ୍ଧ ନାଟ୍ୟକାର ଜର୍ଜ ବର୍ନାର୍ଡ ଶ’ଙ୍କ ଏକ ପ୍ରସିଦ୍ଧ ନାଟକର ନାମ ଅନୁସାରେ) ବୋଲି ମଧୢ କୁହାଯାଇପାରେ। ତହିଁରେ ପ୍ରବନ୍ଧଟିକୁ ପ୍ରସ୍ତୁତ କରିଥିବା ଶିକ୍ଷାବିତ୍‌ମାନେ ଏକ ସମ୍ଭାବ୍ୟ ପରିସ୍ଥିତି ଆଧାରରେ ପ୍ରଶ୍ନ କରିଥିଲେ ଯେ ଯଦି କୌଣସି ଏକ ହାସପାତାଳର ଆଇ.ସି.ୟୁ.ରେ ଗୋଟିଏ ମାତ୍ର ଶଯ୍ୟା ଖାଲି ଥାଏ ଏବ˚ ଦୁଇ ଜଣ ସମ ପରିମାଣରେ ସ˚କଟାପନ୍ନ ରୋଗୀ ଏକ ସମୟରେ ପହଞ୍ଚନ୍ତି, ଏବ˚ ଯାହାଙ୍କ ମଧୢରୁ ଜଣେ ଯୁବକ ଏବ˚ ଅନ୍ୟ ଜଣକ ବୃଦ୍ଧ; ତେବେ ସେହି ଶଯ୍ୟାଟି କାହାକୁ ମିଳିବା ଉଚିତ? ଏହାର ଉତ୍ତର ଲାଗି ଡାକ୍ତରମାନେ ପ୍ରଥମେ ପରୀକ୍ଷା କରି ଦେଖିବା ଦରକାର ଯେ ଚିକିତ୍ସା ଦ୍ବାରା କେଉଁ ରୋଗୀର ବିପଦମୁକ୍ତ ହେବାର ସମ୍ଭାବନା କେତେ ଅଧିକ!

ସୁତରା˚, ଯେଉଁ ରୋଗୀ ଚିକିତ୍ସା ପାଇଲେ ବିପଦ-ମୁକ୍ତ ହେବାର ସମ୍ଭାବନା ଅଧିକ, ବୟସ ନିର୍ବିଶେଷରେ ଶଯ୍ୟା ତାଙ୍କ ପାଖକୁ ହିଁ ଯିବ। କିନ୍ତୁ ଧରି ନିଆଯାଉ ଯେ ଉଭୟଙ୍କ କ୍ଷେତ୍ରରେ ବିପଦମୁକ୍ତ ହେବାର ସମ୍ଭାବନା ମଧୢ ପ୍ରାୟ ସମାନ; ତେବେ ନିଷ୍ପତ୍ତି କିଭଳି ହୋଇପାରେ! ଏହି କ୍ଷେତ୍ରରେ ଏକ ନିଷ୍ପତ୍ତି ଯଦିଓ ଅମାନବୀୟ ଲାଗିପାରେ, ତଥାପି ଏବେ ଡାକ୍ତରମାନେ ଏଭଳି କିଛି ବିଷୟରେ ଚିନ୍ତା କରିବାକୁ ବାଧୢ ହେବେ, ଯାହାର ସ˚ପର୍କ ହୁଏ’ତ ଚିକିତ୍ସା ସହିତ ନ ଥିବ। ସେମାନେ ହୁଏ’ତ ବିଚାର କରିବେ ଯେ ଯେହେତୁ ସାଧାରଣ ଭାବେ ଜଣେ ଯୁବକଙ୍କ ଠାରେ ଉତ୍ପାଦନଶୀଳ ବୟସ ଅଧିକ ବା ଭବିଷ୍ୟତ୍‌ରେ କୌଣସି କୃତିତ୍ବ ହାସଲ କରିବାର ସାମର୍ଥ୍ୟ ବା ସମ୍ଭାବନା ଅଧିକ ଏବ˚ ତା’ ସହିତ ଦେଶର ଅଭିବୃଦ୍ଧିରେ ଯୁବକଙ୍କ ଭୂମିକା ବୃଦ୍ଧଙ୍କ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ହେବା ପ୍ରାୟ ନିଶ୍ଚିତ; ସେମାନଙ୍କ ନିର୍ଣ୍ଣୟର ନିକିତିଟି ଯୁବକଙ୍କ ସପକ୍ଷରେ ଢଳି ଯିବ। ସେହି ଆଲେଖ୍ୟରେ ଉପରୋକ୍ତ ପ୍ରହେଳିକାଟି ପ୍ରଦାନ କରି ଲେଖକମାନେ କହିବାକୁ ଚାହିଥିଲେ ଯେ ଭବିଷ୍ୟତ୍‌ରେ ଯଦି ଏକ କରୋନା ଭ୍ୟାକସିନର ଉଦ୍ଭାବନ ସମ୍ଭବ ହୁଏ (କାରଣ ସେତେବେଳକୁ ଭ୍ୟାକ୍‌ସିନର ସମ୍ଭାବନା ନେଇ ବିଶେଷ ଆଶା ସୃଷ୍ଟି ହୋଇ ନ ଥିଲା) ଏବ˚ ସବୁ ନାଗରିକମାନଙ୍କୁ ତାହା ଏକା ଥରକେ ଦେବାର ସମ୍ଭାବନା ନ ଥାଏ, ତାହା ହେଲେ ଟିକାକରଣ ଯୋଜନାରେ ପ୍ରଥମେ ତରୁଣ ବର୍ଗଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।

କିନ୍ତୁ, ଏହି ପ୍ରବନ୍ଧ ପ୍ରକାଶିତ ହେବାର ପ୍ରାୟ ଆଠ ମାସ ପରେ ଅର୍ଥାତ୍‌ ଚଳିତ ବର୍ଷ ପ୍ରାରମ୍ଭରେ ଯେତେବେଳେ ଅଧିକା˚ଶ ରାଷ୍ଟ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇ ଗଲା, ଦେଖିବାକୁ ମିଳିଲା ଯେ ପ୍ରାୟ ସବୁ ରାଷ୍ଟ୍ରର ସରକାର ଉପରୋକ୍ତ ମତର ବିପରୀତରେ ଯାଇ ସେମାନଙ୍କ ଟିକାକରଣ ଯୋଜନାରେ ପ୍ରଥମେ ବୃଦ୍ଧମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହାର କାରଣ କୋଭିଡ୍‌-୧୯ ଭୂତାଣୁ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଏହି ବୟସ୍କ ନାଗରିକମାନେ ହିଁ ବହନ କରିଥାଆନ୍ତି, ସୁତରାଂ, ସେମାନଙ୍କୁ ପ୍ରଥମେ ଟିକାର ସୁରକ୍ଷା ଦେବା ଆବଶ୍ୟକ। ଆମ ଦେଶରେ ମଧୢ ସେହି ‘ଷ୍ଟ୍ରାଟେଜି’ ବା ରଣନୀତି ଅନୁସରଣ କରାଯାଇ ଗଲା ଜାନୁଆରି ୧୬ରୁ ପ୍ରାରମ୍ଭ ହୋଇଥିବା ଟିକାକରଣ ଅଭିଯାନ‌େର ପ୍ରଥମେ ଷାଠିଏ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯାଇଥିଲା। ତେବେ ପର୍ଯ୍ୟାୟ କ୍ରମେ ବୟସର ସୀମା ତଳକୁ ତଳକୁ ଖସି ଆସନ୍ତା ମେ ୧ ତାରିଖରୁ ଟିକାକରଣ ଅଭିଯାନ ତରୁଣମାନଙ୍କୁ ସ୍ପର୍ଶ କରିବାକୁ ଯାଉଛି।

ଉଳ୍ଲେଖଯୋଗ୍ୟ ଯେ ପୃଥିବୀର ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ମଧୢରୁ ବୋଧହୁଏ କେବଳ ଇଣ୍ତୋନେସିଆ ତାର ଟିକାକରଣ ଅଭିଯାନ ତରୁଣ ବର୍ଗଙ୍କ ଠାରୁ ଆରମ୍ଭ କରିଛି। ଯେଉଁ ବ୍ୟକ୍ତିମାନେ ତରୁଣମାନଙ୍କୁ ପ୍ରଥମେ ଟିକା ଦେବା ରଣନୀତିର ସପକ୍ଷରେ, ସେମାନେ କହିଥାଆନ୍ତି ଯେ ଯୁବ ବର୍ଗ ସ୍ବଭାବସୁଲଭ ଭାବେ ଚଳଚଞ୍ଚଳ, ବିଚରଣପ୍ରିୟ, ଉଦ୍ଦାମ, ମଉଜିଆ ଏବ˚ ପ୍ରାୟତଃ ନିୟମ ଅତିକ୍ରମକାରୀ ହୋଇଥିବାରୁ ସେମାନଙ୍କୁ ଟିକା ଦ୍ବାରା ‘ଆଣ୍ଟିବଡିଯୁକ୍ତ’ କରି ସ˚କ୍ରମଣ ପ୍ରତିରୋଧୢ କରାଗଲେ ସେମାନେ ‘ସୁପର ସ୍ପ୍ରେଡର‌୍‌’ ହୁଅନ୍ତେ ନାହିଁ। ସେମାନେ ଆହୁରି କହି ଥାଆନ୍ତି ଯେ କରୋନା ପାନ୍‌ଡେମିକ୍‌ ସମୟରେ ସବିଶ୍ବ ଯାହା ଦେଖିବାକୁ ମିଳିଛି, ତାହା ହେଲା ବରିଷ୍ଠ ନାଗରିକମାନେ ମୁଖ୍ୟତଃ ଘର ଭିତରେ ହିଁ ନିଜକୁ ଆବଦ୍ଧ କରି ରଖିବାକୁ ଶ୍ରେୟସ୍କର ମଣିଛନ୍ତି। ସେହି ଦୃଷ୍ଟିରୁ କୁହାଯାଇପାରେ କି ଯୁବକମାନେ ପ୍ରଥମେ ରୋଗ ପ୍ରତିରୋଧୢ ହୋଇଗଲେ ଘରେ ରହିଥିବା ବୟସ୍କଙ୍କ ପ୍ରତି ମଧ୍ୟ ବିପଦର ସମ୍ଭାବନା ହ୍ରାସ ପାଆନ୍ତା। ଆଳୋଚନା ବେଳେ ଏହି ମତ-ପୋଷଣକାରୀମାନେ ଯେଉଁ ଦୃଶ୍ୟ ଉପସ୍ଥାପନ କରିଥାଆନ୍ତି, ତହିଁରେ ଦେଖିବାକୁ ମିଳେ ପ୍ରଥମେ ଟିକା ନେଇ ସାରିଥିବା କିଶୋର ଓ ତରୁଣ ବର୍ଗ (କଟକଣା ମାନି) ସ୍କୁଲ ବା କଲେଜ ଆସିବାରେ ଲାଗିଛନ୍ତି; ପାଠପଢ଼ା ଓ ପରୀକ୍ଷା ପ୍ରାୟ ସ୍ବାଭାବିକତା ହାସଲ କରିଛି; ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବା କାରଖାନା ଆଦିରେ ଏବେ ଦେଖା ଯାଉଥିବା ଭଳି (କରୋନାର ଦ୍ବିତୀୟ ତରଙ୍ଗ ହେତୁ) ଶ୍ରମ ଶକ୍ତି କ୍ଷୟ ଭଳି ସ୍ଥିତି ବଦଳରେ ଯୁବକଯୁବତୀମାନେ କାର୍ଯ୍ୟ କ୍ଷେତ୍ରରେ ବିଦ୍ୟମାନ ଓ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି।

ମନସ୍ତତ୍ବବିତ୍‌ମାନଙ୍କ ଗବେଷଣାଲବ୍‌ଧ ମତର ଉଦାହରଣ ପ୍ରଦାନ କରି ସେମାନେ ଆହୁରି କହିଥାଆନ୍ତି ଯେ ଦୀର୍ଘ କାଳ ଧରି ଯୁବ ବର୍ଗ ଶିକ୍ଷା ଲାଭ ବା ସାଙ୍ଗସାଥୀଙ୍କ ସଖ୍ୟ ଲାଭ ବା ବାହାରେ ବୁଲାବୁଲି ବା ଗମାତ ଆଦି କରିବାରୁ ବଞ୍ଚିତ ହୋଇ ରହିବା ଫଳରେ ସେମାନେ ଘୋର ମାନସିକ ଚାପ ଦେଇ ଗତି କରୁଛନ୍ତି, ଯାହା ସେମାନଙ୍କୁ ଅବସାଦଗ୍ରସ୍ତ କରି ପକାଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି, ଯେତେବେଳେ ଖବରମାନ ପ୍ରକାଶିତ ହେଉଛି ଯେ ଅତ୍ୟନ୍ତ ସ୍ବଳ୍ପ କାଳ ଲାଗି ଖୋଲିଥିବା କିଛି ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟ ପୁନର୍ବାର ବନ୍ଦ ହେବାକୁ ବସିବାରୁ ଅନେକ ଛାତ୍ରଛାତ୍ରୀ ଘରକୁ ଫେରିବାକୁ ଅନିଚ୍ଛା ପ୍ରକାଶ କରି କିଭଳି ଆନ୍ଦୋଳନମାନ କରୁଛନ୍ତି। ସେମାନେ ଏହା ମଧୢ ଦର୍ଶାଇଥାଆନ୍ତି ଯେ ଇ˚ଲାଣ୍ତ, ଆମେରିକା, ଅଷ୍ଟ୍ରେଲିଆ ଓ ଫିନଲାଣ୍ତ ଭଳି ଦେଶରେ ଅତି ସ˚କ୍ରାମକ ଇନ୍‌ଫ୍ଲୁଏନ୍‌ଜାର ଭ୍ୟାକସିନ ଅଗ୍ରାଧିକାର ଭିତ୍ତିରେ କିଶୋର ଓ ତରୁଣ ବର୍ଗଙ୍କୁ ଦିଆଯିବା ଦ୍ବାରା ସେଠାରେ ତାର ସ˚କ୍ରମଣର ତୀବ୍ରତା ଅନେକ ଗୁଣରେ ହ୍ରାସ ପାଉଛି।

ଆମ ଦେଶରେ କରୋନାର ଭୟାବହ ଦ୍ବିତୀୟ ତରଙ୍ଗ ସମୟରେ ଦେଖିବାକୁ ମିଳୁଛି ଯେ ପୂର୍ବ ଥର ତୁଳନାରେ ବର୍ତ୍ତମାନ ତରୁଣ ବର୍ଗ ଅଧିକ ସ˚ଖ୍ୟାରେ ସ˚କ୍ରମିତ ହେଉଛନ୍ତି। ‘ତରୁଣଙ୍କ ପାଇଁ ପ୍ରଥମେ ଟିକା’ ସପକ୍ଷରେ ଶୁଣାଯାଉଥିବା ଯୁକ୍ତିିକୁ ସାବ୍ୟସ୍ତ କଲା ଭଳି ଏହା ମଧୢ ଦେଖିବାକୁ ମିଳୁଛି ଯେ ଯୁବ ବର୍ଗ ଏହି ସ˚କ୍ରମଣକୁ ସେମାନଙ୍କ ସ୍ବଭାବସୁଲଭ ଢଙ୍ଗରେ ଭ୍ରୂକ୍ଷେପ ନ କରି ଦ୍ବିତୀୟ ତରଙ୍ଗର ତୀବ୍ରତାକୁ ଅକଳ୍ପନୀୟ ଭାବେ ବୃଦ୍ଧି କରିଛନ୍ତି। ତେଣୁ କହିବା ବାହୁଲ୍ୟ ଯେ କରୋନାର ଦ୍ରୁତ ସ˚କ୍ରମଣକୁ ରୋକିବାକୁ ହେଲେ ତରୁଣମାନଙ୍କୁ ହିଁ ଯଥାଶୀଘ୍ର ରୋଗ ପ୍ରତିରୋଧୢ କରିବାକୁ ହେବ। ତେବେ, ଭାରତର ବିଶାଳ ଜନସ˚ଖ୍ୟାର ପ୍ରାୟ ଏକ ତୃତୀୟା˚ଶ (୧୮ରୁ ୪୦ ବର୍ଷ ବୟସ) ଅଧିକାର କରିଥିବା ଆମ ଯୁବ ବର୍ଗ ଲାଗି ପର୍ଯ୍ୟାପ୍ତ ସ˚ଖ୍ୟକ ଟିକା ଉପଲବ୍‌ଧ କରାଇବା ସରକାରଙ୍କ ଲାଗି ଏକ ଅତିକାୟ ଆହ୍ବାନ ହୋଇପାରେ।

ସମ୍ବନ୍ଧିତ ଖବର