ବିକଳ୍ପ ସନ୍ଧାନ

ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବି.ଜେ.ପି. ବିରୋଧରେ ତୃଣମୂଳ କ˚ଗ୍ରେସ ବା ଟି.ଏମ୍‌.ସି.ର ବିପୁଳ ବିଜୟ ପରେ ଜାତୀୟ ରାଜନୀତିରେ ମୃଦୁ ଚଞ୍ଚଳତା ପରିଲକ୍ଷିତ ହୋଇଛି; ନ ହେଲେ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିର ଦୃଢ଼ତା ହେତୁ କ୍ଷମତା ସମୀକରଣର ସ୍ଥିତାବସ୍ଥାରେ ପରିବର୍ତ୍ତନର ବିଶେଷ ଆଶା ନ ଦେଖି ବିରୋଧୀ ଦଳଗୁଡ଼ିକର ଉତ୍ସାହରେ ଶିଥିଳତା ପ୍ରକାଶ ପାଉଥିଲା। ଏହି ପରିପ୍ରେକ୍ଷୀରେ ଗଲା ୨୨ ତାରିଖ ଦିନ ଏନ୍‌.ସି.ପି. ମୁଖ୍ୟ ଶରଦ ପାଵାରଙ୍କ ବାସଭବନରେ ‘ରାଷ୍ଟ୍ର ମଞ୍ଚ’ ସୌଜନ୍ୟରୁ ଏକ ବୈଠକ ଆୟୋଜିତ ହେବା ଏବ˚ ତହିଁରେ କେତେକ ବିରୋଧୀ ରାଜନୈତିକ ଦଳର କିଛି ସଦସ୍ୟ ତଥା ମୁଷ୍ଟିମେୟ ବୁଦ୍ଧିଜୀବୀ ଯୋଗ ଦେବା ଗୁରୁତ୍ବ ବହନ କରିଥାଏ। ଏହି ବୈଠକ ପରେ ଯଦିଓ ସୂଚନା ପ୍ରଦାନ କରାଯାଇଛି ଯେ ଏକ ‘ବିକଳ୍ପ ଦୃଷ୍ଟି’ ବା ‘ଅଲ୍‌ଟର୍‌ନେଟିଭ୍‌ ଭିଜନ୍‌’ର ସୃଷ୍ଟି ଲାଗି ଏହା ଆହୂତ ହୋଇଥିଲା, ତଥାପି ରାଜନୈତିକ ବିଶେଷଜ୍ଞମାନେ ଏକମତ ଯେ ଆସନ୍ତା ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବି.ଜେ.ପି.କୁ କ୍ଷମତାରୁ ଅପସାରଣ କରିବା ଲାଗି ଏକ କସରତର ଏହା ଏକ ପ୍ରାରମ୍ଭ ହୋଇପାରେ। ଏହି ସ˚ଦର୍ଭରେ ଯେଉଁ କାରଣଟି ଏଭଳି ଧାରଣାକୁ ଦୃଢ଼ୀଭୂତ କରିଛି, ତାହା ହେଲା ଟି.ଏମ୍‌.ସି.ର ସଫଳ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଦୁଇ ଦୁଇ ଥର ଶରଦ ପାଵାରଙ୍କ ସହିତ ସାକ୍ଷାତ କରିବା। କହିବା ଅନାବଶ୍ୟକ ଯେ ସ˚ପ୍ରତି ଦେଶର ବିରୋଧୀ ଦଳର ନେତାମାନଙ୍କ ମଧୢରେ ସର୍ବାଧିକ ଶାଣିତ ରାଜନୈତିକ ବୁଦ୍ଧିମତ୍ତାର ଅଧିକାରୀ ହେଉଛନ୍ତି ଶରଦ ପାଵାର। ତେବେ, ଏ ପରିପ୍ରେକ୍ଷୀରେ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଏହି ବୈଠକ ଯଦି ଏକ ରାଜନୈତିକ ମେଣ୍ଟ ବା ସାମ୍ମୁଖ୍ୟର ସୂତ୍ରପାତ କରେ, ତେବେ ପୂର୍ବବର୍ତ୍ତୀ ଅଭିଜ୍ଞତାଗୁଡ଼ିକର ଆଧାରରେ କହି ହେବ ଯେ ଏହା ଦ୍ବାରା ବିଶେଷ ଉତ୍ସାହୀ ଦିଶିବାର କାରଣ ନାହିଁ। ପ୍ରଶାନ୍ତ କିଶୋର ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କୁ ହଟାଇବା ଲାଗି ଏଭଳି ଭାବେ ରାଜନୈତିକ ସାମ୍ମୁଖ୍ୟର ଗଠନ ଫଳପ୍ରଦ ହେବ ନାହିଁ। ବର˚ ଏଥି ଲାଗି ନୂତନ ବୁଦ୍ଧି (ଆଇଡିଆ)ର ଆବଶ୍ୟକତା ରହିଛି। ଏହି ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ବୋଲି ମନେହୁଏ।

ପ୍ରଥମତଃ, ‘ରାଷ୍ଟ୍ର ମଞ୍ଚ’ର ବୈଠକରେ କ˚ଗ୍ରେସର ଅନୁପସ୍ଥିତି ଯଦି ଏହି ଇଙ୍ଗିତ ପ୍ରଦାନ କରେ ଯେ ସମ୍ଭାବ୍ୟ ମେଣ୍ଟଟି ‘କ˚ଗ୍ରେସ ମକ୍ତ’ ରହିବାକୁ ଇଚ୍ଛୁକ, ତେବେ ତାହା ଆତ୍ମଘାତୀ ହୋଇପାରେ। କାରଣ ଏକ ଜାତୀୟ ଦଳ ଭାବେ କ˚ଗ୍ରେସକୁ ସୀମାନ୍ତରିତ କରିଦେବାର ସମୟ ଏବେ ସୁଦ୍ଧା ଆସିନାହିଁ। ମନେ ରଖିବାକୁ ହେବ ଯେ ୨୦୧୯ ନିର୍ବାଚନରେ ବି.ଜେ.ପି. ପରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପାଇଥିଲା ୧୧.୯ କୋଟି ସଂଖ୍ୟକ ଭୋଟ। ସେହି ପରିପ୍ରେକ୍ଷୀରେ ସ୍ବୀକାର କରିବାକୁ ହେବ ଯେ ବି.ଜେ.ପି.ର ‘କ˚ଗ୍ରେସ ମୁକ୍ତ ଭାରତ’ର ସ୍ଲୋଗାନ୍‌ଟି ଅତ୍ୟନ୍ତ ଚତୁରତାର ସହିତ ରାଜନୈତିକ ବିରୋଧକୁ ନିବୀର୍ଯ୍ୟ କରିବା ଉଦ୍ୟମର ଏକ ଅ˚ଶ। କିନ୍ତୁ, ବିଡ଼ମ୍ବନା ହେଲା ବି.ଜେି.ପି. ଦ୍ବାରା ହୋଇ ଚାଲିଥିବା ଏଭଳି ଏକ ମନସ୍ତାତ୍ତ୍ବିକ ଯୁଦ୍ଧରେ ଭାରତର ଏହି ସର୍ବ ପୁରାତନ ଦଳଟି ତାର ସ˚ଘର୍ଷ କରିବାର ସାହସ ଓ ଉତ୍ସାହ ହରାଇ ନିର୍ବାଚନ ରାଜନୀତିରେ କ୍ରମେ ଅଧିକରୁ ଅଧିକ ନିଷ୍ପ୍ରଭ ହୋଇ ପଡୁଛି। ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଯଦି ‘କ˚ଗ୍ରେସ ମୁକ୍ତ’ ହେବାକୁ ଚାହିବେ, ତେବେ ତାହା କ˚ଗ୍ରେସକୁ ଆହୁରି ଅଧିକ ଦୁର୍ବଳ କରିବା ସହିତ ଜାତୀୟ ରାଜନୀତିରେ ବି.ଜେ.ପି.କୁ ଅଧିକ ନିରଙ୍କୁଶ କରିବ। କେବଳ ସେତିକି ନୁହେଁ, କ˚ଗ୍ରେସର ପାର˚ପରିକ ଜନାଧାର କ୍ରମେ ବିଭାଜିତ ହୋଇ ହିନ୍ଦୁତ୍ବ ରାଜନୀତି ବିରୋଧୀ ଦଳଗୁଡ଼ିକୁ କିଛି କିଛି ଅ˚ଶରେ ଯିବ ସିନା, ତହିଁରୁ କୌଣସି ଦଳ ବିଶେଷ ଉପକୃତ ହୋଇପାରିବେ ନାହିଁ। ତେଣୁ ମୂଳ କଥା, ‘କ˚ଗ୍ରେସ ମୁକ୍ତ ସାମ୍ମୁଖ୍ୟ’ ଏକ ଉତ୍ତମ ପରିକଳ୍ପନା ନୁହେଁ।

ଦ୍ବିତୀୟ କଥା ହେଲା, ପୂର୍ବର ଅଭିଜ୍ଞତା କହେ ଯେ କୌଣସି ଜଣେ ବ୍ୟକ୍ତି ବା ଦଳକୁ କଳେ ବଳେ କୌଶଳେ କ୍ଷମତାରୁ ବହିଷ୍କାର କରିବା ଭଳି ଏକମାତ୍ର ଉଦ୍ଦେଶ୍ୟ ନେଇ ଗଠିତ ମେଣ୍ଟଗୁଡ଼ିକ ଯଦିଓ ବେଳେବେଳେ ସେମାନଙ୍କ ଲକ୍ଷ୍ୟ ସାଧନରେ ସଫଳ ହୁଅନ୍ତି, ତଥାପି ଅଧିକ କାଳ ଶାସନରେ ତିଷ୍ଠି ପାରନ୍ତି ନାହିଁ। ଏକ ହିସାବରୁ ଜଣାଯାଏ ଯେ ଏଭଳି ମେଣ୍ଟ ସରକାରଗୁଡ଼ିକ ହାରାହାରି ଗୋଟିଏ ବର୍ଷ ମଧୢ ଶାସନ କ୍ଷମତାରେ ରହି ପାରିନାହାନ୍ତି। କାରଣ, ସେହି ଲକ୍ଷ୍ୟ ହାସଲ କରିବାର ଆଗ୍ରାହାତିଶଯ୍ୟ ହେତୁ ଆଦର୍ଶଗତ ଭାବେ ପରସ୍ପରର ତୀବ୍ର ବିରୋଧୀ ଦଳ ଅଗତ୍ୟା ଏକତ୍ର ହୁଅନ୍ତି ସିନା, ପରବର୍ତ୍ତୀ କାଳରେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ମେଣ୍ଟକୁ ସ୍ବଳ୍ପାୟୁଷୀ କରିଥାଏ। ଉଦାହରଣ ସ୍ବରୂପ, ରାଜୀବ ଗାନ୍ଧୀଙ୍କ ନେତୃତ୍ବାଧୀନ କ˚ଗ୍ରେସ ସରକାରକୁ ଗାଦିଚ୍ୟୁତ କରିବା ଲାଗି ଭି.ପି. ସିଂହଙ୍କ ନେତୃତ୍ବରେ ଗଠିତ ହୋଇଥିବା ମେଣ୍ଟ (ନେସନାଲ ଫ୍ରଣ୍ଟ୍‌)କୁ ଦୁଇ ଜାତ ଶତ୍ରୁ ବି.ଜେ.ପି. ଏବ˚ ବାମପନ୍ଥୀ ଦଳ ସମର୍ଥନ କରିଥିଲେ; କିନ୍ତୁ ପରିଣତି ହେଲା ଏୟା ଯେ ରାଜୀବ ଗାନ୍ଧୀଙ୍କୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିବା ଭି.ପି. ସି˚ହ ଆଡ଼ଭାନୀଙ୍କ ରଥଯାତ୍ରାକୁ ବିରୋଧ କରି ବିଜେପିର ସମର୍ଥନ ହରାଇଲେ ଓ ମାତ୍ର ୩୪୩ ଦିନର ସରକାର ଧରାଶାୟୀ ହେଲା। ସୁତରା˚, ଏହା କହିଲେ ଭୁଲ୍‌ ହେବ ନାହିଁ ଯେ ନରେନ୍ଦ୍ର ମୋଦୀଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ଭଳି ଗୋଟିଏ ମାତ୍ର ‘ଏଜେଣ୍ତା’ ନେଇ ଗଠିତ ସାମ୍ମୁଖ୍ୟରେ ଅନ୍ତର୍ନିହିତ ପାରସ୍ପରିକ ବିରୋଧ କାରଣରୁ ଶୀଘ୍ର ତ୍ରୁଟି ରେଖାମାନ ଦେଖାଯିବା ସମ୍ଭବ; ଯାହା କୌଣସି ସୁଦୂରପ୍ରସାରୀ ଲାଭ ପ୍ରଦାନ କରିପାରିବ ନାହିଁ।

ଏବେ ନରେନ୍ଦ୍ର ମୋଦୀଙ୍କ ଜଣେ ବିକଳ୍ପ ଅନ୍ବେଷଣର ପ୍ରସଙ୍ଗକୁ ଆସିବା। ଗଲା ୨୪ ତାରିଖରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ପ୍ରଶ୍ନମ ନାମକ ଏକ ଅନୁଷ୍ଠାନ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସର୍ବାଧିକ ସ˚ଖ୍ୟକ ଅ˚ଶଗ୍ରହଣକାରୀ (୩୩%) ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚାହାନ୍ତି ବୋଲି ମତ ଦେଇଥିଲେ। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି ରାହୁଳ ଗାନ୍ଧୀ (୧୭%) ଏବ˚ ତୃତୀୟ ସ୍ଥାନରେ ମମତା ବାନାର୍ଜୀ (୭%)। ଏଥିରୁ ସ୍ପଷ୍ଟ ଯେ କରୋନାର ଭୟାବହ ଦ୍ବିତୀୟ ତରଙ୍ଗର ସୃଷ୍ଟିର କାରଣ ତଥା ପରିଚାଳନାଗତ ତ୍ରୁଟି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅପରିଣାମଦର୍ଶିତାକୁ ଦାୟୀ କରାଯାଉଥିଲେ ମଧ୍ୟ ସେ ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ପଦ ଲାଗି ଏକ ନିର୍ବିକଳ୍ପ ପସନ୍ଦ ହୋଇ ରହିଛନ୍ତି। ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ନୋଟ୍‌ବନ୍ଦୀ ଭଳି ଅବିମୃଶ୍ୟକାରୀ ନିଷ୍ପତ୍ତିରୁ ଆରମ୍ଭ କରି ବେକାରି ସ˚ଖ୍ୟାରେ ତୀବ୍ର ବୃଦ୍ଧି, ଆର୍ଥିକ ଅଭିବୃଦ୍ଧିରେ ସ୍ଖଳନ, ତୈଳ ଦରରେ ଅସହନୀୟ ବୃଦ୍ଧି ତଥା ବିବାଦୀୟ ‘ସି.ଏ.ଏ.’ ବା କୃଷି ଆଇନ ଇତ୍ୟାଦି ସତ୍ତ୍ବେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ବି.ଜେ.ପି. ବିରୋଧରେ ଯେମିତି ଜନମତ ସୃଷ୍ଟି କରିପାରିବା କଥା, ସେଭଳି କରିପାରିନାହାନ୍ତି। ଏ ସବୁ ନେଇ ହୋଇଥିବା ଅନେକ ଆନ୍ଦୋଳନ ପ୍ରମୁଖ ଭାବେ ଅଣ ରାଜନୈତିକ ଗୋଷ୍ଠୀମାନଙ୍କ ପକ୍ଷରୁ ହିଁ ପରିଚାଳିତ ହୋଇଛି। ସୁତରା˚, ପ୍ରଥମ କଥା ହେଲା ବିରୋଧୀ ଦଳଗୁଡ଼ିକୁ ସେମାନଙ୍କ ରାଜନୈତିକ ଆଳସ୍ୟ ପରିହାର କରିବାକୁ ହେବ। ସ୍ବୀକାର କରିବାକୁ ହେବ ଯେ କ˚ଗ୍ରେସ ଶକ୍ତିହୀନ ହୋଇଯିବା ବି.ଜେ.ପି.କୁ ଜାତୀୟ ସ୍ତରରେ ଅଧିକ ଦୃଢ଼ କରିଛି; ଏବ˚ ବିଭିନ୍ନ ଆଞ୍ଚଳିକ ଦଳର ଅଭ୍ୟୁଦୟ ଯଦିଓ ରାଜ୍ୟଗୁଡ଼ିକରେ ବି.ଜେ.ପି.ର ପ୍ରଭାବକୁ କ୍ଷୁଣ୍ଣ କରିଛି, କିନ୍ତୁ ଜାତୀୟ ରାଜନୀତିରେ ସେଗୁଡ଼ିକ ପ୍ରାୟତଃ ନିଷ୍ପ୍ରଭାବୀ ହୋଇ ରହିଛନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଆଞ୍ଚଳିକ ଦଳଗୁଡ଼ିକ ଏକ ଜାତୀୟ ଲକ୍ଷ୍ୟ ବହନ କରିବା ଉଚିତ, ଯେଉଁ ଦିଗରେ କିଛି ଉଦ୍ୟମ ‘ଆପ୍‌’ ପକ୍ଷରୁ କରାଯାଇଛି। ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧୢ ଏ ଦିଗରେ ତତ୍ପର ହେବା ଉଚିତ।

ଏହି ସଂଦଭରେ ‘ଅଖିଳ ଭାରତୀୟ ଆବେଦନ’ (ପାନ୍‌ ଇଣ୍ତିଆନ୍‌ ଆପିଲ)ର ଅଭାବ ଥିବା ଦର୍ଶାଇ ଅନେକ ଆଞ୍ଚଳିକ ଦଳର ନେତାଙ୍କୁ ମୋଦୀଙ୍କ ପ୍ରତିସ୍ପର୍ଦ୍ଧୀ ଭାବେ ବିଚାର କରାଯାଉନାହିଁ। କିନ୍ତୁ ନରେନ୍ଦ୍ର ମୋଦୀ ସ୍ବୟ˚ ପୂର୍ବରୁ କେବେ ହେଲେ ଜାତୀୟ ରାଜନୀତିରେ ପ୍ରଭାବଶାଳୀ ନ ଥିବା ସତ୍ତ୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ସିଧାସଳଖ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ, ମୋଦୀଙ୍କ ନିକଟରେ ଯାହା ବିଦ୍ୟମାନ, ତାହା ହାସଲ କରିବା କୌଣସି ପ୍ରତିସ୍ପର୍ଦ୍ଧୀ ନେତାଙ୍କ ମୂଳ ଯୋଗ୍ୟତା ହେବା ଆବଶ୍ୟକ। ସେଗୁଡ଼ିକ ହେଲା ନିଷ୍ପତ୍ତି ନେବାରେ ଦୃଢ଼ତା (ଠିକ୍‌ ହେଉ ବା ଭୁଲ୍‌), ଅକ୍ଳାନ୍ତ ପରିଶ୍ରମ କରିବାର ସାମର୍ଥ୍ୟ, ଏକ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ଏବ˚ ଜନସାଧାରଣଙ୍କୁ ସ୍ପର୍ଶ କଲା ଭଳି ସ˚ଳାପ। ଏଭଳି ଜଣେ ନେତାଙ୍କ ବିକାଶ ହିଁ ମୋଦୀଙ୍କୁ ଅଜେୟ ହୋଇ ରହିବାକୁ ଦେଇ ନ ପାରେ।

ସମ୍ବନ୍ଧିତ ଖବର