ଅ-ପାରମିତା

ବୌଦ୍ଧ ଧର୍ମ ଅନୁସାରେ ଜୀବନର ଅନ୍ତିମ ଲକ୍ଷ୍ୟ , ‘ନିର୍ବାଣ’ ଲାଭ କରିବା ନିମିତ୍ତ ଯୋଗ୍ୟତା ଲାଭ କରିବା ପାଇଁ ଯେଉଁ ଆତ୍ମଶୁଦ୍ଧି ଆବଶ୍ୟକ, ‘ପାରମିତା’ ହେଉଛି ତାହାର ଏକ ମୁଖ୍ୟ ଆଧାର। ‘ପାରମିତା’ର ଏକ ମୁଖ୍ୟ ଅ˚ଶ ହେଉଛି ‘ଶୀଳ’। ‘ଶୀଳ’ ହେଉଛି ନୈତିକତା। ‘ଶୀଳ’ର ତାତ୍ପର୍ଯ୍ୟ ସୂଚାଇବା ପାଇଁ ଏହାକୁ ‘ଦାନ’ ସହିତ ତୁଳନା କରାଯାଇଥାଏ। ‘ଶୀଳ’ ଓ ‘ଦାନ’ ହେଉଛନ୍ତି ଗୋଟିଏ ମୁଦ୍ରା ବା କଏନ୍‌ର ଦୁଇଟି ପାର୍ଶ୍ବ। ‘ଶୀଳ’ ହେଉଛି ଏକ ନିଷ୍କ୍ରିୟ ସଦ୍‌ଗୁଣ ଓ ଦାନ ହେଉଛି ଏକ ସକ୍ରିୟ ସଦ୍‌ଗୁଣ। ‘ଶୀଳ’ ହେଉଛି ନିବୃତ୍ତି ଓ ‘ଦାନ’ ହେଉଛି ‘ପ୍ରବୃତ୍ତି’। ‘ଶୀଳ’ ହେଉଛି ଅହି˚ସା ଭଳି ନିୟମର ଅନୁପାଳନ, ଅର୍ଥାତ୍‌ ହି˚ସାଚରଣରୁ ନିବୃତ୍ତି; ‘ଦାନ’ ହେଉଛି ସକ୍ରିୟ ଆତ୍ମତ୍ୟାଗ ପ୍ରବୃତ୍ତି, ଯାହା ଅସହାୟକୁ ସାହାଯ୍ୟ ପ୍ରଦାନ ମାଧୢମରେ ପ୍ରକଟିତ ହୋଇଥାଏ। ନିଜର ସମ୍ବଳର ଏକ ଅ˚ଶ ତ୍ୟାଗ କରି ଜଣେ ଭିକାରିଙ୍କୁ ତାହା ପ୍ରଦାନ କରିବା ହେଉଛି ଏହାର ବିଭିନ୍ନ ଉଦାହରଣ ମଧୢରୁ ଗୋଟିଏ। ଏହାର ମର୍ମ ହେଲା- ନିଜର ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅନ୍ୟର ହିତ ସାଧନ। ‘ଭିକ୍ଷୁ’ମାନେ ତ ହେଉଛନ୍ତି ବୌଦ୍ଧ ଧର୍ମର ଅବିଚ୍ଛେଦ୍ୟ ଅ˚ଶ।

ଭିକ୍ଷାକୁ ଯଦି ବୌଦ୍ଧ ଧର୍ମରେ ଏଭଳି ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ, ହିନ୍ଦୁ ଧର୍ମରେ ମଧୢ ତାହା କିଛି ଊଣା ହେବା ଦେଖା ଯାଇ ନଥାଏ। କିଶୋରମାନେ ସ˚ସାରରେ ପ୍ରବେଶ କରିବା ପୂର୍ବରୁ ଯେଉଁ ସ˚ସ୍କାର ଲାଭ କରିବା ବିଧି ରହି ଆସିଥିଲା, ଉପନୟନ ମାଧୢମରେ ଭିକ୍ଷାର୍ଥୀ-ବ୍ରହ୍ମଚାରୀର ରୂପ ପରିଗ୍ରହଣ କରିବା ଥିଲା ତାହାର ଏକ ମୁଖ୍ୟ ଅ˚ଶ। ଏହି ସମୟରେ ଶିକ୍ଷାଲାଭ ନିମିତ୍ତ ଗୁରୁକୁଳ ଆଶ୍ରମରେ ପ୍ରବେଶ କରିବା ପରେ ଏହି ବ୍ରହ୍ମଚାରୀ ବିଦ୍ୟାର୍ଥୀମାନଙ୍କୁ ନିକଟସ୍ଥ ଜନପଦମାନଙ୍କରେ ବୁଲି ବୁଲି ଆଶ୍ରମବାସୀଙ୍କର ଅନ୍ନସ˚ସ୍ଥାନ ନିମିତ୍ତ ଗୃହୀମାନଙ୍କ ଠାରୁ ଭିକ୍ଷା ସ˚ଗ୍ରହ କରିବାକୁ ହେଉଥିଲା।

ଗରୁଡ଼ ପୁରାଣ ଅନୁସାରେ ଜଣେ ବ୍ରାହ୍ମଣ ବ୍ରହ୍ମଚାରୀଙ୍କୁ ଯେଉଁ ସମ୍ବୋଧନ ଉଚ୍ଚାରଣ କରି ଭିକ୍ଷା ମାଗିବାକୁ ପଡୁଥିଲା, ତାହା ହେଲା- ‘ଭବତୀ ଭିକ୍ଷା˚ ଦେହୀ’; ଜଣେ କ୍ଷତ୍ରିୟ ବ୍ରହ୍ମଚାରୀଙ୍କୁ ସମ୍ବୋଧନ କରିବାକୁ ହେଉଥିଲା- ‘ଭିକ୍ଷା˚ ଭବତୀ ଦେହୀ’ ଏବ˚ ଏଥିରେ ଶବ୍ଦ ସ˚ଯୋଜନାରେ ଆଉ ଏକ ସାମାନ୍ୟ ପରିବର୍ତ୍ତନ ଘଟାଇ ଜଣେ ବୈଶ୍ୟ ବ୍ରହ୍ମଚାରୀଙ୍କୁ ଉଚ୍ଚାରଣ କରିବାକୁ ହେଉଥିଲା- ‘ଭିକ୍ଷା˚ ଦେହୀ ଭବତୀ’। ଆବଶ୍ୟକତା ଦେଖାଦେଲେ ଭିକ୍ଷା ମାଗିବାକୁ ଏହା ଦ୍ବାରା ଯେଉଁ ଭଳି ଏକ ସାମାଜିକ ବିକଳ୍ପର ସ୍ବୀକୃତି ପ୍ରଦାନ କରାଯାଇଥିଲା, ଭିକ୍ଷାର୍ଥୀକୁ ଭିକ୍ଷାଦାନ ମଧୢ ସେଇଭଳି ଏକ ସାମାଜିକ ମର୍ଯ୍ୟାଦା ଉପଭୋଗ କରୁଥିଲା, ଯାହାର ଶ୍ରେଷ୍ଠ ପ୍ରମାଣ ହେଉଛନ୍ତି ଦାନବୀର ହରିଶ୍ଚନ୍ଦ୍ରରୁ ଆରମ୍ଭ କରି ରାଜା ବଳି ପର୍ଯ୍ୟନ୍ତ ଚରିତ୍ର ମାନେ। ସମାଜର ଅସହାୟମାନଙ୍କୁ ସହାୟତା ପ୍ରଦାନ ନିମିତ୍ତ ଇସ୍‌ଲାମ୍‌ରେ ଯେଉଁ ବିଧିବଦ୍ଧ ବ୍ୟବସ୍ଥା ରହିଛି, ତାହା ହେଉଛି ସେ ଧର୍ମର ପାଞ୍ଚଟି ମୁଖ୍ୟ ସ୍ତମ୍ଭ ମଧୢରୁ ଗୋଟିଏ- ‘ଜକାତ୍‌’। ଯେଉଁ ମୁସଲମାନମାନେ ବିଧି ଅନୁଯାୟୀ ‘ଜକାତ୍‌’ ଦାନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି, ସେମାନେ ପ୍ରତିବର୍ଷ ନିଜ ସମ୍ପଦର ଏକ ନିର୍ଦ୍ଦିଷ୍ଟ ଅ˚ଶ ଏହି ଉଦ୍ଦେଶ୍ୟରେ ଦାନ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁତ୍ବ ଅନୁସାରେ ‘ଜକାତ୍‌’ ହେଉଛି ପ୍ରାର୍ଥନା ପରକୁ ଇସ୍‌ଲାମ୍‌ର ଦ୍ବିତୀୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା।

ଈଶ୍ବରଙ୍କ ଏହି ସୃଷ୍ଟି ଯେ ତ୍ରୁଟିପୂର୍ଣ୍ଣ, ତାହାର ଅନ୍ୟତମ ନିଦର୍ଶନ ହେଉଛି ପ୍ରତ୍ୟେକ ସମାଜରେ ଦେଖାଯାଉଥିବା ଅର୍ଥନୈତିକ ବୈଷମ୍ୟ। ଏହି ବୈଷମ୍ୟ ଯୋଗୁଁ ଯେଉଁ ଦୁଇ କିସମର ଦାରିଦ୍ର୍ୟ ସୃଷ୍ଟି ହୋଇଥାଏ, ସେମାନେ ହେଲେ- ଜୈବିକ ଦାରିଦ୍ର୍ୟ ଓ ସାମାଜିକ ଦାରିଦ୍ର୍ୟ। ଏଥି ମଧୢରୁ ଦ୍ବିତୀୟଟି କେବଳ ଜୀବନଧାରଣର ମାନରେ ତାରତମ୍ୟ ସୂଚାଇଥିବା ବେଳେ, ପ୍ରଥମଟି ଜୀବନ-ମରଣ ପ୍ରଶ୍ନରେ ପରିଣତ ହୋଇଥାଏ। ଏହି ପ୍ରଥମ କିସମର ଦାରିଦ୍ର୍ୟ ହିଁ ଭିକ୍ଷାର ଆବଶ୍ୟକତାକୁ ଜନ୍ମ ଦେଇଥାଏ, ଯାହାର ମୁକାବିଲା ପାଇଁ ପ୍ରତ୍ୟେକ ଧର୍ମରେ ବ୍ୟବସ୍ଥା କରାଯାଇଥିଲା।

ଉପର ବର୍ଣ୍ଣିତ ଭଳି ଖ୍ରୀଷ୍ଟ ଧର୍ମରେ ଚର୍ଚ୍ଚ ତଥା ମୋନାଷ୍ଟେରି ଆଦି ସ˚ସ୍ଥା ସବୁକୁ କେନ୍ଦ୍ର କରି ଅସହାୟମାନଙ୍କୁ ସହାୟତା ପ୍ରଦାନ ବ୍ୟବସ୍ଥା ଗଢ଼ି ଉଠିବା ଦେଖାଯାଇଛି। ଏହାର ଗୁରୁତ୍ବ ଏକ କ୍ରୂର ଢଙ୍ଗରେ ଅନୁଭୂତ ହେବା ଦେଖାଯାଇଥିଲା ଇ˚ଲାଣ୍ତ୍‌ରେ ଷୋଡ଼ଶ ଶତାବ୍ଦୀରେ ଯେତେବେଳେ ୧୫୩୦ ଦଶକରେ ସମ୍ରାଟ ଅଷ୍ଟମ ହେନ୍‌ରି କ୍ୟାଥଲିକ୍‌ ରୋମ୍‌ ଓ ପୋପ୍‌ଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଇ˚ଲାଣ୍ତ୍‌ରେ ଥିବା କନ୍‌ଭେଣ୍ଟ୍‌, ମୋନାଷ୍ଟେରି ଆଦି ପରି ସମସ୍ତ ଦାତବ୍ୟ ଅନୁଷ୍ଠାନମାନ ବନ୍ଦ କରିଦେଲେ। ଏହା ସମାଜର ଦୁର୍ବଳ ବର୍ଗମାନଙ୍କୁ ଏଭଳି ଚରମ ଦାରିଦ୍ର୍ୟ ଓ ଭିକ୍ଷାବୃତ୍ତି ମଧୢକୁ ଠେଲି ଦେଲା ଯେ ଗୋଟିଏ ପିଢ଼ି ପରେ ତାଙ୍କର କନ୍ୟା ରାଣୀ ପ୍ରଥମ ଏଲିଜାବେଥ୍‌ ଲୋକମାନଙ୍କ ଦୁର୍ଦଶା ସହ୍ୟ କରି ନପାରି ରାଷ୍ଟ୍ର ତରଫରୁ ଚର୍ଚ୍ଚର ଶୂନ୍ୟସ୍ଥାନ ପୂରଣ କରିବା ଉଦ୍ଦେଶ୍ୟରେ ପ୍ରସିଦ୍ଧ ‘‘ପୁଅର‌୍‌ ଲ’ଜ୍‌’’ ବା ଦାରିଦ୍ର୍ୟ ଆଇନ ପ୍ରଣୟନ କଲେ। ଏହି ଆଇନ ଅନୁସାରେ ଦରିଦ୍ରମାନଙ୍କୁ ଖାଦ୍ୟ ଓ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ ନିମିତ୍ତ ଯେଉଁ ବ୍ୟବସ୍ଥା ସୃଷ୍ଟି ହୋଇଥିଲା, ତାହା ଊନବି˚ଶ ଶତାବ୍ଦୀ ପର୍ଯ୍ୟନ୍ତ ସେଠାରେ ବଳବତ୍ତର ଥିଲା ଏବ˚ ଆଧୁନିକ ବ୍ରିଟେନ୍‌ର ସାମାଜିକ ନିରାପତ୍ତା ବ୍ୟବସ୍ଥାର ମୂଳଭିତ୍ତି ହୋଇ ରହିଛି।

ଦୁଃଖର ବିଷୟ ଆମ ଦେଶରେ ଚରମ ଜୈବିକ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ଭିକ୍ଷାବୃତ୍ତିର ଆଶ୍ରୟ ନେବାକୁ ବାଧୢ ହୋଇଥିବା ଅଗଣିତ ଦେଶବାସୀଙ୍କ ପାଇଁ ସରକାର ସେଭଳି କୌଣସି ବ୍ୟବସ୍ଥା କରି ନଥିବା ବେଳେ ଆମେ ମଧୢ ସେମାନଙ୍କ ପ୍ରତି ପୂର୍ବ ବର୍ଣ୍ଣିତ ଅତୀତର ସମ୍ବେଦନଶୀଳତା ହରାଇ ବସିଛୁ। କୁହାଯାଇପାରେ, ‘ପାରମିତା’ର ସ୍ଥାନ ବର୍ତ୍ତମାନ ନେଇଛି ‘ଅ-ପାରମିତା’। ନଚେତ୍‌ କେହି ଜଣେ ହୃଦୟହୀନ ଦେଶର ସମସ୍ତ ଟ୍ରାଫିକ୍‌ ଛକ ମାନଙ୍କରୁ ଭିକାରିମାନଙ୍କୁ ବଳପୂର୍ବକ ବିତାଡ଼ିତ କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଏକ ଆବେଦନ ଧରି ହାଜର ହୋଇ ନଥାନ୍ତା। ବୋଧହୁଏ ନିଜର ଶୀତତାପ ନିୟନ୍ତ୍ରିତ କାର‌୍‌ ଭିତରେ ବସି ଟ୍ରାଫିକ୍‌ ସିଗ୍‌ନାଲ୍‌କୁ ଅପେକ୍ଷା କରିବା ସମୟରେ ଏହି ଭିକାରିମାନଙ୍କ ଉପସ୍ଥିତି ଆବେଦନକାରୀଙ୍କ ଠାରେ ଅସହ୍ୟ ବିରକ୍ତି ସୃଷ୍ଟି କରିଛି। ଯେଉଁମାନେ ଏମାନଙ୍କୁ ନକଲି ଭିକାରି ବୋଲି ବିଚାର କରନ୍ତି, ସେମାନେ ଯେଉଁ ଅସଲ କଥା ଭୁଲି ଯାଆନ୍ତି, ତାହା ହେଲା, ଅସଲି ହୁଅନ୍ତୁ କି ନକଲି ହୁଅନ୍ତୁ, ସେମାନେ ହାତ ପତାଇବାକୁ ବାଧୢ ହୋଇଛନ୍ତି। ସେଇଥି ପାଇଁ ହିଁ ସେମାନେ ସମାଜର ସମବେଦନା ଓ ସହାୟତା ପାଇଁ ହକ୍‌ଦାର।

ଆଶ୍ବାସନାର କଥା ଗତ ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମ୍‌ କୋର୍ଟ ଏହି ଆବେଦନକାରୀଙ୍କୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ଯେ ଅଦାଲତ କେବେ ହେଲେ ଦେଶରେ ଭିକ୍ଷାବୃତ୍ତିକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ। ଅପର ପକ୍ଷେ ସେମାନଙ୍କର ସାମାଜିକ-ଅର୍ଥନୈତିକ ଥଇଥାନ ହେଉଛି ସରକାରଙ୍କ ଦାୟିତ୍ବ ବୋଲି ଅଦାଲତ ସରକାରଙ୍କୁ ଚେତାଇ ଦେଇ ସେମାନଙ୍କ ପ୍ରତି ଏକ ସମ୍ବେଦନଶୀଳ, ମାନବବାଦୀ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହାଦ୍ବାରା ସୁପ୍ରିମ୍‌ କୋର୍ଟ ସ୍ବାଗତଯୋଗ୍ୟ ଭାବେ ସାବ୍ୟସ୍ତ କରିଛନ୍ତି ଯେ ଦେଶର ଏହି ସର୍ବୋଚ୍ଚ ଅଦାଲତ ହେଉଛି ପ୍ରକୃତ ଦୁର୍ବଳର ବଳ।

ସମ୍ବନ୍ଧିତ ଖବର