ଓଲଟ କାଣ୍ଟ୍
ଅଗଷ୍ଟ ୧୫ ତାରିଖ ଦିନ ଭାରତ ଯେତେବେଳେ ତା’ର ୭୫ ତମ ସ୍ବାଧୀନତା ଦିବସ ଉତ୍ସବକୁ ଚୀନା କରୋନା ବିପଦ ଯୋଗୁଁ ପାରମ୍ପରିକ ହର୍ଷ ଉଲ୍ଲାସଠାରୁ ଦୂରରେ ରହି ସଂଯମ ସହକାରେ ପାଳନ କରୁଥିଲା, ଠିକ୍ ସେଇ ସମୟରେ ତା’ର ନିକଟ ପଡ଼ୋଶୀ ଦେଶ ଆଫଗାନିସ୍ତାନ ପୁଣି ଥରେ ଇସ୍ଲାମୀୟ ଧର୍ମାନ୍ଧ ଚରମପନ୍ଥୀ ସଂଗଠନ ତାଲିବାନ୍ର ବର୍ବର ଶାସନ ଅଧୀନକୁ ଯିବାର ଶେଷ ଦୃଶ୍ୟ ସେ ଦେଶର ରାଜଧାନୀ କାବୁଲ୍ ଠାରେ ଅଭିନୀତ ହେଉଥିଲା। ଏକ ଦାର୍ଶନିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ, ଏହା ଥିଲା ସେଠାରେ ଅଷ୍ଟାଦଶ ଶତାବ୍ଦୀର ମହାନ୍ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ଙ୍କର ପ୍ରସିଦ୍ଧ ‘କାଟିଗରିକାଲ୍ ଇମ୍ପରେଟିଭ୍’ (‘ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ’) ନିୟମର କ୍ୟାପ୍ଟେନ୍ ୟୋସାରିଆନ୍-ସୁଲଭ ଓଲଟ ପାଲଟ ଘଟିବାର ଶେଷ ଦୃଶ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
କାଣ୍ଟ୍ଙ୍କ ନିୟମ ଅନୁସାରେ ଜଣେ ବ୍ୟକ୍ତି କେବଳ ସେଇଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ, ଯେଉଁ ଭଳି ଆଚରଣ ସେ ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ଠାରୁ ମଧ୍ୟ ଆଶା କରେ (ଜଣେ କୌଣସି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ପୂର୍ବରୁ ତେଣୁ ନିଜକୁ ପ୍ରଶ୍ନ କରିବା ଉଚିତ: ଯଦି ଅନ୍ୟମାନେ ସମସ୍ତେ ମଧ୍ୟ ଏହିପରି ନିୟମର ଉଲ୍ଲଂଘନ କରନ୍ତି, ତା’ହେଲେ ଫଳାଫଳ କ’ଣ ହେବ?)। କ୍ୟାପ୍ଟେନ୍ ୟୋସାରିଆନ୍ ହେଉଛନ୍ତି ଜୋସେଫ୍ ହେଲର୍ଙ୍କର କିମ୍ବଦନ୍ତି ପାଲଟିଥିବା ଉପନ୍ୟାସ ‘କ୍ୟାଚ୍-୨୨’ର ପ୍ରସିଦ୍ଧ ଆଣ୍ଟି-ହିରୋ ଚରିତ୍ର। ବୋମାବର୍ଷୀ ବିମାନ ଦ୍ବାରା ଶତ୍ରୁ ପକ୍ଷର ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ବୋମାବର୍ଷଣ ଅଭିଯାନ ଚଳାଇବା ଥିଲା କ୍ୟାପ୍ଟେନ୍ ୟୋସାରିଆନ୍ଙ୍କ ଦାୟିତ୍ବ। ଏହି ଅଭିଯାନମାନଙ୍କର ସଂଖ୍ୟାରେ ଲଗାତାର ବୃଦ୍ଧି ସହିତ ତାଳ ଦେଇ ଯେତେବେଳେ ଏଗୁଡ଼ିକ ଅଧିକରୁ ଅଧିକ ବିପଜ୍ଜନକ ହେବାରେ ଲାଗିଲେ, କ୍ୟାପ୍ଟେନ୍ ୟୋସାରିଆନ୍ ଆଉ ଏଭଳି ବିମାନ ଆକ୍ରମଣ ଚଳାଇବାକୁ କୁଣ୍ଠା ପ୍ରକାଶ କଲେ।
ସେ ଯେତେବେଳେ ବିମାନ ଉଡ଼ାଇବାକୁ ନିଜର ଏହି ଅନିଚ୍ଛା ତାଙ୍କର କମାଣ୍ଡିଙ୍ଗ୍ ଅଫିସର୍ଙ୍କ ନିକଟରେ ପ୍ରକାଶ କଲେ, ସେ ଅଫିସର୍ ଜଣକ ୟୋସାରିଆନ୍ଙ୍କୁ ପ୍ରଶ୍ନ କଲେ: ‘‘ମନେକର ଆମ ପକ୍ଷର ପ୍ରତ୍ୟେକ ଏଇ ଭଳି ଅନୁଭବ କରିବେ…’’ (ତା’ହେଲେ ପରିଣତି କ’ଣ ହେବ?)। କ୍ୟାପ୍ଟେନ୍ ୟୋସାରିଆନ୍ ତାଙ୍କ କମାଣ୍ଡିଙ୍ଗ୍ ଅଫିସର୍ଙ୍କୁ ଏ ପ୍ରଶ୍ନର ଯେଉଁ ଜବାବ ଦେଇଥିଲେ ଓ ଯାହା ‘ୟୋସାରିଆନ୍ ସିଣ୍ଡ୍ରୋମ୍’ (‘ୟୋସାରିଆନ୍ ବିଲକ୍ଷଣ’) ରୂପେ ଖ୍ୟାତି ଲାଭ କରିଛି, ତାହା ଥିଲା: ଯଦି ପ୍ରତ୍ୟେକ ଏଇଭଳି ଅନୁଭବ କରୁଥାନ୍ତି, ‘‘ତେବେ ମୁଁ ଯଦି ନିହାତି ନିର୍ବୋଧ ହୋଇଥିବି, ତା’ହେଲେ ଅନ୍ୟ କେଉଁଭଳି ଅନୁଭବ କରିବି, ନୁହେଁ କି?’’ ଅର୍ଥାତ୍, କାଣ୍ଟ୍ଙ୍କ ନିୟମକୁ ଓଲଟା ପ୍ରୟୋଗ କରି କ୍ୟାପ୍ଟେନ୍ ୟୋସାରିଆନ୍ ତାଙ୍କ ଅଫିସର୍ଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ଅନ୍ୟ ସମସ୍ତେ ଅନୁଭବ କରୁଥାନ୍ତି ଯେ ଲଢ଼େଇ କରିବା ହେଉଛି ନିରର୍ଥକ, ତେବେ ସେ ଏକୁଟିଆ ଲଢ଼ିବାକୁ ବାହାରିବା ନିରର୍ଥକ ନିର୍ବୋଧତା ହେବ ନାହିଁ କି?
ତାଲିବାନ୍ ଆକ୍ରମଣରେ ଆଫ୍ଗାନ୍ ସରକାରୀ ସେନାବାହିନୀର ଅବିଶ୍ବାସ୍ୟ କ୍ଷିପ୍ର ପତନ ଯଦି କାହାକୁ ଏକ ପ୍ରହେଳିକା ଭଳି ମନେ ହେଉଥାଏ, ସେ ପ୍ରହେଳିକାର ଉତ୍ତର ନିହିତ ଅଛି ସେଠାରେ ଏହି କ୍ୟାପ୍ଟେନ୍ ୟୋସାରିଆନ୍-ସୁଲଭ କାଣ୍ଟ୍ଙ୍କ ନିୟମର ଓଲଟ ପ୍ରୟୋଗରେ। ଆଫ୍ଗାନ୍ ସେନାର ଦ୍ରୁତ ପରାଜୟ ଏକ ପ୍ରହେଳିକା ଭଳି ମନେ ହେବାର ଯଥେଷ୍ଟ କାରଣ ରହିଛି। ପ୍ରାୟ ସାଢ଼େ ତିନି ଲକ୍ଷ ସୈନ୍ୟ ବିଶିଷ୍ଟ ଆଫ୍ଗାନ୍ ସରକାରୀ ସେନାବାହିନୀ ଆମେରିକା, ‘ନାଟୋ’ ସମେତ ପୃଥିବୀର ଶ୍ରେଷ୍ଠ ସେନାବାହିନୀମାନଙ୍କ ଦ୍ବାରା ତାଲିମପ୍ରାପ୍ତ ହୋଇଥିବା ସହିତ ସେମାନଙ୍କ ପ୍ରଦତ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଥିଲା। ଅପରପକ୍ଷେ ତାଲିବାନ ଯୋଦ୍ଧାମାନଙ୍କର ମୋଟ ସଂଖ୍ୟା ହେଉଛି ପ୍ରାୟ ଏକ ଲକ୍ଷ ମାତ୍ର ଏବଂ ଶତ୍ରୁ ଠାରୁ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ହେଉଛି ସେମାନଙ୍କର ମୁଖ୍ୟ ଆୟୁଧ। ତା’ ସତ୍ତ୍ବେ ସେମାନେ ମାତ୍ର ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଆଫ୍ଗାନିସ୍ତାନର ସମସ୍ତ ସହର ଓ ଶେଷରେ ୧୫ ଅଗଷ୍ଟରେ ରାଜଧାନୀ କାବୁଲ୍କୁ ଦଖଲ କରିନେଲେ କିପରି?
ଏ ପ୍ରଶ୍ନର ଉତ୍ତର ମିଳିଥାଏ ‘ୱାସିଙ୍ଗ୍ଟନ୍ ପୋଷ୍ଟ’ ସମ୍ବାଦପତ୍ରରେ ପ୍ରକାଶିତ ଆଫ୍ଗାନ୍ ସେନାବାହିନୀର ଜଣେ ଅଫିସର୍ଙ୍କ ଦ୍ବାରା ପ୍ରଦତ୍ତ କ୍ୟାପ୍ଟେନ୍ ୟୋସାରିଆନ୍-ସୁଲଭ ଏହି ମନ୍ତବ୍ୟରୁ: ‘‘ଭାଇ, ଯଦି ଅନ୍ୟ କେହି ଲଢ଼େଇ କରିବାକୁ ଚାହୁଁନାହାନ୍ତି, ମୁଁ କାହିଁକି ଲଢ଼େଇ କରିବି?’’ କେହି କାହିଁକି ତାଲିବାନ୍ ବିରୋଧରେ ଲଢ଼େଇ କରିବାକୁ ଚାହୁଁ ନାହାନ୍ତି, ତାହାର କାରଣ ଅସ୍ପଷ୍ଟ ହୋଇଥିଲେ ହେଁ ଅନୁମାନ କରିବା କଷ୍ଟକର ନୁହେଁ। ବିଗତ ଏକ ବର୍ଷ କାଳ କୂଟନୀତିଜ୍ଞମାନେ ଆଫ୍ଗାନିସ୍ତାନର ରାଷ୍ଟ୍ରପତି ଅସ୍ରଫ୍ ଘନି ଓ ତାଲିବାନ୍ ମଧ୍ୟରେ କ୍ଷମତା ସହଭାଗିତା ଚୁକ୍ତି ସମ୍ପନ୍ନ କରିବା ପାଇଁ ଉଦ୍ୟମ ଚଳାଇ ଥିବା ବେଳେ ତାଲିବାନ୍ ଏକ ସୁଚତୁର କୌଶଳ ଅବଲମ୍ବନ କରି ପ୍ରତ୍ୟେକ ସହରର ଶାସକମାନଙ୍କ ସହିତ ଗୋପନରେ ଆତ୍ମସମର୍ପଣ ନିମିତ୍ତ ବୁଝାମଣା ସମାପନ କରିବାରେ ପ୍ରବୃତ୍ତ ଥିଲା।
ହେରାଟ୍, କାନ୍ଦାହାର (ତାଲିବାନ୍ର ଜନ୍ମସ୍ଥାନ), ମଜାର୍-ଇ-ସରିଫ୍, ଜଲାଲାବାଦ୍… ଭଳି ସମସ୍ତ ସହର ସଂକ୍ଷିପ୍ତ ଯୁଦ୍ଧ ବା ବିନା ଯୁଦ୍ଧରେ ତାଲିବାନ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପ୍ରତ୍ୟେକ ଆତ୍ମସମର୍ପଣ ପୂର୍ବରୁ ତାଲିବାନ୍ ଅପର ପକ୍ଷକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତିମାନ ପ୍ରଦାନ କରିଛି। ଯେଉଁମାନେ ଆମେରିକା-ସମର୍ଥିତ ସରକାରରେ କାର୍ଯ୍ୟ କରୁଥିଲେ, ସେମାନଙ୍କୁ କ୍ଷମା ପ୍ରଦାନ ହେଉଛି ଏହି ପ୍ରତିଶ୍ରୁତିର ଏକ ମୁଖ୍ୟ ଅଂଶ।
ପ୍ରତିହିଂସାପରାୟଣ ହିଂସ୍ର ଧର୍ମାନ୍ଧ ତାଲିବାନ୍ କେତେଦୂର ଏହି ପ୍ରତିଶ୍ରୁତି ମାନ ପ୍ରକୃତରେ ପାଳନ କରିବ, ତାହା କିନ୍ତୁ ଘୋର ସନ୍ଦେହଜନକ।
ଉଦାହରଣ ସ୍ବରୂପ ଜୁଲାଇ ଶେଷ ଆଡ଼କୁ ତାଲିବାନ୍ ଦଖଲ କରିଥିବା ପାକିସ୍ତାନ ସୀମାବର୍ତ୍ତୀ ସହର ସ୍ପିନ୍ ବୋଲ୍ଡାକ୍ରେ ସେମାନେ ଶହ ଶହ ସଂଖ୍ୟାରେ ସରକାର-ସମର୍ଥକମାନଙ୍କର ଗଣହତ୍ୟା ରଚନା କରିଥିବା ସମ୍ବନ୍ଧରେ ନିର୍ଭରଯୋଗ୍ୟ ସୂଚନା ପ୍ରକାଶ ପାଇଛି। କାନ୍ଦାହାର୍ରେ ସେମାନେ ଘର ଘର ବୁଲି ପୂର୍ବତନ ସରକାରୀ କର୍ମଚାରୀମାନଙ୍କୁ ଖୋଜୁଥିବା ଖବର ପ୍ରକାଶ ପାଇଛି। ହେରାଟ୍ରେ କଲେଜ୍ ଛାତ୍ରୀମାନେ ତାଲିବାନ୍ର ନିର୍ଦ୍ଦେଶ ମାନି ଘରକୁ ଫେରିଗଲେଣି (ତାଲିବାନ୍ ଜଣାଶୁଣା ଭାବରେ ନାରୀଶିକ୍ଷାକୁ ଅଣ-ଇସ୍ଲାମୀୟ ବିଚାର କରି ଘୋର ବିରୋଧ କରେ)।
ବିଗତ ଦୁଇ ଦଶନ୍ଧିରେ ପାଶ୍ଚାତ୍ୟ ସହାୟତା ଲାଭ କରି ଆଫଗାନିସ୍ତାନରେ ସଭ୍ୟତାର ଯାହା କିଛି ବିକାଶ ସମ୍ଭବ ହୋଇଥିଲା, ଏଥର ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଓ ସେ ହତଭାଗ୍ୟ ଦେଶ ପୁଣି ବର୍ବରତା ପୂର୍ଣ୍ଣ ଇସଲାମୀୟ ଅନ୍ଧାରି ଯୁଗକୁ ଫେରିଯିବା ନିଶ୍ଚିତ। କାଣ୍ଟ୍ଙ୍କ ନିୟମ ଓଲଟି ଗଲେ ପରିଣାମ କିପରି ଭୟଙ୍କର ହୋଇପାରେ ଏହା ତା’ର ଚାକ୍ଷୁସ ପ୍ରମାଣ।