ବିବର୍ତ୍ତନର ତାଡ଼ନା

ନୂଆ ବର୍ଷର ପ୍ରାୟ ଆରମ୍ଭ ମୁହୂର୍ତ୍ତରେ ହିମାଳୟ କୋଳରେ ତ୍ରିକୂଟ ପର୍ବତର ଗୁମ୍ଫାରେ ଅବସ୍ଥିତ ପ୍ରସିଦ୍ଧ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ ଘଟିଥିବା ଦଳାଚକଟାରେ ଅନ୍ୟୂନ ୧୨ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ହାନି ଭାରତ ପାଇଁ ନବ ବର୍ଷର ଏକ ଅତ୍ୟନ୍ତ ନିର୍ମମ ଉନ୍ମୋଚନର ରୂପ ପରିଗ୍ରହଣ କରିଛି। ଇତିହାସ ସାରା ସମସ୍ତ ଧର୍ମର ଧର୍ମପୀଠ ମାନଙ୍କରେ ଏପରି ଗଣପ୍ରାଣହାନିକାରକ ଦଳାଚକଟା ଏପରି ନିୟମିତ ଭାବରେ ଘଟିବା ଦେଖାଯାଇଛି ଯେ, ପବିତ୍ର ବୈଷ୍ଣୋଦେବୀ ପୀଠରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣା ଯେତେ ବେଦନାଦାୟକ ହେଲେ ମଧ୍ୟ, ଅନେକଙ୍କୁ ହୁଏ’ତ ଏହା ଆଶ୍ଚର୍ଯ୍ୟ କରି ନଥାଇ ପାରେ।

କିନ୍ତୁ ପ୍ରତି ଥର ଏଭଳି ଏକ ଘଟଣା ଘଟିବା ପରେ ଯେଉଁ ଏକ ଅତିଭୌତିକ ପ୍ରଶ୍ନ ଯୁକ୍ତିବାଦୀମାନଙ୍କର ଚିତ୍ତକୁ ଆନ୍ଦୋଳିତ କରିଥାଏ, ଏହି ସଦ୍ୟତମ ଘଟଣା ତାହାକୁ ପୁଣି ଥରେ ଉଠାଇଥାଏ: ଧର୍ମବିଶ୍ବାସୀମାନେ ଏଭଳି ଦୁର୍ଦଶାର ଶିକାର ହେବା ପଛରେ କେଉଁ ପ୍ରାକୃତିକ ନିୟମ ନିହିତ ଥାଏ? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅନ୍ୟ ଏକ ପ୍ରଶ୍ନର ଉତ୍ତର ସହାୟକ ହୋଇପାରେ। ସେ ପ୍ରଶ୍ନଟି ହେଉଛି- ଧର୍ମ କ’ଣ?

ପ୍ରକୃତିର ଅକଳ୍ପନୀୟ ବିଶାଳତା ସମ୍ମୁଖରେ ସମଗ୍ର ମାନବ ଜାତି ଯେ କେବଳ ଅତ୍ୟନ୍ତ କ୍ଷୁଦ୍ର ଓ ଦୁର୍ବଳ ପ୍ରତୀୟମାନ ହୋଇଥାଏ, ତାହା ନୁହେଁ, ଏହି ମାନବ ଜାତିର ଇତିହାସର ମଞ୍ଚରେ ଆମ ପ୍ରତ୍ୟେକଙ୍କ ଆବିର୍ଭାବ ଏକ ଅତ୍ୟନ୍ତ ସଂକ୍ଷିପ୍ତ ସମୟ ପାଇଁ ମଧ୍ୟ ଘଟିଥାଏ। ଆମ ଜୀବନର ତେଣୁ କିଛି ହେଲେ ତାତ୍ପର୍ଯ୍ୟ ଅଛି କି? ଯଦି ଅଛି, ତା’ହେଲେ କିପରି? ଲିପିବଦ୍ଧ ମାନବ ଇତିହାସ ସାରା ପ୍ରତ୍ୟେକ ସଂସ୍କୃତିରେ ଧର୍ମ ଏଭଳି ପ୍ରଶ୍ନମାନଙ୍କର ଉତ୍ତର ପ୍ରଦାନ କରିବାକୁ ଆଗେଇ ଆସିଛି। ଏଥିପାଇଁ ପ୍ରତ୍ୟେକ ଧର୍ମ ଯେଉଁ ଏକ ସାଧାରଣ ଉପାୟ ଅବଲମ୍ବନ କରିଥାଏ, ତାହା ହେଲା, ମାନବ ଜୀବନର ତାତ୍ପର୍ଯ୍ୟ ବା ମୂଲ୍ୟକୁ ଜାଗତିକ ଦୁନିଆ ବା ପ୍ରକୃତି ସହିତ ସଂଯୁକ୍ତ ନ କରି ତାହାକୁ ମାନବ ସମାଜ ବା ପ୍ରକୃତିର ଊର୍ଦ୍ଧ୍ବରେ ଥିବା ଏକ ଅତିଭୌତିକ କାଳ୍ପନିକ ଦୁନିଆ ସହିତ ସଂଯୁକ୍ତ କରି ଦେବା। ଆଉ ଏ ଦୁଇ ଦୁନିଆ ସହିତ ଯାହା ସମ୍ପର୍କ ପ୍ରତିଷ୍ଠା କରିଥାଏ, ତାହା ହେଉଛି ପ୍ରାର୍ଥନା, ପୂଜାପାଠ, ରୀତିନୀତି, ତୀର୍ଥ ଯାତ୍ରା ଆଦି ବୋଲି ବିଶ୍ବାସ କରାଯାଏ।

ତେଣୁ ବର୍ତ୍ତମାନର ବୈଷ୍ଣୋଦେବୀ ଦଳାଚକଟା ହେଉ କିମ୍ବା ୨୦୨୧ର ଇସ୍ରାଏଲ୍‌ର ମାଉଣ୍ଟ୍ ମେରନ୍‌ସ୍ଥିତ କ୍ୟାଥଲିକ୍ ଚର୍ଚ୍ଚରେ ଘଟିଥିବା ଦଳାଚକଟା ହେଉ (ମୃତ୍ୟୁ ସଂଖ୍ୟା-୪୪); କିମ୍ବା ୨୦୧୫ର ସାଉଦି ଆରବର ମିନା ହଜ୍ ଦଳାଚକଟା ହେଉ (ମୃତ୍ୟୁ ସଂଖ୍ୟା ପ୍ରାୟ ୨,୫୦୦); କିମ୍ବା ୨୦୦୮ର ହିମାଚଳ ପ୍ରଦେଶର ନୈନାଦେବୀ ଦଳାଚକଟା ହେଉ (ମୃତ୍ୟୁ ସଂଖ୍ୟା-୧୪୨); କିମ୍ବା ୨୦୨୦ର ତାଞ୍ଜାନିଆ ଚର୍ଚ୍ଚ ଦଳାଚକଟା ହେଉ( ମୃତ୍ୟୁ ସଂଖ୍ୟା-୨୦)…, ଉପରୋକ୍ତ ଏହି ଧର୍ମ ବିଶ୍ବାସର ଅନୁସରଣ କ୍ରମରେ ଭକ୍ତ ଜନମାନେ ଏ ସମସ୍ତ ଓ ଏଭଳି ଆହୁରି ଅନେକ ପ୍ରାଣାନ୍ତକ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି ବା ତାହାକୁ ଆଲିଙ୍ଗନ କରିଛନ୍ତି ବୋଲି କୁହାଯାଇପାରେ। ଏଭଳି ନିଶ୍ଚିତ ବିପଦର ସମ୍ଭାବନା ସତ୍ତ୍ବେ ଯୁଗ ଯୁଗ ଧରି ତା’ ହେଲେ ଏତେ ସଂଖ୍ୟାରେ ଧର୍ମବିଶ୍ବାସୀମାନେ ଏପରି ଭିଡ଼ ସୃଷ୍ଟିକାରୀ ଯାତ୍ରାରୁ ନିବୃତ୍ତ ହୋଇ ନାହାନ୍ତି କାହିଁକି?

ଧର୍ମ ପୃଥିବୀ ପୃଷ୍ଠରେ ଜୀବନର ଆବିର୍ଭାବ ଓ ବିକାଶର ଯେଉଁ ଭଳି ବ୍ୟାଖ୍ୟାନ କରିଥାଏ, ବିଜ୍ଞାନ ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଦୃଷ୍ଟିକୋଣ ବହନ କରିଥାଏ। ବିଜ୍ଞାନର ଏହି ଦୃଷ୍ଟିକୋଣ ଡାର୍‌ୱିନ୍‌ଙ୍କ ବିବର୍ତ୍ତନବାଦ ରୂପେ ପରିଚିତ। ଏହି ତତ୍ତ୍ବ ଅନୁସାରେ ମନୁଷ୍ୟ ବା ଯେ କୌଣସି ପ୍ରାଣୀର ପ୍ରତ୍ୟେକ ଆଚରଣ ପ୍ରାକୃତିକ ଚୟନ ଦ୍ବାରା ପରିଚାଳିତ ହୋଇଥାଏ- ଯେମିତି ପ୍ରାଣୀଟି ବଞ୍ଚି ରହି ପର ପିଢ଼ିକୁ ତା’ର ଜିନ୍ ହସ୍ତାନ୍ତରିତ କରିବାରେ ତାହା ସହାୟକ ହେବ। ସେହି ଦୃଷ୍ଟିକୋଣରୁ ଦେଖିଲେ, ତା’ହେଲେ ମନୁଷ୍ୟମାନଙ୍କର ଦଳ ବାନ୍ଧି ଏପରି ବିପଦସଂକୁଳ ଧର୍ମପୀଠ ଗସ୍ତ ଦ୍ବାରା ପ୍ରାକୃତିକ ଚୟନର ଉପରୋକ୍ତ ଉଦ୍ଦେଶ୍ୟ କିପରି ସାଧିତ ହୋଇଥାଏ? ବଞ୍ଚି ରହି ଜିନ୍ ହସ୍ତାନ୍ତର କରିବା ପରି‌ବର୍ତ୍ତେ ଏହି ଅଭିଯାନର ପରିଣାମ ସ୍ବରୂପ ତ ବ୍ୟକ୍ତି ଜୀବନ ହରାଇଥାଏ। ଏହା ଜ୍ବଳନ୍ତ ପ୍ରଦୀପ ପାଖକୁ ଆକର୍ଷିତ ହୋଇ ଆସି ପତଙ୍ଗମାନେ ପ୍ରାଣ ହରାଇବା ପରି ହୋଇ ନ ଥାଏ କି?

ବିବର୍ତ୍ତନବାଦୀମାନେ କିନ୍ତୁ ପତଙ୍ଗମାନଙ୍କର ଏତାଦୃଶ ଆତ୍ମଘାତୀ ଆଚରଣରେ ମଧ୍ୟ ପ୍ରାକୃତିକ ଚୟନର ହାତ ଥିବା ଦେଖିଥା’ନ୍ତି। ସେମାନଙ୍କର କହିବା କଥା ହେଲା ପୃଥିବୀରେ ପ୍ରଦୀପ ଭଳି କୃତ୍ରିମ ଆଲୋକର ଆବିର୍ଭାବ ପତଙ୍ଗମାନଙ୍କର ଆବିର୍ଭାବର ନିୟୁତ ନିୟୁତ ବର୍ଷ ପରେ ଘଟିଛି। ପତଙ୍ଗମାନେ ସର୍ବଦା ଅନ୍ତରୀକ୍ଷରେ ବହୁ ଦୂରରେ ଥିବା ଜହ୍ନ ବା ତାରାର ସମାନ୍ତରାଳ ପ୍ରାୟ ଆଲୋକ ରଶ୍ମିକୁ ଦିଗ‌ବାରେଣୀ ରୂପେ ବ୍ୟବହାର କରି ଉଡ଼ି ବୁଲୁଥିଲେ, ଯାହା ସେମାନଙ୍କୁ ଖାଦ୍ୟ ସନ୍ଧାନରୁ ନୀଡ଼ ନିର୍ମାଣ ପର୍ଯ୍ୟନ୍ତ ସହାୟକ ହେଉଥିଲା। କୃତ୍ରିମ ଆଲୋକର ଆବିର୍ଭାବ ଏହି ପ୍ରକ୍ରିୟାକୁ ବିକୃତ କରି ଦେଇଛି। କୃତ୍ରିମ ଆଲୋକର ଉତ୍ସର ଦୂରତା ଅତ୍ୟନ୍ତ କମ୍ ହୋଇଥିବାରୁ ଏହାର ରଶ୍ମି ସମାନ୍ତରାଳ ନ ହୋଇ ତିର୍ଯ୍ୟକ୍‌ ହୋଇଥାଏ; ଏଥିଯୋଗୁଁ ସମାନ୍ତରାଳ ରଶ୍ମି ସହିତ ଅଭ୍ୟସ୍ତ ପତଙ୍ଗର ହିସାବ ଭୁଲ୍ ହୋଇ ସେ ଦିଗଭ୍ରଷ୍ଟ ହୋଇ ପ୍ରଦୀପର ଅନଳରେ ଝାସ ଦେଇଥାଏ। କିନ୍ତୁ ଏମାନଙ୍କ ସଂଖ୍ୟା ଅନୁପାତରେ ଚନ୍ଦ୍ରାଲୋକକୁ ବ୍ୟବହାର କରି ଠିକ୍ ବାଟରେ ଯାଇ ନିଜର ପୂର୍ଣ୍ଣ ଜୀବନ ଜିଇ ବଂଶବୃଦ୍ଧି କରୁଥିବା ପତଙ୍ଗମାନଙ୍କର ସଂଖ୍ୟା ବହୁଗୁଣ ଅଧିକ।

ସେହିପରି ଦଳାଚକଟାରେ ପ୍ରାଣ ହରାଉଥିବା ହତଭାଗ୍ୟମାନଙ୍କ ତୁଳନାରେ ଏଥିରୁ ବର୍ତ୍ତି ଯାଇ ପୂର୍ଣ୍ଣ ଜୀବନ ଯାପନ କରି ପର ପିଢ଼ିକୁ ନିଜର ଜିନ୍ ହସ୍ତାନ୍ତର କରୁଥିବା ଲୋକମାନଙ୍କ ସଂଖ୍ୟା ନିଃସନ୍ଦେହରେ ବହୁଗୁଣ ଅଧିକ। କିନ୍ତୁ ଏଇଠି ଯେଉଁ ମୌଳିକ ପ୍ରଶ୍ନଟିଏ ଉଙ୍କିମାରେ, ତାହା ହେଲା- ଏଭଳି ଧର୍ମାଚରଣ ସେମାନଙ୍କର ବଞ୍ଚି ରହି ବଂଶ ବୃଦ୍ଧି କରିବାରେ କିପରି ସହାୟକ ହୁଏ? ଏ ପ୍ରଶ୍ନର ଉତ୍ତର ମିଳିଥାଏ ‘ଗୋଷ୍ଠୀ ଚୟନ’ (‘ଗ୍ରୁପ୍ ସିଲେକ୍‌ସନ୍’) ନାମକ ଡାର୍‌ୱିନୀୟ ବିବର୍ତ୍ତନବାଦର ଏକ ପରବର୍ତ୍ତୀ ସଂସ୍କରଣରୁ। ଏହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ଦେଖିବାକୁ ମିଳିଥାଏ ଆମେରିକୀୟ ବିବର୍ତ୍ତନୀୟ ଜୈବବିଜ୍ଞାନୀ ଡେଭିଡ୍ ସ୍ଲୋନ୍ ୱିଲ୍‌ସନ୍‌ଙ୍କର ପୁସ୍ତକ ‘‘ଡାର୍‌ୱିନ୍‌’ସ୍ କ୍ୟାଥିଡ୍ରାଲ୍’’ରେ। ତାଙ୍କ ତତ୍ତ୍ବର ସାରମର୍ମ ହେଲା ଧର୍ମ ସମ୍ପୃକ୍ତ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଏକ ଦୃଢ଼ ଆଭ୍ୟନ୍ତରୀଣ ଆନୁଗତ୍ୟ ସୃଷ୍ଟି କରିଥାଏ, ଯାହା ବଳରେ ସେଇ ଗୋଷ୍ଠୀଟି ଅନ୍ୟ ଗୋଷ୍ଠୀମାନଙ୍କ ସହିତ ସଫଳ ପ୍ରତିଯୋଗିତା କରି ତିଷ୍ଠି ରହି ପାରିଥାଏ। ବୈଷ୍ଣୋଦେବୀ ଯାତ୍ରାରୁ ମିନା ହଜ୍ ପର୍ଯ୍ୟନ୍ତ ଏହି ଆଭ୍ୟନ୍ତରୀଣ ଗୋଷ୍ଠୀ ଆନୁଗତ୍ୟକୁ ସୁଦୃଢ଼ କରିଥାଏ। ଏଠାରେ ତେଣୁ ପ୍ରାକୃତିକ ଚୟନର ପ୍ରଭାବ ସୁସ୍ପଷ୍ଟ।

ଏହି ତତ୍ତ୍ବ ପ୍ରମାଣିତ କରିଥାଏ (‘ୱିଲ୍‌ସନ୍‌ଙ୍କ ପୁସ୍ତକର ଶିରୋନାମା ସୂଚାଇବା ପରି) ଯେ ଧର୍ମ ବିବର୍ତ୍ତନବାଦର ପରିପନ୍ଥୀ ନୁହେଁ, ପରିପୂରକ। ଅତଏବ ବୈଷ୍ଣୋଦେବୀ ଯାତ୍ରାରେ ଘଟିଥିବା ଏହି ଦୁର୍ଘଟଣା ସତ୍ତ୍ବେ, ଏହା ଏ ଧରଣର ଶେଷ ଯାତ୍ରା ନୁହେଁ। ବିବର୍ତ୍ତନବାଦର ତାଡ଼ନାରେ ଭବିଷ୍ୟତରେ ମଧ୍ୟ ଏଇଭଳି ଅସୁମାରି ଯାତ୍ରା ସଂଘଟିତ ହୋଇ ଚାଲିବ। ତେଣୁ କର୍ତ୍ତୃପକ୍ଷ ଅର୍ଥାତ୍ ରାଷ୍ଟ୍ରର ଅନିବାର୍ଯ୍ୟ ଦାୟିତ୍ବ ହେଉଛି ଶୃଙ୍ଖଳା ରକ୍ଷା ପାଇଁ କଠୋର ପଦକ୍ଷେପମାନ ନେଇ ଯଥା ସମ୍ଭବ ନିଶ୍ଚିତ କରିବା, ଏପରି ଦୁର୍ଭାଗ୍ୟଜନକ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ।

ସମ୍ବନ୍ଧିତ ଖବର