ଘରେ ଥିବ ଗାଈ

ଓଡ଼ିଆରେ ଏକ ଢଗ ଅଛି: ‘‘ଦୁଧ ଯଦି ଖାଇ ବସିବ, ଘରେ ଥିବ ଗାଈ/ ଯୁଦ୍ଧ ଯଦି କରି ବସିବ, ସାଙ୍ଗେ ଥିବ ଭାଇ।’’ ଘରେ ଗାଈ ଥିବା ଅର୍ଥ ଦୁଗ୍‌ଧରେ ଆତ୍ମନିର୍ଭରଶୀଳତା, ସାଙ୍ଗରେ ଭାଇ ଥିବା ଅର୍ଥ ଯୁଦ୍ଧରେ ଆତ୍ମନିର୍ଭରଶୀଳତା। ଚୀନା କରୋନା ଆକ୍ରାନ୍ତ ପୃଥିବୀରେ ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡ଼ିଥିବା ଯୋଗାଣ ଶୃଙ୍ଖଳମାନ ଛିଣ୍ତିବାକୁ ଲାଗିଲା ପରେ ବର୍ତ୍ତମାନ ଆମେ ନିକଟ ଅତୀତରେ ପ୍ରାୟ ପ‌ାସୋରି ଆସିଥିବା ଅର୍ଥନୈତିକ ଆତ୍ମନିର୍ଭରଶୀଳତାକୁ ଆଉ ଥରେ ନୂତନ ଜୀବନ ଦେବା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ କରିବା ଦେଖାଗଲାଣି, ତାହା ଉପରୋକ୍ତ ଢଗର ପ୍ରତିଧ୍ବନି ଭଳି ମନେ ହୋଇଥାଏ।

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶ ନୁହେଁ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ମଧୢ ଆତ୍ମନିର୍ଭରଶୀଳ ହେବାକୁ ଯେଉଁ ଆହ୍ବାନ ଦେଇଛନ୍ତି, ତାହା ଏହି ମନୋଭାବର ପରିଚାୟକ। ବର୍ତ୍ତମାନ ମିଳିତ ସାମରିକ ସେବା ମୁଖ୍ୟ (ସିଡିଏସ୍‌) ଥିବା ଜେନେରାଲ ବିପିନ୍‌ ରାଵତ ସେ ସ୍ଥଳ ସେନାଧୢକ୍ଷ ଥିବା ସମୟରୁ ସାମରିକ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଉଁ ଆହ୍ବାନ ଦେଇ ଆସୁଥିଲେ, ବର୍ତ୍ତମାନ ଚୀନା କରୋନା ଜନିତ ପରିବର୍ତ୍ତିତ ପରିସ୍ଥିତିରେ ପୁଣି ତାହା ଜୋର‌୍‌ ଦେଇ ଦୋହରାଇବା ଦେଖାଯାଇଛି। ଦେଶର ଉଭୟ ସାମରିକ ଓ ଅର୍ଥନୈତିକ ନିରାପତ୍ତା ପାଇଁ ବର୍ତ୍ତମାନ ସ୍ବାବଲମ୍ବନ ଯେ ନୂତନ ଗୁରୁତ୍ବ ଧରି ପୁନରାୟ ଆବିର୍ଭୂତ ହୋଇଛି, ତାହା ଚରମ ଜଗତ୍‌କରଣବାଦୀ ମଧୢ ସ୍ବୀକାର କରିବାକୁ ବାଧୢ। ତେବେ କରୋନା ବିପଦ ପରିପ୍ରେକ୍ଷୀରେ ଏହା ସ୍ବାଭାବିକ ପ୍ରତିକ୍ରିୟା ହୋଇଥିଲେ ହେଁ, କରୋନା ଥମିବା ପରେ ଜଗତ୍‌କରଣର ସମ୍ପୂର୍ଣ୍ଣ ବିଲୟ ଘଟିବ, ଏହା ଆଶା କରିବା ଅତ୍ୟନ୍ତ ଅବାସ୍ତବ ହେବ। ବର˚ ପରିବର୍ତ୍ତିତ ପରିସ୍ଥିତିରେ ଆମ ପାଇଁ ଯାହା ପ୍ରକୃଷ୍ଟ ନୀତି ହେବ, ତାହା ହେଲା, ଯେତେ ଦୂର ସମ୍ଭବ ଏକ ସ୍ବଦେଶୀ ଅର୍ଥନୀତି ନିର୍ମାଣ କରିବା ସଙ୍ଗେ ସଙ୍ଗେ ଚୀନ୍‌ରୁ ବାହାରି ପଳାଇ ଆସିବାକୁ ଉଦ୍ୟତ ହେଉଥିବା ନିର୍ଦ୍ଦିଷ୍ଟ ସୁନିର୍ବାଚିତ କେତେକ ବହୁଦେଶୀୟ କମ୍ପାନିମାନଙ୍କୁ ଭାରତରେ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ କରିବାକୁ ଆକର୍ଷିତ କରିବା। ଗତ ବର୍ଷମାନଙ୍କରେ ଭାରତ ଆଇଟି ସମ୍ପର୍କିତ ସେବା ଯୋଗାଣରେ ନିଜର ଏକ ବିଶ୍ବବ୍ୟାପୀ ଉପସ୍ଥିତି ସୃଷ୍ଟି କରି ପାରିଥିଲେ ହେଁ, ଦେଶ ଭିତରେ ଅସଲ ଶିଳ୍ପଜାତ ପଦାର୍ଥ ନିର୍ମାଣ ବା ମାନୁଫାକ୍‌ଚରିଙ୍ଗ୍‌ରେ ଏକ ଦୁର୍ବଳ ସ୍ଥାନରେ ରହିବା ଦେଖାଯାଇଛି। ଅର୍ଥଶାସ୍ତ୍ରର ଭାଷାରେ ପ୍ରକୃତିଦତ୍ତ ସମ୍ବଳ ଓ ମାନବ ଶ୍ରମକୁ ଉପଯୋଗ କରି ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରିବା ହେଉଛି ମାନୁଫାକ୍‌ଚରିଙ୍ଗ୍‌। ଭାରତରେ ଏବେ କିନ୍ତୁ ଯେଉଁ ଭଳି ମାନୁଫାକ୍‌ଚରିଙ୍ଗ୍‌ ଘଟୁଛି ତାହା ଏହି ସଂଜ୍ଞାଠାରୁ ଆଉ କେତେ ପାଦ ହଟିଆସି ଯେଉଁ ଅବତାର ଗ୍ରହଣ କରିଛି, ତାହାକୁ ମୋଟାମୋଟି ଭାବରେ ‘ଏକତ୍ରୀକରଣ’ ବା ‘ଆସେମ୍ବ୍ଲି’ ବୋଲି କୁହାଯାଇ ପାରେ। ଏହାର ଅର୍ଥ ହେଲା, ପୂର୍ବରୁ ନିର୍ମିତ ହୋଇଥିବା ଦ୍ରବ୍ୟା˚ଶମାନ ଖଞ୍ଜା ଖଞ୍ଜି କରି ଅନ୍ତିମ ବ୍ୟବହାରକ୍ଷମ ଦ୍ରବ୍ୟର ଉତ୍ପାଦନ। ଭାରତରେ ବର୍ତ୍ତମାନ ଦେଖାଯାଉଥିବା ଅଧିକା˚ଶ ତଥାକଥିତ ମାନୁଫାକ୍‌ଚରିଙ୍ଗ୍‌ ହେଉଛି ଏହିଭଳି ଖଞ୍ଜାଖଞ୍ଜି ମାତ୍ର ଏବ˚ ଯାହା ଚିନ୍ତାଜନକ, ତାହା ହେଲା ଏହି ଖଞ୍ଜାଯାଉଥିବା ଦ୍ରବ୍ୟା˚ଶମାନ ଅଧିକା˚ଶ ବାହାର ଦେଶରୁ, ମୁଖ୍ୟତଃ ଚୀନ୍‌ରୁ ଆମଦାନି ହୋଇ ଆସିଥାଏ- ଔଷଧରୁ ଘଣ୍ଟା ପର୍ଯ୍ୟନ୍ତ, ମୋବାଇଲ୍‌ ଫୋନ୍‌ରୁ ଜୋତା ପର୍ଯ୍ୟନ୍ତ।

କେତେକ ଅର୍ଥନୀତିଜ୍ଞଙ୍କ ମତରେ କୌଣସି ଉତ୍ପାଦନକୁ ବିଧିବଦ୍ଧ ମାନୁଫାକ୍‌ଚରିଙ୍ଗ୍‌ର ମର୍ଯ୍ୟାଦା ମିଳିବାକୁ ହେଲେ, ସେ ଉତ୍ପାଦନରେ ବ୍ୟବହୃତ ଦ୍ରବ୍ୟା˚ଶମାନଙ୍କ ମଧୢରୁ ଅତିକମ୍‌ରେ ୫୦ ଶତା˚ଶ ଦେଶ ଭିତରେ ଉତ୍ପାଦିତ ହୋଇଥିବା ଆବଶ୍ୟକ। ଅବଶ୍ୟ ଏହା ଏକ ଅପରିବର୍ତ୍ତନୀୟ ଅନୁପାତ ନୁହେଁ। ଆମେ ମାନୁଫାକ୍‌ଚରିଙ୍ଗ୍‌ରେ ଆତ୍ମନିର୍ଭରଶୀଳ ବୋଲି ଦାବି କରିବାକୁ ହେଲେ ବ୍ୟବହୃତ ଦ୍ରବ୍ୟା˚ଶର ଅନ୍ୟୂନ କେଉଁ ଅନୁପାତ ଦେଶ ଭିତରେ ଉତ୍ପାଦିତ ହୋଇଥିବା ଆବଶ୍ୟକ ତାହା ନିର୍ଦ୍ଧାରଣ କରାଯିବା ନିହାତି ଦରକାର। ଏହି ଅନୁପାତ ୫୦ ଶତା˚ଶରୁ ଯେତେ ଅଧିକ ହେବ, ଉତ୍ପାଦିତ ଦ୍ରବ୍ୟକୁ ସ୍ବଦେଶୀ ବୋଲି ଦାବି କରିବା ସେତେ ଅଧିକ ଯଥାର୍ଥ ହେବ। କରୋନା ପରବର୍ତ୍ତୀ ସମୟରେ ସରକାର ଯେତେବେଳେ ସ୍ବଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ନୀତି ପ୍ରଣୟନ କରିବେ, ସେତେବେଳେ ଏ ବାବଦରେ ଏକ ଉଚ୍ଚ ସୀମା ନିର୍ଦ୍ଧାରଣ କଲେ ଯାଇ ଉଦ୍ଦେଶ୍ୟ ଫଳବତୀ ହେବ। ନଚେତ୍‌ ସ୍ବଦେଶୀ ଉତ୍ପାଦନ ଆଢୁଆଳରେ ବିଦେଶରୁ ଆମଦାନି ଚାଲୁ ରହିବ।

ଆମର ଦ୍ବିତୀୟ ଉଦ୍ଦେଶ୍ୟଟି ହେବ ଚୀନ୍‌ ବାହାରେ ଉପଯୁକ୍ତ ବିକଳ୍ପ ଉତ୍ପାଦନ ସ୍ଥଳୀ ଖୋଜି ବୁଲିବାକୁ ବାହାରିବେ ବୋଲି ଆଶା କରାଯାଉଥିବା କେତେକ ଜଣାଶୁଣା ବହୁଦେଶୀୟ କମ୍ପାନିମାନଙ୍କୁ ଏଠାକୁ ଆକର୍ଷିତ କରିବା। ମୋବାଇଲ୍‌ ଫୋନ୍‌ ଉତ୍ପାଦନକାରୀ ପ୍ରସିଦ୍ଧ ଆମେରିକୀୟ କମ୍ପାନି ‘ଆପ୍‌ଲ’ ଚୀନ୍‌ରୁ ତା’ର ଡେରା ଉଠାଇ ଭାରତ ଆସିବାକୁ ବସିଲାଣି ବୋଲି ଯେଉଁସବୁ ଖବର ପ୍ରକାଶ ପାଉଛି, ତାହା ଫଳେନ ପରିଚୟେତ୍‌। ସେଭଳି କମ୍ପାନିମାନଙ୍କୁ ଆକର୍ଷିତ କରିବା ପାଇଁ ଅର୍ଥନୈତିକ ହିସାବ ପତ୍ର ଯେତିକି କାମ କରେ, ଆନ୍ତର୍ଜାତିକ ତଥା ଜାତୀୟ ରାଜନୀତି, କୂଟନୀତି ଏବ˚ ସର୍ବୋପରି ସେମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ସେତିକି କାମ କରେ। ଭାରତରେ କରୋନା ପରବର୍ତ୍ତୀ ସମୟରେ ଯଦି ‘ସ୍ବଦେଶୀ ଜାଗରଣ ମଞ୍ଚ’ ଭଳି ସ˚ଗଠନ ମାନ ଏକ ତୀବ୍ର ବିଦେଶ-ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତି କିମ୍ବା ରାହୁଲ ଗାନ୍ଧୀଙ୍କ ଭଳି ଅପରିପକ୍ବ ନେତାମାନେ ଯଦି ‘ସୁଟ୍‌ ବୁଟ୍‌ କୀ ସରକାର’ ଭଳି ଆଉ କିଛି ଶସ୍ତା ସ୍ଲୋଗାନ୍‌ର ଉଦ୍ଭାବନ କରନ୍ତି, ତେବେ ସେ କମ୍ପାନିମାନଙ୍କ ପାଇଁ ଘରେ ନ ପଶୁଣୁ ମୁଣ୍ତରେ ଚାଳ ବାଜିବା ଭଳି ଅବସ୍ଥା ହେବ। ଭାରତ ଭଳି ଏକ କୋଳାହଳ ସୃଷ୍ଟିକାରୀ ଗଣତନ୍ତ୍ରରେ ସରକାର ଯଦି ଦେଶବ୍ୟାପୀ ବିକେନ୍ଦ୍ରୀକୃତ ମଧୢମ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ପାଇଁ ପ୍ରୋତ୍ସାହନ ସୃଷ୍ଟି କରି ଦେଶର ମାନୁଫାକ୍‌ଚରିଙ୍ଗ୍‌ ଶିଳ୍ପକୁ ମଜଭୁତ କରନ୍ତେ, ତେବେ କତିପୟ ବଡ଼ ବଡ଼ ବହିରାଗତ କମ୍ପାନି ଏଠାରେ ପ୍ରବେଶ କଲେ ମଧୢ ଏକ ସନ୍ତୁଳନ ରକ୍ଷା ହୋଇପାରନ୍ତା ଏବ˚ ଉଭୟ ଲକ୍ଷ୍ୟ ସାଧନ ସୁଗମ ହୁଅନ୍ତା। ଭାରତ ଏ ସୁଯୋଗ ହାତଛଡ଼ା ନ କରୁ।

ସମ୍ବନ୍ଧିତ ଖବର