ବାହା ମଉଜ

ଯେଉଁ ସମସ୍ତ କାର୍ଯ୍ୟ-କାରଣ ସମ୍ପର୍କକୁ ଆମେ ସ୍ବତଃସିଦ୍ଧ ବା ଅକାଟ୍ୟ ବୋଲି ବିଶ୍ବାସ କରିଥାଉ, ତାହା କିପରି ଅନାୟାସରେ ଅପ୍ରମାଣିତ ହୋଇପାରିବ, ସେ ସମ୍ପର୍କରେ ଅଷ୍ଟାଦଶ ଶତାବ୍ଦୀର ସ୍କଟିସ୍ ଦାର୍ଶନିକ ଡେଭିଡ୍ ହ୍ୟୁମ୍ ଯେଉଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ, ତାହା ସେତେବେଳ ଭଳି ଏବେ ମଧ୍ୟ ବଳବତ୍ତର ରହିଛି। ହ୍ୟୁମ୍‌ଙ୍କ ବିଚାରରେ ପାର୍ଥିବ ଜଗତ୍‌ ସମ୍ବନ୍ଧରେ ଆମର ସମସ୍ତ ଜ୍ଞାନ ହେଉଛି ଅନୁଭୂତିଭିତ୍ତିକ; ପ୍ରତ୍ୟେକ ଅନୁଭୂତି ହେଉଛି ଇନ୍ଦ୍ରିୟାଶ୍ରୟୀ, ସ୍ବୟଂସମ୍ପୂର୍ଣ୍ଣ ଏବଂ ପରସ୍ପର ସହିତ ଅସମ୍ପର୍କିତ।

ଯେତେବେଳେ ଏଭଳି ଦୁଇଟି ଅନୁଭୂତିର ଅବସ୍ଥିତି ପଡ଼ୋଶୀସୁଲଭ ହୋଇଥାଏ ଏବଂ କାଳ ଦୃଷ୍ଟିରୁ ପୂର୍ବାପର ହୋଇଥାଏ, ଅର୍ଥାତ୍ ଗୋଟିଏ ଅନୁଭୂତି ଆହରଣ ପୂର୍ବରୁ ଅନ୍ୟ ଅନୁଭୂତିଟି ଆହୃତ ହୋଇଥାଏ, ସେତେବେଳେ ଆମେ ପ୍ରଥମ ଅନୂଭୂତିଟିକୁ ଦ୍ବିତୀୟ ଅନୁଭୂତିର କାରଣ ରୂପେ ଗ୍ରହଣ କରି ନେଇଥାଉ। ଉଦାହରଣ ସ୍ବରୂପ ଏକ ଜଳନ୍ତା ପ୍ରଦୀପର ଶିଖାରେ ଆଙ୍ଗୁଳି ସ୍ପର୍ଶ କଲେ ଫୋଟକା ହୋଇଯାଏ; ଏଣୁ ଆମେ ବିଶ୍ବାସ କରୁ ଯେ ଫୋଟକାର କାରଣ ହେଉଛି ଦୀପଶିଖା। ଏଠାରେ ଆମେ ଆମର ଦର୍ଶନେନ୍ଦ୍ରିୟ ଆଖି ସଂଗ୍ରହ କରିଥିବା ଅନୁଭୂତି ଆଧାରରେ ପ୍ରଥମେ ଦୀପଶିଖାର ଉପସ୍ଥିତି ଅନୁଭବ କରୁ; ତା’ପରେ ଆଙ୍ଗୁୁଳି ଦ୍ବାରା ଶିଖାକୁ ସ୍ପର୍ଶ କଲା ପରେ, ଅର୍ଥାତ୍ ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ଶିଖାର ତାତି ବା ଫୋଟକାର କଷ୍ଟ ଅନୁଭବ କରୁ। ଏ ଉଭୟ ଅନୁଭୂତି ହେଉଛନ୍ତି ଇନ୍ଦ୍ରିୟାଶ୍ରୟୀ ଏବଂ ସ୍ବାଧୀନ।

ହ୍ୟୁମ୍‌ଙ୍କର ପ୍ରଶ୍ନ ହେଲା, କିନ୍ତୁ କେଉଁ ଇନ୍ଦ୍ରିୟ ଦ୍ବାରା ସଂଗୃହୀତ ଅନୁଭୂତିରୁ ଆମେ ଜାଣୁ ଯେ ଏ ଦୁଇ ଅନୁଭୂତି ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କ ରହିଛି: ଫୋଟକା ବାହାରିବା ହେଉଛି କାର୍ଯ୍ୟ, ଦୀପଶିଖା ହେଉଛି କାରଣ? ଅବିଶ୍ବାସ୍ୟ ମନେହେଲେ ହେଁ, ଆମେ ଯେଉଁ ସବୁ କାର୍ଯ୍ୟ-କାରଣ ସମ୍ପର୍କକୁ ଶାଶ୍ବତ ସତ୍ୟ ବୋଲି ପ୍ରଶ୍ନାତୀତ ଭାବରେ ଗ୍ରହଣ କରି ନେଇ ଥାଉ, ତାହା କୌଣସି ଇନ୍ଦ୍ରିୟଭିତ୍ତିକ ଅନୁଭୂତି ଉପରେ ପ୍ରତିଷ୍ଠିତ ନୁହନ୍ତି। ହ୍ୟୁମ୍‌ଙ୍କ ମତରେ ତେଣୁ କାର୍ଯ୍ୟ-କାରଣ ଧାରଣା ହେଉଛି ସମ୍ପୂର୍ଣ୍ଣ ନିରାଧାର। ଏହି ଯୁକ୍ତି ଅନୁସ‌ାରେ ସମ୍ପୃକ୍ତ ଅନୁଭୂତି ଦୁଇଟି (ଯେମିତି, ଦୀପଶିଖା ଓ ଫୋଟକା) ମଧ୍ୟରେ ଅତି ବେଶୀରେ ଯେଉଁ ସମ୍ପର୍କ ରହିଛି ବୋଲି କୁହାଯାଇପାରେ, ତାହା ହେଲା ସ୍ଥାନଗତ ସାନ୍ନିଧ୍ୟ ଓ କାଳଗତ ପୂର୍ବାପର ସମ୍ପର୍କ।

ସଚେତନ ପାଠକ ପାଠିକାମାନଙ୍କର ଏକ ନିୟମିତ ସର୍ବେକ୍ଷଣ ଫଳାଫଳ କେବେ ହେଲେ ଦୃଷ୍ଟି ଏଡ଼ାଇ ନ ଥିବ, ଯାହା ଏକ ଅତ୍ୟନ୍ତ ଗୁରୁ୍ତ୍ବପୂର୍ଣ୍ଣ କାର୍ଯ୍ୟ-କାରଣ ସମ୍ପର୍କର ଉପସ୍ଥିତି ପ୍ରମାଣ କରିଥିବା ଦାବି କରିଥାଏ। ଏହା ହେଉଛି ବିବାହ ଓ ସୁଖମୟ ଜୀବନ ମଧ୍ୟରେ ସମ୍ପର୍କ। ଏଠାରେ ସୁଖୀ ଜୀବନ ହେଉଛି କାର୍ଯ୍ୟ ଓ ବିବାହ ହେଉଛି କାରଣ। ସର୍ବେକ୍ଷଣମାନଙ୍କର ଫଳାଫଳରୁ ଦେଖାଯାଇଥାଏ ଯେ ଅଧିକାଂଶ ବିବାହିତ ବ୍ୟକ୍ତିମାନେ ହେଉଛନ୍ତି ଅବିବାହିତମାନଙ୍କ ଠାରୁ ଅଧିକ ସୁଖୀ। ଏଥିରୁ ସ୍ବାଭାବିକ ଭାବରେ ଆମେମାନେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇପାରୁ, ତାହା ହେଲା- ଯଦି ସୁଖୀ ହେବାକୁ ଚାହୁଁଥାଅ, ବିବାହ କର। କିନ୍ତୁ ଆମେ ଯଦି ଡେଭିଡ୍ ହ୍ୟୁମ୍‌ଙ୍କୁ ଅନୁସରଣ କରିବା, ତେବେ ଏତିକି ମାତ୍ର କହିପାରିବା ଯେ ସର୍ବେକ୍ଷଣମାନଙ୍କରେ କେବଳ ଏତିକି ଦେଖିବାକୁ ମିଳିଛି ଯେ ବିବାହ ଓ ସୁଖୀ ଲୋକଙ୍କ ମଧ୍ୟରେ ସ୍ଥାନଗତ ସାନ୍ନିଧ୍ୟ ଓ କାଳଗତ ପୂର୍ବାପର ସମ୍ପର୍କ ରହିଛି, କିନ୍ତୁ ଏମାନଙ୍କ ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କର କୌଣସି ସନ୍ତୋଷଜନକ ପ୍ରମାଣ ସର୍ବେକ୍ଷଣରୁ ଉପଲବ୍‌ଧ ହୋଇନାହିଁ। ହ୍ୟୁମ୍‌ଙ୍କର ଯେଉଁ ଅନୁଗାମୀମାନେ ସୁଖୀ ଜୀବନ ବିତାଇବାକୁ ଚାହାଁନ୍ତି, ତାହା ହାସଲ କରିବା ପାଇଁ ସେମାନେ ଏ ସମସ୍ତ ସର୍ବେକ୍ଷଣ ଫଳାଫଳ ଦ୍ବାରା ପ୍ରଭାବିତ ହୋଇ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆଗେଇ ଆସିବା ସମ୍ଭାବନା ତେଣୁ କମ୍‌, ବା ନାହିଁ କହିଲେ ଚଳେ।

ଯେଉଁମାନେ ହ୍ୟୁମ୍‌ଙ୍କ ଯୁକ୍ତିକୁ ଗ୍ରହଣ ନ କରି ପାର୍ଥିବ ଜଗତ୍‌କୁ କାର୍ଯ୍ୟ-କାରଣ ସମ୍ପର୍କର ପରିପ୍ରକାଶ ରୂପେ ଦେଖନ୍ତି, ସେମାନେ ମଧ୍ୟ ଯଦି ଯୁକ୍ତିନିଷ୍ଠ ଭାବରେ ଦେଖନ୍ତି, ବିବାହ ହେଉଛି ସୁଖର କାରଣ ବୋଲି ଉପରୋକ୍ତ ସର୍ବେକ୍ଷଣ ଦ୍ବାରା ସାବ୍ୟସ୍ତ ହେବା ଦାବି କରିପାରିବେ ନାହିଁ। କାରଣ, ସର୍ବେକ୍ଷଣ ଫଳାଫଳରୁ ଯାହା ସ୍ପଷ୍ଟ ହୋଇ ନ ଥାଏ, ତାହା ହେଲା- ଅଧିକାଂଶ ବିବାହିତ ଲୋକ ସୁଖୀ ହୋଇଥିବା ଦେଖାଯାଇଥାଏ, ନା ଅଧିକାଂଶ ସୁଖୀ ଲୋକ ବିବାହିତ ହୋଇଥିବା ଦେଖା ଯାଇଥାଏ? ଅନ୍ୟ ପ୍ରକାରେ ପ୍ରଶ୍ନ କରାଯାଇପାରେ: ସୁଖୀ ଜୀବନର କାରଣ ହେଉଛି ବିବାହ; ନା ବିବାହର କାରଣ ହେଉଛି ସୁଖୀ ଜୀବନ (ଅର୍ଥାତ୍, ବିଷାଦଗ୍ରସ୍ତ-ମାନସିକତା-ବିଶିଷ୍ଟ ବ୍ୟକ୍ତିମାନଙ୍କ ଅପେକ୍ଷା ଖୁସିବାସିଆ ବ୍ୟକ୍ତିମାନଙ୍କର ବିବାହ କରିବା ସମ୍ଭାବନା ହେଉଛି ଅଧିକ ଏବଂ ସେମାନଙ୍କର ବିବାହ ବିଚ୍ଛେଦ ଘଟିବାର ସମ୍ଭାବନା ହେଉଛି ବହୁତ କମ୍)? କେହି ଦ୍ବିମତ ହେବେ ନାହିଁ ଯେ ଜଣେ ଖୁସି ମିଜାଜ୍ ବ୍ୟକ୍ତିକୁ ଜୀବନସାଥୀ ରୂପେ ପାଇବା ପାଇଁ ଆଗ୍ରହୀମାନଙ୍କର ସଂଖ୍ୟା ଯେଉଁଭଳି ଅଧିକ ହୋଇଥାଏ, ସେ ଭଳି ବ୍ୟକ୍ତି ସହିତ ବିବାହିତ ଜୀବନ ବିତାଇବା ମଧ୍ୟ ସେଇଭଳି ସହଜ ହୋଇଥାଏ; ତେଣୁ ସେଭଳି ବିବାହ ସ୍ବାଭାବିକ ଭାବରେ ଦୀର୍ଘସ୍ଥାୟୀ ହୋଇଥାଏ।

ତେଣୁ ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା- ସୁଖର କାରଣ ନୁହେଁ ବିବାହ; ବିବାହର କାରଣ ହେଉଛି ସୁଖ। ସୁଖର କାରଣ ତା’ହେଲେ କ’ଣ? ବ୍ୟକ୍ତିର ମାନସିକତାରେ ଖୁସି ବା ବିଷାଦର ଓଜନ ତା’ର ଜନ୍ମଗତ ଜୈବରସାୟନ ଗଠନ ଉପରେ ନିର୍ଭର କରିଥାଏ ବୋଲି ବିଶେଷଜ୍ଞମାନେ କହିଥା’ନ୍ତି। ନିର୍ଦ୍ଦିଷ୍ଟ ଭାବରେ କହିଲେ ତା’ର ମସ୍ତିଷ୍କରେ ସେରୋଟୋନିନ୍, ଡୋପାମିନ୍, ଓ ଅକ୍‌ସିଟୋସିନ୍ ଭଳି ରାସାୟନିକ ପଦାର୍ଥମାନଙ୍କର ଉପସ୍ଥିତି ଓ ମାତ୍ରା ଜୀବନ ପ୍ରତି ତା’ର ଆଭିମୁଖ୍ୟରେ ହର୍ଷ-ବିଷାଦର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।

ମନେକର ଜଣେ ଯୁବତୀ ହ୍ୟୁମ୍‌ଙ୍କୁ ଅନୁସରଣ କରି ବିବାହ ଓ ସୁଖ ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କ ଥିବା ବିଶ୍ବାସ କରନ୍ତି ନାହିଁ, କିମ୍ବା ସେ ତାଙ୍କର ଜୈବରାସାୟନିକ ସଂରଚନା ଯୋଗୁଁ ଏକ ବିଷଣ୍ଣ ମାନସିକତାର ଅଧିକାରିଣୀ। ସେ ଯଦି ସୁଖର ସନ୍ଧାନରେ ବିବାହ କରନ୍ତି, ସେ ଏକ ସୁଖୀ ଦାମ୍ପତ୍ୟ ଜୀବନ ପ୍ରାପ୍ତ ହେବାର ସମ୍ଭାବନା କ୍ଷୀଣ ନୁହେଁ କି? ଅବଶ୍ୟ ବିବାହର ଯାହା ହେଉଛି ଅସଲ ଉଦ୍ଦେଶ୍ୟ- ପ୍ରଜନନ, ତାହା ଆମର ଏହି ଆଲୋଚନାରେ ଆଦୌ ଗୁରୁତ୍ବ ବହନ କରି ନ ଥାଏ; ସମଲିଙ୍ଗୀ ବିବାହ ଭଳି ଏକ ପ୍ରଜନନହୀନ ବିବାହ ବ୍ୟବସ୍ଥାର ଆବିର୍ଭାବ ପରେ ପ୍ରଜନନ ପାଇଁ ବିବାହ କ୍ରମେ ଅପ୍ରାସଙ୍ଗିକ ହୋଇପଡ଼ିବାରେ ଲାଗିଛି।

ଯଦି ସୁଖର ସନ୍ଧାନ ହେଉଛି ବିବାହର ଏକମାତ୍ର ଉଦ୍ଦେଶ୍ୟ, ତେବେ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ: ପ୍ରଥମେ ବିବାହ ଉତ୍ସବରେ ଅଂଶ ଗ୍ରହଣ କରିବାର ମଉଜ; ପରେ ବୈବାହିକ ଦାମ୍ପତ୍ୟ ଜୀବନ ବିତାଇବାର ସୁଖ। ଜଣେ ଯଦି ନିଜର ଜୈବରାସାୟନିକ ଗଠନ ଯୋଗୁଁ ଦାମ୍ପତ୍ୟ ଜୀବନ ପ୍ରତି ବୀତସ୍ପୃହ, କିନ୍ତୁ ନିଜର ବିବାହ ଉତ୍ସବ ପାଳନର ଚିତ୍ତାକର୍ଷକ ସମ୍ଭାବନାରୁ ବଞ୍ଚିତ ହେବାକୁ ଚାହେଁ ନାହିଁ, ତା’ହେଲେ ତା’ ସମ୍ମୁଖରେ କେଉଁ ବିକଳ୍ପ ଉପଲବ୍‌ଧ? ଏହାର ଏକ ଅବିଶ୍ବାସ୍ୟ ଉତ୍ତର ହେଉଛି- ‘ଆତ୍ମ ବିବାହ’। ଅନ୍ୟ ଏକ ବିକଳ୍ପ ହେଉଛି- ‘କାଳ୍ପନିକ-ଯୌନ ବିବାହ’।

ଇଂରେଜୀରେ ‘ସୋଲୋଗାମି’ ରୂପେ ଅଭିହିତ ପ୍ରଥମ କିସମର ବିବାହ ବର୍ତ୍ତମାନ ଦେଶବ୍ୟାପୀ ଚହଳ ସୃଷ୍ଟି କରି ଭାରତରେ ପ୍ରଥମ କରି ଅନୁଷ୍ଠିତ ହେବାକୁ ଯାଉଛି ବରୋଦାରେ ଜୁନ୍ ୧୧ରେ। ସେଦିନ ୨୪ ବର୍ଷୀୟା ଯୁବତୀ କ୍ଷମା ବିନ୍ଦୁ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ପାଳନ କରି ଜାକଜମକରେ ନିଜେ ନିଜକୁ ବିବାହ କରିବେ। ଆଇନଜ୍ଞମାନେ ମତ ଦେଲେଣି ଏହି ବିବାହ କୌଣସି ଆଇନଗତ ସ୍ବୀକୃତି ଲାଭ କରିପାରିବ ନାହିଁ; କିନ୍ତୁ କ୍ଷମା ବିନ୍ଦୁଙ୍କର ଏଥି‌େର ଯାଏ ଆସେ କ’ଣ? ତାଙ୍କର ଲକ୍ଷ୍ୟ ହେଉଛି ଆତ୍ମସନ୍ତୋଷ, ଯାହା ସେ ଲାଭ କରିବା ନିଶ୍ଚିତ। ଏମିତିରେ କ୍ଷମା ବିନ୍ଦୁଙ୍କର ଏଭଳି ‘ଆତ୍ମ ବିବାହ’ କୌଣସି ସମଲିଙ୍ଗୀ ବିବାହ ଠାରୁ କମ୍ ବିକୃତି ବହନ କରିଥାଏ ଏବଂ ବହୁ ଅଧିକ ଆତ୍ମବିଶ୍ବାସର ପରିଚାୟକ ହୋଇଥାଏ, ଯେଉଁଥିରେ ନିଜେ ହିଁ ନିଜର ସମସ୍ତ ଦାୟିତ୍ବ ବହନ କରିବାକୁ ପଡ଼ିଥାଏ। କ୍ଷମା ବିନ୍ଦୁଙ୍କର ‘ଆତ୍ମ ବିବାହ’ ଠାରୁ ସାମାନ୍ୟ ପୃଥକ୍ ହେଉଛି ନିକଟରେ ଜାପାନ୍‌ରେ ଘଟିଥିବା ‘କାଳ୍ପନିକ-ଯୌନ ବିବାହ’ ବା ‘ଫିକ୍ଟୋ ସେକ୍‌ସୁଆଲ୍ ମ୍ୟାରେଜ୍’ ଯେଉଁଥିରେ ଆକିହିକୋ କୋଣ୍ଡୋ ନାମକ ଯୁବକ ହାତ୍‌ସୁନେ ମିକୁ ନାମ୍ନୀ ଜଣେ ଭର୍ଚୁଆଲ୍ ଗାୟିକା ଚରିତ୍ରଙ୍କୁ ବିବାହ କରିଥିଲେ ଅନୁରୂପ ଧୁମଧାମରେ। ଏମାନଙ୍କର ‘ବୈବାହିକ ଜୀବନ’ ଆନନ୍ଦମୟ ହେଉ!

ସମ୍ବନ୍ଧିତ ଖବର