ଆସନ୍ତା ୨୦ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଘୋଷିତ ସୂଚୀ ଅନୁଯାୟୀ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୩ ତାରିଖ ଦିନ ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଆଗତ କରିବେ। ଉଣେଇଶ ନିର୍ବାଚନ ପୂର୍ବରୁ ଏହା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିପୁଳ ଆଶା ପ୍ରକାଶ ପାଇଛି। ସାଧାରଣରେ ଅପେକ୍ଷା ରହିଛି ଯେ, ଏ ନିର୍ବାଚନ ମୁହାଁ ବଜେଟ ମାଧ୍ୟମରେ ସରକାର ଚାକିରିଆଙ୍କଠାରୁ ଆରମ୍ଭ କରି ଶ୍ରମଜୀବୀଙ୍କ ପର୍ଯ୍ୟନ୍ତ, ଚାଷୀଙ୍କଠାରୁ ଆରମ୍ଭ କରି ସାମାଜିକ- ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଓ ମହିଳାଙ୍କଠାରୁ ଆରମ୍ଭ କରି ଯୁବ ଓ ବରିଷ୍ଠ ନାଗରକଙ୍କ ପର୍ଯ୍ୟନ୍ତ, ସମାଜର ସବୁ ବର୍ଗଙ୍କ ମନଛୁଇଁ ଭୋଟ ଅମଳର ପ୍ରୟାସ କରିବେ। ଏହି ପ୍ରକ୍ରିୟାରେ ପୂର୍ବରୁ ଚାଲୁ ରହିଥିବା, ବିଶେଷ କରି ଗତ ବଜେଟରେ ଆକର୍ଷଣୀୟ ନାମକରଣ ସହ ଘୋଷିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସଂପ୍ରସାରଣ ଲାଗି ଅଧିକ ବ୍ୟୟବରାଦ ସହ କିଛି ନୂଆ ଯୋଜନାର ଘୋଷଣା ଓ କାର୍ଯ୍ୟକ୍ରମର ପ୍ରବର୍ତ୍ତନ ଆଶା କରାଯାଉଛି। ଚଉଦରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ଲାଗି ସରକାରଙ୍କ ପକ୍ଷରେ ଏ ଥରର ବଜେଟ ଶେଷ ଅବକାଶ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ ପରିଷଦ ବୈଠକର ଚିଠା ବଜେଟ ଅନୁମୋଦନ ପରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଲୋକଙ୍କ ଆଶାକୁ ଅଧିକ ବଢ଼ାଇ ଦେଇଛି। ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ ୨୦୧୮-୧୯ ବଜେଟର ଆକାର ୧ ଲକ୍ଷ ୨୦ ହଜାର କୋଟି ଟଙ୍କାକୁ ଟପି ଯାଇପାରେ। ଫଳରେ ବିଭିନ୍ନ ବିଭାଗ ଓ ଯୋଜନା ପୂର୍ବାପେକ୍ଷା ଅଧିକ ବ୍ୟୟବରାଦର ସମ୍ଭାବନା ସୃଷ୍ଟି କରୁଛି। ଗତ ୨୦୧୭-୧୮ ବଜେଟର ମୂଳ ବଜେଟ ଅଟକଳ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ପରେ ଅତିରିକ୍ତ ବଜେଟରେ ଆହୁରି ୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଗଲା। ପୂର୍ବବର୍ଷ ତୁଳନାରେ ଗତ ୨୦୧୭-୧୮ ବଜେଟରେ ବ୍ୟୟବରାଦ ୧୪ ପ୍ରତିଶତ ବୃଦ୍ଧି ପାଇଥିଲା। ବ୍ୟୟ ଅଟକଳରେ ଅଭିବୃଦ୍ଧି ହାର ଏଥର ଆହୁରି ଅଧିକ ହେବ ବୋଲି ଆଶାକରାଯାଉଛି। ଏ ପ୍ରକାର ଆଶା ପଛର କାରଣ ରାଜସ୍ୱ ସଂଗ୍ରହ ବୃଦ୍ଧି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ଶେଷ ସୁଦ୍ଧା ସବୁ ସୂତ୍ରରୁ ରାଜସ୍ୱ ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ ୨୪ ପ୍ରତିଶତ ବୃଦ୍ଧି ପାଇଛି। ଆର୍ଥିକ ବର୍ଷର ଏଗାର ମାସରେ ମୋଟ ୩୧,୨୫୧ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ସହ ଜିଏସ୍ଟି କ୍ଷତିପୂରଣ ବାବଦ ୧,୩୨୬ କୋଟି ଟଙ୍କା ତହବିଲକୁ ଆସିଛି। ସମ୍ବଳ ସଂଗ୍ରହ ପ୍ରସଙ୍ଗରେ ଯେଉଁ କ୍ଷେତ୍ରଟି ସରକାରଙ୍କ ଆତ୍ମବିଶ୍ୱାସ ବଢ଼ାଇଛି ତାହା ହେଲା ଖଣି କାରବାର। ମାନ୍ଦାବସ୍ଥାର ଶିକାର ହୋଇଥିବା ଖଣି କ୍ଷେତ୍ରରୁ ଏ ବର୍ଷ ରାଜସ୍ୱ ସଂଗ୍ରହ ପରିମାଣ ୩୯ ପ୍ରତିଶତ ବୃଦ୍ଧି ପାଇଛି।
ମୋଟାମୋଟି ରାଜ୍ୟର ଏକ ସନ୍ତୋଷଜନକ ଆର୍ଥିକ ସ୍ୱାସ୍ଥ୍ୟାବସ୍ଥା ନେଇ ସରକାର ଯେ ଉତ୍ସାହିତ, ତାହା ପ୍ରତିଫଳିତ ହୋଇଛି ନିକଟରେ ଘୋଷିତ କେତୋଟି ନୂଆ କାର୍ଯ୍ୟକ୍ରମରେ। ମନ୍ତ୍ରୀ ପରିଷଦରେ ଯେଉଁ ଦିନ ବଜେଟର ଚିଠା ଅନୁମୋଦିତ ହେଲା, ସେହିଦିନ କ୍ୟାବିନେଟ୍ ବୈଠକରେ ସାର୍ବଜନୀନ ଚକ୍ଷୁ ଯତ୍ନ ଓ ଚିକିତ୍ସା ଯୋଜନା ସମେତ ତିନିଟି ସ୍ୱାସ୍ଥ୍ୟ ଯୋଜନା ଏବଂ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ଲାଗି ‘ବସୁଧା’ ଯୋଜନାରେ ୨୦୦୦ କୋଟି ଟଙ୍କାର ବ୍ୟବସ୍ଥା, ଲାଗି ନିଷ୍ପତ୍ତି ନିଆଗଲା। ଏହା ପୂର୍ବରୁ ଆମ ଗାଁ ଆମ ବିକାଶ ଯୋଜନାରେ ସିଧାସଳଖ ପଞ୍ଚାୟତକୁ ଅନୁଦାନ, ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଘରଡିହ ପଟ୍ଟା ପ୍ରଦାନ, ରାସ୍ତା ନିର୍ମାଣ, କେତେକ ବର୍ଗର ସରକାରୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ, ବକେୟା ଦରମା ପ୍ରଦାନ, ବିଜୁ ଯୁବ ବାହିନୀ ଗଠନ ଆଦି ତୁଷ୍ଟୀକାରଣମୂଳକ ନିଷ୍ପତ୍ତି ନିଆଯାଇଛି। ଏଥିରୁ ସଂକେତ ମିଳୁଛି, ଭୋଟକୁ ଆଖି ଆଗରେ ରଖି ସର୍ବାଧିକ ସଂଖ୍ୟକ ଲୋକଙ୍କୁ ସର୍ବାଧିକ ଖୁସି ଦେବା ଲକ୍ଷ୍ୟରେ ବଜେଟରେ ଆହୁରି କିଛି ଅନୁରୂପ କାର୍ଯ୍ୟକ୍ରମ ଓ ଯୋଜନାର ଘୋଷଣା କରାଯାଇପାରେ।
ବଜେଟର ଆକାର ବଢ଼ିବ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ କ୍ଷେତ୍ରରେ ବିକାଶର ନିଅଣ୍ଟିଆ ଭରଣା ଲାଗି ଅଧିକ ବ୍ୟୟବରାଦ ହୋଇପାରେ। ଚାଷୀ ଓ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ କଲ୍ୟାଣ ମଧ୍ୟ ପୂର୍ବାପେକ୍ଷା ଅଧିକ ପ୍ରାଥମିକତା ପାଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି, ବାସ୍ତବ କ୍ଷେତ୍ରରେ ଏହା ସମାନୁପାତିକ ଭାବେ ବିକାଶରେ ପ୍ରତିଫଳିତ ହେବ ତ? କଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ଶେଷମୁଣ୍ଡରେ ଥିବା ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚି ପାରିବ ତ? ଦୁର୍ବଳ ବର୍ଗଙ୍କ ସାମାଜିକ- ଅର୍ଥନୈତିକ ସଶକ୍ତୀକରଣ ପାଇଁ ମାଳମାଳ ଯୋଜନା ଓ ବିପୁଳ ବ୍ୟୟବରାଦ ସତ୍ତ୍ୱେ ସେମାନଙ୍କ ଜୀବନ ଧାରଣ ମାନରେ ଈପ୍ସିତ ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ ତ? ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ନିଅଣ୍ଟିଆ କ’ଣ ଭରଣା ହେବ? ସର୍ବୋପରି ଯେଉଁ କ୍ଷେତ୍ର ଉପରେ ରାଜ୍ୟ ଲୋକସଂଖ୍ୟାର ଦୁଇ ତୃତୀୟାଂଶ ଜୀବନ ଜୀବିକା ନିର୍ଭରଶୀଳ ସେହି ଗୁରୁତ୍ୱପୂର୍ଣ୍ଣ କୃଷି କ୍ଷେତ୍ର ପୁନରୁଦ୍ଧାର ରାସ୍ତାକୁ ଫେରିବ ତ? କ’ଣ ଆତ୍ମହତ୍ୟା ମୁହାଁ କୃଷକର ଦୁର୍ଦଶା ଅନ୍ତତଃ କିଛି ମାତ୍ରାରେ ଲାଘବ ହେବ? ସେ ଜୀବନ ନ ହାରି ଜୀବନ ବଞ୍ଚିବାର ପଣ କରିବ? ଏହିସବୁ ଅପ୍ରୀତିକର ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ବଜେଟରେ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ବ୍ୟୟବରାଦର ସଠିକ ପ୍ରତିଫଳନ କ୍ଷେତ୍ର ସ୍ତରରେ ଦେଖାଯାଉ ନାହିଁ। ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯାହା ପାଇଁ ଉଦ୍ଦିଷ୍ଟ ତା’ ପାଖରେ ପହଞ୍ଚି ପାରୁନାହିଁ। ପ୍ରାୟ ସବୁ କଲ୍ୟାଣ କାର୍ଯ୍ୟକ୍ରମରେ ‘ଛାମୁ ଯାହାଦେଲେ ହରଷେ, ପାଉ ପାଉ ଗଲା ବରଷେ, ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ’ ଭଳି ଗଣ୍ଡା ଗଣ୍ଡା ଦୁଃଖଦ ନଜିର। ପରିଣତି, ଗତ ଦୁଇ ଦଶକର ବଜେଟର ଆକାର ୧୦ ହଜାର କୋଟିରୁ ଦଶ ଗୁଣ ବୃଦ୍ଧି ପାଇ ୧ ଲକ୍ଷ କୋଟି ଟଙ୍କାକୁ ଟପିଲାଣି। ଅଥଚ ଈପ୍ସିତ ପରିବର୍ତ୍ତନ ‘ମୋଦୀଙ୍କ ଅଚ୍ଛେଦିନ୍’ ଭଳି ଘୁଞ୍ଚି ଘୁଞ୍ଚି ଯାଉଛି। ବଜେଟ ଆକାରରେ ଲଗାତାର ଅଭିବୃଦ୍ଧି ସହ ତାଳ ଦେଇ ସମାନୁପାତିକ ଭାବେ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ରହିଥିବା ନିଅଣ୍ଟର ଭରଣା ହେଉନାହିଁ। ଏହାର ପ୍ରମାଣ ଖୋଜିବା ଦରକାର ନାହିଁ। ରାଜ୍ୟର ସବୁ ଅଞ୍ଚଳରେ ପ୍ରମାଣ ଜଳ ଜଳ। ସଡ଼କ ସଂଯୋଗ ନଥିବାରୁ ଶହ ଶହ ସଂଖ୍ୟାରେ ଗ୍ରାମ ଏବେ ବି ଅପହଞ୍ଚ। ଅନେକ ଆଭ୍ୟନ୍ତରୀଣ ଗ୍ରାମ ପାଇଁ ପାଣି ବିଜୁଳି ସାତ ସପନ। ଶିକ୍ଷା କ୍ଷେତ୍ରରେ ଅରାଜକତା, ସ୍ୱାସ୍ଥ୍ୟ ସେବା ଅନେକ ଅଞ୍ଚଳରେ କେବଳ ନାମକୁ ମାତ୍ର।
ବଜେଟ ଆକାରରେ କ୍ରମାଗତ ସଂପ୍ରସାରଣ ସତ୍ତ୍ୱେ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ନିଅଣ୍ଟର ଆଶାଜନକ ସଂକୋଚନ ନ ହେବାର ଦୁଇଟି ମୁଖ୍ୟ କାରଣ। ପ୍ରଥମତଃ, ବିକାଶର ନିଅଣ୍ଟ ଭରଣା ଲାଗି ଆବଶ୍ୟକତା ତୁଳନାରେ ଅର୍ଥ ବରାଦ ପର୍ଯ୍ୟାପ୍ତ ନୁହେଁ। ଦ୍ୱିତୀୟତଃ, ଯାହା ଅଧିକ ଘାତକ, କାର୍ଯ୍ୟକ୍ରମ ରୂପାୟନରେ ଅଦକ୍ଷତା ଓ ଦୁର୍ନୀତି। ତେଣୁ ବଜେଟରେ ବରାଦ ହେଉଥିବା ଖର୍ଚ୍ଚ ସମ୍ପୂର୍ଣ୍ଣ ବିନିଯୋଗ ହୋଇ ପାରୁନାହିଁ। ଚଳିତ ବର୍ଷ କାର୍ଯ୍ୟକ୍ରମ ରୂପାୟନ ବାବଦ ଖର୍ଚ୍ଚ ପରିମାଣ ପୂର୍ବାପେକ୍ଷା ୧୧ ପ୍ରତିଶତ ବୃଦ୍ଧି ପାଇଥିବା ଦାବି କରାଯାଉଛି। ଗତବର୍ଷ ଫେବ୍ରୁଆରି ସୁଦ୍ଧା ୩୭,୧୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତବର୍ଷ ସେହି ସମୟ ମଧ୍ୟରେ ବ୍ୟୟ ପରିମାଣ ୪୧,୨୩୬ କୋଟି ଟଙ୍କା ହୋଇଛି। ଏଥିରେ କିନ୍ତୁ ବିଶେଷ ଉତ୍ସାହିତ ହୋଇ ଆତ୍ମତୃପ୍ତିର ଅବକାଶ ନାହିଁ। ଆର୍ଥିକ ବର୍ଷର ଅବଶିଷ୍ଟ ମାସକ ମଧ୍ୟରେ କାର୍ଯ୍ୟକ୍ରମ ବାବଦ ଅବଶିଷ୍ଟ ଆହୁରି ପ୍ରାୟ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସମ୍ଭାବନା କ୍ଷୀଣ। ଚଳିତ ବର୍ଷ ଏକ ବ୍ୟତିକ୍ରମ ନୁହେଁ। ବିଗତ ଗୋଟିଏ ଦଶକ ହେଲା ଯୋଜନା ବାବଦ ବାର୍ଷିକ ହାରାହାରି ପାଞ୍ଚରୁ ଛଅ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ପାରୁନାହିଁ, ଯେତେବେଳେ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ, ସେତେବେଳେ ଯୋଜନାର ଲକ୍ଷ୍ୟ ପୂରଣ ହେବ କେମିତି? ପରିଣତି, ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଜଳସେଚନ, ସେତୁ ନିର୍ମାଣ ପର୍ଯ୍ୟନ୍ତ କ୍ୱଚିତ୍ କେଉଁ ଯୋଜନା ନିର୍ଧାରିତ ସମୟ ସୀମା ମଧ୍ୟରେ ଲକ୍ଷ୍ୟ ପୂରଣ କରିପାରୁଛି। ସମୟ ଗଡ଼ିବା ସହ ଯୋଜନାର ଲକ୍ଷ୍ୟ ମଧ୍ୟ ଦୂରକୁ ଦୂରକୁ ଠେଲି ହୋଇଯାଉଛି।
ତେଣୁ ବଜେଟର ଆକାର ଓ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ବୃଦ୍ଧିର ସମ୍ଭାବନା ଜନ ମାନସରେ ଯେଉଁ ଆଶା ସୃଷ୍ଟି କରିଛି, ତାହା କଦାପି ପୂରଣ ହୋଇ ପାରିବ ନାହିଁ ଯଦି ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନରେ ଦକ୍ଷତା ଓ ସ୍ୱଚ୍ଛତା ନ ବଢ଼େ। ବଜେଟରେ ଅଧିକ ବ୍ୟୟବରାଦ ମୂଲ୍ୟହୀନ, ଯଦି ତାହା ଉଦ୍ଦିଷ୍ଟ କ୍ଷେତ୍ରରେ ବିନିଯୋଗ ନ ହେବ। ‘ସର୍ବାଧିକ ଲୋକଙ୍କ ସର୍ବାଧିକ ଖୁସି’ର ଲକ୍ଷ୍ୟ ହାସଲ ଲାଗି ବଜେଟର ପ୍ରତିଟିି ଟଙ୍କାର ଖର୍ଚ୍ଚରେ ସ୍ୱଚ୍ଛତା ଓ ସାଧୁତା ରହିବା ଦରକାର ଓ ଯୋଜନାକୁ ଶେଷତମ ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲୋଡ଼ା। ମନେ ରଖିବାକୁ ହେବ, ଏହା ଲୋକଙ୍କ ଧନ, ଲୋକଙ୍କ ପାଇଁ ଖର୍ଚ୍ଚ ହେବ। ଏହା ସମ୍ଭବ। ଖାଲି ଆବଶ୍ୟକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ଅମଲାତାନ୍ତ୍ରିକ ନିଷ୍ଠା, ଆନ୍ତରିକତା। ରାଜନୈତିକ ଇଚ୍ଛାଶକ୍ତି ଓ ଅମଲାତାନ୍ତ୍ରିକ ନିଷ୍ଠାର ସଙ୍ଗମରେ ଯେ ପରିବର୍ତ୍ତନ ସମ୍ଭବ ତା’ର ଉଦାହରଣ ବହୁଚର୍ଚ୍ଚିତ ଅପପୁଷ୍ଟି ଆକ୍ରାନ୍ତ ନଗଡ଼ାର ପରିବର୍ତ୍ତିତ ଚିତ୍ର।