ଦାରିଦ୍ର୍ୟର ଯେଉଁ ଭିନ୍ନ ଭିନ୍ନ ଶ୍ରେଣୀ ବିଭାଜନ କରାଯିବା ଦେଖାଯାଇଥାଏ, ସେଥି ମଧୢରୁ ଗୋଟିଏ ହେଉଛି- ସାମାଜିକ ଓ ଜୈବିକ। ସମାଜରେ ଯେତେବେଳେ କେତେକ ସଦସ୍ୟଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମାନ ପ୍ରକାରରେ ଓ ସମାନ ପରିମାଣରେ ଅନ୍ୟ ସଦସ୍ୟମାନଙ୍କୁ ମିଳି ନଥାଏ, ତାହାକୁ ସାମାଜିକ ଦାରିଦ୍ର୍ୟ କୁହାଯାଇଥାଏ। ସେ ଦୃଷ୍ଟିରୁ ଦେଖିଲେ ମାନବ ଇତିହାସରେ ଏପରି କୌଣସି ସମାଜର ଆବିର୍ଭାବ ଘଟି ନାହିଁ, ଯେଉଁଠି ସାମାଜିକ ଦାରିଦ୍ର୍ୟର ପ୍ରାଦୁର୍ଭାବ ଦେଖାଯାଇନାହିଁ। ବେଳେ ବେଳେ ଏହା ଉତ୍କଟ ଆକାର ଧାରଣ କରି ବିପ୍ଳବକୁ ଜନ୍ମ ଦେଇଛି, କିନ୍ତୁ ବିପ୍ଳବ ପରବର୍ତ୍ତୀ ସମାଜରୁ ଯେ ସାମାଜିକ ଦାରିଦ୍ର୍ୟ ନିଶ୍ଚିହ୍ନ ହୋଇ ଯାଇନାହିଁ, ତାହାର ଉଦାହରଣମାନଙ୍କରେ ଇତିହାସ ଭରପୂର- ଉଦାହରଣ ଦେବା ଅନାବଶ୍ୟକ। ତେବେ ସାମାଜିକ ଦାରିଦ୍ର୍ୟକୁ ଯାହା ବେଳେ ବେଳେ ଲାଘବ କରିଥାଏ, ତାହା ହେଉଛି ସାମାଜିକ ପୁଞ୍ଜି (ସୋସିଆଲ୍ କ୍ୟାପିଟାଲ୍)। ସମାଜର ଅନ୍ୟ ସଦସ୍ୟମାନଙ୍କ ସହିତ ବ୍ୟକ୍ତିର ସମ୍ପର୍କ ଯେତେ ଅଧିକ ଗଭୀର ଓ ବ୍ୟାପକ, ତା’ର ସାମାଜିକ ପୁଞ୍ଜିର ଆକାର ସେତେ ବଡ଼। ବ୍ୟକ୍ତି ଏକାକୀ ଅଭାବ ଅନଟନର ମୁକାବିଲା କରିବାକୁ ଅସମର୍ଥ ହୋଇଥିବା ବେଳେ ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ତାକୁ ବିପଦରୁ ଉଦ୍ଧାର କରିଥାଏ- ଅର୍ଥାତ୍ ତା’ର ସଞ୍ଚିତ ସାମାଜିକ ପୁଞ୍ଜି ତା’ର ସହାୟକ ହୋଇଥାଏ। ଜୈବିକ ଦାରିଦ୍ର୍ୟ ହେଉଛି ଜଣେ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ ହେବା। ସାମାଜିକ ପୁଞ୍ଜି କିଛି ଦୂର ପର୍ଯ୍ୟନ୍ତ ଜୈବିକ ଦାରିଦ୍ର୍ୟ ଲାଘବ କରିବାରେ ମଧୢ ସହାୟକ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ବାକ୍ ଚାତୁରୀରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭକ୍ତ କରିବା ଏବେ ଏକ ନିୟମିତ ଧାରାରେ ପରିଣତ ହୋଇଗଲାଣି: ‘ଭାରତ’ ଓ ‘ଇଣ୍ତିଆ’। ଯାହା ସମସ୍ତଙ୍କୁ ଜଣା, ଦେଶର ଗ୍ରାମାଞ୍ଚଳ ହେଉଛି ‘ଭାରତ’ ଏବ˚ ସହରାଞ୍ଚଳ ହେଉଛି ‘ଇଣ୍ତିଆ’। ଯଦି ହଠାତ୍ ଏକ ପ୍ରଶ୍ନ ପଚରା ଯାଏ, ଲୋକମାନଙ୍କର ସାମାଜିକ ପୁଞ୍ଜି କେଉଁଠି ଅଧିକ, ‘ଭାରତ’ରେ ନା ‘ଇଣ୍ତିଆ’ରେ?- ଯାହା ସ˚ଖ୍ୟାଗରିଷ୍ଠ ଉତ୍ତର ହେବା ପ୍ରାୟ ନିଶ୍ଚିତ, ତାହା ହେଲା: ‘ଭାରତ’ରେ। ଏହାର କାରଣ ହେଲା, ସହରରେ ଅଧିକା˚ଶ ବାସିନ୍ଦା ଯେଉଁ ଭଳି ଛିନ୍ନମୂଳ ଜୀବନ ବିତାଇଥାନ୍ତି, ସେଥିରେ ସାମାଜିକ ପୁଞ୍ଜି ସୃଷ୍ଟିର ସମ୍ଭାବନା ଅତ୍ୟନ୍ତ ସୀମିତ ବା ଶୂନ୍ୟ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ ଯଦି ହୁଏ, ଚୀନା କରୋନାଜନିତ ଦୀର୍ଘ ଲକ୍ଡାଉନ୍ର ମନ୍ଦ ପ୍ରଭାବ କାହାପାଇଁ ଅଧିକ ହୋଇଥିବ, ‘ଭାରତ’ର ଗରିବଙ୍କ ପାଇଁ, ନା ‘ଇଣ୍ତିଆ’ର ଗରିବଙ୍କ ପାଇଁ?- ତେଣୁ ଯୁକ୍ତିଯୁକ୍ତ ଭାବରେ ଉତ୍ତର ହେବା ଉଚିତ: ‘ଇଣ୍ତିଆ’ର ଗରିବଙ୍କ ପାଇଁ। ସହରୀ ଗରିବମାନେ ଗାଉଁଲି ଗରିବଙ୍କ ଅପେକ୍ଷା ଲକ୍ଡାଉନ୍ ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ। ବର୍ତ୍ତମାନ ଉପଲବ୍ଧ ତଥ୍ୟ ଆଧାରରେ କରାଯାଇଥିବା ଏକ ଅନୁଶୀଳନ ଦ୍ବାରା ଏହା ହିଁ ସତ୍ୟ ସାବ୍ୟସ୍ତ ହୋଇଛି। ଏହି ଅନୁଶୀଳନ ଅନୁସାରେ ଆୟ ଅନୁସାରେ ଯଦି ଲୋକ ସ˚ଖ୍ୟାକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ତେବେ ସହରାଞ୍ଚଳ ଲୋକସ˚ଖ୍ୟାର ନିମ୍ନାର୍ଦ୍ଧ ଅର୍ଥାତ୍ ଦରିଦ୍ରମାନଙ୍କର ଆୟରେ ଏପ୍ରିଲ୍ରୁ ଜୁନ୍ ମଧୢରେ ତିନି ଥର ଲକ୍ଡାଉନ୍ ଯୋଗୁଁ ୮୨ ଶତା˚ଶ ହ୍ରାସ ଘଟିଥିବା ବେଳେ ଗ୍ରାମାଞ୍ଚଳରେ ଅନୁରୂପ ଲୋକସ˚ଖ୍ୟାର ଆୟରେ ହ୍ରାସ ଘଟିଛି ୬୬ ଶତା˚ଶ। ଏଥିରୁ ଅନୁଶୀଳନକାରୀମାନେ ଅନୁମାନ କରୁଛନ୍ତି ଯେ ଗ୍ରାମାଞ୍ଚଳର ଦରିଦ୍ରମାନେ ଜୁନ୍ ଶେଷ ପର୍ଯ୍ୟନ୍ତ ନିଜର ଅତ୍ୟାବଶ୍ୟକ ଖର୍ଚ୍ଚ ମେଣ୍ଟାଇ ପାରିବେ, କିନ୍ତୁ ସହରାଞ୍ଚଳର ଦରିଦ୍ରମାନେ ସେତେବେଳକୁ ସେମାନଙ୍କର ସମସ୍ତ ସଞ୍ଚୟ ହରାଇ ସାରିଥିବେ।
ଅନୁଶୀଳନକାରୀ ମାନଙ୍କ ମତରେ ସହରାଞ୍ଚଳ ଦରିଦ୍ରମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, କାରଣ ଅତ୍ୟାବଶ୍ୟକ ସାମଗ୍ରୀ ସ˚ଗ୍ରହ କରିବା ପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ ଏବ˚ ଅଭାବ ବେଳେ କାଢ଼ିବା ପାଇଁ ସେମାନଙ୍କ ପାଖରେ ଅପେକ୍ଷାକୃତ କମ୍ ସଞ୍ଚୟ ଉପଲବ୍ଧ ଥାଏ। ସେମାନେ ଆବିଷ୍କାର କରିଛନ୍ତି ଯେ ସହରାଞ୍ଚଳ ଲୋକସ˚ଖ୍ୟାର ଦରିଦ୍ରତମ ୨୦ ଶତା˚ଶଙ୍କ ପାଖରେ ଥିବା ସଞ୍ଚୟ ଗ୍ରାମାଞ୍ଚଳର ଅନୁରୂପ ଲୋକସ˚ଖ୍ୟାଙ୍କ ପାଖରେ ଥିବା ସଞ୍ଚୟ ତୁଳନାରେ ବେଶ୍ କମ୍। ଲକ୍ଡାଉନ୍ ପୂର୍ବର ସଞ୍ଚୟକୁ ଜୁନ୍ ଶେଷ ବେଳକୁ ବଳିପଡ଼ିଥିବା ଆନୁମାନିକ ସଞ୍ଚୟ ସହିତ ତୁଳନା କରି ସେମାନେ ଜାଣିବାକୁ ପାଇଛନ୍ତି ଯେ ସହରାଞ୍ଚଳର ସର୍ବନିମ୍ନ ଆୟକାରୀ ୩୦ ଶତା˚ଶ ପରିବାରମାନଙ୍କୁ ନିଜ ନିଜର ଅତ୍ୟାବଶ୍ୟକ ଖର୍ଚ୍ଚ କାଟ କରିବାକୁ ପଡ଼ିବ କିମ୍ବା ଋଣ କରି ଚଳିବାକୁ ପଡ଼ିବ। ଅନୁଶୀଳନକାରୀମାନେ ତେଣୁ ଆଶ୍ଚର୍ଯ୍ୟ ନୁହଁନ୍ତି ଯେ ଲକ୍ଷ ଲକ୍ଷ ସ˚ଖ୍ୟକ ଲୋକ ସହର ଛାଡ଼ି ଗାଁକୁ ପଳାଇ ଯାଉଛନ୍ତି।
ଗ୍ରାମାଞ୍ଚଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥା ଲକ୍ଡାଉନ୍ ପରେ ସହରାଞ୍ଚଳ ଅପେକ୍ଷା କମ୍ କ୍ଷତିଗ୍ରସ୍ତ ହେବାର କାରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଯୋଗାଇ ଦେଇଥିବା ଆର୍ଥିକ ଓ ଅଣଆର୍ଥିକ ‘ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା’ (ପିଡିଏସ୍) ଭିତ୍ତିକ ସହାୟତା ବୋଲି ବିଶ୍ବାସ କରାଯାଇଥାଏ। ଏଭଳି ଅନୁଶୀଳନରେ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଲୋକ ଲୋଚନକୁ ଆସି ନଥାଏ, ତାହା ହେଲା ଉପରେ କୁହାଯାଇଥିବା ସାମାଜିକ ପୁଞ୍ଜି। ସଞ୍ଚୟ ସରି ଆସିଲେ ମଧୢ ଦରିଦ୍ରମାନଙ୍କ ପାଇଁ ସହରରେ ଯଦି ସାମାଜିକ ପୁଞ୍ଜି ଉପଲବ୍ଧ ଥା’ନ୍ତା, ତା’ହେଲେ ସେମାନେ ସହର ଛାଡ଼ି ଗାଁକୁ ପଳାଇ ଯାଆନ୍ତେ ନାହିଁ; କିମ୍ବା ଗନ୍ତବ୍ୟ ସ୍ଥଳ ଗ୍ରାମ ମାନଙ୍କରେ ଯଦି ସାମାଜିକ ପୁଞ୍ଜି ଉପଲବ୍ଧ ନଥାନ୍ତା ଅଥବା ଉପଲବ୍ଧ ହେବାର ଆଶା ନଥାନ୍ତା, ତା’ହେଲେ ସହରୀ ଦରିଦ୍ରମାନେ ଗ୍ରାମାଭିମୁଖୀ ହୁଅନ୍ତେ ନାହିଁ।
ଚୀନା କରୋନା ମହାମାରୀର ଆବିର୍ଭାବ ପୂର୍ବରୁ ସଘନ ଜନସ˚ଖ୍ୟା ବିଶିଷ୍ଟ ନଗର ନିର୍ମାଣ ଅନେକ ସମସ୍ୟାମାନଙ୍କର ଏକକ ସମାଧାନ ସୂତ୍ର ରୂପେ ବିବେଚିତ ହୋଇ ଆସିଥିଲା। ନଭଶ୍ଚୁମ୍ବୀ ଆବାସିକ ଟାଵାର୍ ମାନଙ୍କରେ ବହୁସ˚ଖ୍ୟକ ଲୋକଙ୍କର ବସତି ସ୍ଥାପନ ଦ୍ବାରା ଦୁର୍ମୂଲ୍ୟ ସହରାଞ୍ଚଳ ଭୂମି ଉପରେ ଚାପ ହ୍ରାସ ପାଏ; ପରିବେଶ ଉପରେ ଚାପ ହ୍ରାସ ପାଏ, ଅନେକ ସ˚ଖ୍ୟାରେ ସ୍ବଚ୍ଛଳ, ଶିକ୍ଷିତ, କୁଶଳୀ ଲୋକଙ୍କର ଏକତ୍ରବାସ ନିକଟବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଉପଯୋଗ କରି ବିଭିନ୍ନ ଉଦ୍ୟୋଗ ସ୍ଥାପନକୁ ସୁଗମ କରିଥାଏ; ସେମାନଙ୍କ ମଧୢରେ ଘନିଷ୍ଠ ଭାବର ଆଦାନ ପ୍ରଦାନ ସମ୍ଭାବନା ବୃଦ୍ଧି (ଯାହାକୁ ସମାଜତତ୍ତ୍ବବିତ୍ମାନେ ନାମ ଦେଇଛନ୍ତି: ‘କଲିଜନ୍ ଡେନ୍ସିଟି’ ବା ‘ସ˚ଘାତ ସାନ୍ଦ୍ରତା’) ନୂତନ ଉଦ୍ୟମମାନ ବା ‘ଇନୋଭେସନ୍’ର ଆବିର୍ଭାବର ସମ୍ଭାବନା ବୃଦ୍ଧି କରିଥାଏ, ଇତ୍ୟାଦି।
କିନ୍ତୁ ଏବେ ଏହାର ଯେଉଁ ଏକ ଦୁଃଖଦ ଦିଗ ଅନାବୃତ ହୋଇଛି, ତାହା ହେଲା ଆମ ସହରମାନଙ୍କର ସ୍ବଚ୍ଛଳ ଦ୍ବୀପାଞ୍ଚଳମାନଙ୍କ ବାହାରେ ଅବହେଳିତ ଅବସ୍ଥାରେ ରହିଥିବା ଦରିଦ୍ରମାନେ କୁର୍ମ ଭଳି ସେଇ ସହରମାନଙ୍କୁ ଗଢ଼ି ତୋଳିଥିଲେ ବି ଓ ତାହାର ସ୍ବଚ୍ଛଳ ଅଧିବାସୀମାନଙ୍କୁ ଅନେକ ଅପରିହାର୍ଯ୍ୟ ଅତ୍ୟାବଶ୍ୟକ ସେବା ଯୋଗାଇ ଆସିଥିଲେ ବି, ଚୀନା କରୋନା ଭଳି ବିପଦ ସମୟରେ ସେମାନେ ନିଜକୁ ସମ୍ପୂର୍ଣ୍ଣ ଅସହାୟ ଓ ନିଃସ୍ବ ଅବସ୍ଥାରେ ଆବିଷ୍କାର କରିଛନ୍ତି। ସହରରେ ସେମାନଙ୍କର ସଞ୍ଚିତ ପୁଞ୍ଜି ନିଃଶେଷ ହେବା ପରେ ସେମାନେ କାହାଣୀର ଶଶା ପରି ଗାଁ ଆକାଶରେ ଦିଶୁଥିବା ସାମାଜିକ ପୁଞ୍ଜି ଜହ୍ନ ଆଡ଼କୁ ଧାଇଁଛନ୍ତି। ଏଠାରେ କିନ୍ତୁ ଶୋଷ ମେଣ୍ଟିବାର ସମ୍ଭାବନା ରହିଛି।