୧୯୭୧ ଡିସେମ୍ବର ଦ୍ବିତୀୟ ସପ୍ତାହରେ ବିମାନବାହୀ ଜାହାଜ ୟୁଏସ୍ଏସ୍ ଏଣ୍ଟରପ୍ରାଇସ୍ର ନେତୃତ୍ବରେ ଆମେରିକାର ସପ୍ତମ ନୌଭେଳା ବଙ୍ଗୋପସାଗରରେ ପ୍ରବେଶ କଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଓ ତାଙ୍କର ଜାତୀୟ ନିରାପତ୍ତା ଉପଦେଷ୍ଟା ହେନ୍ରି କିସିଞ୍ଜର୍ ଭାରତକୁ ଡରାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। ତତ୍କାଳୀନ ପୂର୍ବ ପାକିସ୍ତାନରେ ପାକିସ୍ତାନ ଚଳାଇଥିବା ଗଣହତ୍ୟାର ଅନ୍ତ ଘଟାଇବା ପାଇଁ ଭାରତ ବାଧୢ ହୋଇ ସେଠାରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବା ପରେ ନିକ୍ସନ-କିସିଞ୍ଜର୍ ଯୋଡ଼ି ପାକିସ୍ତାନ ପାଖରେ ଭଲେଇ ହେବା ପାଇଁ ଭାରତ ତଟରେ ନିଜର ନୌ-ଶକ୍ତି ପ୍ରଦର୍ଶନ କରିଥିଲେ। ପାକିସ୍ତାନକୁ ଖୁସି କରିବା ପାଇଁ ଏହି କୁଖ୍ୟାତ ଯୋଡ଼ିର ଉତ୍କଣ୍ଠାର କାରଣ ଥିଲା- ଚୀନ୍।
Sambad is now on WhatsApp
Join and get latest news updates delivered to you via WhatsApp
୧୯୪୯ରେ ମାଓ ଜେଡଙ୍ଗ୍ଙ୍କ ନେତୃତ୍ବରେ କମ୍ୟୁନିଷ୍ଟ ଚୀନ୍ର ପ୍ରତିଷ୍ଠା ପର ଠାରୁ ପରାସ୍ତ ଚିଆଙ୍ଗ୍ କାଇସେକ୍ ଆଶ୍ରୟ ନେଇଥିବା ତାଇଵାନ୍କୁ ହିଁ ଆମେରିକା ପ୍ରକୃତ ଚୀନ୍ ରୂପେ ସ୍ବୀକୃତି ଦେଇ ଆସୁଥିଲା। ଇତି ମଧୢରେ ଆମେରିକା ଭିଏତ୍ନାମ ଯୁଦ୍ଧରେ ଛନ୍ଦି ହୋଇ ମୁକୁଳିବାର ବାଟ ପାଉନଥିଲା। ଚୀନ୍ ଯୋଗାଉଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭିଏତ୍କଙ୍ଗ୍ ଗରିଲା ସୈନ୍ୟମାନେ ହଜାର ହଜାର ଆମେରିକୀୟ ସୈନ୍ୟମାନଙ୍କର ପ୍ରାଣ ନାଶ କରି ଚାଲିଥିଲେ। ଚୀନ୍ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରି ତାକୁ ଭିଏତ୍କଙ୍ଗ୍ମାନଙ୍କୁ ସାହାଯ୍ୟ କରିବାରୁ ନିବୃତ୍ତ କରାଯାଇ ପାରିବ ବୋଲି ଏକଦା ତୀବ୍ର କମ୍ୟୁନିଷ୍ଟ୍ ବିରୋଧୀ ଥିବା ନିକ୍ସନ୍ଙ୍କୁ କିସିଞ୍ଜର୍ ବୁଝାଇ ଦେଇଥିଲେ। ତା’ଛଡ଼ା ଚୀନ୍କୁ ନିଜ ପଟକୁ ଢଳାଇ ଆଣିଲେ ପ୍ରତିପକ୍ଷ କମ୍ୟୁନିଷ୍ଟ ସୋଭିଏତ୍ ରୁଷ୍ ଦୁର୍ବଳ ହୋଇଯିବ ବୋଲି ସେମାନେ ବିଶ୍ବାସ କରୁଥିଲେ। ସର୍ବୋପରି, ବିଶ୍ବ ସମୁଦାୟ ସହିତ ସମ୍ପର୍କ ସ୍ଥାପନ ପରେ କମ୍ୟୁନିଷ୍ଟ ଚୀନ୍ କ୍ରମେ ଏକ ମାନବାଧିକାରବାଦୀ ଉଦାର ଗଣତନ୍ତ୍ରରେ ପରିଣତ ହେବ ଏବ˚ ସେଠାରେ ଏକଛତ୍ରବାଦୀ ରାଷ୍ଟ୍ରଶକ୍ତିର ଅନ୍ତ ଘଟିବ ବୋଲି ନିଜ ଦେଶବାସୀମାନଙ୍କୁ ସେମାନେ ଏକ ଅଳୀକ ସ୍ବପ୍ନ ଦେଖାଇଥିଲେ।
ଚୀନ୍ ସହିତ ପ୍ରଥମ ଥର ପାଇଁ ଏଭଳି ସମ୍ପର୍କ ସ୍ଥାପନ କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କର ଲୋଡ଼ା ଥିଲା ଏକ ମଧୢସ୍ଥି। କିସିଞ୍ଜର୍ ଯାହାଙ୍କୁ ଏଥି ପାଇଁ ମଧୢସ୍ଥି ରୂପେ ବାଛିଲେ, ସେ ହେଲେ ପାକିସ୍ତାନର ଏକଛତ୍ର ସାମରିକ ଶାସକ- ଜେନେରାଲ୍ ୟାହା ଖାନ୍। ୟାହା ଖାନ୍ ପୂର୍ବ ପାକିସ୍ତାନରେ ବର୍ବର ଗଣହତ୍ୟା ଚଳାଇଥିବା ସମୟରେ ହିଁ ୧୯୭୧ ଆଦ୍ୟ ଭାଗରେ କିସିଞ୍ଜର୍ ପାକିସ୍ତାନ ଗସ୍ତରେ ଆସି ସେଠାରୁ ଗୁପ୍ତରେ ଚୀନ୍ ଯାଇ ପର ବର୍ଷ ନିକ୍ସନ୍ଙ୍କର ଚୀନ୍ ଗସ୍ତ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଚୀନା ନେତାମାନଙ୍କୁ ମନାଇବାରେ ଲାଗିଲେ। ୟାହା ଖାନ୍ଙ୍କ ସାହାଯ୍ୟ ଏଥିପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ତେଣୁ ସେ ସମୟରେ ପାକିସ୍ତାନ ପକ୍ଷ ନେଇ ନିକ୍ସନ୍-କିସିଞ୍ଜର୍ ଟିମ୍ ବଙ୍ଗୋପସାଗରରେ ନୌଭେଳା ଭସାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ସେମାନଙ୍କର ଏହି ଆଚରଣ ପଛରେ ଆଉ ଏକ କାରଣ ମଧୢ ଛପି ରହିଥିଲା- କିସିଞ୍ଜର୍ଙ୍କର ତୀବ୍ର ଭାରତ-ବିରୋଧୀ ମନୋଭାବ। ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ନଥିଲେ ମଧୢ ଭାରତ ପ୍ରତି ତାଙ୍କର ଅସୂୟା ଭାବ ସେହିପରି ସ୍ପଷ୍ଟ ଥିଲା, ଯେଉଁ ପରି ଥିଲା ଚର୍ଚ୍ଚିଲ୍ଙ୍କର। ୧୯୭୨ରେ ତାଙ୍କର ଚୀନ୍ ଗସ୍ତର ମାତ୍ର ଦୁଇ ବର୍ଷ ପରେ ସରକାରୀ କ୍ଷମତା ଦୁରୁପଯୋଗ କରି ଵାଟର୍ଗେଟ୍ କେଳେଙ୍କାରୀରେ ଜଡ଼ିତ ହୋଇ ନିକ୍ସନ୍ ମହାଭିଯୋଗର ସମ୍ମୁଖୀନ ହୋଇ ଇସ୍ତଫା ଦେବାକୁ ବାଧୢ ହେଲେ ଏବ˚ ଦୁଇ ଦଶନ୍ଧି କାଳ ସେ ଅପ ଖ୍ୟାତି ବହନ କରି ୧୯୯୪ରେ ଇହଧାମ ତ୍ୟାଗ କଲେ। ହେନ୍ରି କିସିଞ୍ଜର୍ ଜୀବିତ ଅଛନ୍ତି ଓ ତାଙ୍କର ବୟସ ଏବେ ୯୭ ବର୍ଷ। ଯେଉଁମାନେ ଅତ୍ୟଧିକ ସରକାରୀ କ୍ଷମତା ଓ ଏକଛତ୍ରବାଦକୁ ବିରୋଧ କରନ୍ତି, ସେମାନଙ୍କ ମଧୢରୁ କେହି କେହି ରିଚାର୍ଡ ନିକ୍ସନ୍ଙ୍କ ପ୍ରତି ଛଳ କୃତଜ୍ଞତା ପ୍ରକାଶ କରିବା ଦେଖାଯାଇଥାଏ- ଯେପରି ପ୍ରସିଦ୍ଧ ବିଜ୍ଞାନ କାହାଣୀ ଲେଖକ ସ୍ବର୍ଗତ ଫ୍ରାଙ୍କ୍ ହର୍ବଟ୍। ପୃଥିବୀରେ ସର୍ବାଧିକ ବିକ୍ରି ହୋଇଥିବା ‘ଡିଉନ୍’ (ବାଲିବନ୍ତ) ଉପନ୍ୟାସମାଳାର ରଚୟିତା ତାଙ୍କର ଏହି କାହାଣୀମାନ ମାଧୢମରେ ଯେଉଁ ସନ୍ଦେଶ ପ୍ରସାର କରି ତାଙ୍କର ଅଗଣିତ ଗୁଣମୁଗ୍ଧ ପାଠକପାଠିକାମାନଙ୍କ ପାଇଁ ଏକ ପ୍ରକାରର ଧର୍ମପ୍ରଚାରକରେ ପରିଣତ ହୋଇଥିଲେ, ତାହା ହେଲା ବ୍ୟକ୍ତି ସ୍ବାଧୀନତାର ଉପାସନା ଓ ଏକଛତ୍ର କ୍ଷମତାର ବିରୋଧ। ସେଇ ଫ୍ରାଙ୍କ୍ ହର୍ବଟ୍ ଥରେ ଏନ୍ବିସି ଟେଲିଭିଜନ୍ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ ତାଙ୍କର ସବୁଠାରୁ ପ୍ରିୟ ରାଷ୍ଟ୍ରପତି ହେଉଛନ୍ତି ରିଚାର୍ଡ ନିକ୍ସନ, ‘‘କାରଣ ସେ ଆମକୁ ସରକାରକୁ ଅବିଶ୍ବାସ କରିବାକୁ ଶିଖାଇଛନ୍ତି’’। ଫ୍ରାଙ୍କ୍ ହର୍ବଟ୍ ଇହଧାମ ତ୍ୟାଗ କରିଥିଲେ ୧୯୮୬ରେ। ସେ କିନ୍ତୁ ଯଦି ଆଜି ବଞ୍ଚିଥା’ନ୍ତେ, ସେ ମଧୢ ଆମେରିକାର ପରରାଷ୍ଟ୍ର ସଚିବ (କିସିଞ୍ଜର୍ ମଧୢ ଅତୀତରେ ଏହି ପଦରେ ଥିଲେ) ମାଇକ୍ ପମ୍ପେଓଙ୍କ ସହିତ ସ୍ବର ମିଳାଇ କହନ୍ତେ ନିକ୍ସନ-କିସିଞ୍ଜର୍ ଚୀନ୍ ପାଇଁ ବାହାର ଦୁନିଆର ଦ୍ବାର ଖୋଲି ଦେଇ ପୃଥିବୀରେ ମାନବ ସମାଜର ଭୟଙ୍କର କ୍ଷତି ଘଟାଇଛନ୍ତି। ନିକ୍ସନ୍ଙ୍କ କୁକର୍ମ ଯୋଗୁଁ ଆମେରିକାବାସୀ ନିଜ ସରକାର ପ୍ରତି ସତର୍କ ରହିବାକୁ ସିନା ଶିଖିଗଲେ (ହର୍ବଟ୍ କହିଥିବା ଭଳି) କିନ୍ତୁ ନିକ୍ସନ୍ ବୋତଲ ଭିତରେ ବନ୍ଦ ହୋଇଥିବା ରାକ୍ଷସ ଚୀନ୍କୁ ବାହାରକୁ ଆଣିବା ପରେ ସାରା ଦୁନିଆ ତା ଯୋଗୁଁ ଯେଉଁ କଷଣ ଭୋଗ କରୁଛି, ସେଥିରୁ ମୁକୁଳିବାର ଉପାୟ ନା ଆମେରିକାବାସୀ ଖୋଜି ପାଉଛନ୍ତି, ନା ଭାରତବାସୀ, ନା ୟୁରୋପବାସୀ, ନା ଆଫ୍ରିକାବାସୀ- କେହି ହେଲେ ଖୋଜି ପାଉଛନ୍ତି।
ସପ୍ତାହକ ତଳେ କାଲିଫର୍ଣ୍ଣିଆସ୍ଥିତ ‘ରିଚାର୍ଡ ନିକ୍ସନ ପ୍ରେସିଡେନ୍ସିଆଲ୍ ଲାଇବ୍ରେରି’ଠାରେ ଏକ ଭାଷଣ ଦେଇ ପୃଥିବୀ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରି ପମ୍ପେଓ ପ୍ରଶ୍ନ କରିଥିଲେ: ‘‘ଚୀନ୍ ସହିତ ସମ୍ପର୍କ ସ୍ଥାପନ କରିବାର ୫୦ ବର୍ଷ ବିତି ଯିବା ପରେ ବି ଆମେରିକାର ଲୋକମାନେ ସେଥିରୁ ପାଇଛନ୍ତି କ’ଣ?’’ ପମ୍ପେଓ କହିଥିଲେ ଯେ ଖୋଦ୍ ନିକ୍ସନ କୁଆଡ଼େ ପରବର୍ତ୍ତୀ ସମୟରେ ନିଜର ଚୀନ୍-ନୀତି ପାଇଁ ଅନୁତାପ ପ୍ରକାଶ କରିଥିଲେ। ସେତିକି ନୁହେଁ, ସେ ଉପର ବର୍ଣ୍ଣିତ ଆମେରିକାର ଭାରତ-ବିରୋଧୀ ଓ ପାକିସ୍ତାନବାଦୀ ଆଚରଣ ଏବ˚ ନିର୍ଦ୍ଦିଷ୍ଟ ଭାବରେ ବଙ୍ଗୋପସାଗରରେ ଅନୁପ୍ରବେଶର ସମାଲୋଚନା କରିଥିଲେ। ପମ୍ପେଓ ପ୍ରଶ୍ନ କରିଥିଲେ ଯେ ପୂର୍ବର ଯେଉଁ ନେତାମାନେ ଦାବି କରୁଥିଲେ ଯେ କମ୍ୟୁନିଷ୍ଟ ଚୀନ୍ ସହିତ ମୁକ୍ତ ବିଶ୍ବ ସମ୍ପର୍କ ସ୍ଥାପନ କଲେ ସେ ଦେଶ କ୍ରମେ ଅଧିକ ଉଦାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଆହରଣ କରିବ, ସେମାନେ ଏବେ କ’ଣ କହିବେ? ଏହି ଅର୍ଦ୍ଧ ଶତାବ୍ଦୀ ମଧୢରେ ଚୀନ୍ରେ ମାନବାଧିକାର ନିଷ୍ପେଷଣ ହ୍ରାସ ପାଇବା ପରିବର୍ତ୍ତେ ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଛି।
କରୋନା ଭାଇରସ୍ର ବିଶ୍ବବ୍ୟାପୀ ପ୍ରସାର ପାଇଁ ସେ ସିଧାସଳଖ ଭାବରେ ଚୀନ୍କୁ ଦାୟୀ କରି, ସେହି ଦେଶ ଓ ତା’ର ନେତୃବୃନ୍ଦଙ୍କୁ ଛିଗୁଲାଇ କହିଥିଲେ ଯେ, ଆମେ ବିଶ୍ବାସ କରିଥିଲୁ ଯେ ଚୀନ୍ ସହିତ ସମ୍ପର୍କ ସ୍ଥାପନ କଲେ ଏକ ସହଯୋଗ ଭିତ୍ତିକ ଉଜ୍ଜ୍ବଳ ଭବିଷ୍ୟତର ଆବିର୍ଭାବ ଘଟିବ, କିନ୍ତୁ ଶେଷରେ ଆମେ ଯାହା ପାଇଛୁ, ତାହାହେଲା ସମସ୍ତେ ମୁଖା ପିନ୍ଧି ଶବ ଗଣତି କରି ଚାଲିବା। ଚାଇନିଜ୍ କମ୍ୟୁନିଷ୍ଟ, ପାର୍ଟି ତଥ୍ୟ ଲୁଚାଇବାରୁ ହିଁ ପୃଥିବୀବାସୀଙ୍କୁ ଏ ଦଶା ଭୋଗ କରିବାକୁ ପଡ଼ୁଛି ବୋଲି ପମ୍ପେଓ ଅଭିଯୋଗ କରିଥିଲେ। ପମ୍ପେଓ ସେଇ ଭାଷଣରେ ମୁକ୍ତ ବିଶ୍ବର ଦେଶମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ସେମାନେ ଯଦି ଏବେ ଏକଜୁଟ ହୋଇ ଚୀନ୍କୁ ବଦଳାଇବାକୁ ଚେଷ୍ଟା ନକରିବେ, ତେବେ ଚୀନ୍ ସେମାନଙ୍କୁ ବଦଳାଇ ଦେବା ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ଆମେରିକାରେ ଧରା ପଡ଼ିଥିବା ଚୀନା ଗୁପ୍ତଚରମାନେ ସେ ଦିଗରେ ଚୀନ୍ ଚଳାଇଥିବା ପୃଥିବୀ ବ୍ୟାପୀ ଉଦ୍ୟମର ଏକ ନିଶ୍ଚିତ ପ୍ରମାଣ। ନିଜ ଭାଷଣରେ ଭାରତର ବିଶେଷ ଉଲ୍ଲେଖ କରି ଏହି ଚୀନ୍-ବିରୋଧୀ ସାମ୍ମୁଖ୍ୟରେ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରତି ପମ୍ପେଓ ଇସାରା କରିଥିଲେ। ଏହା ସତ ଯେ ଆରବ୍ୟ କାହାଣୀର ଚତୁର ଧୀବର ଭଳି ଆଜି କେହି ନାହିଁ, ଯିଏ ଏକାକୀ ବୋତଲରୁ ନିକ୍ସନ ବାହାର କରିଥିବା ଚୀନା ଭୂତକୁ ପୁଣି ବୋତଲରେ ପୂରାଇ ବନ୍ଦ କରିପାରିବ, କିନ୍ତୁ ପମ୍ପେଓ କହିଥିବା ଭଳି ଅନ୍ୟ ଦେଶମାନେ ଏକାଠି ହେଲେ ଏହା କରିପାରିବେ।