ଚନ୍ଦ୍ର ଚୋରି

୧୯୬୯ ଜୁଲାଇ ୨୧ ଦିନ ମନୁଷ୍ୟ ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ପାଦ ଥାପିଲା ପରେ କଥାକାର ସୁରେନ୍ଦ୍ର ମହାନ୍ତି ଜଗତସି˚ହପୁର ଅଞ୍ଚଳର କେଉଁ ଏକ ଗ୍ରାମର ନିର୍ମଳ ଆକାଶରେ ବାଙ୍କୁଲି ଜହ୍ନକୁ ଦେଖି ଆଶ୍ବସ୍ତି ପ୍ରକାଶ କରିଥିଲେ ଯେ ଚନ୍ଦ୍ରଲୋକରେ ମନୁଷ୍ୟର ଅନୁପ୍ରବେଶ ସତ୍ତ୍ବେ ପୃଥିବୀ ପୃଷ୍ଠରେ ମନୁଷ୍ୟର ମନ ଉପରେ ଜହ୍ନର ମାୟାବୀ ପ୍ରଭାବ ସେମିତି ଅତୁଟ ରହିଛି। ସେ ବୋଧହୁଏ କହିବାକୁ ଚାହୁଁଥିଲେ ମନୁଷ୍ୟର ପଦାଘାତ ସତ୍ତ୍ବେ ଜହ୍ନ ତା’ଠାରୁ ଦୂରେଇ ଯାଇନାହିଁ ଏବ˚ ଧରାପୃଷ୍ଠରେ ଜୀବନର କର୍କଶତାକୁ ସାଉଁଳି ଦେବା ପାଇଁ ଶୀତଳ ଜ୍ୟୋତ୍ସ୍ନା ଅଜାଡ଼ି ଦେବାରେ କିଛି ହେଲେ ଊଣା କରିନାହିଁ। ଅନେକଙ୍କୁ ଏହା ଏକ ଭାବପ୍ରବଣତା ଭଳି ମନେ ହୋଇପାରେ। କିନ୍ତୁ କେହି ଯଦି ଭାବପ୍ରବଣତା ଠାରୁ ଦୂରରେ ରହି ସମ୍ପୂର୍ଣ୍ଣ ବାସ୍ତବତାପୂର୍ଣ୍ଣ ପଦାର୍ଥବିଜ୍ଞାନ ଦୃଷ୍ଟିକୋଣରୁ ପୃଥିବୀ ପ୍ରତି ଚନ୍ଦ୍ରର ଆନୁଗତ୍ୟର ଅନୁଶୀଳନ କରେ, ସେ ମଧୢ ଭାବପ୍ରବଣ ନ ହୋଇ ରହିପାରିବ ନାହିଁ। କାରଣ ପୃଥିବୀଠାରୁ ବହୁ ଅଧିକ ଶକ୍ତିଶାଳୀ ଏକ ପ୍ରତିଦ୍ବନ୍ଦ୍ବୀ ତା’ଠାରୁ ଚନ୍ଦ୍ରକୁ ଛଡ଼ାଇ ନେବା ପାଇଁ ପ୍ରାୟ ୪୦୦ କୋଟି ବର୍ଷ ଧରି ଚେଷ୍ଟା ଚଳାଇ ଆସିଥିଲେ ହେଁ ଚନ୍ଦ୍ର ପୃଥିବୀକୁ ଛାଡ଼ି ଚାଲିଯାଇନାହିଁ।

ଏ ପ୍ରତିଦ୍ବନ୍ଦ୍ବୀ ଜଣକ ହେଉଛି ସୂର୍ଯ୍ୟ। ପୃଥିବୀ, ଚନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହମାନଙ୍କୁ ନେଇ ଯେଉଁ ସୌର ଜଗତ୍‌ ଗଠିତ, ସେଇ ସୌର ଜଗତ୍‌ରେ ଯିଏ ଏକା ମାଧିଆ ବାଇଶି ପଳ, ସେ ହେଉଛି ଏହାର କେନ୍ଦ୍ରରେ ଥିବା ସୂର୍ଯ୍ୟ। ସାରା ସୌର ଜଗତ୍‌କୁ ଯଦି ଏକ ପିଣ୍ତ ରୂପେ ବିଚାର କରାଯାଏ, ଏକୁଟିଆ ସୂର୍ଯ୍ୟ ହେଉଛି ସେ ପିଣ୍ତର ୯୯.୮ ଶତା˚ଶ। ଏହି ବିଶାଳ ପିଣ୍ତ ‘ମହାଶୂନ୍ୟ-ସମୟ ଗଢ଼ଣ’ରେ ନିଜ ଚତୁର୍ଦ୍ଦିଗରେ ଯେଉଁ ବିଶାଳ ଖାଲ ସୃଷ୍ଟି କରିଥାଏ, ତାହାର ଢାଲୁ ଅଞ୍ଚଳରେ ବିଭିନ୍ନ ଉଚ୍ଚତାରେ ଏବ˚ ଭିନ୍ନ ଭିନ୍ନ ବେଗରେ ଗ୍ରହ, ଗ୍ରହାଣୁପୁଞ୍ଜ ଏବ˚ ଧୂମକେତୁମାନ ତା’ର ଚତୁର୍ଦ୍ଦିଗରେ ଘୂରି ବୁଲୁଥାନ୍ତି, ଯାହା ମାଧୢାକର୍ଷଣ ରୂପେ ପରିଚିତ। ପୃଥିବୀ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂରୁଥିବା ବେଳେ ଚନ୍ଦ୍ର ପୃଥିବୀ ନିକଟରେ ରହି ପୃଥିବୀ ଚତୁର୍ଦ୍ଦିଗରେ ଘୂରି ଚାଲିଥାଏ। ମନେ ହୋଇ ପାରେ ଚନ୍ଦ୍ରର ଅବସ୍ଥିତି ସୂର୍ଯ୍ୟ ଅପେକ୍ଷା ପୃଥିବୀର ନିକଟତର ହୋଇଥିବାରୁ ଚନ୍ଦ୍ର ଉପରେ ପୃଥିବୀର ମାଧୢାକର୍ଷଣ ପ୍ରଭାବ ସୂର୍ଯ୍ୟ ଠାରୁ ଅଧିକ ହୋଇଥାଏ, ଯେଉଁଥିପାଇଁ ସୂର୍ଯ୍ୟ ପୃଥିବୀଠାରୁ ଚନ୍ଦ୍ରକୁ ଛଡ଼ାଇ ନେଇପାରେ ନାହିଁ କି ଚୋରାଇ ନେଇପାରେ ନାହିଁ। ମାଧୢାକର୍ଷଣର ଶକ୍ତି କେବଳ ପିଣ୍ତଟିର ଆକାର ଉପରେ ନୁହେଁ, ଦୂରତା ଉପରେ ମଧୢ ନିର୍ଭର କରିଥାଏ। ଚନ୍ଦ୍ର ଠାରୁ ସୂର୍ଯ୍ୟର ଦୂରତା ହେଉଛି ଚନ୍ଦ୍ର ଠାରୁ ପୃଥିବୀର ଦୂରତାର ୪୦୦ ଗୁଣ। କିନ୍ତୁ ଚନ୍ଦ୍ର ଚୋରି ନ ହୋଇପାରିବାର କାରଣ ଏହା ନୁହେଁ। ସୂର୍ଯ୍ୟର ଆକାରର ବିଶାଳତା ଏ ଦୂରତାକୁ ଅର୍ଥହୀନ କରିଥାଏ, ଯାହା ହେଉଛି ପୃଥିବୀ ଆକାରର ପ୍ରାୟ ୩,୩୦,୦୦୦ ଗୁଣ। ଏଣୁ ଚନ୍ଦ୍ର ଉପରେ ସୂର୍ଯ୍ୟ ପୃଥିବୀ ଠାରୁ ବହୁ ଅଧିକ ବଳ ପ୍ରୟୋଗ କରି ଚାଲିଛି, ଯାହା ପୃଥିବୀର ଆକର୍ଷଣର ପ୍ରାୟ ଦୁଇଗୁଣ ବୋଲି ହିସାବ କରାଯାଇଛି। କିନ୍ତୁ ବାହୁବଳୀ ସୂର୍ଯ୍ୟର ସକଳ ଉଦ୍ୟମ ସତ୍ତ୍ବେ ଚନ୍ଦ୍ର ତାକୁ ପ୍ରତ୍ୟାଖ୍ୟାନ କରି ପୃଥିବୀର ସାନ୍ନିଧୢକୁ ପସନ୍ଦ କରି ଆସିଛି। ଏହା ପଛରେ ନିହିତ ଥିବା ପଦାର୍ଥ ବିଜ୍ଞାନ ତତ୍ତ୍ବ ଅନୁସାରେ କୋଣସି ଏକ ପିଣ୍ତର ମାଧୢାକର୍ଷଣ ଓଟରାରୁ ମୁକୁଳିବା ପାଇଁ ଅନ୍ୟ ପିଣ୍ତଟିକୁ ଉକ୍ତ ପିଣ୍ତର ଗତିବେଗ ତୁଳନାରେ ଏକ ଅନ୍ୟୂନ ବେଗ ହାସଲ କରିବାକୁ ହେବ। ଏହି ବେଗକୁ ‘ଏସ୍‌କେପ୍‌ ଭେଲୋସିଟି’ ବା ‘ପଳାୟନ ବେଗ’ ବୋଲି କୁହାଯାଇଥାଏ। ପୃଥିବୀ ପରିକ୍ରମା କରୁଥିବା ଚନ୍ଦ୍ରର ବେଗ ହେଉଛି ପ୍ରାୟ ୧ କି.ମି/ପ୍ରତି ସେକେଣ୍ତ। ପୃଥିବୀର ଆକର୍ଷଣରୁ ମୁକୁଳିବା ପାଇଁ ଆବଶ୍ୟକ ଚନ୍ଦ୍ରର ‘ଏସ୍‌କେପ୍‌ ଭେଲୋସିଟି’ ହେଉଛି ସେକେଣ୍ତ ପ୍ରତି ୧.୨ କି.ମି ବୋଲି ହିସାବ କରାଯାଇଛି। ଚନ୍ଦ୍ର ଏହି ଲକ୍ଷ୍ମଣ ରେଖା ଅତିକ୍ରମ କରୁନାହିଁ କି ସୂର୍ଯ୍ୟ ହାତରେ ଧରା ଦେଉନହିଁ।

ଗତ ସପ୍ତାହରେ କିନ୍ତୁ ଆମୋଦଦାୟକ ଭାବରେ ଏହି ତ୍ରିକୋଣୀୟ ଚିତ୍ରରେ ଏକ କ୍ଷୁଦ୍ର ଅନୁପ୍ରବେଶ ଘଟିଥିବାର ଖବର ପ୍ରକାଶ ପାଇଛି: ଆକାଶରେ ଆଉ ଗୋଟିଏ ଚନ୍ଦ୍ର। ଏ ଦ୍ବିତୀୟ ଚନ୍ଦ୍ରଟି ଖାଲି ଆଖିକୁ ଦିଶିବ ନାହିଁ, କିମ୍ବା ରାତିର ଆକାଶକୁ ଆଲୋକିତ କରିବ ନାହିଁ, କିମ୍ବା ତା’ର ଆକର୍ଷଣ ସାଗର ବକ୍ଷରେ ଜୁଆର ସୃଷ୍ଟି କରିବ ନାହିଁ; କିନ୍ତୁ ଆମର ଚିର ସହଚର ଚନ୍ଦ୍ରମା ଭଳି ଏକ ଛୋଟିଆ କାର‌୍‌ ଆକାରର ଏହି ନୂତନ ଚନ୍ଦ୍ରଟି ମଧୢ ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରି ଚାଲିଥିବା ବେଳେ, ପୃଥିବୀ ଚତୁର୍ଦ୍ଦିଗରେ ଘୂରି ବୁଲୁଛି। ଗତ ମାସ ୧୫ ତାରିଖରେ ବୈଜ୍ଞାନିକମାନଙ୍କ ଦୂରବୀକ୍ଷଣରେ ପ୍ରଥମ ଥର ଧରା ପଡ଼ିଥିବା ଏହି ନୂତନ ଟିକି ଚନ୍ଦ୍ରଟିର କକ୍ଷପଥ କିନ୍ତୁ ଅତ୍ୟନ୍ତ ଅନିୟମିତ ହୋଇଥିବା ଦେଖାଯାଇଛି- ଯାହା ଉଭୟ ପୃଥିବୀ ଓ ଅସଲି ଚନ୍ଦ୍ରର ଅଲଗା ଅଲଗା ମାଧୢାକର୍ଷଣ ପ୍ରଭାବର ପରିଣତି। ପର୍ଯ୍ୟବେକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ପ୍ରାୟ ଏକ ବର୍ଷ ତଳୁ ଏ ଟିକି ଚନ୍ଦ୍ରଟି ପୃଥିବୀ ଆକାଶରେ ପ୍ରବେଶ କରି ସାରିଲାଣି ଏବ˚ ପ୍ରାୟ ପ୍ରତି ଚାରି ମାସରେ ଥରେ ସେ ପୃଥିବୀକୁ ପ୍ରଦକ୍ଷଣ କରି ଚାଲିଛି।

ଏ ନୂତନ ଚନ୍ଦ୍ରଟିର ଆଗମନର ରହସ୍ୟ ମଧୢ ସେମାନେ ଉନ୍ମୋଚନ କରି ପାରିଛନ୍ତି ବୋଲି ବିଶ୍ବାସ କରୁଛନ୍ତି। ସେମାନଙ୍କ ମତରେ ‘୨୦୨୦ ସିଡି ୩’ ନାମରେ ନାମିତ ଏହି ନୂତନ ଚନ୍ଦ୍ରଟି ହେଉଛି ମଙ୍ଗଳ ଓ ବୃହସ୍ପତି ମଧୢବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରହାଣୁ ପୁଞ୍ଜରୁ ଖସି ଆସିଥିବା ଏକ ଗ୍ରହାଣୁ ଖଣ୍ଡ ଯିଏ ପୃଥିବୀ ପାଖ ଦେଇ ଚାଲି ଯାଉଥିବା ବେଳେ ପୃଥିବୀର ମାଧୢାକର୍ଷଣ ତାକୁ ଅଟକାଇ ଦେଇ ଏକ ଦ୍ବିତୀୟ ଚନ୍ଦ୍ରରେ ପରିଣତ କରି ନିଜ ଚାରିପଟେ ଘୂରାଇବାରେ ଲାଗିଛି। ଏହା ଏକ ସୂର୍ଯ୍ୟ ମୁହାଁ ଗ୍ରହାଣୁ ଖଣ୍ଡର ଚୋରି ଏବ˚ ତା’ପରେ ତାକୁ ମଣ କରି ତା’ର ଆଚରଣରେ ପରିବର୍ତ୍ତନ ଘଟାଇବା ବ୍ୟତୀତ ଆଉ କିଛି ନୁହେଁ। କିନ୍ତୁ ପୃଥିବୀ ଏଭଳି ଚନ୍ଦ୍ର ଚୋରି କରୁଥିବା ବେଳେ ସୂର୍ଯ୍ୟ ମଧୢ ହାତ ବାନ୍ଧି ବସି ନାହିଁ- ତା’ର ମାଧୢାକର୍ଷଣ ମଧୢ ‘୨୦୨୦ ସିଡି ୩’କୁ ଭିଡ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ସୂର୍ଯ୍ୟ ଏଥିରେ ସଫଳ ହେବାରେ ଲାଗିଛି ଏବ˚ ଆମେ ଯେଉଁ ସମୟରେ ‘୨୦୨୦ ସିଡି ୩’କୁ ଠାବ କରିପାରିଛୁ, ତାହା ହେଉଛି ସେ ପୃଥିବୀର କକ୍ଷପଥରୁ ପ୍ରସ୍ଥାନ କରୁଥିବା ସମୟର। ଆଉ ମାତ୍ର କେତେ ସପ୍ତାହ ମଧୢରେ ଏହି ନୂତନ ଚନ୍ଦ୍ରଟି ପୃଥିବୀର କକ୍ଷପଥକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପୁଣି ସୂର୍ଯ୍ୟଙ୍କୁ ପରିକ୍ରମା କରିବାରେ ଲାଗିଯିବ ବୋଲି ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି। ଗୋଟିଏ ନୂତନ ଚନ୍ଦ୍ରକୁ ଆବିଷ୍କାର କରିବା ପରେ ଏତେ ଶୀଘ୍ର ତାକୁ ପୁଣି ହରାଇ ବସିବା କେତେକ ପର୍ଯ୍ୟବେକ୍ଷକଙ୍କୁ ବିମର୍ଷ କରିପାରେ। କିନ୍ତୁ ସେମାନେ ଯେତେବେଳେ ଆମ ନିଜ ଜହ୍ନର ଆନୁଗତ୍ୟ ସମ୍ବନ୍ଧରେ ପୁଣି ସଚେତନ ହେବେ, ସେତେବେଳେ ଏକ କ୍ଷଣିକ ଆବିର୍ଭାବ ପରେ ଏ ଚୋରା ଚନ୍ଦ୍ରର ପ୍ରତାରଣା ଓ ପ୍ରସ୍ଥାନ ସେମାନଙ୍କ ପାଇଁ ଆଉ ବେଦନାଦାୟକ ହେବ ନାହିଁ। ସେମାନେ ଅନୁଭବ କରିବେ ଯେ ୧୯୬୯ରେ ମନୁଷ୍ୟର ପଦାଘାତ ପରେ ମଧୢ ଚନ୍ଦ୍ର ତାକୁ ଚାନ୍ଦିନୀ ଦାନ ଊଣା କରି ନ ଥିଲା; ୨୦୨୦ରେ ଏକ ଲମ୍ପଟ ପ୍ରେମିକ ପରି ପୃଥିବୀ ଏକ ନବୀନ ଚନ୍ଦ୍ର ପ୍ରତି ଆକର୍ଷିତ ହେବା ଜଣାପଡ଼ିବା ପରେ ମଧୢ ଜହ୍ନ ସେମିତି ପ୍ରତିହି˚ସା ପରାୟଣ ନ ହୋଇ ଜ୍ୟୋତ୍ସ୍ନା ବିଞ୍ଚି ଚାଲିଥିବ ଏବ˚ ମାନସି˚ହଙ୍କ ପରି କବିମାନଙ୍କୁ ଗାଇବାକୁ ପ୍ରେରଣା ଯୋଗାଇ ଚାଲିଥିବ,: ‘‘ଚାନ୍ଦିନୀ ରାତି ଉଠିଥିଲା ମାତି/ ମଳୟ ପରଶ ପାଇ/ ବନପକ୍ଷୀ ଦୂରେ କରୁଣ ମଧୁରେ/ ଯାଉଥିଲା କିବା ଗାଇ।’’

ସମ୍ବନ୍ଧିତ ଖବର