ଦିଗବାରେଣୀ’ ନିର୍ବାଚନ

‘ଆଜି (ସୋମବାର) ପଡେ଼ାଶୀ ରାଜ୍ୟ ଛତିଶଗଡ଼ର ନକ୍ସଲ ପ୍ରବଣ ଇଲାକାର ଅଠରଟି ବିଧାନସଭା ଆସନରେ ମତଦାନ ସହ ଊଣେଇଶ ସାଧାରଣ ନିର୍ବାଚନ ପୂର୍ବରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟକ୍ରମେ ହେବାକୁ ଥିବା ଭୋଟ ଗ୍ରହଣ ପ୍ରକ୍ରିୟା ଆସନ୍ତା ଡିସେମ୍ବର ସାତ ତାରିଖ ଦିନ ସମ୍ପୂର୍ଣ୍ଣ ହେବ ଓ ୧୧ ତାରିଖ ଭୋଟ ଗଣତି ପରେ ଫଳାଫଳ ଘୋଷିତ ହେବ। ପାଞ୍ଚଟି ରାଜ୍ୟର ୬୭୯ଟି ବିଧାନସଭା ଆସନ ପାଇଁ ହେଉଥିବା ଏ ନିର୍ବାଚନକୁ କେତେକ ମହଲରେ ଊଣେଇଶ ଫାଇନାଲ ପୂର୍ବର ‘ସେମିଫାଇନାଲ’ କୁହାଯାଉଛି ତ ଆଉ କେତେକ ମହଲରେ ବଲିଉଡ ଭାଷାରେ ଊଣେଇଶ ଜନାଦେଶ ନେଇ ପୂର୍ଣ୍ଣାଙ୍ଗ ଫିଲ୍ମର ‘ଟ୍ରେଲର’ ଭାବେ ଚିତ୍ରଣ କରାଯାଉଛି। ଦେଶର ପ୍ରାୟ ୮୧ କୋଟି ମୋଟ ମତଦାତା ସ˚ଖ୍ୟାର ଅତିବେଶିରେ ଏକ ଦଶମା˚ଶ ଭାଗ ନେଉଥିବା ଏ ନିର୍ବାଚନକୁ ଊଣେଇଶ ଲଢେ଼ଇ ପୂର୍ବର ସେମିଫାଇନାଲ କିମ୍ବା ଟ୍ରେଲର ବୋଲି ଅଭିହିତ କରାଯିବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠିପାରେ। କିନ୍ତୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନିର୍ବାଚନ ମଇଦାନରେ ପାଞ୍ଚଟି ରାଜ୍ୟର ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କ ମଧୢରେ ମୁକାବିଲାର ଫଳାଫଳ ଊଣେଇଶରେ ଦିଲ୍ଲୀ ଲଢେ଼ଇ ନେଇ ଦେଶର ରାଜନୈତିକ ପାଣିପାଗର ‘ଦିଗବାରେଣୀ’ ରୂପେ କାମ କରିବ। ନିର୍ବାଚନକୁ ଯାଉଥିବା ପାଞ୍ଚଟି ରାଜ୍ୟ ମଧୢରୁ ତିନିଟି ବିଜେପି ଶାସିତ ରାଜ୍ୟରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ପ୍ରଦର୍ଶନ ଜାତୀୟ ରାଜନୀତି ଦୃଷ୍ଟିରୁ ବେଶ୍‌ ଗୁରୁତ୍ବ ବହନ କରେ। ଉତ୍ତର- ପୂର୍ବାଞ୍ଚଳର ମିଜୋରାମ ଏବ˚ ଦକ୍ଷିଣର ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରଭାବ ସମ୍ପୃକ୍ତ ରାଜ୍ୟର ସୀମା ଡେଇଁବା କ୍ବଚିତ୍‌ ସମ୍ଭାବନା। ଅନ୍ୟପକ୍ଷରେ ତିନି ବିଜେପି ଶାସିତ ରାଜ୍ୟ- ମଧୢପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ବିଧାନସଭା ଫଳାଫଳ ଜାତୀୟ ରାଜନୀତିର ଦୁଇ ମୁଖ୍ୟ ଖେଳାଳି ତଥା ଊଣେଇଶରେ ଦିଲ୍ଲୀ ଲଢେ଼ଇର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କ୍ଷମତାସୀନ ବିଜେପି ଏବ˚ ମୁଖ୍ୟ ବିରୋଧୀ କ˚ଗ୍ରେସ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ। ଏହି ତିନିଟି ରାଜ୍ୟରେ ଦୁଇ ଦଳ ମଧୢରେ ବସ୍ତୁତଃ ସିଧାସଳଖ ଲଢେ଼ଇ ହେଉଛି; ଯାହା ଆଉ ମାତ୍ର ମାସ କେଇଟା ପରେ ହେବାକୁ ଥିବା ଦିଲ୍ଲୀ ଦୌଡ଼ରେ କିଏ କେଉଁଠି? ନିଜର ଓ ପ୍ରତିପକ୍ଷର ଶକ୍ତି ଓ ଦୁର୍ବଳତା କେତେ? ତା’ର ଆକଳନ ସକାଶେ ଦୁଇପକ୍ଷଙ୍କ ପାଇଁ ଏହା ଏକ ସୁଯୋଗ।

ପାଞ୍ଚବର୍ଷ ତଳେ ଗତ ୨୦୧୩ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମଧୢପ୍ରଦେଶରେ ୨୩୦ ଜଣିଆ ବିଧାନସଭାରେ ୧୬୩ ଆସନ ସହ ଲଗାତାର ତୃତୀୟ ଥର ସରକାରକୁ ଆସିଥିଲା। ଛତିଶଗଡ଼ରେ ମଧୢ ହିନ୍ଦୁତ୍ବ ଦଳ ୯୦ ଜଣିଆ ବିଧାନସଭାରେ ୪୯ ଆସନ ପାଇ ‘ହ୍ୟାଟ୍ରିକ୍‌’ ସହ ସରକାର ଗଢ଼ିଥିଲା। ମଧୢପ୍ରଦେଶର ଶିବରାଜ ଚୌହାନ୍‌ ୨୦୦୫ରୁ ଏବ˚ ଛତିଶଗଡ଼ରେ ରମଣ ସି˚ହ ୨୦୦୩ରୁ ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ତୃତୀୟ ରାଜ୍ୟ ରାଜସ୍ଥାନରେ ଗତ ୨୦୧୩ରେ ବିଜେପି ୨୦୦ ଜଣିଆ ବିଧାନସଭାରେ୧୬୫ ଆସନ ଦଖଲ କରି କ˚ଗ୍ରେସ ହାତରୁ କ୍ଷମତା ଛଡ଼ାଇ ନେଇଥିଲା। ରାଜସ୍ଥାନ, ମଧୢପ୍ରଦେଶ ଓ ଛତିଶଗଡ଼ରେ କ˚ଗ୍ରେସ ଯଥାକ୍ରମେ ୫୮, ୬୧ ଓ ୪୯ଟି ଆସନ ପାଇଥିଲା। ପାଞ୍ଚବର୍ଷ ପରେ ଅଠରର ଲଢେ଼ଇ ତିନି ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ ଓ କ˚ଗ୍ରେସର ରାଜ୍ୟ ନେତୃତ୍ବ ପାଇଁ ଯେତିକି ମର୍ଯ୍ୟାଦା ଓ ସମ୍ମାନର ପ୍ରଶ୍ନ, ତା’ ଅପେକ୍ଷା ଦୁଇ ଦଳର କେନ୍ଦ୍ରୀୟ ନେତୃତ୍ବ ପାଇଁ ବହୁଗୁଣ ଅଧିକ ମର୍ଯ୍ୟାଦାଜନକ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଏ ମର୍ଯ୍ୟାଦାଜନକ ଲଢେ଼ଇରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳ ଏବ˚ ଉଭୟ ଦଳର ଦୁଇ ତୁଙ୍ଗ ନେତାଙ୍କ ପାଇଁ ଅନେକ କିଛି ବାଜିରେ ଲାଗିଛି ଏହି ତିନି ରାଜ୍ୟର ନିର୍ବାଚନ ମଇଦାନରେ।

ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣରୁ ଦଳୀୟ ସରକାର ଥିବା ଏହି ତିନିଟି ରାଜ୍ୟରେ ବିଧାନସଭା ନିର୍ବାଚନର ଗୁରୁତ୍ବ ବିଷୟ ପ୍ରଥମେ ଆଲୋଚନା କରାଯାଉ। ବିଗତ ବର୍ଷକ ମଧୢରେ ହୋଇଥିବା ପ୍ରତ୍ୟେକଟି ଜନମତ ସର୍ଭେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପୁଳ ଲୋକପ୍ରିୟତା ଓ ପତିଆରାର ସୂଚନା ଦେଇଛି। କିନ୍ତୁ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ କି ବିଜେପିକୁ ଏହାର ଲାଭ ମିଳିନାହିଁ। କେବଳ ନିକଟରେ କର୍ଣ୍ଣାଟକରେ ଅନୁଷ୍ଠିତ ୫ଟି ଲୋକସଭା ଓ ବିଧାନସଭା ଉପ-ନିର୍ବାଚନରେ ନୁହେଁ, ୧୭-୧୮ରେ ହୋଇଥିବା ୧୩ ଲୋକସଭା ଆସନ ମଧୢରୁ ୧୧ଟିରେ ଦଳର ପରାଜୟ ଏହାର ପ୍ରମାଣ ଯେ, ମୋଦୀଙ୍କ ଲୋକପ୍ରିୟତା ବିଜେପି ସପକ୍ଷରେ ଭୋଟରେ ରୂପାନ୍ତରିତ ହେଉ ନାହିଁ। ୨୦୧୪-୧୬ ମଧୢରେ ଉପ-ନିର୍ବାଚନ ହୋଇଥିବା ସାତଟି ଲୋକସଭା ଆସନ ଭିତରୁ ମାତ୍ର ୨ଟିରେ ବିଜେପି ବିଜୟୀ ହୋଇଥିବା ବେଳେ ଅନ୍ୟ ୫ଟି ଆସନରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିିଥିଲା। ତେବେ ଦଳ ପାଇଁ ଗୋଟିଏ ସାନ୍ତ୍ବନା ଥିଲା ଯେ, ଚଉଦ ତୁଳନାରେ ବିଜେପିର ଭୋଟ ଶତା˚ଶ ବଢ଼ିଥିଲା। ୨୦୧୪ ଏପ୍ରିିଲ-ମେ’ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ଶତା˚ଶ ଥିଲା ୨୮.୪%। କ୍ଷମତାକୁ ଆସିବା ପରେ ୨୦୧୬ ସୁଦ୍ଧା ଅନୁଷ୍ଠିତ ଉପନିର୍ବାଚନ ଗୁଡ଼ିକରେ ଦଳର ମୋଟ ଶତା˚ଶ ୨% ବୃଦ୍ଧି ପାଇ ୩୦.୪%ରେ ପହଞ୍ଚିଥିଲା। ତେବେ ୨୦୧୭-୧୮ରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନ ମାନଙ୍କରେ ବିଜେପି ପାଇଁ ନକାରାତ୍ମକ ଧାରା ପରିଲକ୍ଷିତ ହୋଇଛି। ୨୦୧୭-୧୮ରେ ଅନୁଷ୍ଠିତ ୧୩ଟି ଲୋକସଭା ଆସନରେ ଉପ ନିର୍ବାଚନ ମଧୢରୁ ବିଜେପି କେବଳ ୧୧ଟିରେ ପରାସ୍ତ ହୋଇନାହିଁ, ଦଳର ଭୋଟ ଶତା˚ଶ ଏହି ସବୁ ଆସନରେ ଚଉଦର ୪୩.୫%ରୁ ୩୮.୮% (-୪୭%)କୁ ଖସି ଆସିଛି। ଗତ ସପ୍ତାହରେ ଉପ-ନିର୍ବାଚନ ହୋଇଥିବା କର୍ଣ୍ଣାଟକରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିବା ବେଲାରୀ ଲୋକସଭା ଆସନରେ ବିଜେପିର ଭୋଟ ଭାଗ ଚଉଦ ତୁଳନାରେ ୧୩.୯% କମିଛି ଏବ˚ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିବା ଶିବାମୋଗା ଆସନରେ ମଧୢ ୩% ଛିଡ଼ିିଛି। ପ୍ରଶ୍ନ ଉଠୁଛି, ହିନ୍ଦୁତ୍ବ ଦଳର ଗଡ଼ କୁହାଯାଉଥିବା ଦଳୀୟ ସରକାର ଥିବା ଜାତୀୟ ରାଜନୀତି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ତିନିଟି ରାଜ୍ୟରେ ଜନାଧାରର ଏ ସ˚କୋଚନର ଧାରାକୁ ବିଜେପି ରୋକି ପାରିବ ତ? ତିନିଟି ରାଜ୍ୟରେ ଦଳର ପ୍ରଦର୍ଶନରୁ ଏହାର ଉତ୍ତର ମିଳିବ। ନିର୍ବାଚନ ପରେ କ୍ଷମତା ସମୀକରଣରେ କୌଣସି ପରିବର୍ତ୍ତନ ନହେଲେ ସୁଦ୍ଧା ଯଦି ଦଳର ଆସନ ସ˚ଖ୍ୟା କି ଭୋଟ ଶତା˚ଶ କମେ, ତେବେ ତାହା ନିଶ୍ଚିତ ସ˚କେତ ଦେବ ଯେ, ବିଜେପି ଓ ମୋଦୀଙ୍କ ପାଇଁ ଊଣେଇଶ ଦୌଡ଼ ଆଦୌ ସହଜ ନୁହେଁ। ଜନମତ ସର୍ଭେରେ ଅନୁକୂଳ ସ˚କେତ ସତ୍ତ୍ବେ ବିଜେପି ପାଇଁ ପାଣିପାଗରେ ପ୍ରତିକୂଳତା ଘନୀଭୂତ ହେଉଥିବାର ସୂଚନା ଦେବ।

ଅନ୍ୟପକ୍ଷରେ ସର୍ବପୁରାତନ ଦଳ କ˚ଗ୍ରେସ ଓ ଏହାର ଅଧୢକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରତିପକ୍ଷ ବିଜେପି ଶାସିତ ଏହି ତିନିରାଜ୍ୟର ବିଧାନସଭା ନିର୍ବାଚନ ଏକ ପ୍ରକାର କର ବା ମର ସ୍ଥିତି। ଚଉଦରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା କ˚ଗ୍ରେସ ପାଇଁ ପ୍ରତ୍ୟାବର୍ତ୍ତନର ଯଦି ସାମାନ୍ୟତମ ସମ୍ଭାବନା ଅଛି, ତେବେ ଡିସେମ୍ବର ଏଗାର ଫଳାଫଳରୁ ତା’ର ସ˚କେତ ମିଳିବ। ଏହି ତିନିଟି ରାଜ୍ୟରେ ଭଲ ପ୍ରଦର୍ଶନ ସହ ଅନ୍ତତଃ ଗୋଟିଏ କିମ୍ବା ଦୁଇଟିରେ କ୍ଷମତା ହାସଲରେ ଯଦି କ˚ଗ୍ରେସ ସମର୍ଥ ନ ହୁଏ, ତେବେ ଦଳ ପାଇଁ ଆଶାର କୌଣସି କିରଣ ଦେଖାଯାଉ ନାହିଁ। ରାଜସ୍ଥାନ ଓ ମଧୢପ୍ରଦେଶରେ ନିକଟ ଅତୀତରେ ଏବ˚ କର୍ଣ୍ଣାଟକରେ ଗତ ସପ୍ତାହର ଉପ-ନିର୍ବାଚନରେ ସଫଳତା ନିଶ୍ଚୟ ଦଳକୁ ଉତ୍ସାହିତ କରିଛି ଓ ପ୍ରତ୍ୟାବର୍ତ୍ତନ ନେଇ ଏକ ସକାରାତ୍ମକ ସ˚କେତ ମଧୢ ଦେଇଛି। ତିନିଟି ରାଜ୍ୟରେ ବିଜେପି ବିପକ୍ଷରେ ଯଦି ଦଳର ପ୍ରଦର୍ଶନ ଉଲ୍ଲେଖନୀୟ ହୁଏ ତେବେ ତାହା କେବଳ ଦଳଗତ ସମ୍ଭାବନାକୁ ଉଜ୍ଜ୍ବଳ କରିବ ନାହିଁ, ବ୍ୟକ୍ତିଗତ ଭାବେ ରାହୁଲଙ୍କ ନେତୃତ୍ବର ଗ୍ରହଣୀୟତାର ମଧୢ ସୂଚନା ଦେବ। ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପ୍ରୟାସର ଭାଗ୍ୟ ଓ ଭବିଷ୍ୟତ ମଧୢ ଅନେକା˚ଶରେ କ˚ଗ୍ରେସର ପ୍ରଦର୍ଶନ ଉପରେ ନିର୍ଭରଶୀଳ।

ସମ୍ବନ୍ଧିତ ଖବର