ମୋଦୀ୨.୦ରେ ଓଡ଼ିଶା ଫିକା

କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ତୃତୀୟ ଓ ଲଗାତାର ଦ୍ବିତୀୟ ସରକାର ଗଠିତ ହୋଇଛି। ବିପୁଳ ଜନାଦେଶ ସହ ଏନ୍‌ଡିଏର କ୍ରମାଗତ ଦ୍ବିତୀୟ ସଫଳତାର ମୁଖ୍ୟ ବିନ୍ଧାଣି ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଟିମ୍‌ ମୋଦୀ-୨.୦ର ସଦସ୍ୟ ଭାବେ ଅନ୍ୟ ୫୭ ଜଣ ମନ୍ତ୍ରୀ ମଧୢ ଶପଥ ନେଇଛନ୍ତି। ଏହି ମନ୍ତ୍ରୀଙ୍କ ମଧୢରେ ୨୪ ଜଣ କ୍ୟାବିନେଟ୍‌ ପାହ୍ୟା, ସ୍ବାଧୀନ ଦାୟିତ୍ବ ସହ ୯ ଜଣ ରାଷ୍ଟ୍ର ପାହ୍ୟା ଏବ˚ ଅନ୍ୟ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି। ତେବେ ମୋଦୀ-୨.୦ ସରକାରର ୫୭ ଜଣିଆ ମନ୍ତ୍ରିମଣ୍ତଳରେ ଓଡ଼ିଶାର ପ୍ରତିିନିଧିତ୍ବ ମାତ୍ର ଦୁଇ। ମୋଦୀଙ୍କ ପୂର୍ବ ମନ୍ତ୍ରିମଣ୍ତଳର ପ୍ରଥମେ ସ୍ବାଧୀନ ଦାୟିତ୍ବ ସହ ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଗ ଦେଇ ପରେ କ୍ୟାବିନେଟ୍‌ ପାହ୍ୟାକୁ ଉନ୍ନୀତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ମଧୢ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ପ୍ରଥର ଥର ପାଇଁ ବାଲେଶ୍ବର ଆସନରୁ ଲୋକସଭାକୁ ନିର୍ବାଚିତ ପ୍ରତାପ ଷଡ଼ଙ୍ଗୀ ୨୪ ରାଷ୍ଟ୍ରମନ୍ତ୍ରୀଙ୍କ ମଧୢରେ ଜଣେ ନୂଆ ମୁହଁ।

‘ମୋଦୀ-୨.୦’ ସରକାରରେ ରାଜ୍ୟର ଏ ପ୍ରତିନିଧିତ୍ବ ଓଡ଼ିଶା ପ୍ରତି ଅନ୍ୟାୟ କିମ୍ବା ଉପେକ୍ଷା ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ଊଣେଇଶ ନିର୍ବାଚନରେ ରାଜ୍ୟରେ ବିଜେପିର ପ୍ରଦର୍ଶନ ପରିପ୍ରେକ୍ଷୀରେ ବିଚାର କଲେ ମୋଦୀ-୨.୦ରେ ଓଡ଼ିଶା ପ୍ରତି ସମାନୁପାତିକ ନ୍ୟାୟ ହୋଇଛି ଓ ସମୁଚିତ ଗୁରୁତ୍ବ ମିଳିଛି ବୋଲି ମଧୢ ନିଶ୍ଚୟତାର ସହ କୁହାଯାଇ ପାରିବ ନାହିଁ। ଚଉଦରେ ଏକା ଜୁଏଲ୍‌ ଓରାମ, ସୁନ୍ଦରଗଡ଼ ଆସନରୁ ସା˚ସଦ ନିର୍ବାଚିତ ହୋଇଥିଲେ। ମନ୍ତ୍ରିମଣ୍ତଳରେ ଦୁଇଜଣ ଜୁଏଲ୍‌ ଓରାମ ଏବ˚ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଥିଲା। ଏଥର ରାଜ୍ୟରୁ ବିଜେପି ସା˚ସଦଙ୍କ ସ˚ଖ୍ୟା ୮କୁ ବୃଦ୍ଧି ପାଇଛି। ଅଥଚ, ମନ୍ତ୍ରିମଣ୍ତଳରେ ପ୍ରତିନିଧିତ୍ବ ବଢ଼ିଲା ନାହିଁ। ଯଦି ମଧୢପ୍ରଦେଶରୁ ରାଜ୍ୟସଭା ସଦସ୍ୟ ପ୍ରଧାନଙ୍କୁ ବାଦ୍‌ ଦିଆଯାଏ, ତେବେ ଓଡ଼ିଶାରୁ ନିର୍ବାଚିତ ୮ ସା˚ସଦଙ୍କ ମଧୢରୁ କେବଳ ଏକା ଜଣେ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ପ୍ରତିନିଧିତ୍ବ କରୁଛନ୍ତି। ପ୍ରଥମଥର ପାଇଁ ଉପକୂଳ ଓଡ଼ିଶାରେ ବିଜେପି ନିଜର ଉପସ୍ଥିତି ଜାହିର କରିଥିବାରୁ ଏ ଅଞ୍ଚଳରୁ ଜଣେ ନିର୍ବାଚିତ ସା˚ସଦଙ୍କୁ ମନ୍ତ୍ରିମଣ୍ତଳରେ ସ୍ଥାନ ଦିଆଯିବା ସମ୍ପୂର୍ଣ୍ଣ ଯଥାର୍ଥ। କିନ୍ତୁ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନ ପୋଛି ନେଇ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିଥିବାରୁ କେନ୍ଦ୍ରମନ୍ତ୍ରିମଣ୍ତଳରେ ସେ ଅଞ୍ଚଳର ପ୍ରତିନିଧିତ୍ବର ଆବଶ୍ୟକତାକୁ ଅଣଦେଖା କରାଯାଇଛି।

ବାଜପେୟୀଙ୍କ ଏନ୍‌ଡିଏ-୧ ଏବ˚ ମୋଦୀଙ୍କ ଏନ୍‌ଡିଏ-୨ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଓ ପଞ୍ଚମ ଥର ଲାଗି ନିର୍ବାଚିତ ସା˚ସଦ ଜୁଏଲ୍‌ ଓରାମ ଅନ୍ୟ ୨୦ ପୂର୍ବତନ ମନ୍ତ୍ରୀଙ୍କ ସହ ମୋଦୀ-୨.୦ରୁ ବାଦ୍‌ ପଡ଼ିଛନ୍ତି। ଜଣେ ଅଧିକ ଜଣାଶୁଣା ଆସିବାସୀ ଚେହେରା ପଡେ଼ାଶୀ ଝାଡ଼ଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ତାଙ୍କୁ ମନ୍ତ୍ରୀ ପରିଷଦରେ ନିଆଯାଇଥିବାରୁ ଓରାମ୍‌ ବାଦ୍‌ ପଡ଼ିଥିବା କୁହାଯାଉଛି। ତେବେ ଏହି କାରଣରୁ ଯଦି ଓରାମ୍‌ଙ୍କୁ ବାଦ୍‌ ଦିଆଗଲା, ତେବେ ପଶ୍ଚିମ ଓଡ଼ିଶାରୁ ଅନ୍ୟ ଜଣେ ଅଣ- ଆଦିବାସୀ ସା˚ସଦଙ୍କୁ ମନ୍ତ୍ରିମଣ୍ତଳରେ ସ୍ଥାନ ଦେଇଥିଲେ ଉକ୍ତ ଅଞ୍ଚଳର ଠିକଣା ପ୍ରତିନିଧିତ୍ବ ହୋଇ ପାରିଥାନ୍ତା। ଉଲ୍ଲେଖନୀୟ ହେଲା ବିଗତ ମନ୍ତ୍ରିମଣ୍ତଳରେ ଦୁଇଜଣ ଯାକ କ୍ୟାବିନେଟ୍‌ ପାହ୍ୟାର ମନ୍ତ୍ରୀ ଥିବା ବେଳେ ଏଥର ଜଣେ କ୍ୟାବିନେଟ୍‌ ଓ ଅନ୍ୟ ଜଣେ କନିଷ୍ଠ ପାହ୍ୟାର ରାଷ୍ଟ୍ରମନ୍ତ୍ରୀ। ସା˚ସଦଙ୍କ ସ˚ଖ୍ୟା ବୃଦ୍ଧି ସତ୍ତ୍ବେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ରୀୟ ସ୍ତରରେ ଓଡ଼ିଶାର ଓଜନ ଯେ ବଢ଼ି ନାହ,ିଁ ଏହା ତାର ସୂଚକ। କ୍ୟାବିନେଟ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଜନ ପୂର୍ବାପେକ୍ଷା ବଢ଼ିଛି। ଗତ ସରକାରରେ ତାଙ୍କ ହାତରେ ଥିବା ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସହ ଏଥର ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ବ ମଧୢ ମିଳିଛି। ସରକାରରେ ନବାଗତ ବାଲେଶ୍ବର ସା˚ସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଅଧୀନରେ ଅଣୁ, କ୍ଷୁଦ୍ର ଓ ମଧୢମ ଉଦ୍ୟୋଗ ମନ୍ତ୍ରଣାଳୟ ଓ ଅନ୍ୟତମ କ୍ୟାବିନେଟ୍‌ ମନ୍ତ୍ରୀ ଗିରିରାଜ ସି˚ହଙ୍କ ଅଧୀନସ୍ଥ ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଦୁଇ ମନ୍ତ୍ରୀଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ଅନେକ ବିଭାଗ ରହିଛି, କିନ୍ତୁ ମନ୍ତ୍ରିମଣ୍ତଳରେ ଓଡ଼ିଶାର ପ୍ରତିନିଧିତ୍ବ ଦୃଷ୍ଟିରୁ ନିଅଣ୍ଟକୁ ଭରଣା ଲାଗି ଏହା ଯଥେଷ୍ଟ ନୁହେଁ।

ଅନ୍ୟ ଦୁଇଟି କାରଣରୁ ମଧୢ କେନ୍ଦ୍ର ମନ୍ତ୍ରିମଣ୍ତଳର ପ୍ରତିନିଧିତ୍ବ ଦୃଷ୍ଟିରୁ ଓଡ଼ିଶାକୁ ସମୁଚିତ ଗୁରୁତ୍ବ ଦିଆଯାଇଛି ବୋଲି କୁହାଯାଇପାରିବ ନାହିଁ। ଚଉଦରେ ଟିମ୍‌ ମୋଦୀ- ୧.୦ରେ ମୋଟ ୪୫ ମନ୍ତ୍ରୀ ସାମିଲ ହୋଇଥିଲେ। ଊଣେଇଶରେ ‘ଟିମ୍‌ ମୋଦୀ-୨.୦’ରେ ୫୭ ଜଣ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ଅଥଚ, ଓଡ଼ିଶାରୁ ଚଉଦ ଅପେକ୍ଷା ଊଣେଇଶରେ ବିଜେପି ସା˚ସଦଙ୍କ ସ˚ଖ୍ୟା ବଢିଛି। ତଥାପି ମନ୍ତ୍ରିମଣ୍ତଳରେ ଓଡ଼ିଶାର ପ୍ରତିନିଧିତ୍ବ ସେହି ୨ ମନ୍ତ୍ରୀରେ ଅପରିବର୍ତ୍ତିତ ରହିଛି। କୋଡ଼ିଏ ବର୍ଷ ତଳେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ପ୍ରଥମ ଏନ୍‌ଡିଏ ସରକାର ଗଠିତ ହୋଇଥିଲା। ଓଡ଼ିଶାରୁ ବିଜେଡିର ୧୧ ଓ ବିଜେପିର ୮ ସା˚ସଦ ନିର୍ବାଚିତ ହୋଇଥିଲେ। ଉଭୟ ଦଳକୁ ଦୁଇଟି ଲେଖା ମନ୍ତ୍ରୀ ପଦ ମିଳିଥିଲା। ବିଜେପିର ୮ ସା˚ସଦଙ୍କ ମଧୢରୁ ଜୁଏଲ୍‌ ଓରାମ୍‌ ଏବ˚ ଦେବେନ୍ଦ୍ର ପ୍ରଧାନ ମନ୍ତ୍ରିମଣ୍ତଳରେ ସ୍ଥାନ ପାଇଥିଲେ। ଏଥର ମଧୢ ବିଜେପିର ସା˚ସଦଙ୍କ ସ˚ଖ୍ୟା ସେହି ୮। ଅଥଚ ସେମାନଙ୍କ ମଧୢରୁ ମାତ୍ର ଜଣେ (ମଧୢପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ଧର୍ମେନ୍ଦ୍ରଙ୍କୁ ବାଦ୍‌ ଦେଲେ) ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ସେ ପୁଣି କନିଷ୍ଠ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ। କେବଳ ଲୋକସଭାରେ ସା˚ସଦ ସ˚ଖ୍ୟା ବୃଦ୍ଧି ଦୃଷ୍ଟିରୁ ନୁହେଁ, ବିଧାନସଭାରେ ବିଜେପି ବିଧାୟକଙ୍କ ସ˚ଖ୍ୟା ବୃଦ୍ଧି ଏବ˚ ସର୍ବୋପରି ଦଳର ଭୋଟ ଶତା˚ଶରେ ଉଲ୍ଲେଖନୀୟ ବୃଦ୍ଧି (ଲୋକସଭାରେ ୨୧.୫%ରୁ ୩୮%) ପାଇଛି। ଏହା ସୂଚନା ଦେଉଛି ଯେ ରାଜ୍ୟରେ ଦଳର ଜନାଧାର ସ˚ପ୍ରସାରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରରେ ଓଡ଼ିଶାର ପ୍ରଧିନିଧିତ୍ବ ଅଧିକ ବଳିଷ୍ଠ ହେବା ଉଚିତ ଥିଲା; ଯାହା ବିଜେପି ପାଇଁ ରାଜନୈତିକ ଦୃଷ୍ଟିରୁ ଲାଭଦାୟକ ମଧୢ ହୋଇଥାନ୍ତା। ଅନ୍ତତଃ, ରାଜ୍ୟରୁ ଆଉ ଜଣେ ସା˚ସଦ, ବିଶେଷ କରି ପଶ୍ଚିମ ଓଡ଼ିଶାରୁ ମନ୍ତ୍ରିମଣ୍ତଳରେ ସ୍ଥାନ ପାଇଥିଲେ ଏ ଅଭିଯୋଗର ଅବକାଶ ରହିନଥାନ୍ତା। କ୍ଷମତାସୀନ ବିଜେଡିର ହାତ ଛାଡ଼ିବା ପରେ ନିର୍ବାଚନରେ ଦଳର ସବୁଠାରୁ ଭଲ ପ୍ରଦର୍ଶନ ବିଜେପି କର୍ମୀ ଓ ନେତାଙ୍କ ମଧୢରେ ଯେଉଁ ଉତ୍ସାହ ଓ ସାଧାରଣ ଜନତାଙ୍କ ମଧୢରେ ଯେଉଁ ଆଶା ସୃଷ୍ଟି ହୋଇଥିଲା, ମୋଦୀ-୨.୦ରେ ଓଡ଼ିଶାର ପ୍ରତିନିଧିତ୍ବ ଦୃଷ୍ଟିରୁ ନିଅଣ୍ଟିଆ ସେହି ଉତ୍ସାହ ଓ ଆଶାକୁ କିଛି ମାତ୍ରାରେ ଫିକା ପକାଇ ଦେଇଛି।

ଆଶା, ମନ୍ତ୍ରିମଣ୍ତଳର ପରବର୍ତ୍ତୀ ସ˚ପ୍ରସାରଣ ବେଳେ ଓଡ଼ିଶାର ପ୍ରତିନିଧିତ୍ବ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ବ ସମୁଚିତ ଗୁରୁତ୍ବ ଦେବେ। ଊଣେଇଶ ନିର୍ବାଚନରେ ଉନ୍ନତ ପ୍ରଦର୍ଶନ ଓଡ଼ିଶାରେ ବିଜେପି ପାଇଁ ସୃଷ୍ଟି କରିଥିବା ସମ୍ଭାବନା ଓ ଆଶା ଦୃଷ୍ଟିରୁ ଏହା ଯଥୋଚିତ ହେବ।

ସମ୍ବନ୍ଧିତ ଖବର