ପାଟକୁରା ଆଶ୍ବସ୍ତି

ସମ୍ମାନଜନକ ପାଟକୁରା ଲଢେ଼ଇର ଫଳାଫଳ ଶାସକ ବିଜୁ ଜନତା ଦଳ ସପକ୍ଷରେ ଯାଇଛି। ଦଳୀୟ ପ୍ରାର୍ଥୀ, ଦିବ˚ଗତ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରଵାଲାଙ୍କ ବିଧବା ପତ୍ନୀ ସାବତ୍ରୀଙ୍କ ବିଜୟ ପରେ ବିଜେଡି ଓ ଏହାର ନେତୃତ୍ବ ନିଶ୍ଚୟ ଆଶ୍ବସ୍ତିର ସହ ଶାନ୍ତିରେ ନିଃଶ୍ବାସ ନେଉଥିବେ। ପାଟକୁରା ବିଧାନସଭା ଆସନ ଦଳର ଖାତାକୁ ଆସିବା ଫଳରେ ବିଧାନସଭାରେ ‘ଆରାମ ଦାୟକ ସ˚ଖ୍ୟାଗରିଷ୍ଠତା’ରେ ଥିବା ବିଜେଡିର ବିଶେଷ କୌଣସି ଲାଭ ହୋଇନାହିଁ। କିନ୍ତୁ ଫଳାଫଳ ଯଦି ଭିନ୍ନ ହୋଇଥାନ୍ତା, ତେବେ ରାଜନୈତିକ ଦୃଷ୍ଟିରୁ କ୍ଷମତାସୀନ ଦଳ ଓ ଏହାର ନେତୃତ୍ବ ପ୍ରତି ଘାତକ କ୍ଷତିର ଆଶଙ୍କା ଥିଲା। ସେହି ଆଶଙ୍କାରୁ ମୁକ୍ତି ମିଳିବା ବିଜୟୀ କ୍ଷମତାସୀନ ଦଳ ପାଇଁ କିଛି କମ୍‌ ଆଶ୍ବସ୍ତିର ବିଷୟ ନୁହେଁ। ଅନ୍ୟପକ୍ଷରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ରାଜ୍ୟର ମୁଖ୍ୟ ବିରୋଧୀ ବିଜେପି ପାଟକୁରା ଆସନରେ ପରାଜିତ ହେବା ଫଳରେ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। କିନ୍ତୁ ଏହି ଆସନ ହାତକୁ ଆସିଥିଲେ, ବିଜେପି, ବିଶେଷକରି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ଚକ୍ରବୃଦ୍ଧି ହାରରେ ଯେଉଁ ବିପୁଳ ରାଜନୈତିକ ଫାଇଦାର ଆଶା ଥିଲା, ତାହା ପରାଜୟ ପରେ ପବନରେ ମିଳାଇ ଯାଇଛି।

ଏପ୍ରିଲରେ ପାଟକୁରାକୁ ବାଦ ଦେଇ ନିର୍ବାଚନ ଅନୁଷ୍ଠିତ ହୋଇଥିବା ରାଜ୍ୟର ଅବଶିଷ୍ଟ ୧୪୬ ବିଧାନସଭା ଆସନରୁ ବିଜେଡି ଖାତାକୁ ଆସିଥିଲା ୧୧୨। ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ଦୁଇଟି ଆସନରୁ ହିଞ୍ଜିଳିକୁ ରଖି ବିଜେପୁରରୁ ଇସ୍ତଫା ଦେବା ପରେ ବିଧାନସଭାରେ ଏବେ କ୍ଷମତାସୀନ ଦଳର ସ˚ଖ୍ୟା ୧୧୧। ପାଟକୁରାରୁ ଦଳୀୟ ପ୍ରାର୍ଥୀ ନିର୍ବର୍ାଚିତ ହେବା ପରେ ଗୃହରେ ଦଳର ଶକ୍ତି ୧୧୨କୁ ବୃଦ୍ଧି ପାଇବ। ଏହା ହୋଇ ନଥିଲେ ସୁଦ୍ଧା ପଞ୍ଚମ ପାଳି ସରକାର ପାଇଁ କୌଣସି ଫରକ ପଡ଼ିନଥାନ୍ତା। କିନ୍ତୁ ରାଜନୈତିକ ଦୃଷ୍ଟିରୁ ଦଳ ଓ ଦଳୀୟ ନେତୃତ୍ବ, ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଷ୍ଠା ଓ ଭାବମୂର୍ତ୍ତି ଉପରେ ନିଶ୍ଚୟ ଏହା ଫରକ ପକାଇଥାନ୍ତା। ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ, ଆଉ ଏକ ପରାଜୟ ମାତ୍ର ହୋଇ ନଥାନ୍ତା, ଦଳ ଓ ନେତୃତ୍ବ ପାଇଁ ଏକ ବଡ଼ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଥାନ୍ତା; ଯାହାର ମୁକାବିଲା କରିବା ଦଳ ପକ୍ଷରେ ଆଦୌ ସହଜ ହୋଇନଥାନ୍ତା। ଅନ୍ୟଥା ପାଟକୁରା ଆସନ ଶାସକ ବିଜେଡି କିମ୍ବା ଦଳର ସୁପ୍ରିମୋଙ୍କ ପାଇଁ କୌଣସି ଗୁରୁତ୍ବ ରଖୁନଥିଲେ ସୁଦ୍ଧା ନିର୍ବାଚନମଣ୍ତଳୀର ୨ ଲକ୍ଷ ୩୭ ହଜାର ୫୯୬ ମତଦାତାଙ୍କ ଫଇସଲା ରାଜ୍ୟ ରାଜନୀତିର ସମୀକରଣ-ଗଣିତ ଉପରେ ନୁହେଁ, ଏହାର ଚରିତ୍ର ଉପରେ ଗଭୀର ଓ ସୁଦୂରପ୍ରସାରୀ ପ୍ରଭାବ ପକାଇବାର ସମ୍ଭାବନା ଥିଲା। ସେ ପରିପ୍ରେକ୍ଷୀରେ ଦଳର ପ୍ରତିଷ୍ଠା ଓ ସୁପ୍ରିମୋଙ୍କ ସମ୍ମାନ ବାଜିରେ ଲାଗିଥିଲା। ପାଟକୁରା ଆସନ ହାତକୁ ଆସିବା ଫଳରେ ଦଳର ପ୍ରତିଷ୍ଠା କିମ୍ବା ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ନେତୃତ୍ବର ଉଚ୍ଚତା ବଢ଼ି ନଥାଇପାରେ। କିନ୍ତୁ ପାଟକୁରା ଆସନ ହାତରୁ ଖସି ଯାଇଥିଲେ ନିଶ୍ଚୟ ଉଭୟ ଦଳର ପ୍ରତିଷ୍ଠା ଓ ନେତାଙ୍କ ସମ୍ମାନରେ ଆଞ୍ଚ ଆସିଥାନ୍ତା। କେବଳ ସେତିକି ନୁହେଁ, ରାଜ୍ୟସଭା ନିର୍ବାଚନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ସହ ବୁଝାମଣା ନିଷ୍ପତ୍ତି ଉପରେ ମଧୢ ପ୍ରଶ୍ନ ଉଠିଥାନ୍ତା। ସ˚କେତ ଦେଇଥାନ୍ତା ଯେ, ବୁଝାମଣା ଯୋଗୁ ଶାସକ ଦଳର ମୁନାଫା ବଦଳରେ ଘାଟା ହୋଇଛି। ପାଟକୁରା ବିଜୟ, କେବଳ ଏ ପ୍ରକାର ସବୁ ଆଶଙ୍କାର ଅବସାନ ଘଟାଇ ନାହିଁ। ପୁଣିଥରେ ପ୍ରମାଣିତ କରିଛି ଯେ, ତୃଣମୂଳ ସ୍ତରରେ ଦଳର ଭିତ୍ତି ସୁଦୃଢ଼ ରହିଛି, ସା˚ଗଠନିକ ଶକ୍ତି ଅତୁଟ ରହିଛି। ସର୍ବୋପରି ଦଳର ଶ୍ରେଷ୍ଠ ରାଜନୈତିକ ପୁଞ୍ଜି ସର୍ବମୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ଚମକର ଚମତ୍କାରିତା ଅବ୍ୟାହତ ରହିଛି।

ଅନ୍ୟପକ୍ଷରେ ପାଟକୁରା ପରାଜୟ, ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ତାର ଉତ୍ତରଣର ସୀମା ଓ ନିଅଣ୍ଟିଆ ସାମର୍ଥ୍ୟ ପ୍ରତି ନିଶ୍ଚୟ ସଚେତନ କରାଇ ଦେଇଛି। ଦୁଇ ନମ୍ବର ସ୍ଥାନକୁ ଦଖଲ କରିବା ଯେତେ କଷ୍ଟକର ଥିଲା, ଏକ ନମ୍ବରକୁ ବେଦଖଲ କରି ସେହି ସ୍ଥାନ ଦଖଲ କରିବା ତା ଠାରୁ ସହସ୍ର ଗୁଣ ଅଧିକ କଷ୍ଟକର। ଦଳର ଜନାଧାର ସ˚ପ୍ରସାରିତ ହୋଇଛି। କିନ୍ତୁ, ମିସନ ‘୧୨୦’ର ସ୍ବପ୍ନ ପୂରଣ ପାଇଁ ତଥାପି ଲମ୍ବା ବାଟ ବାକି। ଅବଶ୍ୟ, ପାଟକୁରା ପରାଜୟ ବିଜେପି ପାଇଁ ଯେତେ ନିରାଶାଜନକ, ବ୍ୟକ୍ତିଗତ ଭାବେ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ତା’ଠାରୁ ବହୁଗୁଣ ଅଧିକ ମାତ୍ରାରେ ନିରାଶାଜନକ। ୨୦୦୦ ମସିହାରୁ କ୍ଷମତା ଅଳିନ୍ଦକୁ ପ୍ରବେଶ ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଥିବା ବିଜୟ ବାବୁ ପୁଣି ଥରେ ବିଫଳ ହୋଇଛନ୍ତି। ପାଟକୁରାରେ ବିଜୟୀ ହୋଇଥିଲେ, ବିଜୟଙ୍କ ପାଇଁ ବିପୁଳ ସମ୍ଭାବନା ଅପେକ୍ଷା କରୁଥିଲା। ଏବେ ସେ ସମ୍ଭାବନାର ବାଟ ବନ୍ଦ ହେବା ବିଜୟଙ୍କ ପାଇଁ ଏକ ମସ୍ତବଡ଼ ଧକ୍କା। ସେଥିପାଇଁ ଅଧିକା˚ଶ ଗଣମାଧୢମରେ ‘ପାଟକୁରାରେ ସାବିତ୍ରୀଙ୍କ ବିଜୟ’ ବଦଳରେ ‘ବିଜୟଙ୍କ ପରାଜୟ’ ଶିରୋନାମା ହୋଇଛି। ଏହି ସ୍ଥିତିରେ ବିଜୟଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କିନ୍ତୁ ଗୋଟିଏ ରାଜନୈତିକ ବ୍ୟକ୍ତିତ୍ବ ପାଇଁ ନିର୍ବାଚନରେ ଜୟ ପରାଜୟ ନିର୍ବିଶେଷରେ ରାଜନୈତିକ ଯାତ୍ରା ଗୁରୁତ୍ବପୂର୍ଣ୍ଣ। ପରାଜୟ କ୍ରମରେ ସଦ୍ୟତମ ପାଟକୁରା ପରାଜୟ ସତ୍ତ୍ବେ ରାଜନୀତିରେ ବିଜୟଙ୍କ ଦୀର୍ଘ ଯାତ୍ରା ନିଶ୍ଚୟ ଜାରି ରହିବ।

ଜୟ ଓ ପରାଜୟ ବ୍ୟତୀତ ପାଟକୁରା ଫଳାଫଳର ସ˚ଖ୍ୟାରେ ସବୁ ପ୍ରତିଦ୍ବନ୍ଦ୍ବୀ ପକ୍ଷ ପାଇଁ କିଛି ବାର୍ତ୍ତା ରହିଛି। ବିଜୟର ଉଲ୍ଲାସ ମଧୢରେ ବିଜେଡି ଓ ପରାଜୟ ପାଇଁ ପ୍ରତିପକ୍ଷ ଆଡ଼କୁ ଅଙ୍ଗୁଳି ଦେଖାଇବାର ବ୍ୟଗ୍ରତା ମଧୢରେ ବିଜେପି ଏହି ବାର୍ତ୍ତାକୁ ଅଣଦେଖା କରିବା ଭବିଷ୍ୟତ ପାଇଁ ହିତକର ହେବନାହିଁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲା କେବଳ ଗତ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କର ଦିବ˚ଗତ ସ୍ବାମୀ ବେଦୁବାବୁଙ୍କୁ ମିଳିଥିବା ଭୋଟ ତୁଳନାରେ ଅଧିକ ଭୋଟ ପାଇନାହାନ୍ତି। ମାତ୍ର ଅଢେ଼ଇ ମାସ ତଳେ ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ତୁଳନାରେ ମଧୢ ଅଧିକ ଭୋଟ ପାଇଛନ୍ତି। ଚଉଦ ବିଧାନସଭା ଓ ଊଣେଇଶ ଲୋକସଭାରେ ବିଜେଡିକୁ ଯଥାକ୍ରମେ ୮୯,୮୫୭ ଏବ˚ ୮୫,୨୮୮ ଭୋଟ ମିଳିଥିଲା। ଏଥର ବିଜେଡି ପ୍ରାର୍ଥୀ ସାବିତ୍ରୀଙ୍କ ଖାତାରେ ପଡ଼ିଛି ୯୬,୦୧୭ ଖଣ୍ତ ଭୋଟ। ପୂର୍ବାପେକ୍ଷା ଅଧିକ ସ˚ଖ୍ୟାରେ ଭୋଟ ପାଇବା ସତ୍ତ୍ବେ ବିଜେଡିି ପକ୍ଷରେ ଆତ୍ମସନ୍ତୋଷର ଅବକାଶ ନାହିଁ। ବର˚ ବିଜେଡିର ରଣନୀତି ଓସ୍ତାଦଙ୍କ ଦ୍ବାରା ଏହା ସମୀକ୍ଷାର ଅପେକ୍ଷା ରଖୁଛି। କାରଣ, ପ୍ରତିଦ୍ବନ୍ଦ୍ବୀ ବିଜେପିର ଭୋଟ ଭାଗ ଯେଉଁ ଅନୁପାତରେ ବଢ଼ୁଛି, ସେହି ଅନୁପାତରେ ବିଜେଡିର ଭୋଟ ବଢ଼ୁନାହିଁ। ବିଜେପିର ଭୋଟ ୨୦୧୪ରେ ୨୧,୫୮୮ରୁ ଏଥର ୭୮,୦୯୭କୁ ବୃଦ୍ଧି ପାଇଛି। କେବଳ ପାଟକୁରାରେ ନୁହେଁ, ରାଜ୍ୟର ଅଧିକା˚ଶ ଆସନରେ ଏହି ଅବସ୍ଥା। ଯୁକ୍ତି କରାଯାଇପାରେ, କ˚ଗ୍ରେସ ପାଖରେ ଥିବା ବିଜେଡି- ବିରୋଧୀ ଭୋଟ ବିଜେପିକୁ ଚାଲିଯାଉଛି। ଗତ ୨୦୧୪ରେ କ˚ଗ୍ରେସ ପାଟକୁରାରେ ୪୨,୧୩୮ ଭୋଟ ପାଇଥିଲା। ଏଥର ଲୋକସଭାରେ ତାହା ୮୦୮୦ ଓ ବିଧାନସଭାରେ ମାତ୍ର ୨୧୦୪କୁ ଖସି ଆସିଛି। ଏଥିରୁ ଅଧିକା˚ଶ ଭୋଟ ବିଜେପିକୁ ସ୍ଥାନାନ୍ତରିତ ହୋଇ ଥାଇପାରେ। କିନ୍ତୁ ଏଠାରେ ବିଜେଡିି ପାଇଁ ପ୍ରଶ୍ନ- ବିଜେପି ଆଡ଼କୁ ଢଳୁଥିବା ‘କ˚ଗ୍ରେସ ଭୋଟର’ମାନଙ୍କୁ ବିଜେଡି କାହିଁକି ନିଜ ଆଡ଼କୁ ଆକର୍ଷିତ କରିପାରୁନାହ? ବର୍ତ୍ତମାନ ପାଇଁ ଏହା ଅନାବଶ୍ୟକ ହେଲେ ସୁଦ୍ଧା ଭବିଷ୍ୟତ ପାଇଁ ବିଜେଡିକୁ ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ। ଅନ୍ୟପକ୍ଷରେ, ପ୍ରତିପକ୍ଷ ବିଜେପି ପାଇଁ ମଧୢ ଫଳାଫଳର ସ˚ଖ୍ୟାରୁ କିଛି ପ୍ରଶ୍ନ ଉଙ୍କି ମାରୁଛି। ବିଜୟବାବୁଙ୍କ ଭଳି ଓଜନିଆ ନେତାଙ୍କୁ ପ୍ରାର୍ଥୀ କରିବା ସତ୍ତ୍ବେ ଦଳର ଭୋଟ କଣ୍ଟା କାହିଁକି ଅଢେ଼ଇ ମାସ ତଳେ ଲୋକସଭାର ଭୋଟ ସ˚ଖ୍ୟାକୁ ଛୁଇଁ ପାରିଲା ନାହିଁ? ଲୋକସଭାରେ ବୈଜୟନ୍ତଙ୍କ ତୁଳନାରେ, ଏଥର ବିଜୟଙ୍କୁ ୮୦୦ ଭୋଟ କମ୍‌ ମିଳିଛି। ପାଟକୁରା ବିଧାନସଭା ନିର୍ବାଚନର ଚିତ୍ର ଓ ଚରିତ୍ର ଭିନ୍ନ ଥିଲା ବୋଲି କହି ପ୍ରଶ୍ନକୁ ଏଡ଼ାଇ ଯିବା ସହଜ। କିନ୍ତୁ ଯଦି ଆଗକୁ ବଢ଼ିବାର ଅଛି, ତେବେ ବିଜେପିକୁ ଏହି ପ୍ରଶ୍ନର ଉତ୍ତର ତଲାସିବାକୁ ପଡ଼ିବ। ବ୍ୟକ୍ତିଗତ ଭାବେ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଖାତାରେ ପଡ଼ିଥିବା ଭୋଟ ସ˚ଖ୍ୟାରେ ତାଙ୍କ ପାଇଁ ମଧୢ ଗୋଟିଏ ସ˚କେତ ରହିଛି ଯେ ଦଳ ସର୍ବସ୍ବ ଲଢେ଼ଇରେ ପ୍ରାର୍ଥୀତ୍ବର ଓଜନ ହାଲୁକା ପଡ଼ିଯାଉଛି। ଶେଷରେ ଫଳାଫଳର ସ˚ଖ୍ୟାରେ ଅବକ୍ଷୟିଷ୍ଣୁ ରାଜ୍ୟ କ˚ଗ୍ରେସ ନିଶ୍ଚୟ ବିପର୍ଯ୍ୟୟର ପଦଧ୍ବନି ଶୁଣିପାରୁଥିବ। ବିଧାନସଭା କକ୍ଷରେ କ˚ଗ୍ରେସ ‘ନବଗ୍ରହ’ ଯାହା ଖେଳ ଦେଖାଇଲେ ବି, ଭୋଟ ମଇଦାନରେ ସର୍ବପୁରାତନ ଦଳ ଏକ ପ୍ରକାର ଅଦୃଶ୍ୟ। ଦଳୀୟ ପ୍ରାର୍ଥୀଙ୍କ ଖାତାରେ ଚଉଦର ୪୨,୧୩୮ ତୁଳନାରେ ଏଥର ମାତ୍ର ୨,୧୦୪ ଭୋଟକୁ ପତନ ଏହାର ସତର୍କ ସ˚କେତ।

ସମ୍ବନ୍ଧିତ ଖବର