୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିବା ଜର୍ଜ ବୁଶ୍‌ (ସିନିଅର‌୍‌)ଙ୍କୁ ଥରେ ଖ୍ୟାତନାମା ସାମ୍ବାଦିକ ରବର୍ଟ ସର‌୍‌ମ୍ୟାନ୍‌ ପଚାରିଥିଲେ ଯେ ଯେଉଁ ଆମେରିକୀୟମାନେ ଈଶ୍ବର ବିଶ୍ବାସ କରନ୍ତି ନାହିଁ ସେମାନଙ୍କ ନାଗରିକ ଅଧିକାର ଏବ˚ ଦେଶଭକ୍ତି ଅନ୍ୟ ଆମେରିକୀୟମାନଙ୍କ ସହିତ ସମାନ ବୋଲି ସେ ବିଶ୍ବାସ କରନ୍ତି କି? ଉତ୍ତରରେ ବୁଶ୍‌ ସିନିଅର‌୍‌ କହିଥିଲେ ଯେ ସେ ଏହି ନାସ୍ତିକମାନଙ୍କୁ ନାଗରିକ ରୂପେ ଗ୍ରହଣ କରନ୍ତି ନାହିଁ କିମ୍ବା ସେମାନଙ୍କ ଦେଶଭକ୍ତିକୁ ବିଶ୍ବାସ କରନ୍ତି ନାହିଁ। ନିଜର ଏହି ବାଛ ବିଚାରକୁ ଯଥାର୍ଥ ପ୍ରତିପାଦନ କରିବା ପାଇଁ ବୁଶ୍‌ କହିଥିଲେ: ‘‘ଏହା ହେଉଛି ଈଶ୍ବରଙ୍କ ଅଧୀନରେ ଥିବା ଏକ ଦେଶ।’’ ପରବର୍ତ୍ତୀ ଅନୁଶୀଳନକାରୀମାନେ ବରିଷ୍ଠ ବୁଶ୍‌ଙ୍କର ଏହି ଉକ୍ତିରେ ଉଲ୍ଲେଖ ଥିବା ନାସ୍ତିକମାନଙ୍କୁ ଚିହ୍ନଟ କରିବାକୁ ଯାଇ ସେମାନେ ହେଉଛନ୍ତି ପ୍ରକୃତରେ ଇହୁଦୀ, ମୁସଲମାନ ଓ କୃଷ୍ଣକାୟ ବୋଲି ସ୍ପଷ୍ଟ କରିଛନ୍ତି। ଏଭଳି ଚିନ୍ତାଧାରାର ମର୍ମ ହେଲା, କେବଳ ଶ୍ବେତକାୟ, ଖ୍ରୀଷ୍ଟଧର୍ମାବଲମ୍ବୀମାନେ ହିଁ ହେଉଛନ୍ତି ଆମେରିକାର ପ୍ରକୃତ ଦେଶଭକ୍ତ ନାଗରିକ ଏବ˚ ଅନ୍ୟ ସମସ୍ତ ଧର୍ମାବଲମ୍ବୀମାନଙ୍କର ସେଠାରେ ଉପସ୍ଥିତି ଏକ ପ୍ରକାର ଅବୈଧ।

Advertisment

ବରିଷ୍ଠ ବୁଶ୍‌ଙ୍କ ପୁତ୍ର ଜର୍ଜ ଡବ୍ଲ୍ୟୁ ବୁଶ୍‌ ବା କନିଷ୍ଠ ବୁଶ୍‌ ମଧ୍ୟ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ପାଳି ଧରି ଆମେରିକାର ରାଷ୍ଟ୍ରପତି ଥିଲେ। ତାଙ୍କ ସମୟରେ ୨୦୦୩ରେ ଆମେରିକା ଅଧା ପୃଥିବୀ ପାର ହୋଇ ପଶ୍ଚିମ ଏସୀୟ ମୁସଲମାନ ଦେଶ ଇରାକ୍‌ ଆକ୍ରମଣ କରି ଦଖଲ କରିଥିଲା। ଆମେରିକା ଓ ତା’ର ସାଥୀ ଦେଶମାନଙ୍କର ପ୍ରାୟ ଦୁଇ ଲକ୍ଷ ସୈନ୍ୟ ସେଠାରେ ଛାଇ ହୋଇ ଯାଇ ସେଠାକାର ଶାସକ ସଦ୍ଦାମ ହୁସେନ୍‌ଙ୍କୁ ସେ ପ୍ରାଣଭୟରେ ଲୁଚିଥିବା ଏକ ଗାତରୁ ଘୋଷାରି ଆଣି ତାଙ୍କର ଅନ୍ତ ଘଟାଇଥିଲେ। ୨୦୧୧ରେ ଆମେରିକା ସେଠାରୁ ନିଜକୁ ଅପସାରଣ କରି ନେବା ମଧୢରେ ଇରାକୀ ସମାଜ ଓ ଅର୍ଥନୀତିର ପ୍ରାୟ ସମ୍ପୂର୍ଣ୍ଣ ଧ୍ବ˚ସ ସାଧନ ଘଟି ସାରିଥିଲା। ପରବର୍ତ୍ତୀ ସମୟରେ ରକ୍ତ ପିପାସୁ ଜିହାଦୀ ସ˚ଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ର ସୃଷ୍ଟି ପଛରେ ଥିବା କାରଣ ଏହି ଆମେରିକୀୟ ଆକ୍ରମଣ ବୋଲି ବର୍ତ୍ତମାନ ସମସ୍ତେ ଜାଣନ୍ତି।

କନିଷ୍ଠ ବୁଶ୍‌ଙ୍କର ଇରାକ୍‌ ଆକ୍ରମଣର କାରଣ ଥିଲା ଆଲ୍‌ କାଏଦା ଦ୍ବାରା ୨୦୦୧ ସେପ୍ଟେମ୍ବର (୯/୧୧)ରେ ରଚିତ ଆମେରିକା ଉପରେ ପ୍ରଚଣ୍ତ ଆତଙ୍କବାଦୀ ଆକ୍ରମଣ। କିନ୍ତୁ ଆଶ୍ଚର୍ଯ୍ୟର କଥା ସଦ୍ଦାମ ହୁସେନ୍‌ ଅତ୍ୟାଚାରୀ ଥିଲେ ହେଁ ତାଙ୍କର ଆଲ୍‌ କାଏଦା କିମ୍ବା ଜିହାଦ୍‌ ସହିତ କୌଣସି ସମ୍ପର୍କ ନ ଥିଲା। ସେ କିନ୍ତୁ ଆମେରିକାର ଶକ୍ତିକୁ ଆହ୍ବାନ ଦେଉଥିବା ମୁସଲମାନ ଜଗତ୍‌ରେ ସର୍ବାଧିକ ପ୍ରତିଷ୍ଠା ଲାଭ କରିଥିବା ଜଣେ ରାଷ୍ଟ୍ରନାୟକ ରୂପେ ଆବିର୍ଭୂତ ହୋଇଥିଲେ। ସଦ୍ଦାମ୍‌ ହୁସେନ୍‌ଙ୍କୁ ଧରାଶାୟୀ କଲେ ତାହା ସମସ୍ତ ଇସ୍‌ଲାମୀୟ ଜିହାଦୀମାନଙ୍କ ମଧୢରେ ଭୀତି ସଞ୍ଚାର କରି ସେମାନଙ୍କୁ ଭବିଷ୍ୟତ ଆକ୍ରମଣରୁ ନିବୃତ୍ତ କରିବ ବୋଲି ବୁଶ୍‌ ପ୍ରଶାସନ ବିଶ୍ବାସ କରୁଥିଲା। ଏହି ଆକ୍ରମଣ ଆମେରିକା ପାଇଁ ଯେଉଁ ଲୋକହସା ପରିସ୍ଥିତି ସୃଷ୍ଟି କରିଥିଲା ତାହା ଏବେ ବି କେହି ଭୁଲି ନାହାନ୍ତି। ସଦ୍ଦାମ୍‌ ରଖିଥିବା ଗଣବିଧ୍ବ˚ସକ ଅସ୍ତ୍ରକୁ ଧ୍ବ˚ସ କରିବା ଆଳରେ ଆମେରିକା ଇରାକ୍‌ରେ ପ୍ରବେଶ କରିଥିଲେ ହେଁ, ସେଠାରେ ସେମାନେ ତାହାର କୌଣସି ଚିହ୍ନବର୍ଣ୍ଣ ହିଁ ଦେଖିବାକୁ ପାଇ ନ ଥିଲେ।

ବୁଶ୍‌ଙ୍କର ଏପରି ଦିହବଳିଆ ବୈଦେଶିକ ନୀତିର ଏକ ରୋଚକ ଭର୍ତ୍ସନା ଦେଖିବାକୁ ମିଳିଥିଲା ୨୦୦୬ରେ ଜାତିସ˚ଘର ସାଧାରଣ ପରିଷଦରେ ଯେତେବେଳେ ବୁଶ୍‌ ସେଠାରେ ତାଙ୍କର ଅଭିଭାଷଣ ପ୍ରଦାନ କରିବା ପରଦିନ ଭେନେଜୁଏଲାର ତତ୍‌କାଳୀନ ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ୍‌ ସେଠାରେ ନିଜର ବକ୍ତବ୍ୟ ଉପସ୍ଥାପନ କଲେ। ଚାଭେଜ୍‌ କହିଥିଲେ : ‘‘ଗତକାଲି ସଇତାନ୍‌ ଏଠାକୁ ଆସିଥିଲା ଏବ˚ ଆଜି ପର୍ଯ୍ୟନ୍ତ ଏ ସ୍ଥାନରେ ଗନ୍ଧକ (ସଲ୍‌ଫର‌୍‌)ର ଦୁର୍ଗନ୍ଧ ଲାଗି ରହିଛି।’’ (ସଇତାନ୍‌ ଗନ୍ଧକ ପରି ଦୁର୍ଗନ୍ଧ ତ୍ୟାଗ କରିଥାଏ ବୋଲି ବିଶ୍ବାସ କରାଯାଏ)। ଚାଭେଜ ଏତିକି କହିବା ପରେପରେ ତାଙ୍କ ସମର୍ଥନରେ ସଭାଗୃହ ଦୀର୍ଘ ସମୟ ଧରି ସମବେତ କର ତାଳିରେ ପ୍ରକଂପିତ ହୋଇ ପଡ଼ିଥିଲା।

ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ‌ଡୋନାଲ୍‌ଡ ଟ୍ରମ୍ପ୍‌ ୨୦୧୬ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ନିର୍ବାଚିତ ହେଲେ ଆତଙ୍କବାଦ ବିରୋଧୀ ପଦକ୍ଷେପ ସ୍ବରୂପ କେତେକ ମୁସଲମାନ ଦେଶର ନାଗରିକମାନଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦେବେ ନାହିଁ। ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜର ପ୍ରତିଶ୍ରୁତି ରକ୍ଷା କରି ଏ ଉଦ୍ଦେଶ୍ୟରେ ଆଦେଶନାମାମାନ ଜାରି କରି ଚାଲିଛନ୍ତି, ଯାହା ଶେଷରେ ୨୦୧୭ ଡିସେମ୍ବରରେ ସେ ଦେଶର ସୁପ୍ରିମକୋର୍ଟ ଦ୍ବାରା କାଏମ ରହିବା ପରେ ବର୍ତ୍ତମାନ ଯେଉଁ କଟକଣା ବଳବତ୍ତର ଅଛି ତାହା ଏହିପରି: ଆଫ୍ରିକୀୟ ଦେଶ ଚାଦ୍‌ର ନାଗରିକମାନଙ୍କର ଭିସା ନିଷେଧ; ସମସ୍ତ ଇରାନୀୟ ନାଗରିକଙ୍କର ପ୍ରବେଶ ନିଷେଧ; ସମସ୍ତ ଲିବ୍ୟା ନାଗରିକଙ୍କ ପ୍ରବେଶ ନିଷେଧ; ସିରିଆ, ୟେମେନ୍‌ ଓ ସୋମାଲିଆର ନାଗରିକମାନଙ୍କ ପାଇଁ ମଧୢ ଅନୁରୂପ ଭାବରେ ଆମେରିକାରେ ପ୍ରବେଶ ନିଷେଧ। ଯେଉଁମାନଙ୍କୁ ବି ପ୍ରବେଶ ଅନୁମତି ଦିଆଯିବ ସେମାନଙ୍କର ଆତଙ୍କବାଦ ସହିତ ସମ୍ଭାବ୍ୟ ସମ୍ପର୍କର କଡ଼ାକଡ଼ି ଯାଞ୍ଚ ହେବା ପରେ ଯାଇ ନିଷ୍ପତ୍ତି ନିଆଯିବ। ମୁସଲମାନମାନଙ୍କ ପ୍ରତି ଆମେରିକା ପ୍ରଶାସନର ଆଭିମୁଖ୍ୟର ଯଦି ଏତିକି ଯଥେଷ୍ଟ ପ୍ରମାଣ ନୁହେଁ, ତେବେ ଇସ୍ରାଏଲରେ ଥିବା ନିଜର ଦୂତାବାସକୁ ଟେଲ୍‌ ଆଭିଭରୁ ଉଠାଇ ଜେରୁଜେଲମ୍‌ରେ ଅବସ୍ଥାପିତ କରି ଆମେରିକା ସେ ବାବଦରେ ସମସ୍ତ ସନ୍ଦେହ ମୋଚନ କରିଛି।

ଏହି ପୃଷ୍ଠଭୂମିରେ ତେଣୁ ଆମେରିକା କ˚ଗ୍ରେସର ରିସର୍ଚ୍ଚ କମିଟି (‘ସିଆର‌୍‌ଏସ୍‌’) ଭାରତରେ ତାର ଅନୁରୂପ ସ˚ସ୍ଥା ଭାରତୀୟ ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ନାଗରିକତ୍ବ ସ˚ଶୋଧନ ଆଇନ (ସିଏଏ) ସମ୍ବନ୍ଧରେ ଡିସେମ୍ବର ୧୮ ତାରିଖରେ ପ୍ରକାଶ କରିଥିବା ତା’ର ରିପୋର୍ଟରେ ଯେଉଁଭଳି ମନ୍ତବ୍ୟ ପ୍ରଦାନ କରିଛି, ତାହା ହ୍ୟୁଗୋ ଚାଭେଜ୍‌ ବର୍ଣ୍ଣିତ ସଇତାନ ମୁହଁରେ ନୀତିବାଣୀ ଉଚ୍ଚାରଣ ଭଳି ମନେ ହେବା ସ୍ବାଭାବିକ। ସେ ରିପୋର୍ଟରେ କୁହାଯାଇଛି ଯେ ‘ସିଏଏ’ ଏବ˚ ପ୍ରସ୍ତାବିତ ‘ଏନ୍‌ଆର‌୍‌ସି’ ଭାରତର ପ୍ରାୟ ୨୦୦ ନିୟୁତ ମୁସଲମାନ ସ˚ଖ୍ୟାଲଘୁ ନାଗରିକମାନଙ୍କର ଅବସ୍ଥାକୁ ପ୍ରଭାବିତ କରିପାରେ। ଏଠାରେ ଆଲୋଚନା ଅନାବଶ୍ୟକ ଯେ ଭାରତୀୟ ପାର୍ଲିଆମେଣ୍ଟ ସମ୍ପୂର୍ଣ୍ଣ ରୂପେ ନିଜର କ୍ଷମତା ପରିସର ମଧୢରେ କାର୍ଯ୍ୟ କରି ଏବ˚ ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରି ଯେଉଁ ଆଇନ ପ୍ରଣୟନ କରିଛି, ତାହାଦ୍ବାରା କୌଣସି ଭାରତୀୟ ନାଗରିକର କୌଣସି ଅଧିକାର କ୍ଷୁଣ୍ଣ ହେବାର ସାମାନ୍ୟତମ ସମ୍ଭାବନା ନାହିଁ। ଠିକ୍‌ ଯେଉଁଭଳି ଆମେରିକା ଉପରବର୍ଣ୍ଣିତ ମୁସଲମାନ ଦେଶ ସବୁର ନାଗରିକମାନଙ୍କର ଆମେରିକାରେ ପ୍ରବେଶ ଉପରେ ଲାଗୁ କରିଥିବା କଟକଣାମାନ ଦ୍ବାରା ଆମେରିକାରେ ଥିବା ପ୍ରାୟ ୩.୪୫ ନିୟୁତ ମୁସଲମାନ ନାଗରିକମାନେ ଆଦୌ ପ୍ରଭାବିତ ହେବେ ନାହିଁ। ଅବାଞ୍ଛିତ ବିଦେଶୀ ନାଗରିକମାନଙ୍କ ପାଇଁ ପ୍ରବେଶ ଦ୍ବାର ବନ୍ଦ କରିବା ସକାଶେ ଆମେରିକାର ଯେମିତି ସାର୍ବଭୌମ ଅଧିକାର ଅଛି, ଭାରତର ମଧୢ ସେଇଭଳି ସାର୍ବଭୌମ ଅଧିକାର ରହିଛି। ବର˚ ଭାରତର ଏହି ପଦକ୍ଷେପ ସମ୍ବନ୍ଧରେ ମନ୍ତବ୍ୟ ପ୍ରଦାନ କରିବା ପାଇଁ ଆମେରିକା କ˚ଗ୍ରେସର କୌଣସି ନୈତିକ ଅଧିକାର ନାହିଁ।