କବର- ଖୋଦକ
କମ୍ୟୁନିଷ୍ଟ ଦର୍ଶନର ଜନକ କାର୍ଲ ମାର୍କ୍ସଙ୍କୁ ପୁଞ୍ଜିବାଦର କବର-ଖୋଦକ ବୋଲି କୁହାହୋଇ ଆସିଛି। ପୁଞ୍ଜିବାଦର କାହିଁକି ମୃତ୍ୟୁ ଘଟିବା ନିଶ୍ଚିତ, ମାର୍କ୍ସ ତାଙ୍କର ବିଶାଳକାୟ ପୁସ୍ତକ ପ୍ରସିଦ୍ଧ ‘ଦାସ୍ କ୍ୟାପିଟାଲ୍’ରେ ତା’ର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରିଥିଲେ, ଯାହାକୁ ବସ୍ତୁତଃ ଅନେକ ବିତଣ୍ତା ଯୁକ୍ତିର ସମାହାର ବୋଲି ନିରପେକ୍ଷ ଅର୍ଥନୈତିକ ଅନୁଶୀଳନକାରୀମାନେ ଅଗ୍ରାହ୍ୟ କରିଛନ୍ତି। ମାର୍କ୍ସବାଦୀମାନଙ୍କର ସେଥିରେ କିଛି ଯାଏ ଆସ ନ ଥାଏ; କାରଣ ସେମାନଙ୍କ ପାଇଁ ମାର୍କ୍ସବାଦ (ବା ଲେନିନ୍ବାଦ ବା ମାଓବାଦ) ହେଉଛି ଏକ ଧର୍ମବିଶ୍ବାସ ଭଳି ଯାହା ଯୁକ୍ତି ଉପରେ ନୁହେଁ, ବିଶ୍ବାସ ଉପରେ ପ୍ରତିଷ୍ଠିତ। (ଏମାନଙ୍କ ମଧୢରେ ଥିବା ଚରମପନ୍ଥୀମାନେ ଧର୍ମଯୋଦ୍ଧା ବା ଜିହାଦୀମାନଙ୍କ ଭଳି କିପରି ବର୍ବର କାଣ୍ତ ଘଟାଇ ପାରନ୍ତି, ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସୁକ୍ମା ନରସ˚ହାରରେ।)।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଲ ମାର୍କ୍ସଙ୍କର ଅର୍ଥନୈତିକ ତତ୍ତ୍ବ ବିତଣ୍ତା ହୋଇଥିଲେ ହେଁ, ତାହାର ମୌଳିକ ଦର୍ଶନ କିନ୍ତୁ ଏକ ସରଳ ସତ୍ୟ ଉପରେ ପ୍ରତିଷ୍ଠିତ। ସେ ସତ୍ୟଟି ହେଲା ଏକ ପୁଞ୍ଜିବାଦୀ ବ୍ୟବସ୍ଥାର ଅ˚ଶ ସମାଜର ଦୁଇ ମୁଖ୍ୟ ଶ୍ରେଣୀ ମଧୢରେ ସ୍ବାର୍ଥର ସ˚ଘାତ। ଏ ଦୁଇ ଶ୍ରେଣୀ ହେଲେ ଜଣାଶୁଣା ଭାବରେ ସମ୍ବଳର ମାଲିକ ‘ପୁଞ୍ଜିପତି’ ଏବ˚ ଶ୍ରମଶକ୍ତିର ମାଲିକ ‘ଶ୍ରମିକ’। ପୁଞ୍ଜିପତିମାନେ ସର୍ବଦା ଉତ୍ପାଦନ ମାଧୢମରେ ଅଧିକରୁ ଅଧିକ ଲାଭ ଅର୍ଜନ କରିବାକୁ ଚେଷ୍ଟା କରି ଚାଲିଥାନ୍ତି- ଏହା ସେମାନଙ୍କର ସ୍ବାଭାବିକ ପ୍ରବୃତ୍ତି। ସେମାନଙ୍କର ଏହି ଦୁର୍ବାର ଲାଭଖୋରିକୁ ଉଦ୍ଦେଶ୍ୟ କରି ମାର୍କ୍ସ ‘ଦାସ୍ କ୍ୟାପିଟାଲ୍’ର ପ୍ରଥମ ଖଣ୍ତରେ ଲେଖିଥିବା ମନ୍ତବ୍ୟ କି˚ବଦନ୍ତିରେ ପରିଣତ ହୋଇଛି: ‘‘ଆକ୍ୟୁମୁଲେଟ୍, ଆକ୍ୟୁମୁଲେଟ୍! ଦ୍ୟାଟ୍ ଇଜ୍ ମୋଜେସ୍ ଆଣ୍ତ ଦି ପ୍ରଫେଟ୍ସ!’’ (ମର୍ମାନୁବାଦ: ଲାଭ ଠୁଳ କରି ଚାଲ!, ତାହାହିଁ ଈଶ୍ବରଙ୍କ ଆଜ୍ଞା!)।
ଶ୍ରମିକମାନେ ସ୍ବାଭାବିକ ଭାବରେ ଚାହାନ୍ତି ସେମାନଙ୍କର ପାରିଶ୍ରମିକ ବା ମଜୁରିରେ ବୃଦ୍ଧି। ଉଭୟ ପକ୍ଷର ସ୍ବାର୍ଥ ସ୍ପଷ୍ଟ ରୂପେ ପରସ୍ପର ବିରୋଧୀ। ଶ୍ରମିକମାନଙ୍କୁ ଅଧିକ ମଜୁରି ଦେଲେ ଉଦ୍ୟୋଗମାଲିକଙ୍କର ଲାଭ ହ୍ରାସ ପାଇବ; ମଜୁରି କମ୍ ହେଲେ ଲାଭ ଅଧିକ ହେବ। ଊନବି˚ଶ ଶତାବ୍ଦୀର ମଧୢ ଭାଗରେ ମାର୍କ୍ସ ତାଙ୍କର ତତ୍ତ୍ବ ବୟାନ କଲାବେଳେ ପୃଥିବୀରେ ବର୍ତ୍ତମାନ ଭଳି ଜଗତ୍କରଣ ଘଟିନଥିଲା। ଲାଭରେ ବୃଦ୍ଧି ଘଟାଇବା ପାଇଁ ପୁଞ୍ଜିପତିମାନେ ଅଧିକରୁ ଅଧିକ ମେସିନ୍ ବ୍ୟବହାର କରିବେ ଏବ˚ ଶ୍ରମିକମାନଙ୍କୁ ଛଟେଇ କରି ଚାଲିବେ ବୋଲି ମାର୍କ୍ସ କହିଥିଲେ। ଜଗତ୍କରଣ କିନ୍ତୁ ବର୍ତ୍ତମାନର ଉଦ୍ୟୋଗପତିମାନଙ୍କ ସମ୍ମୁଖରେ ଏକ ନୂତନ ବିକଳ୍ପ ଉପଲବ୍ଧ କରାଇଛି। ତାହା ହେଲା ଶସ୍ତା ଶ୍ରମର ସନ୍ଧାନ। ଆଉ ପାଶ୍ଚାତ୍ୟ ଉଦ୍ୟୋଗମାନଙ୍କ ସମ୍ମୁଖରେ ୧୯୮୦ ଦଶକରୁ ଆରମ୍ଭ କରି ଯେଉଁ ଏକ ପ୍ରକାର ଅସରନ୍ତି ଶସ୍ତା ଶ୍ରମର ଭଣ୍ତାର ଖୋଲିଗଲା, ତାହାହେଲା ଚୀନ୍। ଲାଭଖୋର୍ ପୁଞ୍ଜିପତିମାନଙ୍କର କିଛି ଯାଏ ଆସ ନାହିଁ ଯେ ଚୀନ ହେଉଛି ଏକ ଏକଛତ୍ରବାଦୀ କମ୍ୟୁନିଷ୍ଟ ଦେଶ, ଯାହାର ରାଜନୈତିକ ଦର୍ଶନ ହେଉଛି ସେମାନଙ୍କର ସମ୍ପୂର୍ଣ୍ଣ ବିପରୀତ।
କୌଣସି ଧର୍ମବିଶ୍ବାସ ଶ୍ରମିକମାନଙ୍କ ମନରେ ଏକ ସନ୍ତୋଷ ଭାବ ସୃଷ୍ଟି କରି ସେମାନଙ୍କୁ ନିଜ ସ୍ବାର୍ଥ ସମ୍ବନ୍ଧରେ ସଚେତନ ହେବାକୁ ଏବ˚ ବିପ୍ଳବ କରିବାକୁ ଦେଇ ନ ଥାଏ ବୋଲି ମାର୍କ୍ସ ଧର୍ମକୁ ଜନତାର ଅଫିମ ରୂପେ ଅଭିହିତ କରିଥିଲେ। କିନ୍ତୁ ପ୍ରକୃତରେ ଲାଭ ହେଉଛି ପୁଞ୍ଜିପତିମାନଙ୍କର ଅଫିମ, ଏବ˚ ତାହା କିପରି ଘାତକ ହୋଇପାରେ ତାହା ମୁକ୍ତ ପୃଥିବୀର ଆମେ ଅଧିବାସୀମାନେ ବର୍ତ୍ତମାନ ପ୍ରତି ମୁହୂର୍ତ୍ତରେ ଅଙ୍ଗେ ନିଭାଇ ଚାଲିଛୁ।
ଶସ୍ତାଶ୍ରମର ଖଣି ଚୀନ ବିଗତ ଚାରିଦଶନ୍ଧି ମଧୢରେ ପରିଣତ ହୋଇଗଲା ସାରା ପୃଥିବୀର ‘ଵାର୍କ୍ସପ୍’ରେ। ପୃଥିବୀ ସାରାର ଛୋଟ ବଡ଼ କମ୍ପାନିମାନେ ବ୍ୟବହାର କରୁଥିବା ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍)ମାନ ଏବେ ଚୀନ୍ରୁ ହିଁ ଆରମ୍ଭ ହୋଇଥିବା ଦେଖାଯାଏ: ଟେଲିକମ୍ରୁ ଔଷଧ ପର୍ଯ୍ୟନ୍ତ, ପୋଷାକ ପତ୍ରରୁ ଖେଳଣା ପର୍ଯ୍ୟନ୍ତ। କ୍ରମେ ପାଶ୍ଚାତ୍ୟ ଅର୍ଥରେ ପରିପୁଷ୍ଟ ହୋଇ ଚୀନ୍ର ବିଶାନ ଜନସ˚ଖ୍ୟା ଏକ ବିଶାଳ ବଜାରରେ ମଧୢ ପରିଣତ ହୋଇ ପାଶ୍ଚାତ୍ୟ ଲାଭଖୋର କମ୍ପାନିମାନଙ୍କ ପାଇଁ ଦ୍ବିତୀୟ ଦୁର୍ବାର ଆକର୍ଷଣରେ ପରିଣତ ହୋଇଛି।
ଏ ଉଭୟ ଲହରୀର ପ୍ରଭାବରେ ଦିନେ ନିଜ ଦେଶ ମଧୢରେ ସୀମାବଦ୍ଧ ଥିବା ଚୀନାମାନେ ବାହ୍ୟଜଗତ୍ ସହିତ ଅତ୍ୟନ୍ତ ନିବିଡ଼ ସମ୍ପର୍କ ସ୍ଥାପନ କରିବା ଦେଖାଯାଉଛି। ପୃଥିବୀକୁ ଗୋଟିଏ କୁଟୁମ୍ବରେ ପରିଣତ କରିବା ଦିଗରେ ଏହାକୁ ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ରୂପେ ବିଚାର କରାଯାଆନ୍ତା। କିନ୍ତୁ ବ୍ରଜନାଥ ବଡ଼ଜେନାଙ୍କ ବର୍ଣ୍ଣିତ ଦୁଷ୍ଟ ପ୍ରୀତି ଓ ନୀଚ ପ୍ରୀତିର ସମାହାର ଭଳି ଚୀନାମାନଙ୍କ ସହ ଏଭଳି ପ୍ରୀତିରୁ ବାହାର ଦୁନିଆକୁ ଯେଉଁ ପରିଣାମ ମିଳିଛି, ତାହା ହେଲା, ‘ଉହାନ୍ ଭାଇରସ୍’ ବା ‘କରୋନା ଭାଇରସ୍’ ବା ‘କୋଭିଡ-୧୯’ ମହାମାରୀ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପୃଥିବୀରୁ ମାନବଜାତିକୁ ସମ୍ପୂର୍ଣ୍ଣ ଲୋପ କରି ଦେବାର ସମ୍ଭାବନା ବହନ କରୁଥିବା ଏଭଳି କୌଣସି ବିପଦ ଏ ପର୍ଯ୍ୟନ୍ତ ଦେଖା ଯାଇ ନ ଥିଲା।
ଏ ବିପଦର ଯେଉଁ କାରଣଟି ହେଉଛି ନିଶ୍ଚିତ, ତାହା ହେଲା ଚୀନାମାନଙ୍କର ରାକ୍ଷସସୁଲଭ ଖାଦ୍ୟାଭ୍ୟାସ (ସୋଏବ୍ ଅଖ୍ତାର୍ ପଚାରିଥିବା ଭଳି: ସେମାନେ କୁକୁର ବିଲେଇ ଆଦି ଜୀବଙ୍କର ମା˚ସ ତ ଖାଆନ୍ତି, ରକ୍ତ ବି କାହିଁକି ପିଅନ୍ତି?)। ଅନ୍ୟ ଏକ ସମ୍ଭାବ୍ୟ କାରଣ ହେଲା ଚୀନ୍ ରଚନା କରିଥିବା ଏକ ଜୈବ ଯୁଦ୍ଧ। କାରଣ ଯାହା ହେଉନା କାହିଁକି ଚୀନ୍ ଯୋଗୁଁ ବାହାରର ପୁଞ୍ଜିବାଦୀ ପୃଥିବୀ ଯେ ସମ୍ମୁଖରେ ନିଜର କବର ଦେଖିବାକୁ ଆରମ୍ଭ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଶୁଣାଯାଉଛି ଚୀନ୍ କୁଆଡ଼େ ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇଗଲାଣି। ତେଣୁ ବାହାର ଜଗତ୍ର ଧ୍ବ˚ସ ତା ପାଇଁ ଏକ ସାମ୍ରାଜ୍ୟ ବିସ୍ତାର ସୁଯୋଗ ରୂପେ ଆବିର୍ଭୂତ ହୋଇପାରେ।
ଶ୍ରମିକ ବିପ୍ଳବ ମାଧୢମରେ ପୁଞ୍ଜିବାଦର କବର ଗମନ ପାଇଁ କବର-ଖୋଦକ ମାର୍କ୍ସ ଯେଉଁ ସ୍ବପ୍ନ ଦେଖିଥିଲେ, ୧୯୯୦ ଦଶକରେ ସୋଭିଏତ୍ ରୁଷ୍ର ପତନ ପରେ ତାହା ଧୂଳିସାତ୍ ହୋଇଥିଲା। ମାର୍କ୍ସଙ୍କର ଯୋଗ୍ୟ ଦାୟାଦ ଭାବରେ କମ୍ୟୁନିଷ୍ଟ ଚୀନ୍ ତାହାକୁ ବାସ୍ତବତାରେ ପରିଣତ କରିବାର ଏକ ନୂତନ ସମ୍ଭାବନା ଏବେ ସୃଷ୍ଟି ହେବା ପରି ମନେହୁଏ। ଆଉ ସେଇ ପାଶ୍ଚାତ୍ୟ ପୁଞ୍ଜିପତିମାନେ ହିଁ ନିଜର ବିଲୟ ସାଧନ କରିବାରେ ଚୀନ୍କୁ ଯେ ସହାୟକ ହେବେ ତାହାର ପ୍ରକୃଷ୍ଟ ପ୍ରମାଣ ହେଲା ଲାଭ ନିଶାଗ୍ରସ୍ତ ଆମେରିକୀୟ ଆଇଫୋନ୍ ନିର୍ମାତା ‘ଆପ୍ଲ’ ଚୀନ୍ରେ ତାର ବନ୍ଦ ହୋଇଥିବା ୪୨ଟି ଷ୍ଟୋର୍ ପୁଣି ଖୋଲି ସାରିଲାଣି!