ଅଚଳ ମୁଦ୍ରା

ଆଜିକୁ ଠିକ ଏକ ସପ୍ତାହ ତଳେ ଅର୍ଥାତ୍‌ ଗଲା ଶୁକ୍ରବାର ଦିନ ସମସ୍ତଙ୍କୁ ବିସ୍ମିତ କରି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଚାନକ ଲଦାଖରେ ପହଞ୍ଚିବା ଏବ˚ ସେଠାରେ ଭାରତୀୟ ସୈନିକମାନଙ୍କୁ ଏକ ଉଦ୍‌ବୋଧନ ଦେବା ପରେ ଆଖି ଡୋଳାକୁ ଆଖି ଡୋଳା ମିଶାଇ ପରସ୍ପରକୁ ମୁହାଁମୁହିଁ ହୋଇ ଛିଡ଼ା ହୋଇ ରହିଥିବା ଚୀନା ଓ ଭାରତୀୟ ସୈନିକମାନେ ‘ଗଲଵାନ ଉପତ୍ୟକା’ ଏବ˚ ‘ହଟ୍‌ ସ୍ପ୍ରି˚’ ଅଞ୍ଚଳରୁ ପଛକୁ ହଟିବାକୁ ଆରମ୍ଭ କରିବା ହୁଏତ କାକତାଳୀୟ ସଂଯୋଗ ହୋଇପାରେ, କିନ୍ତୁ ସେଠାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ପ୍ରତିଧ୍ବନି ଯେ ସେହି ବିଜନ, ଶୁଷ୍କ ବନ୍ଧୁର ଅଞ୍ଚଳ ଅତିକ୍ରମ କରି ବିଶ୍ବର ବିଭିନ୍ନ କୋଣକୁ ଶୁଣାଯାଇଛି, ତାହା କହିବା ବାହୁଲ୍ୟ ମାତ୍ର। କାରଣ, ସେହି ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଥିବା ଗୋଟିଏ ଉକ୍ତି ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧୢମରେ ଆଲୋଚନା ହୋଇ ଏ ସଂଦର୍ଭରେ ଅନେକ ପ୍ରସ୍ଥ ଉନ୍ମୋଚନ କରିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତି ଅପାତତଃ ଚୀନ ଲାଗି ଉଦ୍ଦିଷ୍ଟ ବୋଲି ମନେ ହେଉଥିଲେ ମଧୢ ଟିକିଏ ଗହୀରେଇ ଦେଖିଲେ ଏଥିରେ ଏସିଆର ତିନି ବୃହତ୍‌ ଶକ୍ତି ଏବ˚ ପରସ୍ପରର ପଡ଼ୋଶୀ ରାଷ୍ଟ୍ରଙ୍କ ଲାଗି ଯେ ସନ୍ଦେଶ ରହିଛି, ତାହା ବୁଝା ପଡ଼ିପାରେ।

ସେ ଦିନ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ଉପରୋକ୍ତ ଉକ୍ତିଟି ଥିଲା: ‘ସ˚ପ୍ରସାରଣବାଦୀ ଯୁଗର ଅନ୍ତ ଘଟି ସାରିଛିି।’ ସା˚ପ୍ରତିକ ଘଟଣା ପରିପ୍ରେକ୍ଷୀରେ ଏହା ଯେ ଚୀନ ସକାଶେ ଅଭିପ୍ରେତ, ତାହା କହିବା ନିଷ୍ପ୍ରୟୋଜନ। ସାରା ବିଶ୍ବ ଯେତେବେଳେ ଚୀନରୁ ସୃଷ୍ଟ ଓ ପ୍ରସାରିତ କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ଆକ୍ରାନ୍ତ ହୋଇ ଅତି ଦୟନୀୟ ଭାବେ ତହିଁରୁ ମୁକୁଳିବାର ପଥ ଅନ୍ବେଷଣ କରୁଛି, ସେତିକିବେଳେ ଚୀନ ଦ୍ବାରା ଗ୍ଳାନିବୋଧ ବା ଦୁଃଖ ପ୍ରକାଶର ଲେଶ ମାତ୍ର ପ୍ରୟାସ କରା ନ ଯାଇ ବରଂ, ତାର ବିପରୀତରେ ଭାରତର ସୀମା ଅତିକ୍ରମଣ କରିବାର ଉଦ୍ୟମ କରାଯିବା ଏବ˚ ଗଲଵାନ ଉପତ୍ୟକା ଠାରେ ପ୍ରଥମେ ନିଜ ପକ୍ଷରୁ ହି˚ସାତ୍ମକ ସ˚ଘର୍ଷ ଆରମ୍ଭ କରି ରକ୍ତପାତ ଭିଆଇବା ଓ ତା’ ପରବର୍ତ୍ତୀ କାଳରେ ଏକ ଭୟାବହ ଯୁଦ୍ଧର ଆଶଙ୍କା ସୃଷ୍ଟି କରି ସୀମାନ୍ତରେ ସୈନ୍ୟ ବଳ ରୁଣ୍ତ କରିବା ଭଳି କାର୍ଯ୍ୟଗୁଡ଼ିକ ଏହା ସ୍ପଷ୍ଟ କରିଥାଏ ଯେ ସାମରିକ ବଳ ପ୍ରୟୋଗ ଦ୍ବାରା ଆପଣା ସ˚ପ୍ରସାରଣବାଦୀ ସ୍ବପ୍ନକୁ ରୂପ ଦେବା ଲାଗି ଚୀନ ବ୍ୟାକୁଳ। ୧୯୫୦ ମସିହାରେ ତିବ୍ବତ ଅଧିକାର ବା ୧୯୬୨ ମସିହାରେ ଭାରତ ବିରୋଧରେ ଯୁଦ୍ଧ କରି ‘ଅକସାଇ ଚୀନ’ର କିଛି ଅ˚ଶ ଦଖଲକୁ ସେହି ସମୟରେ ଶୀତଳ ଯୁଦ୍ଧ କାଳୀନ ଦ୍ବନ୍ଦ୍ବର ପରିଣତି ଭାବେ ହୁଏ’ତ ବିଚାର କରାଯାଇଥିଲା, କିନ୍ତୁ ଏକବି˚ଶ ଶତାବ୍ଦୀରେ ଚୀନ ପ୍ରଦର୍ଶନ କରିଥିବା ଅନୁପ୍ରବେଶକାରୀ ଆଭିମୁଖ୍ୟ (କେବଳ ଭାରତ ବିରୋଧରେ ନୁହେଁ, ଅତ୍ୟନ୍ତ କ୍ଷୁଦ୍ର ତଥା ଶାନ୍ତ ଦେଶ ଭୁଟାନ ବିପକ୍ଷରେ ମଧୢ) ଚୀନର ଯେଉଁ ଚେହେରା ପ୍ରକଟ କରୁଛି, ତାହା ପ୍ରାଚୀନ କ୍ବି˚ ରାଜବ˚ଶର ହୋଇପାରେ; କିନ୍ତୁ ତାହା ଏକବି˚ଶ ଶତାବ୍ଦୀର ପୃଥିବୀରେ ଆଦୌ ଖାପ ଖାଉ ନାହିଁ। ସୁତରା˚, ସ˚ପ୍ରତି ଚୀନର ସଂପ୍ରସାରଣବାଦୀ ଆଚରଣ ବିଶ୍ବର ସବୁ ପ୍ରମୁଖ ରାଷ୍ଟ୍ରଙ୍କୁ ବିଚଳିତ କରିବା ସହିତ ଚୀନ ବିରୋଧରେ ସେମାନଙ୍କୁ ସ୍ବାଭାବିକ ଭାବେ ଏକାଠି କରିଛି। ସେଥି ଲାଗି ମାତ୍ର କେଇ ମାସ ପୂର୍ବରୁ ବିଶ୍ବର ସବୁ ରାଷ୍ଟ୍ରଙ୍କ ଠାରେ ପ୍ରିୟଭାଜନ ହୋଇ ପାରିଥିବା ଚୀନ ସ˚ପ୍ରତି ସମସ୍ତଙ୍କର ସନ୍ଦେହ ଓ ଅସୂୟାର ପାତ୍ର ହୋଇପଡ଼ିଛି। ଏବଂ ଏହାର କାରଣ ମଧ୍ୟ ଚୀନକୁ ଅଜ୍ଞାତ ନ ଥିବ। ଚୀନ ଏହା ମଧୢ ପୂର୍ଣ୍ଣ ଭାବେ ଅବଗତ ଥିବ ଯେ ଏକବି˚ଶ ଶତାବ୍ଦୀରେ ଯୁଦ୍ଧ ବଳରେ ଅଞ୍ଚଳ ଜୟ କରିବାର ସ୍ବପ୍ନ ଏକ ଉଦ୍ଭଟ ପରିକଳ୍ପନା। ଚୀନ ଏହା ମଧୢ ବୁଝିଥିବ ଯେ ଭାରତ ଭଳି ଏକ ବୃହତ୍‌ ଶକ୍ତି ସହିତ ସ˚ଘାତ ହୁଏ’ତ ଅସରନ୍ତି କାଳ ପର୍ଯ୍ୟନ୍ତ ଚାଲିପାରେ; ଏବ˚ ଏହାଦ୍ବାରା ଉଭୟ ରାଷ୍ଟ୍ର ପ୍ରଭୂତ ଭାବେ କ୍ଷତିଗ୍ରସ୍ତ ହେବା ଅବଧାରିତ। ଏଭଳି ଏକ ଯୁଦ୍ଧରେ ହାର-ଜିତର ପ୍ରଶ୍ନ ଅବାନ୍ତର ହୋଇପଡ଼େ। ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ନିହିତ ଥିବା ସତ୍ୟଟିକୁ ଚୀନ ହୃଦୟଙ୍ଗମ କରିବା ଉଚିତ। ଏବ˚ ଏହା ମଧୢ ବୁଝିଯିବା ଉଚିତ ଯେ ବିଶ୍ବର ଯେ କୌଣସି ରାଷ୍ଟ୍ର(ତାହା ଯେତେ କ୍ଷୁଦ୍ର ହୋଇଥାଉ)ର ସାର୍ବଭୌମ ଅଧିକାରକୁ ସାମରିକ ବଳ ଦ୍ବାରା କ୍ଷୁଣ୍ଣ କରିବାର ଆଭିମୁଖ୍ୟ ନିଶ୍ଚିତ ରୂପେ ବିଶ୍ବ ବ୍ୟାପୀ ବିରୋଧର ସମ୍ମୁଖୀନ ହେବ।

ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତି ପାକିସ୍ତାନର କର୍ଣ୍ଣ ଗହ୍ବରରେ ମଧ୍ୟ ପ୍ରବେଶ କରିବା ଉଚିତ। କାରଣ, ଗଲା ସାତଟି ଦଶକ ଧରି କାଶ୍ମୀରକୁ ଭାରତ ଠାରୁ ବିଚ୍ଛିନ୍ନ କରି ନିଜ ରାଷ୍ଟ୍ରରେ ମିଶାଇବାର ଅଭିଯାନକୁ ପାକିସ୍ତାନ ନିଜର ରାଷ୍ଟ୍ର-ନୀତିରେ ପରିଣତ କରି ବର୍ତ୍ତମାନ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ ହୋଇ ସାରିଛି। ଗଲା ସପ୍ତମ ଦଶକ ବେଳକୁ ଏହି ରାଷ୍ଟ୍ରର ଜାତୀୟ ଉତ୍ପାଦ ବା ଜି.ଡି.ପି. ଭାରତର ଜାତୀୟ ଉତ୍ପାଦ ବା ଜି.ଡି.ପି. ତୁଳନାରେ ଉନ୍ନତ ଥିଲା; କିନ୍ତୁ ‘କାଶ୍ମୀର ଏଜେଣ୍ତା’ କାରଣରୁ ପାକିସ୍ତାନ ଏବେ ଏକ ଧ୍ବ˚ସ ସ୍ତୂପ ଉପରେ ଛିଡ଼ା ହୋଇଛି। ୧୯୭୧ ମସିହାରେ ପଶ୍ଚିମ ପାକିସ୍ତାନରୁ ବିଚ୍ଛିନ୍ନ ହୋଇ ପୂର୍ବ ପାକିସ୍ତାନ ବା˚ଲାଦେଶ ରୂପେ ଆତ୍ମପ୍ରକାଶ କଲା। କିନ୍ତୁ ପ୍ରାରମ୍ଭରୁ ବା˚ଲାଦେଶ ଆଦୌ କାଶ୍ମୀର ସ୍ବପ୍ନ ଦେଖିଲା ନାହିଁ। ଏହାର ଫଳ ସ୍ବରୂପ ଅର୍ଧ ଶତାବ୍ଦୀ ତଳର ଅତ୍ୟନ୍ତ ଦରିଦ୍ର ରାଷ୍ଟ୍ର ଭାବେ ପାକିସ୍ତାନରୁ ବିଚ୍ଛିନ୍ନ ହୋଇ ଜନ୍ମ ଲାଭ କରିଥିବା ଏହି ଦେଶର ସମସ୍ତ ପ୍ରମୁଖ ମାନବୀୟ ଜୀବନଯାପନ ସୂଚକାଙ୍କ ଆଜି ପାକିସ୍ତାନ ତୁଳନାରେ ଅଧିକ ଉନ୍ନତ। ଏକ ମୃଗତୃଷ୍ଣାକୁ ଅନୁଧାବନ କରି ଚାଲିଥିବା ପାକିସ୍ତାନ ମଧ୍ୟ ଏ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉକ୍ତିରୁ ଏକବିଂଶ ଶତାବ୍ଦୀର ବାସ୍ତବିକତାକୁ ବୁଝିବା ଆବଶ୍ୟକ।

ଏହା କଟୁ ହେଲେ ମଧୢ ସତ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିରୁ ଭାରତ ସରକାର ମଧ୍ୟ ମାନସମନ୍ଥନ ପ୍ରକ୍ରିୟା ପ୍ରାରମ୍ଭ କରିବା ଉଚିତ। କାରଣ ସ˚ସଦରେ ଗୃହୀତ ଏକ ସ˚କଳ୍ପ ଦ୍ବାରା ପାକିସ୍ତାନ ଠାରୁ ‘ଆଜାଦ କାଶ୍ମୀର’ ଏବ˚ ଚୀନ ଅକ୍ତିଆରରୁ ‘ଅକସାଇ ଚୀନ’ ଅଞ୍ଚଳକୁ ମୁକ୍ତ କରି ଭାରତରେ ମିଶାଇବା ଲାଗି ଦୃଢ଼ତା ପ୍ରଦର୍ଶିତ ହୋଇଥିଲା। କିନ୍ତୁ ଭୁଲିଗଲେ ହେବନାହିଁ ଯେ ଏଭଳି ଯେ କୌଣସି ପଦକ୍ଷେପ ଏକ ଅସରନ୍ତି ଓ ବିଧ୍ବ˚ସକାରୀ ଯୁଦ୍ଧର କାରଣ ହେବ। ପୁନଶ୍ଚ ଏହା କେବଳ ଏହି ଭୂଖଣ୍ତରେ ସୀମିତ ନ ରହି ବିଶ୍ବବ୍ୟାପୀ ହେବ। ତିନିଟି ଯାକ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର କୌଣସି ଏକ ସର୍ବଶେଷ ଯୁଦ୍ଧ ଭଳି ସ˚ଘାତରେ ଅବତୀର୍ଣ୍ଣ ହେଲେ ପରିଣାମ ଯେ କ’ଣ ହେବ, ତାହା ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନାହିଁ।

ଏ ପ୍ରସଙ୍ଗରେ ‘ସ˚ଯମ ପରୀକ୍ଷା’ର ଏକ ପ୍ରାଚୀନ ପର˚ପରା ସ୍ମରଣକୁ ଆସେ, ଯହିଁରେ ସ˚ଘାତ ହିଁ ଏକ ମୂଳ ଉପାଦାନ ଭାବେ ରହିଥାଏ। ଏକ ବିଡ଼ମ୍ବନା ହେଲା ଏବର ଯୁଦ୍ଧଖୋର ଚୀନର ମାଟିରେ ଏହି ସ˚ଯମ ପରୀକ୍ଷାର ପ୍ରାଚୀନ ପର˚ପରାଟି ପରିଦୃଷ୍ଟ ହେଉଥିଲା। ଏହି ପରୀକ୍ଷାରେ ଦୁଇ ମଲ୍ଲ ଯୋଦ୍ଧା ଦ୍ବନ୍ଦ୍ବ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ପରସ୍ପରକୁ ଆହ୍ବାନ ଦେବାର ପ୍ରକ୍ରିୟାରେ ଯେଉଁ ଯୋଦ୍ଧା ଆତ୍ମ ସ˚ଯମ ହରାଇ ପ୍ରଥମେ ଆକ୍ରମଣ କରୁଥିଲା, ସେ ହିଁ ପରାଜିତ ହେଉଥିଲା। ଏଭଳି ଏକ ଦ୍ବନ୍ଦ୍ବ ଯୁଦ୍ଧରେ ସର୍ବଦା ଶାନ୍ତିର ବିଜୟ ଘଟୁଥିଲା। କହିବା ବାହୁଲ୍ୟ ଯେ କାଳକ୍ରମେ ସାମରିକ ଶକ୍ତି ଓ ବାହୁ ବଳ ଉପରେ ବିଶ୍ବାସ ସ୍ଥାପନ କରିଥିବା ଚୀନ ତାର ଏହି ପ୍ରାଚୀନ ପର˚ପରାକୁ ଏକ ଅଚଳ ମୁଦ୍ରାରେ ପରିଣତ କରି ଦେଇଛି। କିନ୍ତୁ ଆଜି ଯେତେବେଳେ ପାରସ୍ପରିକ ବିଶ୍ବାସ, ସଦ୍‌ଭାବ ଓ ବୁଝାମଣା ଉପରେ ଆଧାରିତ ଜଗତ୍‌କରଣ-ଉଦାରବାଦ-ବଜାର ଅର୍ଥନୀତି ଦ୍ବାରା ଚାଳିତ ପୃଥିବୀରେ ଏହି ‘ଅଚଳ ମୁଦ୍ରା’ର ବିନିମୟ ମୂଲ୍ୟ ସର୍ବାଧିକ, ଚୀନର ଚୈତନ୍ୟ ତଥାପି ଉଦୟ ହୋଇ ନ ଥିବା ଏକ ବିଡ଼ମ୍ବିତ ବିସ୍ମୟ। ପ୍ରକୃତରେ ସାମରିକ ବଳାଶ୍ରୟୀ ସ˚ପ୍ରସାରଣବାଦ ହିଁ ସଂପ୍ରତି ଏକ ଅଚଳ ମୁଦ୍ରାରେ ପରିଣତ ହୋଇସାରିଛି।

ସମ୍ବନ୍ଧିତ ଖବର