ନୋବେଲ୍ ତିରସ୍କାର
୨୦୨୦ ପାଇଁ ଘୋଷିତ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଯେଉଁ ତିନିଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି, ସେମାନଙ୍କ ମଧୢରେ ବୟୋଜ୍ୟେଷ୍ଠ ହେଉଛନ୍ତି ୯୦ ବର୍ଷୀୟ ବ୍ରିଟିସ୍ ଗଣିତଜ୍ଞ ସାର୍ ରଜର୍ ପେନ୍ରୋଜ୍। ତାଙ୍କୁ ପୁରସ୍କାର ପ୍ରଦାନ କରିବାର ଯଥାର୍ଥତା ପ୍ରତିପାଦନ କରି ନୋବେଲ୍ କମିଟି କହିଛି: ‘‘…ବ୍ଲାକ୍ହୋଲ୍ ସୃଷ୍ଟି ସାଧାରଣ ଆପେକ୍ଷିକ ତତ୍ତ୍ବର ଏକ ନିଶ୍ଚିତ ଭବିଷ୍ୟବାଣୀ ବୋଲି ଆବିଷ୍କାର କରିଥିବା ପାଇଁ।’’ ‘ବ୍ଲାକ୍ହୋଲ୍’ ବା ମହାକାଶରେ ସୃଷ୍ଟ ‘କୃଷ୍ଣଗର୍ତ୍ତ’ ଉପରେ ସାର୍ ରଜର୍ଙ୍କର ଯେଉଁ ଗବେଷଣାତ୍ମକ କାର୍ଯ୍ୟ ପାଇଁ ନୋବେଲ୍ କମିଟି ତାଙ୍କୁ ଏହି ବିଳମ୍ବିତ ପୁରସ୍କାର ପ୍ରଦାନ କରିଛି, ତାହା ସେ ଅନ୍ୟତମ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ସ୍ବର୍ଗୀୟ ଷ୍ଟିଫେନ୍ ହକିଙ୍ଗଙ୍କ ସହ ମିଶି ସମ୍ପାଦନ କରିଥିଲେ ୧୯୬୦ ଦଶକରେ- ପ୍ରାୟ ଛ’ ଦଶନ୍ଧି ତଳେ। ସେବେଠାରୁ ପ୍ରତି ନୋବେଲ୍ ଋତୁରେ ଆଶା କରା ହୋଇ ଆସୁଥିଲା ଯେ ଏଥର ବୋଧହୁଏ ପେନ୍ରୋଜ୍ଙ୍କୁ ନୋବେଲ୍ କମିଟି ପୁରସ୍କାର ପାଇଁ ଯୋଗ୍ୟ ବିବେଚନା କରିବ। ଏକ ବିଡ଼ମ୍ବନା ଭଳି ସାର୍ ରଜର୍ଙ୍କ ଜୀବନର ପ୍ରାୟ ଅନ୍ତିମ ମୁହୂର୍ତ୍ତରେ ତାହା ସତ ହୋଇଛି। ବୋଧହୁଏ ନିଜର ଏହି ଅବହେଳା ଭରଣା କରିବା ପାଇଁ ନୋବେଲ୍ କମିଟି ୧୧ ଲକ୍ଷ ଡଲାର୍ ପୁରସ୍କାର ରାଶିର ଅର୍ଦ୍ଧେକ ପେନ୍ରୋଜ୍ଙ୍କୁ ପ୍ରଦାନ କରିଛି ଓ ବାକି ଅର୍ଦ୍ଧେକ ଅନ୍ୟ ଦୁଇ ବିଜୟୀଙ୍କ ମଧୢରେ ସମାନ ଭାବରେ ଭାଗ କରି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖ ନିଷ୍ପ୍ରୟୋଜନ ଯେଉଁ ‘ସାଧାରଣ ଆପେକ୍ଷିକ ତତ୍ତ୍ବ’ କଥା ନୋବେଲ୍ କମିଟି ଉଲ୍ଲେଖ କରିଛି, ତାହା ଅବଶ୍ୟ ହେଉଛି ଆଇନ୍ଷ୍ଟାଇନ୍ଙ୍କର ପ୍ରସିଦ୍ଧ ଦୁଇଟି ଆପେକ୍ଷିକ ତତ୍ତ୍ବ ମଧୢରୁ ଗୋଟିଏ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ନୋବେଲ୍ କମିଟି ଆପେକ୍ଷିକ ତତ୍ତ୍ବ ସମ୍ପର୍କିତ ଏକ ଗବେଷଣାକୁ ସ୍ବୀକୃତି ପ୍ରଦାନ କରିବାକୁ ଏତେ ଦୀର୍ଘ କାଳ ଅତିବାହିତ କରିଛି। କାରଣ ଖୋଦ୍ ଆପେକ୍ଷିକ ତତ୍ତ୍ବକୁ ନୋବେଲ୍ କମିଟି କେବେହେଲେ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ବିଚାର କରି ନଥିଲା ଯଦିବା ‘ସାଧାରଣ ଆପେକ୍ଷିକ ତତ୍ତ୍ବ’ (‘ଜେନେରାଲ୍ ଥିଓରି ଅଫ୍ ରିଲେଟିଭିଟି’)କୁ ମହାନ ରୁଷୀୟ ପଦାର୍ଥବିଜ୍ଞାନୀ ଲେଭ୍ ଲାଣ୍ତାଉ ବର୍ଣ୍ଣନା କରିଥିଲେ: ‘‘ସମସ୍ତ ତତ୍ତ୍ବମାନଙ୍କ ମଧୢରେ ସୁନ୍ଦରତମ।’’ ଚୁମ୍ବକରେ ଏହାର ପୃଷ୍ଠଭୂମି ଏଠାରେ ଉପସ୍ଥାପନ କରିବା ଅପ୍ରାସଙ୍ଗିକ ହେବନାହିଁ।
ଆଲବର୍ଟ ଆଇନ୍ଷ୍ଟାଇନ୍ ୨୬ ବର୍ଷ ବୟସରେ ୧୯୦୫ରେ ଯେଉଁ ପ୍ରଥମ ଆପେକ୍ଷିକ ତତ୍ତ୍ବ ଆବିଷ୍କାର କରିଥିଲେ, ତାହା ବର୍ତ୍ତମାନ ‘ବିଶେଷ ଆପେକ୍ଷିକ ତତ୍ତ୍ବ’ (ସ୍ପେସାଲ୍ ଥିଓରି ଅଫ୍ ରିଲେଟିଭିଟି) ରୂପେ ପରିଚିତ। ଏଥିରେ ସେ ଦର୍ଶାଇଥିଲେ ଯେ ସମୟର ବେଗ ସମସ୍ତଙ୍କ ପାଇଁ ସମାନ ନୁହେଁ (ଉଦାହରଣ ସ୍ବରୂପ ଆଲୋକର ବେଗ ସହିତ ସମାନ ବେଗରେ ଗତି କରୁଥିବା କୌଣସି ବ୍ୟକ୍ତି ପାଇଁ ସମୟ ସମ୍ପୂର୍ଣ୍ଣ ସ୍ଥିର ହୋଇ ଯାଇଥାଏ)। ପରବର୍ତ୍ତୀ ସମୟରେ ସେ ଆବିଷ୍କାର କରିଥିବା ଏହି ତତ୍ତ୍ବର ଏକ ସାରା˚ଶ ରଚନା କରିବା ଅବସରରେ ଆଇନ୍ଷ୍ଟାଇନ୍ ହଠାତ୍ ସଚେତନ ହେଲେ ଯେ ତାଙ୍କର ଏହି ନୂତନ ତତ୍ତ୍ବ ନିଉଟନ୍ ଆବିଷ୍କାର କରିଥିବା ଅନ୍ୟ ଏକ ମୌଳିକ ତତ୍ତ୍ବ- ‘ସାର୍ବଜନୀନ ମାଧୢାକର୍ଷଣ ତତ୍ତ୍ବ’ ସହିତ ଖାପ୍ ଖାଉନାହିଁ। ତା’ପରଠାରୁ ଦୀର୍ଘ ଦଶ ବର୍ଷ କାଳ ଆଇନ୍ଷ୍ଟାଇନ୍ ଏହି ସମସ୍ୟାର ସମାଧାନ ପାଇଁ ଅହରହ ଚିନ୍ତା କରିବାରେ ନିମଗ୍ନ ରହିଲେ। ଶେଷରେ ୧୯୧୫ରେ ସେ ଏହାର ଯେଉଁ ସମାଧାନ ଖୋଜି ପାଇ ପ୍ରକାଶ କଲେ, ତାହାର ସେ ନାମକରଣ କରିଥିଲେ- ‘ଦି ଜେନେରାଲ୍ ଥିଓରି ଅଫ୍ ରିଲେଟିଭିଟି’।
ନିଉଟନ୍ଙ୍କ ମତରେ ପ୍ରତ୍ୟେକ ପାର୍ଥିବ ବସ୍ତୁ ପରସ୍ପରକୁ ଆକର୍ଷିତ କରିଥାନ୍ତି, ଯେଉଁଥିପାଇଁ ସେଓଟିଏ ଡେମ୍ଫରୁ ଝଡ଼ିଲେ ଆକାଶକୁ ନଯାଇ ଭୂଇଁରେ ପଡ଼ିଥାଏ, ଗ୍ରହମାନେ ସେମାନଙ୍କର କକ୍ଷ ପଥରେ ଘୂରି ବୁଲିଥାନ୍ତି, ଇତ୍ୟାଦି। ନିଉଟନ୍ ଏହାର ନାମ ଦେଇଥିଲେ ‘ମାଧୢାକର୍ଷଣ ଶକ୍ତି’। କିନ୍ତୁ ପରସ୍ପର ଆଦୌ ସ˚ଲଗ୍ନ ନଥିବା ଦୁଇଟି ବସ୍ତୁ ମଧୢରେ ଏହି ଆକର୍ଷଣ କେଉଁ ମାଧୢମରେ ସାଧିତ ହୁଏ, ସେ ସମ୍ବନ୍ଧରେ ଆଧୁନିକ ବିଜ୍ଞାନର ଜନକ ରୂପେ ବିବେଚିତ ଏହି ମନୀଷୀ କୌଣସି ସନ୍ତୋଷଜନକ ଉତ୍ତର ପ୍ରଦାନ କରିପାରିନଥିଲେ।
ନିଉଟନ୍ ମହାଶୂନ୍ୟକୁ ଏକ ବିଶାଳ ଫାଙ୍କା ବାକ୍ସ ରୂପେ କଳ୍ପନା କରିଥିଲେ, ଯାହା ବିଶ୍ବ ବ୍ରହ୍ମାଣ୍ତକୁ ନିଜ ଭିତରେ ଘୋଡ଼ାଇ ରଖିଥାଏ ଏବ˚ ଯାହା ଭିତରେ ସମସ୍ତ ପାର୍ଥିବ ବସ୍ତୁମାନେ ସିଧାସଳଖ ଗତି କରିବା ସମୟରେ ପରସ୍ପର ପ୍ରତି ଆକର୍ଷିତ ହେବା ଦ୍ବାରା ସେମାନଙ୍କର ଗତିପଥ ବାଙ୍କି ଯାଇଥାଏ। ଏହି ମହାଶୂନ୍ୟ କେଉଁଥିରେ ତିଆରି ହୋଇଥାଏ, ନିଉଟନ୍ କିନ୍ତୁ ସେ ବିଷୟରେ କିଛି କହି ନ ଥିଲେ। ପରବର୍ତ୍ତୀ ସମୟରେ ଦୁଇ ମହାନ୍ ବ୍ରିଟିସ୍ ପଦାର୍ଥ ବିଜ୍ଞାନୀ- ମାଇକେଲ୍ ଫାରାଡେ ଓ ଜେମ୍ସ ମାକ୍ସେଵଲ୍ଙ୍କ ଦ୍ବାରା ଆବିଷ୍କୃତ ‘ବିଦ୍ୟୁତ ଚୁମ୍ବକୀୟ କ୍ଷେତ୍ର’ (‘ଇଲେକ୍ଟ୍ରୋ-ମାଗ୍ନେଟିକ୍ ଫିଲ୍ଡ’) ଧାରଣା ଦ୍ବାରା ପ୍ରଭାବିତ ହୋଇ ଆଇନ୍ଷ୍ଟାଇନ୍ଙ୍କର କ୍ରମେ ହୃଦ୍ବୋଧ ହେଲା ଯେ ଠିକ୍ ସେଇଭଳି ଏକ ‘ମାଧୢାକର୍ଷଣୀୟ କ୍ଷେତ୍ର’ (‘ଗ୍ରାଭିଟେସନାଲ୍ ଫିଲ୍ଡ’) ସର୍ବ ବିଦ୍ୟମାନ ରହିଛି। ଏହି କ୍ଷେତ୍ର ଦେଇ ହିଁ ମାଧୢାକର୍ଷଣ ପରିବାହିତ ହୋଇଥାଏ।
ଏହି ସମୟରେ ଆଇନ୍ଷ୍ଟାଇନ୍ଙ୍କ ଠାରେ ହଠାତ୍ ଏକ ଦିବ୍ୟ ଜ୍ଞାନର ଆବିର୍ଭାବ ଘଟିଲା: ମାଧୢାକର୍ଷଣ କ୍ଷେତ୍ର ମହାଶୂନ୍ୟ ସାରା ବିସ୍ତାର ଲାଭ କରିନାହିଁ, ମାଧୢାକର୍ଷଣ କ୍ଷେତ୍ର ହିଁ ହେଉଛି ନିଜେ ମହାଶୂନ୍ୟ। ଏହାହିଁ ହେଉଛି ସାଧାରଣ ଆପେକ୍ଷିକ ତତ୍ତ୍ବର ଚିନ୍ତାଧାରା। ନିଉଟନ୍ଙ୍କ ଫାଙ୍କା ବାକ୍ସ ରୂପକ ମହାଶୂନ୍ୟ ଏବ˚ ମାଧୢାକର୍ଷଣୀୟ କ୍ଷେତ୍ର ହେଉଛନ୍ତି ଏକା କଥା। ମହାଶୂନ୍ୟ ଆଉ ପଦାର୍ଥ ଠାରୁ କିଛି ଭିନ୍ନ ନୁହେଁ; ଏହା ହେଉଛି ଜଗତ୍ର ଅନ୍ୟତମ ପାର୍ଥିବ ଅ˚ଶବିଶେଷ। ଏହା ସ୍ଥିର ନିଶ୍ଚଳ ନୁହେଁ, ଏହା ସାଗରର ଉତ୍ତାଳ ତରଙ୍ଗ ଭଳି ଉଠେ ପଡ଼େ, ମୋଡ଼ି ହୋଇଯାଏ, ସ˚କୁଚିତ ପ୍ରସାରିତ ହୁଏ, ବାଙ୍କି ଯାଏ…। ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର… ସମସ୍ତ ବସ୍ତୁମାନ ନିଜ ଚାରିପଟେ ଥିବା ଏହି ମହାଶୂନ୍ୟକୁ ବଙ୍କାଇ ଦିଅନ୍ତି ଏବ˚ ଏଥିଯୋଗୁଁ ମହାଶୂନ୍ୟରେ ସୃଷ୍ଟ ଢାଲୁ ଦେଇ ପଦାର୍ଥମାନଙ୍କର ପତନ ଘଟିଥାଏ, ଯାହା ହିଁ ହେଉଛି ମାଧୢାକର୍ଷଣ। ଅର୍ଥାତ୍ ମାଧୢାକର୍ଷଣ ଆଉ ନିଉଟନ୍ ବର୍ଣ୍ଣିତ ଶକ୍ତି ନ ହୋଇ ଏକ ଜ୍ୟାମିତିକ ଢାଲୁରେ ପରିଣତ ହେଲା। ଗ୍ରହମାନେ ସୂର୍ଯ୍ୟ ଚତୁର୍ଦ୍ଦିଗରେ ସୃଷ୍ଟ ଏହି ଢାଲୁରେ ହିଁ ଘୂରି ବୁଲୁଛନ୍ତି; ଚନ୍ଦ୍ର ପୃଥିବୀ ଚାରପଟେ ସୃଷ୍ଟ ଢାଲୁରେ ହିଁ ଘୂରୁଛି।
ଏହି ଢାଲୁ ଯୋଗୁଁ ଗ୍ରହମାନେ କେବଳ ଯେ ଏକ ତାରାର ଚାରିପଟେ ବାଙ୍କି କରି ଘୂରୁଛନ୍ତି, ତାହା ନୁହେଁ, ଆଲୋକ ମଧୢ ସେଠାରେ ଏକ ସରଳରେଖାରେ ଗତି ନ କରି ବାଙ୍କି ଯାଏ। ଆଇନ୍ଷ୍ଟାଇନ୍ କହିଥିଲେ ସୂର୍ଯ୍ୟଙ୍କର ଉପସ୍ଥିତି ତାଙ୍କ ପାଖ ଦେଇ ଆସୁଥିବା ତାରାର ଆଲୋକକୁ ବଙ୍କାଇ ଦେଇଥାଏ। ୧୯୧୯ରେ ବ୍ରିଟିସ୍ ଜ୍ୟୋତିର୍ବିଜ୍ଞାନୀ ଆର୍ଥର୍ ଏଡିଙ୍ଗ୍ଟନ୍ ଓ ଫ୍ରାଙ୍କ୍ ଡାଇସନ୍ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ନିରୀକ୍ଷଣ କରି ଏହାର ସତ୍ୟତା ପ୍ରମାଣ କରିଥିଲେ ହେଁ ନୋବେଲ୍ କମିଟି ଶେଷରେ ୧୯୨୧ରେ ଆଇନ୍ଷ୍ଟାଇନ୍ଙ୍କୁ ଯେଉଁ ନୋବେଲ୍ ପୁରସ୍କାର ଦେଲା (୧୯୨୨ରେ ପ୍ରଦାନ କରାହେଲା), ତାହା କୌଣସିଟି ଆପେକ୍ଷିକ ତତ୍ତ୍ବ ପାଇଁ ନ ଥିଲା; ତାହା ଥିଲା ଆଲୋକ ସମ୍ପର୍କିତ ତାଙ୍କର ଏକ ଗବେଷଣା ପାଇଁ। କମିଟି ଆପେକ୍ଷିକ ତତ୍ତ୍ବକୁ ସମ୍ପୂର୍ଣ୍ଣ ବିଶ୍ବାସ କରୁନଥିଲା।
‘ସାଧାରଣ ଆପେକ୍ଷିକ ତତ୍ତ୍ବ’ରୁ ସୃଷ୍ଟ ଅନେକ ଯୁଗାନ୍ତକାରୀ ସିଦ୍ଧାନ୍ତ ମାନଙ୍କ ମଧୢରୁ ଗୋଟିଏ ହେଉଛି- ‘ବ୍ଲାକ୍ ହୋଲ୍’। ଯେତେବେଳେ ଏକ ବିଶାଳ ତାରା ତା’ର ସମସ୍ତ ଉଦ୍ଯାନ ଇନ୍ଧନ ଜଳାଇ ସାରିଦିଏ, ସେତେବେଳେ ତା’ନିଜ ଶରୀରର ଚାପରେ ସେ ପାର୍ଶ୍ବବର୍ତ୍ତୀ ‘ମହାଶୂନ୍ୟ-ସମୟ’ (ସ୍ପେସ୍ ଟାଇମ୍)କୁ ଏପରି ବଙ୍କାଇ ଦିଏ ଯେ ସେଠାରେ ବାସ୍ତବରେ ମହାଶୂନ୍ୟ ସମୟରେ ଏକ ଗର୍ତ୍ତ ସୃଷ୍ଟି ହୁଏ, ଯାହାର ପ୍ରବଳ ମାଧୢାକର୍ଷଣ ଯୋଗୁଁ ସେଠାରୁ ଆଲୋକ ମଧୢ ନିର୍ଗତ ହୋଇପାରେ ନାହିଁ: ‘ଏଣୁ କୃଷ୍ଣ ଗର୍ତ୍ତ’। ରଜର ପେନ୍ରୋଜ୍ ଏବ˚ ଷ୍ଟିଫେନ୍ ହକିଙ୍ଗ ମିଳିତ ଭାବରେ ଅତ୍ୟନ୍ତ ଜଟିଳ ଗଣିତ ବ୍ୟବହାର କରି ୧୯୬୦ ଦଶକରେ ଏହି ‘ବ୍ଲାକ୍ ହୋଲ୍’ ସମ୍ବନ୍ଧରେ ଗବେଷଣା କରିଥିଲେ ଯାହାର ବୈପ୍ଳବିକ ଗୁରୁତ୍ବ ପୃଥିବୀ ସାରାର ପଦାର୍ଥବିଜ୍ଞାନୀ ଗୋଷ୍ଠୀ ୧୯୮୦ ଦଶକରୁ ସ୍ବୀକାର କରି ଆସିଥିଲେ ହେଁ ଏବେ ଯାଇ ନୋବେଲ୍ କମିଟିର ନିଦ ଭାଙ୍ଗିଛି- ତାହା ପୁଣି କିମ୍ବଦନ୍ତି ପଦାର୍ଥବିଜ୍ଞାନୀ ହ୍ବିଲ ଚେଆର ଆବଦ୍ଧ ଷ୍ଟିଫେନ୍ ହକିଙ୍ଗଙ୍କର ୨୦୧୮ରେ ତିରୋଧାନ ପରେ। ଏ ପୁରସ୍କାର ତେଣୁ ନୋବେଲ୍ କମିଟି ପ୍ରତି ଏକ ତିରସ୍କାର କହିଲେ ଭୁଲ୍ ହେବ ନାହିଁ।